ମୁଁ ହାଟରୁ କିଣିଛି (ଭାଗ -୨)

ଦିବାଙ୍କର ସାହୁ 

ମୁଁ ଏଇ ବେଡ଼ ଉପରେ କ’ଣ କରୁଛି ମୁଁ ବି ଜାଣିନି। ଏଠି ସମସ୍ତେ କୋଉ ଗୋଟେ ଅଜଣା ଭାଷାରେ କଥା ହେଉଛନ୍ତି। ବୋଧେ ହିନ୍ଦୀରେ। ଡାକ୍ତର କହୁଥିଲେ ଆପ୍‌ ସୁରକ୍ଷିତ ହେ, ତୁହ୍ମାରା କୁଛ ନେହିଁ ହୁଆ। କ’ଣ କହିଲେ ସେଗୁଡା ମୁଁ କିଛି ବୁଝି ପାରିଲିନି। କିଛି ଦିନ ଡାକ୍ତରଖାନାରେ ରହିଲି। ତା’ ପରେ କେତେ ଗୁଡ଼ିଏ କାଗଜ ଦେଇ ମତେ ତଡ଼ି ଦେଲେ ସେଠୁ। ବୋଧେ ସେଗୁଡ଼ା ଡାକ୍ତରଖାନାର ରିପୋର୍ଟ। ସେ ଯାହାବି ହେଉ, ଡେଙ୍ଗା ଆଉ ସୁସ୍ଥିଆ ସିକ୍ୟୁରିଟି ଗାଡ଼ିଟା ମୋତେ ଆଣି ଗେଟ ବାହାରେ ଛାଡ଼ି ଦେଇଗଲା। ଗେଟ୍‌ ପାଖରୁ ଏପଟ ଆଉ ସେପଟକୁ ରାସ୍ତା ପଡ଼ିଛି। ମୁଁ ଏବେ କୁଆଡ଼େ ଯିବି। କାହାକୁ ଜାଣିନି..କାହାକୁ ଚିହ୍ନିନି। କ’ଣ ଖାଇବି। କୋଉଠି ରହିବି କିଛି ଜାଣି ପାରୁନି। ବୁଢ଼ା ଲୋକ ମୁଁ , ଠିକରେ ଚାଲିବି ପାରୁନି। ଏ ବୟସରେ ଏମିତି ଭୋଗିବାକୁ ପଡ଼ିବ ବୋଲି ମୁଁ କେବେ ଭାବିନଥିଲି। ହଉ ଭୋକ ତ ଆଉ ସହି ହଉନି। କ’ଣ ବା କରିବି। ଭାରି ନିଜୋର ଲାଗୁଛି। ଯେମିତି, ରକ୍ତ ପିପାସୁ ନରରାକ୍ଷସ ଗୁଡ଼ା ମୋ ଦେହରୁ ସବୁ ବଳ କାଢ଼ି ନେଇଛନ୍ତି, ଖାଲି ଶକ୍ତିହୀନ ଶରୀରଟାକୁ ଛାଡ଼ି ଦେଇଛନ୍ତି। ଆଉ ଉପାୟ ନାହିଁ।

ସେଇ ଗେଟ ପାଖରେ ଠିଆ ହୋଇଛି। ପ୍ରଚଣ୍ଡ ଖରାର କୋପ ବୋଧେ ସୁରୁଜ ଦେବତା ମୋ ଉପରେ ସବୁ ଅଜାଡ଼ି ଦେଉଛନ୍ତି। ଆଉ ଭାବିବାକୁ ବେଳ ନାହିଁ ଧୀରେ ଧୀରେ ପାଖ ବରଗଛ ଛାଇକୁ ଚାଲିଆସିଲି। ଧିରେ ଧିରେ ବାଡ଼ିଟାକୁ ପକେଇଦେଇ ସେଠି ବସି ପଡ଼ିଲି। କ’ଣ କରିବି ଯେଉଁ ସମ୍ମାନକୁ ଜଗି  ଏ ହାତ କାହା ଆଗରେ ପାତି ନଥିଲା, ସେ ଆଜି ଭୋକର ଜ୍ୱାଳାକୁ ଶାନ୍ତ କରିବାକୁ ଆଗକୁ ଲମ୍ବି ଯାଇଛି। ଯେଉଁ ପାଟି ଦିନେ ଭିକ ମାଗୁଥିବା ଅସୁଆଙ୍କୁ ଗାଳି କରୁଥିଲା, କର୍ମ କରି ଖାଇବାକୁ ବତାଉଥିଲା ସେ ଆଜି ଭିକ ଗଣ୍ଡେ ମିଳୁ ବୋଲି ଚିତ୍କାର କରି ଉଠୁଛି। ହଁ ବାସ ଥରୁଟେ କାହା ଆଗରେ ମୁଣ୍ଡ ନୁଆଁଇଥିଲି, ମୋ ସ୍ତ୍ରୀର ଦେହ ଭଲ କରିବା ପାଇଁ। ହଉ ଛାଡ଼ ସେ ସବୁ କଥା। ସେ ସ୍ମୃତି ଆଉ ଉଜ୍ଜୀବିତ କରିବାକୁ ସାମର୍ଥ୍ୟ ମୋର ନାହିଁ।

କିଛି ସମୟ ଗର୍ଜିବା ପରେ କେହି କିଛି ବି ଦେଲେ ନାହିଁ। ଏପଟେ ପେଟ ଆସି ପିଠିରେ ଲାଗିବାକୁ ବସିଲାଣି। କେତେ ଆଉ ପାଣି ଗୁଡ଼ା ପିଇ ଚାଲିବି। ଆଉ ସହି ହେଲାନି। ଠିକ ଏତିକି ବେଳକୁ କେହି ଜଣେ ଡାକ୍ତରଖାନା ଭିତରୁ ଜରିରେ କିଛି ନେଇ ବାହାରକୁ ଆସିଲା। ଜରିଟିକୁ ମୋ ପାଖାପାଖି ଫୋପାଡ଼ି ଦେଇ ଚାଲିଗଲା। ଓଃ କି ଆନନ୍ଦ। ଭଗବାନ ବୋଧେ ମୋ ମନ ଜାଣି ପଠେଇଛନ୍ତି। ଆତୁର ହୋଇ ଜରି ଭିତରେ ହାତ ପୁରେଇ ପକେଇଲି। କିଛି ସାଲୁବାଲୁ କରି ହାତରେ ମୋର ଲାଗିଗଲେ। ଅନ୍ତରର ବହ୍ନି ଏତେ ଦାଉ ଦାଉ ହେଉଥିଲା ଯେ ଆଉ ଦେଖିବାକୁ ଅପେକ୍ଷା କରିପାରିଲାନି। ଚଟ କିନା ହାତ ଆସି ପାଟିରେ ଆପଣାଛାଏ ପଶିଗଲା। ଆଃ କି ଶାନ୍ତି। ବହୁ ଦିନର ତୃଷ୍ଣା ଆଜି ତୃପ୍ତ ହୋଇଗଲା ଯେମିତି। ଖାଇ ସାରି ହେଉଡ଼ିଟେ ମାରିଲି। ସେ ଯାହାବି ହେଉ ପେଟ ତ ପୁରିଗଲା। କିନ୍ତୁ ସେ ଜରିରେ କ’ଣ ଥିଲା ଜାଣିଛୁ ଲୋ ମା’ … ଡାକ୍ତରଖାନାର ବଳିପଡ଼ିଥିବା ଦୁଇ ତିନି ଦିନର ବାସି ଖାଦ୍ୟ। ପୋକ ଗୁଡ଼ା ତାକୁ ଆହାର କରିନେଇଥିଲେ। ସେଥିରୁ ଫାଟି ପଡୁଥିଲା ବାନ୍ତି ଓଗାଳିବା ପରି ଗନ୍ଧ। ଏଇ ଭୋକିଲା ପେଟକୁ ସେ ଅମୃତ ସମାନ ଥିଲା।

ଏଇ ଖୋଲା ଆକାଶର ଛତ୍ରଛାୟାରେ ଡେଣା ମେଲେଇ ଥିବା ବରଗଛ ତଳେ କିଛି ଦିନ ବେଶ ଏମିତି ମୋର ବିତିଗଲାଣି। ମୁଁ ସବୁ ଦିନ ପରି ଚିତ୍କାର କରୁଥାଏ – ବାବୁ କିଛି ଗଣ୍ଡେ ଖାଇବାକୁ ଦିଅ ବାବୁ ତମର ଧର୍ମ ହେବ, ଏ ମାଆ କିଛି ଗଣ୍ଡେ ଦେଏଲୋ ମାଆ ତୋର ମଙ୍ଗଳ ହେବ। କିନ୍ତୁ ଏ ନିର୍ଦ୍ଦୟ ମଣିଷ ଗୁଡ଼ା ମୋ ଭାଷାକୁ ବୁଝିପାରୁନାହାନ୍ତି। ଆଖି ଡୋଳାକୁ ଟିକେ ବୁଲେଇଦେଇ ନଦେଖିଲା ପରି ଚାଲି ଯାଆନ୍ତି। ଘରୁ ତ କିଛି ଲୁଗାପଟା ଆଣିନଥିଲି। ପୁଅ ସହ ଖାଲି ବୁଲିବାକୁ ଆସିଥିଲି। ମୁଁ କ’ଣ ଜାଣିଥିଲି ଗୋଟେ ଅଜଣା ରାଇଜକୁ ଯାଉଛି। ସେଇ ଖଣ୍ଡିଏ ଲୁଗା ବାସ। ଘଷି ମାଜି ହୋଇ ଭଲରେ ଗାଧୁଆ ପାଧୁଆ ନାହିଁ। କେବଳ ସେଇ ପାଖ ପୋଖରୀରେ ସବୁଦିନିଆ କାମ ଚଳିଯାଏ।

ହଉ ଛାଡ଼ଲୋ ମାଆ ତତେ ଏ ସବୁ କହି ମୋର ବା କି ଲାଭ। ଏତେ ଦିନ ପରେ ମୋ ରାଇଜ ଭାଷାରେ କାହା ସହ କଥା ହେଲି ଭାରି ଖୁସି ଲାଗିଲା। ବୁଢ଼ା ଲୋକଟା ମୁଁ, ତୋ ଆଗରେ କେତେ କ’ଣ ବକି ଗଲିଣି। ଖରାପ ଭାବିବୁନି। ମନର ବେଦନାକୁ ଆଉ ଚାପି ରଖିପାରିଲିନି। ନା ନା ମଉସା ସେମିତି କୁହ ନାହିଁ। ଭଗବାନ କାହାକୁ ଆଣି କୋଉଠି ପହଞ୍ଚାଇଦିଅନ୍ତି କେବଳ ସେ ହିଁ ଜାଣନ୍ତି। ଧୀର କଣ୍ଠରେ ଉତ୍ତର ଦେଲା ସସ୍ମିତା। ଏତେ ସମୟ ଧରି ବୁଢ଼ାର କଥାକୁ କାନ ଡେରି ଶୁଣୁଥିଲା ସେ। ସାଙ୍ଗ ତା’ର ସେଇ ପାଖ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ତାକୁ ଦେଖା କରିବାକୁ ଆସିଥିଲା।

ହେଲେ ଫେରିବା ବାଟରେ ଓଡ଼ି ରେ ଭିକ ମିଳୁ ଭିକ ମିଳୁ ବୋଲି ଚିତ୍କାର କରୁଥିବା ନିସହାୟ ବୁଢ଼ାଟିକୁ ଦେଖି ଅଟକି ଗଲା। ପାଖକୁ ଯାଇ ପଚାରିଲା ମଉସା ତମେ ଓଡ଼ିଶାରୁ ଆସିଛ ? ଉତ୍ତରରେ ହଁ ଲୋ ମାଆ ବୋଲି କୋହଭରା କଣ୍ଠରେ କହିଲା ବୁଢ଼ା। ପୁଣି ସସ୍ମିତା ପଚାରିଲା ଏଠିକି କେମିତି ଆସିଲ? ମୁଁ ନିଜେ ଆସିନି ଲୋ ମାଆ। ସମୟ ଆଣି ମତେ ଏଠି ପହଞ୍ଚାଇ ଦେଇଛି। ବୁଢ଼ାଠାରୁ ସମସ୍ତ ଘଟଣା ଶୁଣିଲା ସସ୍ମିତା। ସବୁ ଶୁଣିସାରି ସସ୍ମିତା କହିଲା ମଉସା ମୁଁ ଏଇ ପାଖରେ ଗୋଟେ ଘର ଭଡାନେଇ ରହୁଛି। ମୋ ସାଙ୍ଗରେ ଚାଲ। ତୁମର କିଛି ଅସୁବିଧା ହେବନି। ଏଇ ଦୁନିଆରେ କେହି କାହାର ନୁହେଁ ଲୋ ମା’। ଯାହାକୁ ଜନ୍ମ କରି, ପାଳି ପୋଷି ବଡ଼ କଲି ସେ ତ ମତେ ଆଜି ହାଟରେ ବିକି ଦେଇ ଚାଲିଗଲା। ଆଉ ତୁ ତ ମୋର କେହି ନୁହେଁ , କାହିଁକି ତୋ ଉପରେ ବୋଝ ହେବି। ବୁଢ଼ା ଆଖିରୁ ଦୁଇ ଧାର ଲୁହ ବୋହିଗଲା। ସସ୍ମିତା ଆଉ ସହି ପାରିଲାନି। ବୁଢ଼ା ହାତ ଧରି ଜବରଦସ୍ତ ଉଠାଇଲା। ମଉସା ତମେ ମୋ ସହ ନଗଲେ ମୁଁ ବି ଯିବିନି। ମୋ ସହ ଚାଲ। ଘରେ ସବୁ କଥା ହେବା ଝିଅଟାର ଜିଦିକୁ ମଉସା ଏଡେଇ ପାରିଲାନି। ଧିରେ ଧିରେ ଉଠିଲା ଆଉ ସସ୍ମିତାକୁ ଆଶା ବାଡ଼ିକରି ତା’ ସହ ତା’ ଘରକୁ ଚାଲିଲା। କ୍ରମଶଃ…

ଇମେଲ୍‌-dibankar19@gmail.com

ଫୋନ୍- ୭୨୦୫୧୩୫୧୦୦