ହେଲା, ଆରେ କ’ଣ କରୁଛୁ...? କେତେ ସମୟ ହେଲା ଫୋନ୍ଟା ରିଙ୍ଗ ହେଉଛି ଉଠାଉନୁ କାହିଁକି… ହଁ କହ... ଗାଧୋଉଥିଲି। ମୋର ଲେଟ୍ ହେଲାଣି। କ’ଣ କହିବା କଥା ଟିକେ ଜଲଦି କହ...
ଓହୋ , ହଉ ତୁରଖିଦେ…. ଖାଇଛୁନା ଖାଇକି ଯିବୁ ? –ହଁ ମା ତୁ ଫୋନ୍ଟା ରଖିଲେ ସିନା ଖାଇବି। ମୋର ବହୁତ ଲେଟ୍ ହେଲାଣି। ହଉ ତୁ ଚିଡ଼େନା ଶାନ୍ତିରେ ଦିଟା ଖାଇବୁ। ଦେଖିକିଯିବୁ। ହଁ ତୁ ଫୋନ୍ ରଖ। ହଉ ଅଫିସରେ ଫ୍ରୀ ହେଲେ ଟକେ ଫୋନ କରିବୁ….. ଆରେ …. ଖାଇବୁ କ’ଣ….? କାଟି ଦେଲାଣିନା କ’ଣ... ହେଲା... ହଁ କାଟିଦେଲା ... କେତେ କାମ କରିବ ପିଲାଟା। ଶାନ୍ତିରେ ଟିକେ ଖାଇବି ପାରୁନି। ହେ ମା’ ତା’ ଦିନଟା ଆଜି ଭଲରେ ଭଲରେ ଯାଉ। କିଛି ନ କହିକି ଫୋନ୍ଟା କାଟିଦେଲା। ଆର ସପ୍ତାହକୁ ତା’ ପାଖକୁ ଯିବା ପାଇଁ କହିଥିଲି। ତା’ର ମନେଥିବ କି ନାହିଁ କେଜାଣି। ଏତେ ବ୍ୟସ୍ତ ଭିତେର ରହୁଛି ସେ। ଠିକ୍ସେ ଦିଟା ଖାଇବି ପାରୁନି। ଭାବୁଛି ତା’ ପାଖରେ ଗୋଟେ ମାସ ଖଣ୍ଡେ ରହି ଆସିଲେ ଅବଶ୍ୟ ତାକୁ ଗୋଟେ ମାସ ଶାନ୍ତି ତ ମିଳିବ।
ବାହାର ଖାଇବା ଖାଇ ଖାଇ ଦେହ ତା’ର ଅଧିକ ଖରାପ ହେଉଛି। ହଉ ସେ ଅଫିସରେ ପହଞ୍ଚିକି ଫୋନ୍ କରୁ। ଯିବା କଥା କ’ଣ ହେଲା ବୁଝିବି। ଏଁ... ଆଜି ତା’ର କି ଅଫିସ ଆଜି ପରା ଶିଶୁଦିବସ। ଆଜି କ’ଣ ତା’ର ଛୁଟି ନାହିଁ। କେଜାଣି କି ଅଫିସରେ କାମ କରୁଛି…...ସବୁବେଳେ ଖାଲି କାମ କାମ କାମ । (ଗୋଟେ ଘଣ୍ଟା ପରେ ଫୋନ୍ ରିଙ୍ଗ୍ ହେବାର ଶବ୍ଦ) ସେଇ ଫୋନ୍ କରିଥିବ। ଅଫିସରେ ପହଁଚିଗଲା ବୋଧେ। -ହେଲୋ …. ହଁ ମା ମୁଁ ଅଫିସରେ ପହଞ୍ଚିଲି। କ’ଣ କହୁଥିଲୁ କହ ? ଭଲରେ ଭଲରେ ପହଞ୍ଚିଲୁ ? କ’ଣ ଖାଇକି ଆସିଲୁ ? ଆଜି ତମର ଛୁଟି ନାହିଁ କିରେ …. ଆଜି ପରା ଶିଶୁଦିବସ …. ମୁଁ କ’ଣ ଆଉ ଶିଶୁ ହେଇକି ଅଛି….ମୁଁ ପା ବଡ଼ ହୋଇଗଲିଣି…..ହଁ ଭଲରେ ଭଲରେ ପହଞ୍ଚିଲି... ପଖାଳ ଥିଲା ଖାଇକି ଆସିଲି... ତୁ କ’ଣ କହୁଥିଲୁ କହ ? ଆରେ ମୋ ଯିବା କଥା କହିଥିଲି ପା। ଟିକେଟ୍ କାଟିଥିଲୁ କି ? କାହିଁ କିଛି ତ କହିଲୁନି ? ହଁ ମା’ ମୁଁ କାଟି ଦେଇଛି... ତୋତେ କହିବାକୁ ଭୁଲି ଯାଇଥିଲି…. ବାପାଙ୍କର ତୋର ଦୁଇଜଣଙ୍କର ଟିକେଟ୍ କାଟି ଦେଇଛି। ଆରେ ବାପା କ’ଣ ଯିବେ ? ତାଙ୍କର ସମୟ ନାହିଁ ବୋଲି ତ କହୁଥିଲେ। ଆଉ ତୁ ଏକା କେମିତି ଆସିଥାନ୍ତୁ ? ନାଇଁ ଦିଜଣ ଯାକ ଆସ କିଛିଦିନ ରହିକିପେଳଇବ। ହେଲେ ତୋ ବାପା କହୁଥିଲେ...ତୁ କିଛିଦିନ ପାଇଁ ଆସି ଯାଇଥିଲେ ହେଇନଥା’ନ୍ତା ? ବହୁତ ଦିନ ହେଲା ଆସିନାହୁଁ ଓହୋ… ଆରେ ତୁ ତ ଜାଣିଛୁ ମା ଏ ଗୋଟେମାସ ହେଲା କେତେ ବ୍ୟସ୍ତ ରହୁଛି। ଏବେ ଛୁଟି ମିଳିବା ସମ୍ଭବ ନୁହେଁ। ତୁମେ ଦିଜଣ ଯାକ ପଳେଇଆସ। କିଛିଦିନ ରହିକି ପଳେଇବ। ହଉ ମୁଁ ତୋ ବାପାଙ୍କୁ କୁହେ... ସେ ରାଜି ହେବେକି ନାହିଁ କେଜାଣି। ଆଉ ତୋ ପାଇଁ କିଛି ନେବିକିରେ…? କ’ଣ ଆଣିବୁ ? ବଡ଼ି, ଘିଅ, ଆଚାର ସବୁ ରଖିଛି... ଆଉ କ’ଣ ନେବି ତୁ କହ ? ଆଉ ଆମ ବାଡ଼ିରେ କିଛି ହେଇନି ? ହଁ ପିଜୁଳିଦିଟା ନେଇଯିବି। ଆଉ କିଛି ନେବିକିରେ…. ହଁ ପିଜୁଳି ଆଣିବୁ। ଆଉ ତୁ ଯୋଉ ଛେନା ପୁର ଦେଇକି ପିଠା କରୁ ସେଥିରୁ ଦିଟା ଆଣିବୁ। ମୋ ସାଙ୍ଗମାନେ କହୁଥିଲେ ମାଉସୀଙ୍କୁ କହିବୁ ଆସିଲାବେଳେ ସେଇ ପିଠା ବନେଇକି ଆଣିବେ। ଆଉ କିଛି ଆଣିବା ଦରକାର ନାହିଁ। ଏଠି ସବୁଅଛି। ଆଉ କିଛି କହିବୁନା ମୁଁ ରଖିବି। ହଉ ରଖ। ମୁଁ ଯାଇକି ବାପାଙ୍କୁ କୁହେ। ସେ ଯିବେ କି ନାହଁ କେଜାଣି ?
ବଡ଼ି ତ ଅଳପ ଦିଟା ଥିଲା। ସେତିକି କ’ଣ ହବ। କହୁଛି ତା ସାଙ୍ଗ ମାନେ ଖାଇେବ। ଦେଖିବା ବଡ଼ି ଆଉ କେତେ ଅଛି। ଏଇ ଦିଟା ବଡ଼ି ନେଇକି କ’ଣ ଯିବି। ଇଏ ତ ଦିଟା ଦିନରେ ସରିଯିବ। ନା ଆଉ କିଛି ବଡ଼ି ନେଇକିଯିବି। ଇଏ କୁଆେଡ ଗଲେ କେଜାଣି। ଆଉ କିଲେ ଖଣ୍ଡେ ବିରି ଆଣିବେ ଆଉ ଗୋପାଳ ସାହିରେ କହିଦେଇ ଆସିବେ ଗୁରୁବାରକୁ ଗୋଟେ କିଲୋ ଛେନା ଆଣିବେ। ଆରେ କୁଆେଡ ଗଲ ବା ଶୁଣୁଛ... ଏଇଠି ବସି ଖବରକାଗଜ ପଢୁଥିଲ …. କୁଆେଡ ଗଲ ଯେ…. ଆରେ ମୁଁ ଏପଟେ ଅଛି। ସେପଟେ କ’ଣ କରୁଛ ? ଏଇ ମାଙ୍କଡ ସବୁ କ’ଣ ବାଡ଼ିରେ କିଛି ରଖେଇ ଦେଉଛନ୍ତି। କେତେଟା କ’ଣ ପିଜୁଳି ହୋଇଥିଲା ଅଧା ଖାଇସାରିଲେଣି। ତମେ ଆର ସପ୍ତାହକୁ ପୁଅ ପାଖକୁ ଯିବ ବୋଲି କହୁଥିଲ ପରା। ଯାହା ଯେତିକି ପିଜୁଳି ଦିଟା ଅଛି ନେଇକିଯିବା। ପିଜୁଳି ତା’ର ଭାରି ପ୍ରିୟ। ନେଇକି ଯିବା କ’ଣ କହୁଛ ? ସେ ପା ଆମ ଦି ଜଣଙ୍କ ଟିକେଟ କାଟିଛି।
ଦିଜଣ... ହେ ମୁଁ ପା ମନା କରିଥିଲି, ମୋତେ ସମୟ ନାହିଁ। ସେ କଥା ତାକୁ କହିବ। ସେ ତ ଟିକେଟ କରିସାରିଛି। ଆରେ ମୋର ସାର୍ଟ ପ୍ୟାଣ୍ଟ ଭଲସେ ସଫା ହୋଇ ନାହିଁ। ଏମିତି ହଠାତ୍ କେମିତି ଯିବି ! ହଉ ଥାଉ ମୁଁ ସଫା କରିଦେଉଛି। ତୁମେ ଗଲ ବଜାରରୁ ଦୁଇ କେଜି ବିରି ଆଣିବ। ବଡ଼ିଦିଟା ବନେଇତି ନେବି। ଆଉ ଫେରିଲା ବେଳେ ଗୋପାଳ ସାହିରେ କହି ଦେଇଥିବ ଗୁରୁବାର ଦିନ କିଲେ ଛେନା ଦେବା ପାଇଁ। ହଉ ମୁଁ ଯାଉଛି ବଜାର ଆଡୁ ଆସେ। ଏ ପିଜୁଳି ଗଛକୁ ଟିକେ ନଜର ପକେଇଥିବ। ନ ହେଲେ ଏ ମାଙ୍କଡ ସବୁ ଖାଇଯିବେ। ହଉ ତମେ ଯା’ଅ।
ମୁଁ ତେଣେ ଯାଇ ଦେଖେ ମୋର ବି ଶାଢ଼ୀଦିଟା ସଫା କରିବି। ସବୁ ଡ୍ରେସ୍ ୟାଙ୍କର ସଫା ଅଛି। ପୁଣି କାହାକୁ ସଫା କରିବି। ଗରମ ଦିନରେ ପତଳା ସାର୍ଟ ଦି ଖଣ୍ଡ ହେଲେ ୟାଙ୍କର ହେଲା। ସୁଟ୍କେଶଟିକେ ଝାଡିବାକୁ ପଡ଼ିବ। ଲୁଗା ଆଉ ସାର୍ଟ ଫ୍ୟାଣ୍ଟ ଖଣ୍ଡେ ଭିଜେଇ ଦେଇ ପିଜୁଳିଗଛ ପାଖେର ଟିକେ ବସି ପଡ଼ିଲେ ଆରତିଦେବୀ। ସପ୍ତମ ଶ୍ରେଣୀରେ ପଢ଼ିଲା ବେଳେ ସେ ଏଇ ପିଜୁଳି ଗଛଟା ଲେଗଇଥିଲା। ପାଞ୍ଚ ବର୍ଷ ହେଲା ଫଳିଲାଣି। ହେଲେ ତା’ ପାଟିରେ ଟିକେ ବାଜିଲା ନାହିଁ। ସବୁବେଳେ ପଚାରି ହଉଛି ପିଜୁଳି ଫଳୁଛିନା ନାହିଁ।
ଯେତିକି ପିଜୁଳି ଗଛରେ ଅଛି ସବୁ ନେଇଯିବି କେତେ ଖାଉଛି ଖାଉ। ଯେତେବେଳେ ଛୋଟ ପିଲାଟିଏ ହୋଇଥିଲା ତା’ ସବୁସାଙ୍ଗଙ୍କୁ ଡାକି ଆଣି ତା’ ପିଜୁଳି ଗଛ ଦେଖାଏ …. ଘରେ ରାଗିକି ଟିକେ କିଛି କହିଲେ ଏଇ ପିଜୁଳି ଗଛ ପାଖରେ ଆସି ବସେ। ଏଇ ଗଛ ପାଖରେ କିଛି ସମୟ ଆସି ବସିଲେ ତା’ ରାଗ ଆପେ ଆପେ ଶାନ୍ତ ହୋଇଯାଏ। ଏ ଗଛ ସାଙ୍ଗରେ ତା’ର କି ମାୟା କେଜାଣି। ଖରାଦିନେ ଏଇ ଗଛ ମୂଳେ ବହିଟେ ଧରି ସବୁବଳେ ବସିଥାଏ।
ଏମିତି ଭାବନା ରାଇଜରେ ବୁଲୁବୁଲୁ ହଠାତ୍ ଆରତି ଦେବୀଙ୍କର ମନେ ପଡ଼ିଗଲା.....ଆରେ କୋଉଦିନ ଟିକେଟ୍ଟା କାଟିଲା କହିଲା ନାହିଁ ତ। ହଉ ସେ ସନ୍ଧ୍ୟା ବେଳକୁ ଘରକୁ ଫେରୁ ଫ୍ରୀ ହେଲେ ତା’ ସହ ଟିକେ ଭଲସେ କଥା ହେବି। ଏ ଭୁଲା ମନ ଠିକ୍ ସମୟରେ ସବୁ ଭୁଲିଯିବ। ଗୋଟେ ଲିଷ୍ଟ କରିବି ତା’ ସହ କଥା ହୋଇ। ଆରେ ହେଇ (ବଡ଼ ପାଟିକରି) ପୁଣି ସେ ମାଙ୍କଡ ଗୁଡ଼ା ଆସିଲେଣି…. କୁଆେଡ ଗଲା ସେ ଆଙ୍କୁଡିଟା …. ଚାଲ୍ ଚାଲ୍ଏଠୁ…. ଆରେ ତମ କଥା ଏମାନେ ଶୁଣିବେ ନାହିଁ। ନିଅ ତମ ବିରି ନିଅ... ମୁଁ ଏମାନଙ୍କୁ ଗୋଡ଼ାଉଛି। ଆରେ ତମେ ଏତେ ଜଲ୍ଦି ଆସିଗଲ। ହଁ କାମ ସରିଲା। ପୁଣି କାହିଁକି ଲେଟ୍ କରିଥା’ନ୍ତି। ମୁଁ କାଳେ ରାଜି ନାହିଁ ଯିବା ପାଇଁ ପୁଅ ମୋତେ ଫୋନ୍ କରିଥିଲା।
ସେ ଏଇ ଶନିବାର ସକାଳ ପାଇଁ ଟିକେଟ କାଟିଛି। ଆଉ ହାତରେ ମାତ୍ର ୪ଟା ଦିନ। ତୁମେ ଗଲ ଶୀଘ୍ର ଶୀଘ୍ର ଏ ବିରିଗୁଡା ପାଣିରେ ପକେଇବ। ଆଉ ବେଳ ନାହିଁ। ମୁଁ ଏ ଲୁଗାପଟା ଧୋଇ ଦଉଛି। ଛେନା ଦେବା କଥା ଗୋପାଳ ସାହିରେ କହିଲ ? ହଁ କହିଛି। ହଉ ମୁଁ ବିରିଟା ଆଗ ପାଣିରେ ପକେଇଦିଏ । ଆଜି କିଛି ଆଉ ତରକାରୀ କରିହବନି। ଯାହା ଶାଗ ମୁଗ ଦୁଇଟା ହବ ଖାଇଦବ। ହଁ ମୁଁ ଖାଇଦେବି। ତରକାରୀ ନେହେଲ ଚଳିବ। ପାଖାପାଖି ଗୋଟେ ବର୍ଷ ହୋଇଗଲା ପୁଅକୁ ଦେଖି ନାହାନ୍ତି ଦୁଇଜଣ। ପୁଅକୁ ପିଜୁଳି ଦୁଇଟା ଚଖେବାକୁ ଆରତି ଦେବୀ ଯେମିତି କୋଉ କାଳରୁ ପଣ କରି ଚାହିଁ ବସିଥିଲେ। ଯିବା ଖବର ଶୁଣି ଦିନରେ ପଚାଶ ଥର ସେଇ ଗଛଟିକୁ ଚାହିଁ ବସୁଥିଲେ। ଏ ଗଛ ସାଙ୍ଗରେ ସତେର ଏ ମା’ ପୁଅ ଦୁଇଜଣଙ୍କର କିଛି ଗୋଟେ ଅନାବିଳ ସମ୍ପର୍କ ଯୋଡ଼ି ହୋଇଯାଇଛି। ସବୁକାମ ସାରି ଗାଧୁଆପାଧୁଆ ସରୁସରୁ ଟିକେ ବିଳମ୍ବ ହୋଇଗଲା। ପୁଅ ପାଖକୁ ଯିବା କଥା ଭାବି ଖୁସିରେ ଦୁହେଁ ଆତ୍ମହରା ଥିଲେ। ଏଇ ପାଖରେ କୋଉଠି ହୋଇଥିଲେ, ଗୋଟେ ଦିନ ଭିତରେ ଯାଇ ଆସି ପାରାଥା’ନ୍ତେ। ସିଏ ଯାହା ହଉ ଏତେ ଦିନ ପରେ ଦୁହେଁ ପୁଅକୁ ଦେଖିବେ ବୋଲି ପାଦ ଆଉ ଭୂଇଁରେ ଲାଗୁନି। ଶାଗ ମୁଗର ସ୍ୱାଦ ବି ଅମୃତ ପରି ଲାଗୁଥାଏ। ଆରେ ଡାଲିରେ ଟିକେ ଲୁଣ କମ୍ ହୋଇଛି ନା କ’ଣ ? ହେ ଭଗବାନ ମୁଁ ତ ସମ୍ପୂର୍ଣ୍ଣ ଲୁଣ ପରେଇବାକୁ ଭୁଲିଯାଇଛି। ତୁମର ତ ଖାଇବା ସରିଲାଣି। ଏବେ ତୁମେ ଜାଣିଲ। ହଁ ଛାଡ଼ ଖାଇବା ସରିଲାଣି। ମୁଁ ଟିକେ ବିଶ୍ରାମ ନିଏ। ତୁମେ ଶୁଣିଛ କ’ଣ ଗୋଟେ କରୋନା ବେମାରି ଆସିଛି। ବହୁତ ଲୋକେ ମଲେଣି ସେପଟେ। ହଁ ଶୁଣିଛି ମ…. ଆମ ଦେଶରେ ହୋଇନି…. ସେଟା ଚୀନରେ ହୋଇଛି। ପୁଅ ସେକଥା କିଛି କହୁଥିଲା କି ? ନା ତ କିଛି କହିନି। ଏମିତି କଥାରେ କାମରେ ଦିନଟା ଗଡ଼ିଗଲା। ଚାହୁଁ ଚାହୁଁ ସନ୍ଧ୍ୟା ଗଡ଼ି ରାତି ବି ହୋଇଗଲା। ଆରେ ହେ ପୁଅ ମୋତେ କହିଥିଲା, ଆସିଲା ବେଳକୁ ଗୋଟେ ଓଡ଼ିଆ କ୍ୟାଲେଣ୍ଡର ନେଇକି ଯିବାପାଇଁ।
ମୁଁ ଭୁଲିଯାଇଛି। କାଲି ପୁଣି ବଜାର ଯାଇକି ଆଣିବାକୁ ପଡ଼ିବ। ହଉ ମୁଁ ମନେ ପକେଇେଦବି। ତା’ ପର ଦିନ ଆରତିଦେବୀ ପାହାନ୍ତି ପ୍ରହରରୁ ଉଠି ଅତିବ୍ୟସ୍ତ ହୋଇ ଘରକାମ ସବୁ ସାରି ପିଜୁଳିଗଛକୁ ଚାହିଁଲା ବେଳକୁ ମାଙ୍କଡ଼ ଗଛରେ। ଆରେ ହେଇ କେତେ ମାଙ୍କଡ଼। କୁଆେଡ ଗଲ ଟିକେ ଦୌଡ଼ି ଆସିଲ। ମାଙ୍କଡ଼ଗୁଡା ପିଜୁଳି ଖାଇଯାଉଛନ୍ତି। ସିଦ୍ଧାର୍ଥ ବାବୁ ତରତର ହୋଇ ଉଠି ମାଙ୍କଡମାନଙ୍କୁ ବହୁତ ଟେକା ଫିଙ୍ଗି ଗୋଡ଼ଇଲେ। ତମେ ମୋତେ ଟିକେ ଆଗରୁ ଡାକିପାରିଲ ନାହିଁ। ମୁଁ ତ ଏବେ ଦେଖିଲି। ହଉ ତମେ ଯା'ଅ । କ’ଣ କହୁଥିଲ ତା’ ପାଇଁ ଗୋଟେ କ୍ୟାଲେଣ୍ଡର ଆଣିବ ବୋଲି ହଁ ମୁଁ ଟିକେ ଚାହା ପି ଯାଉଛି। ତୁମେ ଏ ଗଛକୁ ଅନେଇଥିବ।
ଚାହା ପି ସିଦ୍ଧାର୍ଥବାବୁ ବଜାର ବାହାରିଗଲେ। ଆରତିଦେବୀ ବଡ଼ି ତିଆରି କରିବାରେ ଲାଗିପଡ଼ିଲେ। ହଠାତ୍ ସିଦ୍ଧାର୍ଥବାବୁଙ୍କୁ ଫେରିବା ଦେଖି ଆରତିଦେବୀ ପଚାରିଲେ.. କ’ଣ ହେଲା ଫେରିଆସିଲ ଯେ। ତୁମେ ପା ବଜାର ଯାଇଥାନ୍ତ। ହଁ ଯେ… ଶୁଣି ଆସିଲି ଆଜି କ’ଣ ଜନତା କର୍ଫ୍ୟୁ ଲାଗୁହୋଇଛି। ବଜାରରେ ସବୁ ଦୋକାନ ବନ୍ଦ। । ହେଲେ କ’ଣ ପାଇଁ। ଆରେ ତୁମେ କାଲି ଯେଉଁ କରୋନା ବେମାରୀ କଥା କହୁନଥିଲ ସେଥିପାଇଁ। ଆଜିସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କ’ଣ କହିବେ ସେ ରୋଗ ବିଷୟେର। ମୁଁ ବି ସକାଳ ଖବରରେ ଶୁଣିଥିଲି। ଏ ବେମାରୀକୁ ଔଷଧ ବାହାରିନାହିଁ। ଏଇଟା ଧୀରେ ଧୀରେ ଆମ ଇଣ୍ଡିଆରେ ବ୍ୟାପୁଛି। ହଉ ତୁମେ ମୋତେ ବଡ଼ି ତିଆରି କରିବାରେ ସାହାଯ୍ୟ କରିବ ବୋଲି କହିଥିଲ ପା। ଆସ ସାହାଯ୍ୟ କର। ଆରେ ତୁମେ ଏତେ ଚିନ୍ତିତ କାହିଁକି ଦିଶୁଛ। ସବୁ ଠିକ୍ ହୋଇଯିବ। ଆମେ ପା ଶନିବାର ଯିବା। ଆହୁରି ୩ ଦିନ ବାକି ଅଛି।
ହଁ....... ଛାଡ ଆଜି ସନ୍ଧ୍ୟାରେ ପ୍ରଧାନ ନ୍ତ୍ରୀ କ’ଣ କହୁଛନ୍ତି ଦେଖିଲେ ଜଣାପଡ଼ିବ। ହଉ ସେ ପିଜୁଳି ଗଛ ମୂଳକୁ ଚାଲ। ସେଇଠି ବଡ଼ି ପକେଇ ନଜର ରଖିବା । ହଉ ଚାଲ । ଚାହୁଁ ଚାହୁଁ ସନ୍ଧ୍ୟା ବି ହୋଇଗଲା। ଦୁହେଁ ବହୁତ ଉତ୍ସୁକତାର ସହ ଅନେଇ ବସିଥିଲେ ସନ୍ଧ୍ୟା ସମୟର ଖବର ଶୁଣିବାକୁ । ଖବର ଶୁଣି ଦୁହେଁ ଏକବାର ଅବାକ୍ ହୋଇଗଲେ। ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ଦେଶରେ ସବୁଯାନ ବାହନ ଚଳାଚଳ ବନ୍ଦ ରହିବ। ସ୍ତବ୍ଧ ପଡ଼ିଗଲେ ଦୁଇଜଣ। ଏତିକି ବେଳକୁ ଫୋନ୍ ରିଙ୍ଗ୍ ହେବାର ଶବ୍ଦ। ଦୁହେଁ ଜାଣିଗଲେ ସେ ହିଁ ଫୋନ୍ କରିଥିବ।ହେଲେ ଫୋନ୍କୁ ଉଠାଇ ହେଲୋ କହିବାର ଶକ୍ତି ଦୁଇଜଣଙ୍କର ନଥିଲା। ଆରେ ଫୋନ୍ଟା ରିସିଭ କର। ହଁ... ହେଲୋ ଆରେ ଆଉ କ’ଣ କହୁଛୁ। ନା ଆଉ କ’ଣ କହିବି। ତୁମେମାନେ ତ ଖବର ଶୁଣିଥିବ। ଆସନ୍ତା ଦୁଇମାସ ପର୍ଯ୍ୟନ୍ତ ସବୁ ଗାଡ଼ି ଚଳାଚଳ ବନ୍ଦ। ଟିକେଟ୍ ବି ଆପେ ଆପେ ସରକାରଙ୍କ ତରଫରୁ କ୍ୟାନସଲ୍ ହୋଇଯାଇଛି। ହଁ ଆମେ ଏବେ ଶୁଣିଲୁ। ତୁ ଅଫିସରୁ ଫେରିଲୁଣି ?
ହଁ ଏବେ ଆସିଲି। ହଉ ଯା ଫ୍ରେସ୍ ହୋଇଯିବୁ। ଫୋନ୍ଟା ରଖିଦେଇ ଆରତି ଦେବୀ ସୋଫା ଉପରେ ଏକଦମ୍ ନିସ୍ତେଜ ହୋଇବସିପଡ଼ିଲେ। ରାତିସାରା ନିଦ ହେଲାନି। ଭୋରୁ ଭୋରୁ ଉଠି ଏକା ଏକା ସେଇ ରାସ୍ତାପାଖ ଗେଟ୍ ପାଖରେ ଚଉକିଟିଏ ପକେଇ ବସିଲେ। ନା କିଛି କାମ କରିବାକୁ ଇଛା ହଉଥାଏ ନା କିଛି କହିବାକୁ ଇଛା ହଉଥାଏ। ଏତେ ନିରବତା ଭିତରେ ଅନ୍ତର ଆତ୍ମା ଯେମିତି ଚିତ୍କାର କରି କନ୍ଦୁଥାଏ। ଏମିତି ବୁଲିବୁଲି ବାଡ଼ି ପଟକୁ ଗଲାବେଳକୁ ପିଜୁଳିଗଛଟି ଅତି ନିରବତାର ସହ ମନ ଦୁଃଖ କରି ବସିଥିବା ପରି ଦିଶୁଥାଏ। ଏମିତି ଢ଼ଳ ଢ଼ଳ ଆଖିକରି ସେ ଗଛଟିକୁ ଚାହିଁ ଆରତିଦେବୀ କ’ଣ ଭାବୁଥିଲେ କେଜାଣି। । ଚାହିଁଲା ବେଳକୁ ଗୋଟିଏ ପିଜୁଳି ଝଡି ଗଛ ମୂଳେ ପଡ଼ିଛି। ପିଜୁଳିଟିକୁ ଗଛ ପାଖରୁ ଉେଠଇକି ଦେଖିଲେ ଆରତିଦେବୀ । କି ବାସ୍ନା....ବହୁତ ପାଚି ଆସିଲାଣି। ଥରିଲା ଥରିଲା ହାତରେ ପିଜୁଳିଟାକୁ ଚାହିଁ ଚାହିଁ ଆଖିରୁ ଦୁଇଧାର ଲୁହ ଝରିଆସିଲା। କୋହ ଭରା ଆଖିରେ ଗଛକୁ ଦେଖୁ ଦେଖୁ କାଲିପରି ଆଜି ବି ଦଳେ ମାଙ୍କଡ଼ ଆସି ସେ ପିଜୁଳି ଗଛ ଉପରେ ପିଜୁଳିଗୁଡ଼ା ଖାଇ ଯାଉଛନ୍ତି। ନା ସେମାନଙ୍କୁ ଗୋଡ଼ାଇବାକୁ ଇଚ୍ଛା ହେଉଥିଲା ନା ପାଟିକରି ସିଦ୍ଧାର୍ଥବାବୁଙ୍କୁ ଡାକିବାକୁ ଇଚ୍ଛା ହେଉଥିଲା। ମାଙ୍କଡ଼ର ପିଜୁଳି ଖିଆ ଦୃଶ୍ୟ ବୋଧେ ତାଙ୍କୁ ବହୁତ ଭଲ ଲାଗୁଥିଲା
ରଶ୍ମିରଞ୍ଜନ ଜେନା
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।