Advertisment

ଚନ୍ଦ୍ରାଲୋକ

ମାଟିର ଚଟାଣ ପରେ ଜ୍ୟୋତ୍ସ୍ନାର ଜୁଆର ଭାଙ୍ଗେ, ଆନନ୍ଦ ଓ ଉନ୍ମାଦନା ଖେଳୁଥାଏ ତରଙ୍ଗେ ତରଙ୍ଗେ, ସେ ତରଙ୍ଗେ ବୁଡ଼ିଥିବା ଲୋକ କି ମାପଇ କେବେ ପୃଥିବୀରୁ ଦୂର କେତେ ଜହ୍ନ, କେତେ କୋଶ ବା ପାହୁଣ୍ଡ? ହୃଦୟରେ ପ୍ରେମ ଥିଲେ ଯଥେଷ୍ଟ, ନଥାଉ ପଛେ ପ୍ରିୟାର ସାନ୍ନିଧ୍ୟ! ବଗୀଚାରେ ଫୁଲ ଥିଲେ ବାସ୍ନା ଥାଏ, ବାୟୁରେ ପହଁରେ ମଧୁ ସେ ମଧୁରେ ଅବଗାହେ ପାଗଳ ଭଅଁର, ଗୀତ ଗାଏ, ପ୍ରଜାପତି ଖେଳୁଥାଏ; ବସିଗଲେ ଡେଣା ବନ୍ଦ, […]

author-image
Debendra Prusty
ଅଦ୍ୟତନ ହୋଇଛି
ଚନ୍ଦ୍ରାଲୋକ

sir

ମାଟିର ଚଟାଣ ପରେ ଜ୍ୟୋତ୍ସ୍ନାର ଜୁଆର ଭାଙ୍ଗେ,
ଆନନ୍ଦ ଓ ଉନ୍ମାଦନା ଖେଳୁଥାଏ ତରଙ୍ଗେ ତରଙ୍ଗେ,
ସେ ତରଙ୍ଗେ ବୁଡ଼ିଥିବା ଲୋକ କି ମାପଇ କେବେ
ପୃଥିବୀରୁ ଦୂର କେତେ ଜହ୍ନ, କେତେ କୋଶ ବା ପାହୁଣ୍ଡ?

Advertisment

ହୃଦୟରେ ପ୍ରେମ ଥିଲେ ଯଥେଷ୍ଟ, ନଥାଉ ପଛେ ପ୍ରିୟାର ସାନ୍ନିଧ୍ୟ!
ବଗୀଚାରେ ଫୁଲ ଥିଲେ ବାସ୍ନା ଥାଏ, ବାୟୁରେ ପହଁରେ ମଧୁ
ସେ ମଧୁରେ ଅବଗାହେ ପାଗଳ ଭଅଁର, ଗୀତ ଗାଏ,
ପ୍ରଜାପତି ଖେଳୁଥାଏ; ବସିଗଲେ ଡେଣା ବନ୍ଦ, ଖେଳ ବନ୍ଦ।

ଘଞ୍ଚ କେଉଁ ଜଙ୍ଗଲର ପତ୍ରଙ୍କ ଗହଳି ଫାଙ୍କେ ଝରୁଥିବା ଜ୍ୟୋତ୍ସା
କହେ ଯେଉଁ ପରୀ ରାଇଜର କଥା, ଶୁଣାଏ କବିତା
ସ୍ୱପ୍ନର, ପୁଲକର, ସ୍ୱର୍ଗର, ସଂପର୍କର,
ଠିକ ସେହି କବିତା କି ଗାଏ ଜହ୍ନ
ସହରର ଧୂମାୟିତ କଂକ୍ରିଟ ଓ ପିଚୁର ଚଟାଣେ,
ପାର୍କର ସଜକରା ଗାଲିଚା ଓ ଗୁଳ୍ମ ଆବରଣେ?

Advertisment

ବର୍ଷା ଓ ବତାସରେ ଝଡ଼ିଥିବା ନଡ଼ାର ଛପର ଫାଙ୍କେ
ଗରୀବର କୁଡ଼ିଆକୁ ଆସିଥିବା ଜହ୍ନ ଯେଉଁ କଥା କହେ
ଅଭାବୀ ବଧୂର କାନେ,
ଋଣଗ୍ରସ୍ତ କୃଷକର ଚିନ୍ତାଗ୍ରସ୍ତ ବିଷାଦ ଜୀବନେ,
ଠିକ ସେ କାହାଣୀ କ’ଣ ଶୁଣିଥାଏ ନଈକୂଳେ,
ସମୁଦ୍ର ବେଳାରେ, ପାହାଡ଼ର ପାଦଦେଶେ
ବିଳାସିତ ଯାତ୍ରୀ ତା’ର ମୁକ୍ତ ପର୍ଯ୍ୟଟନେ?

ଜ୍ୟୋତ୍ସ୍ନାର ସୁଆଦ କିଆଁ ଅଲ୍‌ଗା ଲାଗେ
ଅଲ୍‌ଗା ହେଲେ ମଣିଷର ସ୍ଥିତି ଓ ପ୍ରକୃତି
ପ୍ରକୃତି ଯେମିତି ଭିନ୍ନ ସେମିତି ଭିନ୍ନ
କି ତା’ର ଜହ୍ନ ଆଉ ତାରାଙ୍କ ପ୍ରବୃତ୍ତି?