ସାମ୍ପ୍ରତିକ ସମୟରେ ସାହିତ୍ୟିକଙ୍କ ଜନବାଦୀ ଭୂମିକା

ମାୟାଧର ନାୟକ ସମୟ ଓ ସାହିତ୍ୟ ଯଥାକ୍ରମେ ଚେତନା ଓ ଚିତ୍ରଣ। ସମୟ ଚେତନାଠାରୁ ଯେଉଁ ସାହିତ୍ୟ ଯେତେ ସୁଦୂରବର୍ତ୍ତୀ, ତାହା ସେତେ ଅଦୂରଦର୍ଶୀ। ନିଜ ସମୟ, ନିଜ କାଳଖଣ୍ଡ, ନିଜ ଯୁଗର ଜାତକ ନଲେଖିପାରିଲେ ସାହିତ୍ୟିକଟିଏ କେବଳ ଏକ ସାମର୍ଥ୍ୟହୀନ ଏକକ। ଆମର ପରମ୍ପରାରେ ସାହିତ୍ୟିକକୁ ‘ଦ୍ୱିତୀୟ ଈଶ୍ୱର’ ଓ କବିକୁ ‘କ୍ରାନ୍ତଦର୍ଶୀ’ ବୋଲି କୁହାଯାଇଅଛି। ମାତ୍ର ସାଂପ୍ରତିକ ସମୟରେ ଏହି ପରମ୍ପରା ପ୍ରତି କୌଣସି ପ୍ରକାରେ ସାମାନ୍ୟତମ ଅଙ୍ଗୀକାରବୋଧ କେଉଁଠି କେହି ଲକ୍ଷ୍ୟ କରୁଛନ୍ତି […]

pen

pen

Debendra Prusty
  • Published: Wednesday, 22 September 2021
  • Updated: 22 September 2021, 01:39 PM IST

Sports

Latest News

ମାୟାଧର ନାୟକ

ସମୟ ଓ ସାହିତ୍ୟ ଯଥାକ୍ରମେ ଚେତନା ଓ ଚିତ୍ରଣ। ସମୟ ଚେତନାଠାରୁ ଯେଉଁ ସାହିତ୍ୟ ଯେତେ ସୁଦୂରବର୍ତ୍ତୀ, ତାହା ସେତେ ଅଦୂରଦର୍ଶୀ। ନିଜ ସମୟ, ନିଜ କାଳଖଣ୍ଡ, ନିଜ ଯୁଗର ଜାତକ ନଲେଖିପାରିଲେ ସାହିତ୍ୟିକଟିଏ କେବଳ ଏକ ସାମର୍ଥ୍ୟହୀନ ଏକକ। ଆମର ପରମ୍ପରାରେ ସାହିତ୍ୟିକକୁ ‘ଦ୍ୱିତୀୟ ଈଶ୍ୱର’ ଓ କବିକୁ ‘କ୍ରାନ୍ତଦର୍ଶୀ’ ବୋଲି କୁହାଯାଇଅଛି। ମାତ୍ର ସାଂପ୍ରତିକ ସମୟରେ ଏହି ପରମ୍ପରା ପ୍ରତି କୌଣସି ପ୍ରକାରେ ସାମାନ୍ୟତମ ଅଙ୍ଗୀକାରବୋଧ କେଉଁଠି କେହି ଲକ୍ଷ୍ୟ କରୁଛନ୍ତି କି?

ସାଂପ୍ରତିକ ସମୟ ଏକପ୍ରକାର ଅସହନୀୟ ଅସମୟ। ମଣିଷ ଓ ମଣିଷ ମଧ୍ୟରେ ମୁନାଫାଖୋର ମୁନିବମାନେ ଛିଡ଼ା କରାଇସାରିଛନ୍ତି ବିଭିନ୍ନ ଭେଦବିଭେଦର ମେଘନାଦପ୍ରାଚୀର। ମୁନିଋଷି ନାହାନ୍ତି, ମନୀଷୀମାନେ ନାହାନ୍ତି – ସମାଜର ସର୍ବୋଚ୍ଚ ସୋପାନରେ ଏବେ ଏହି ମଣିଷତ୍ୱହୀନ ମୁନିବବର୍ଗ। ଏମାନେ ପ୍ରସ୍ତୁତ କରୁଛନ୍ତି ସାହିତ୍ୟ-ସଂସ୍କୃତି-ରାଜନୀତି-ଅର୍ଥନୀତିର ସୂତ୍ରସବୁ - ଯାହା ସେମାନଙ୍କ ଦ୍ୱାରା ସୃଷ୍ଟ ସ୍ଥିତାବସ୍ଥାକୁ ପ୍ରଦାନ କରିଚାଲିଥିବ ଅନ୍ଧ ସପକ୍ଷତା। ଯୁଆଡ଼େ ଅନାନ୍ତୁ, ଦେଖିବେ ହସ ନାହିଁ କି ସାହସ ନାହିଁ - ଅଛି କେବଳ ଭୀରୁତାର ଭଉଁରି!

ଏହି ପରିପ୍ରେକ୍ଷୀରେ ସାହିତ୍ୟ ଓ ସାହିତ୍ୟିକର ଜନବାଦୀ ଭୂମିକାଟି ପ୍ରକୃତରେ ଏକ ପ୍ରକାଣ୍ଡ ପ୍ରଶ୍ନବାଚୀ। ଏ ‘ଜନ’ କିଏ? ଏ ‘ଜନ’ ଆଜି ମହାଜନମାନଙ୍କ ସୁଧକଷା ଖାତାର ଖାତକ କେବଳ! ତା’ ମୁଣ୍ଡରେ ବୋଝ ଉପରେ ନଳିତା ବିଡ଼ା। ତାକୁ ବେଳେବେଳେ ଆମ ପ୍ରଗତିଶୀଳ କବି ଲେଖକବର୍ଗ ‘ଗଣ’ ବୋଲି ପାଠକ ଦରବାରକୁ ଚିହ୍ନାଇ ଦିଅନ୍ତି। ମାତ୍ର ‘ଗଣ’ ହେଉଛି ସେଇ ଅଗ୍ନିସ୍ଫୁଲିଙ୍ଗ, ଯାହା ସଚେତନତା ଦ୍ୱାରା ପ୍ରଣୋଦିତ ହୋଇ ଆସନ୍ନ ବିପ୍ଳବର ଅଂଶୀଦାର ହେବାକୁ ଆଗଭର। ‘ଜନ’ କିନ୍ତୁ ଜୀବନସଂଗ୍ରାମ ଜର୍ଜରିତ ଏକ ସର୍ବସ୍ୱାନ୍ତ ସମୁଦାୟ - ଯିଏ ଭବିଷ୍ୟତର ‘ଗଣ’ ହେବା ପୂର୍ବରୁ ବଳିପଡୁଥାଏ ‘ଗଣତନ୍ତ୍ର’ର ଗିଲୋଟିନରେ – ସେ କେବଳ ଗଣା ହୋଇଥାଏ ଭୋଟର୍ ତାଲିକାରେ। ନହେଲେ ତା’ ନାଗରିକ ଅଧିକାର ତାକୁ ମିଳିନଥାଏ ଶେଷ ପର୍ଯ୍ୟନ୍ତ।

‘ଜନ’ ଆଜି ପର୍ଯ୍ୟନ୍ତ ଓ ବି ‘ଗଣ’ରେ ରୂପାନ୍ତରିତ ହୋଇପାରିଲା ନାହିଁ। ତା’ ‘ମନ’ ଯାଇ ଗହନବନରେ ବାଟବଣା। ଆମ ଜାତୀୟସଂଗୀତର ‘ଜନଗଣମନ’ ଉଚ୍ଚାରଣର ସର୍ବାଗ୍ରେ ସେ ବ୍ୟବସ୍ଥିତ, ଅଥଚ ଆମ ରାଜନୀତି ଓ ଅର୍ଥନୀତିର ସବାତଳ ପାହାଚ ପାଖରେ ସେ ଘାସଟେ କି ପତ୍ରଟେ ବି ନୁହେଁ। କିଏ ତାକୁ ପଚାରେ?

ସାହିତ୍ୟ ପଚାରେ କି?

‘ଜନ’କୁ ନେଇ ଜନରବ କେଉଁଠି ଶୁଭୁଛି କି?

ଜନବାଦକୁ ସାହିତ୍ୟରେ ନୁହେଁ, ଦାୟିତ୍ୱରେ ସ୍ୱୀକୃତି ଦେବାର କଥା। ତାହା ଏଠି କେତେଦୂର ଚରିତାର୍ଥ ହୋଇପାରିଛି? ସାଂପ୍ରତିକ ସାହିତ୍ୟ କ’ଣ ଏହି ବିଡ଼ମ୍ବନା ପାଇଁ ସାଂପ୍ରତିକ ଶାସନତନ୍ତ୍ରକୁ ଦୋହଲାଇ ଦେବାର ଦୁଃସାହସ କଲାଣି କି? ବରଂ ଚଳିତ ସାହିତ୍ୟରୁ ଦଳିତ ସାହିତ୍ୟ ପର୍ଯ୍ୟନ୍ତ ବିଭିନ୍ନ ବିଚିତ୍ର ଗୋଷ୍ଠୀ ଓ ଶିବିର ଗଢ଼ି ସାଂପ୍ରତିକ ସାହିତ୍ୟିକବର୍ଗ ଆତ୍ମବିଭକ୍ତ ଓ ବିବାଦରତ। ଏ ବିବାଦ ଭିତରେ ପ୍ରକୃତରେ ‘ଜନବାଦ’ର ବୀଜ କେଉଁଠି? ଆତ୍ମପ୍ରଚାରଧର୍ମୀ ଓ ସ୍ୱୀକୃତିଲୋଭୀ ଆମ ସାହିତ୍ୟର ବଡ଼ପଣ୍ଡାଏ ଜନକୁ ଅନାନ୍ତି ନାହିଁ କି ଗଣକୁ ଖୋଜନ୍ତିନାହିଁ, ସେମାନଙ୍କ ମନ ଯାଇ ଷ୍ଟାରହୋଟେଲର ସାହିତ୍ୟସଭାରେ। ସାଂପ୍ରତିକ ସମୟର ସାହିତ୍ୟକୁ ଶ୍ରେଣୀଚରିତ୍ର ଦୃଷ୍ଟିରୁ ଆମେ ‘ବଜାରୀ ସାହିତ୍ୟ’ ବୋଲି କହିଲେ କ’ଣ ଦୋଷ? ଏହା ବଜାର ପାଇଁ, ବଜାର ଦ୍ୱାରା ପ୍ରସ୍ତୁତ ବଜାରର ବିକ୍ରୀତବ୍ୟ ବିଷୟବସ୍ତୁ ମାତ୍ର ଏବଂ ଗଭୀର କ୍ଷୋଭର କଥା ଯେ ସେ ବିଷୟବସ୍ତୁରେ ‘ଜନ’ର ମନକଥା ନୁହେଁ, ବରଂ ‘ନିର୍ଜନ ସତାର ଆତ୍ମନେପଦୀ’ ଭରପୂର। ବର୍ତ୍ତମାନ ବିଚାରବିାର ବେଳ... ପଚାରିବାର ପାଳି। ସାହିତ୍ୟ ଆଜି ବିଚାରୁଚି କି? ସାହିତ୍ୟିକ ଏବେ ପଚାରୁଚି କି? ସାହିତ୍ୟ ପ୍ରଶ୍ନପତ୍ର ନହୋଇ ଉତ୍ତରଖାତା ହେବାକୁ ପସନ୍ଦ କରୁଛି କାହିଁକି?

ଆଦିମ ଅରଣ୍ୟର ଅଭେଦ୍ୟ ଅଭ୍ୟନ୍ତରରୁ ସେଦିନ ଉଚ୍ଚାରିତ ହେଉଥିଲା ସେଇସବୁ ଉଦାର ଶଦ୍ଦଲହରି। ଲିପି ନଥିଲା, ନଥିଲା ବର୍ଣ୍ଣମାଳାର ବନ୍ଧନ। ମୁକ୍ତ ସ୍ରୋତ ପରି, ଉଚ୍ଛଳ ଝରଣା ପରି ସାହିତ୍ୟର ଅଭିବ୍ୟକ୍ତି ଥିଲା ଅକପଟ ଏବଂ ଅନ୍ତରଙ୍ଗ। ହୃଦୟର ଭାଷା ସଂଚରି ଯାଉଥିଲା ହୃଦୟକୁ। ଶ୍ରୁତି ଏବଂ ସ୍ମୃତି ମାଧ୍ୟମରେ ଦୀର୍ଘକାଳ ବ୍ୟାପୀ ଅବ୍ୟାହତ ରହିଥିଲା ଏହି ଧାରା। ଭାରତୀୟ ପରମ୍ପରାର ଏହି ଆଦି ପର୍ଯ୍ୟାୟର ସାହିତ୍ୟ ମୁଖ୍ୟତଃ ଉଦ୍ଦିଷ୍ଟ ଥିଲା ଏକ ନୈତିକ ମୂଲ୍ୟବୋଧର ଜାଗରଣ ନିମନ୍ତେ। ପରେ ଏହି ‘ନୈତିକତା’ ଧୀରେ ଧୀରେ ‘ଧର୍ମ’ର ବନ୍ଧନୀରେ ଛନ୍ଦି ହେଲା, ବନ୍ଦୀ ହେବାକୁ ଆରମ୍ଭ କଲା ସାହିତ୍ୟ ସଂକୀର୍ଣ୍ଣତାର ଗଣ୍ଡ ଭିତରେ। ତଥାପି ସେଦିନର ସାହିତ୍ୟ ଥିଲା ଦୁଃଖଶୋକସନ୍ତପ୍ତ, ଯାତନାଜର୍ଜରିତ ପୃଥିବୀ ପାଇଁ ଟୋପାଏ ଶୀତଳ ସାନ୍ତ୍ୱନା! ମୁନି, ମନୀଷା, ମହର୍ଷି, ମହାତ୍ମାମାନଙ୍କ ଉଦବୋଧନରେ ଅନୁପ୍ରେରିତ ହୋଇଥିଲା ପ୍ରାଚୀନ ଯୁଗର ସାହିତ୍ୟ। ଜନଜୀବନରେ ସତ୍ ଓ ଶୁଦ୍ଧ ଚିନ୍ତନର ପରିପ୍ରସାର ଦିଗରେ ସାହିତ୍ୟ ଥିଲା ସଂକଳ୍ପବଦ୍ଧ। ସେଦିନ ‘ବ୍ୟକ୍ତି’ ଅନୁପ୍ରବେଶ କରି ନଥିଲା ସାହିତ୍ୟର ସରହଦରେ, ସମୁଦାୟ ସମାଜ ବା ‘ବ୍ୟକ୍ତି’ ଥିଲା ସାହିତ୍ୟର କେନ୍ଦ୍ରବିନ୍ଦୁ।

ଯୁଗ ବଦଳିଲା, ବଦଳିଲା ସାହିତ୍ୟର ସ୍ୱଧର୍ମ। ପ୍ରାଚୀନ ଓ ମଧ୍ୟଯୁଗର ସମାଧି ଉପରେ ଜନ୍ମ ନେଲା ନୂତନ ସାହିତ୍ୟ। ପ୍ରାଚୀନ ସାହିତ୍ୟର ସରଳ ସ୍ୱଚ୍ଛନ୍ଦ ଭାବଧାରା, ମଧ୍ୟଯୁଗର ଶରୀର ସର୍ବସ୍ୱ ବର୍ଣ୍ଣନା-ବିଳାସ ପରିବର୍ତ୍ତେ ସାହିତ୍ୟରେ ମୁହଁ ଦେଖାଇବାକୁ ଆରମ୍ଭ କଲା ବିଭକ୍ତ ବ୍ୟକ୍ତିତ୍ୱ, ସ୍ୱବିରୋଧ, ଆତ୍ମଦ୍ୱନ୍ଦ୍ୱ ଓ ଜର୍ଜରିତ ଜୀବନଯନ୍ତ୍ରଣା।

ଶିଳ୍ପ ବିପ୍ଳବ ପରେ ନୂତନ ପୃଥିବୀର ମଣିଷକୁ ନେଇ ଯେଉଁ ସାହିତ୍ୟ ସୃଷ୍ଟି ହେଲା, ତା’ର ଚିତ୍ର ଓ ଚରିତ୍ର ଏକବାରେ ଅଲଗା। ନୂଆ ଯେତିକି, ନିଆରା ବି ସେତିକି। ଅରଣ୍ୟ, ନଗର, ରାଜସଭାର ପୃଷ୍ଠଭୂମି ପରିତ୍ୟାଗ କରି ଯନ୍ତ୍ରସଭ୍ୟତାର ଜଟିଳ ଜୀବନବୋଧକୁ ନେଇ ରଚିତ ହେଲା ନୂତନ ସାହିତ୍ୟ। କ୍ରମେ ସାମୂହିକ ସ୍ୱାର୍ଥ ବା ସାମାଜିକ ମାଙ୍ଗଳିକତାର ମନ୍ତ୍ର ଭାବରେ ନୁହେଁ, ବରଂ ବ୍ୟକ୍ତିବାଦର ବିଜ୍ଞପ୍ତି ଭାବରେ ମୁଣ୍ଡ ଟେକିଲା ସାହିତ୍ୟ।

ଶିଳ୍ପ ବିପ୍ଳବ ପୂର୍ବରୁ କୃଷିଭିତ୍ତିକ ସଂସ୍କୃତିରେ ପରିପୁଷ୍ଟ ହୋଇଥିବା ସାହିତ୍ୟକୁ ନିୟନ୍ତ୍ରଣ କରୁଥିଲେ ସାମନ୍ତବାଦୀ ଶ୍ରେଣୀ। ରାଜା ଜମିଦାରମାନଙ୍କ ପୃଷ୍ଠପୋଷକତା କିନ୍ତୁ ସାହିତ୍ୟର ସ୍ୱାଧୀନତାକୁ ଅପହରଣ କରି ନେଇଥିଲା ସେଦିନ। ଦରିଦ୍ର ଲେଖକ ବଂଚିବାର ଦାୟରେ ଜୟଗାନ କରୁଥିଲା ରାଜାରାଜୁଡ଼ାଙ୍କର, ଅତ୍ୟାଚାରୀ ଜମିଦାର ଶ୍ରେଣୀର। ଏପରିକି ରାଜାମାନଙ୍କ ନାମରେ ବହୁ କବି, ଲେଖକ ‘ଭଣିତା’ କରି ଯାଉଥିଲେ ନିଜସ୍ୱ ସାରସ୍ୱତ ସୃଷ୍ଟି ସମ୍ଭାର। ମାତ୍ର ଶିଳ୍ପ ବିପ୍ଳବ ପରେ ସାହିତ୍ୟ କ୍ରମେ ପାଲଟିଲା ବଣିକର ପଣ୍ୟ...ପୁଞ୍ଜିବାଦୀ ଶିଳ୍ପପତିର ବିଳାସ ସାମଗ୍ରୀ। ଶସ୍ତା ଆମୋଦ ହୋଇପଡ଼ିଲା ସାହିତ୍ୟର ଆଭିମୁଖ୍ୟ।

ଆଧୁନିକ ସାହିତ୍ୟ ଉପରୋକ୍ତ ନୂତନ ସାହିତ୍ୟର ଉତ୍ତର-ପର୍ବ। ରାଜା, ଜମିଦାର, ସାମନ୍ତ, ଶିଳ୍ପପତିଙ୍କ ପରେ ଏବେ ଶାସକବର୍ଗର ନିର୍ଲ୍ଲଜ ଚାଟୁକାର ଅଧିକାଂଶ କବି ଲେଖକ ନିଜକୁ ନିଲାମ୍ କରୁଛନ୍ତି ନାମମାତ୍ର ମୂଲ୍ୟରେ। ସାହିତ୍ୟର ନାଡ଼ିନକ୍ଷତ୍ର ଠିକଠାକ୍ ଅଛି ବୋଲି ବିଶ୍ୱାସ ହେଉ ନାହିଁ ମୋଟେ। ଅରଣ୍ୟର ନିର୍ଜନତା ମଧ୍ୟରେ ଯେଉଁ ସାହିତ୍ୟ ମହାଜୀବନର ପଥ ସନ୍ଧାନ କରୁଥିଲା ଦିନେ, ସେ ସାହିତ୍ୟ ଆଜି ପଂଚତାରକା ହୋଟେଲର ପ୍ରମୋଦ ଆସର ମଧ୍ୟରେ ନିଜକୁ ଉନ୍ମୋଚିତ କରାଇ, ହରାଇ ବସିଛି ନିଜସ୍ୱ ଅସ୍ତିତ୍ୱ। କୃତ୍ରିମ ପ୍ରସାଧନରେ ସଜ୍ଜିତ କରିଛି ନିଜକୁ।

ଏଇଠି ପ୍ରଶ୍ନ ଉଠୁଛି ସାହିତ୍ୟର ଦାୟିତ୍ୱ ସମ୍ପର୍କରେ।

ସାହିତ୍ୟ ତା’ର ଦାୟିତ୍ୱ ତୁଲାଇ ପାରୁଛି କି ସଠିକ୍ ଭାବରେ?

ବର୍ତ୍ତମାନ ଆଖି ଆଗରେ ଯାହା ଦିଶି ଯାଉଛି, ସେଥିରେ ଜଳକା ହେବା ଛଡା ଅନ୍ୟଗତି ନାହିଁ ଆମର। ପତ୍ରପତ୍ରିକାଠାରୁ ପୁସ୍ତକ ପର୍ଯ୍ୟନ୍ତ ଯାହା ସବୁ ପଠନୀୟ ସାମଗ୍ରୀ ମିଳୁଛି, ସେଥିରୁ ଅଧିକାଂଶ ନିମ୍ନରୁଚିର ନିନ୍ଦନୀୟ ନିଦର୍ଶନ। ବ୍ଲୁ ଫିଲ୍ମର କୁତ୍ସିତ କାମୋଦ୍ଦୀପକ ଆଭିମୁଖ୍ୟ ଓ ଏଲୋ ଜର୍ଣ୍ଣାଲିଜମର ହୋ-ହଲ୍ଲାଧର୍ମୀ ହଟଚମଟ ସହିତ ତାଳ ଦେବାକୁ ବସୁଛି ଆଜିର ଲେଖକ।

ଏଇଠି ସେଇ ପ୍ରଶ୍ନ – ଏସବୁ ଲେଖା କ’ଣ ସାହିତ୍ୟ?

ଅତି କଠୋର ଉତ୍ତର ହେଉଛି - ନା, ନା, ନା!

ସବୁ ଯୁଗରେ, ସାହିତ୍ୟର ଭିଡ଼ ଭିତରେ, ଏଇ ‘ନା-ନା-ନା’ର ବିରଳ ସ୍ୱର ଯେତେ କ୍ଷୀଣ ଭାବରେ ହେଉ ସୁଦ୍ଧା – ଉଚ୍ଚାରିତ ହୋଇ ଆସିଛି, ନିର୍ଭୀକ ଭାବରେ। ଏ ସ୍ୱର ଦାୟିତ୍ୱର ସ୍ୱର, ଦାୟବଦ୍ଧତାର ସ୍ୱର, ଦୁର୍ବାର ଅଙ୍ଗୀକାରର ଦୁର୍ଦ୍ଧର୍ଷ ଇସ୍ତାହାର! ମେଣ୍ଢାମାନଙ୍କ ମେଳରେ ଭେଣ୍ଡା ପରି ପ୍ରତ୍ୟେକ ଯୁଗର ସୁବିଧାବାଦୀ ନିରାପତ୍ତାପ୍ରେମୀ ଚାରଣ ଚାଟୁକାର ଲେଖକମାନଙ୍କ ଭିଡ଼ ଭିତରେ ବି ଆମେ ଲକ୍ଷ୍ୟ କରିଛେ ଜଣେ ଜଣେ ସଂକଳ୍ପବଦ୍ଧ ଶଙ୍କାହୀନ ସାହିତ୍ୟକାରକୁ – ଯେଉଁମାନଙ୍କ ଲେଖା ସବୁ ସାହିତ୍ୟର ଦାୟିତ୍ୱ ତୁଲାଇ ଆସିଛି ପ୍ରାଣପଣେ। ସେମାନେ ମୃତ୍ୟୁକୁ ଭୟ କରି ନାହାନ୍ତି, ଯନ୍ତ୍ରଣାର ଯୂପକାଠକୁ ଡରି ନାହାନ୍ତି, ରାଜଦଣ୍ଡ ଓ ଫାଶି ମଂଚକୁ ଖାତିର୍ କରି ନାହାନ୍ତି ମୋଟେ।

ପ୍ରାଚୀନ ଗ୍ରୀକ ସମାଜର ତରୁଣମାନଙ୍କୁ ସଚେତନ କରିବାର ‘ଅପରାଧ’ରେ ସେଦିନର ଶାସନତନ୍ତ୍ର ବିଷ ପିଇବାର ‘ଶାସ୍ତି’ ଦେଇଥିଲା ସକ୍ରେଟିସଙ୍କୁ। ସକ୍ରେଟିସ୍ ନିଜ ଆଦର୍ଶରୁ ବିଚ୍ୟୁତ ହୋଇ ବଂଚି ରହିବା ଅପେକ୍ଷା ବିଷ ପିଇ ମରିଯିବାକୁ ଶ୍ରେୟସ୍କର ମଣିଥିଲେ ସେଦିନ।

ଆଜି ପ୍ରତ୍ୟେକ ସଚେତନ ସାହିତ୍ୟିକଙ୍କୁ ଏ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ନିଶ୍ଚୟ। ସନ୍ତୁଷ୍ଟ ଶୂକରର ପୂତିଗନ୍ଧମୟ ଜୀବନ ନା ଅସନ୍ତୁଷ୍ଟ ସକ୍ରେଟିସର ଆଦର୍ଶ ଆତ୍ମବଳିଦାନ - କେଉଁଟା ସେମାନଙ୍କ ପାଇଁ ସ୍ଫୃହଣୀୟ?

ବର୍ତ୍ତମାନ ସମୟରେ ଯେଉଁଠି ସାହିତ୍ୟ ସଭାଗୁଡ଼ିକ ଆୟୋଜିତ ହେଉଛି, ସେଠାକୁ ମନ୍ତ୍ରୀ,ଏମ୍.ଏଲ୍.ଏ., ଏମ୍.ପି., ଆଇ.ଏ.ଏସ୍., ଆଇ.ପି.ଏସ୍.ମାନଙ୍କୁ ଫୁଲମାଳ ପିନ୍ଧାଇ ପାଛୋଟି ଅଣାନଗଲା ଯାଏ ଆମ ସାହିତ୍ୟ ସଭା ଅଚଳ ହୋଇ ରହୁଛି! ଯେମିତି ଏମାନଙ୍କ ବିନା ସାହିତ୍ୟ ସଭା ଶୋକସଭା।

ଦୁର୍ନୀତି ସାହିତ୍ୟକୁ ବି ଗ୍ରାସିଛି। ସରକାରୀ ସ୍ୱୀକୃତି, ମାନପତ୍ର, ପୁରସ୍କାରର ପାଲାରେ ନିଜେ ଲେଖକ ଗୋଷ୍ଠୀର ବହୁଳାଂଶ ଲବି କରିବାରେ ବ୍ୟସ୍ତ। ଏପରିକି ରାଜ୍ୟ ସରକାର କିଣୁଥିବା ଲେଖକମାନଙ୍କର ବହି ସିଲେକ୍ସନରେ ଲାଂଚ କାରବାର ଚାଲିଛି। ଯାହା ଫଳରେ ଭଲ ଭଲ ପୁସ୍ତକ ବାଦ୍ ପଡ଼ିଯାଉଛି। ଦୁର୍ନୀତିର ଦାସକାଠିଆ ଖାଲି ରାଜନୀତିର ରଣଭୂଇଁରେ ନୁହେଁ, ସାହିତ୍ୟର ସରହଦରେ ମଧ୍ୟ ବଜାୟ ରହିଛି।

ସାହିତ୍ୟରେ ଅଙ୍ଗୀକାର ନାହିଁ - ଅନୁରାଗ ନାହିଁ – ସାମ୍ନା କରିବାର ସାହସିକ ସ୍ୱର ନାହିଁ – ଏଭଳି ସାହିତ୍ୟ କେବଳ ବିଳାସ ଛଡ଼ା ଆଉ କ’ଣ ହୋଇପାରେ? ସେଇ ପାଣିଚିଆ ପ୍ରେମ, ଜାନ୍ତବ ଯୌନତା।

ଶସ୍ତା ଆମୋଦର ଚିତ୍ର ଆଙ୍କିବାରେ ସାହିତ୍ୟ ଆଜି ବି ସନ୍ତୁଷ୍ଟ।

ଅସନ୍ତୋଷ, ଅଦମ୍ୟ ପ୍ରତିବାଦର ଅଗ୍ରଦୂତ ଭାବରେ ସାବ୍ୟସ୍ତ ନହେଲେ ଦୁର୍ନୀତି ନିବାରଣ ଦିଗରେ ଲେଖକମାନେ ନିଷ୍ଠାପର ଭୂମିକା ନିର୍ବାହ କରିପାରିବେ କି? ଏ ପ୍ରଶ୍ନର ଉତ୍ତର ଲେଖକମାନେ ନିଜେ ନିଜକୁ ପଚାରନ୍ତୁ ପ୍ରଥମେ। ସଭାରେ ଦୁର୍ନୀତିର ଶ୍ରାଦ୍ଧ କରି ସାହିତ୍ୟରେ ନୈତିକତାହୀନ ନିର୍ଲ୍ଲଜ କସରତ ଦେଖାଇବାର ମାନେ କିସ ହୁଏ?

ହତାଶାର ହାହତୋସ୍ମି ମଧ୍ୟରେ ଆଶାର ଅଙ୍କୁର ଲୁଚି ରହିଛି। ଯେଉଁ ଯେଉଁ ଭୂଇଁରେ ଅନ୍ୟାୟ ଅତ୍ୟାଚାର ଶୋଷଣ ବିରୁଦ୍ଧରେ ସଂଗ୍ରାମ ଜାରି ରହିଛି; ସାହିତ୍ୟର ଭୂମିକା ସେଠି କିଛି କମ୍ ନୁହେଁ। ଗର୍କୀଙ୍କର ମା’ ବିପ୍ଳବର ପ୍ରଚାରପତ୍ର ବାଂଟୁଥିଲା, ଏଠି କିନ୍ତୁ କଳାହାଣ୍ଡିର ମା’ ବିକ୍ରି କରୁଛି ତାର କ୍ଷୀରଖିଆ ଛୁଆଟିକୁ। କେଉଁ ଦାରୁଣ ଦୁଃଖର ତାଡ଼ନାରେ? ଏ ଦୁଃଖର ହେତୁ କେଉଁଠି? ଲେଖକମାନେ ବିଚାର କରନ୍ତି କାହିଁକି କିଏ ଅବ୍ୟବସ୍ଥାର ବ୍ୟବସ୍ଥା ସୃଷ୍ଟି କରିଛି କି?

ଦୁର୍ନୀତି ସଂପ୍ରତି ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପି ଯାଇଚି। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭକରି ଚପରାଶୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଆତଙ୍କିତ କରିରଖିଛି ଦୁର୍ନୀତିର ବଦନାମ। ଲେଖକମାନେ ମଧ୍ୟ ବାଦ ନୁହଁନ୍ତି। ଲେଖକମାନେ ଯଦି କୌଣସି ନା କୌଣସି କାମରେ ଦୁର୍ନୀତିରେ ଲିପ୍ତ ଥାଆନ୍ତି ସେମାନେ କେବେହେଲେ ଲଢ଼ି ପାରିବେ ନାହିଁ। ଦୁର୍ନୀତି କେବଳ ଲାଂଚ ନେବାକୁ ବୁଝାଏ ନାହିଁ – ଯେତେ ପ୍ରକାର ଅନୀତି କାର୍ଯ୍ୟକୁ ଦୁର୍ନୀତି କୁହାଯାଏ।

ଦୁର୍ନୀତିର ମୂଳୋତ୍ପାଟନ ନ ହେଲେ ସମାଜ ଧ୍ୱଂସମୁଖୀ ହେବାକୁ ବାଧ୍ୟ, ଦୁର୍ନୀତି ବିରୋଧୀ ଲେଖା ଆଉ ଲେଖକଙ୍କ କଲମ ମୁନରୁ ବାହାରୁ ନାହିଁ, ଲେଖକମାନଙ୍କ ନାଡ଼ିନକ୍ଷେତ୍ର ଠିକଠାକ୍ ଅଛି ବୋଲି ବିଶ୍ୱାସ ହେଉନାହିଁ। ବର୍ତ୍ତମାନ ଆଖିଆଗରେ ଯାହାସବୁ ଦିଶିଯାଉଛି, ସେଥିରେ ଜଳକା ହେବା ଛଡ଼ା ଅନ୍ୟଗତି ନାହିଁ ଲେଖକମାନଙ୍କର। ପତ୍ରପତ୍ରିକାଠାରୁ ପୁସ୍ତକ ପର୍ଯ୍ୟନ୍ତ ଯାହାସବୁ ପଠନୀୟ ସାମଗ୍ରୀ ମିଳୁଛି, ସେଥିରେ ଅଧିକାଂଶ ନିମ୍ନରୁଚିର ନିନ୍ଦନୀୟ ପ୍ରଦର୍ଶନ। ବ୍ଲୁ ଫିଲ୍ମର କୁତ୍ସିତ କାମୋଦ୍ଦୀପକ ଆଭିମୁଖ୍ୟ ଓ ଏଲୋ ଜର୍ଣ୍ଣାଲିଜମର ହୋ-ହାଲ୍ଲାଧର୍ମୀ ହଟଚମଟ ସହିତ ତାଳ ଦେବାକୁ ବସିଛି ଆଜିର ଲେଖକ। ଜ୍ଞାନ, ଅଭିଜ୍ଞାନ ଓ ଆଭିମୁଖ୍ୟର ପ୍ରଚଣ୍ଡ ଦୁର୍ବଳତା ହେତୁ ଓଡ଼ିଶାରେ ଯୋଗ୍ୟ ଲେଖକ ଉତୁରି ପାରୁନାହାନ୍ତି।

ସାହିତ୍ୟର ଆତ୍ମାକୁ ଉଦ୍ଧାର କରାଯିବାର ଅଭିଯାନ ଆରମ୍ଭ ହେଉ ଏବଠୁ। ସାହିତ୍ୟକୁ ବାରବଧୂ ନ କରି ସୁଗୃହିଣୀର ସମ୍ମାନ ଓ ସାଂଭ୍ରାନ୍ତ୍ୟରେ ଭୂଷିତ କରିବାର ଦାୟିତ୍ୱ ସାହିତ୍ୟିକମାନଙ୍କର। ବିରାଟ ବୁଭୁକ୍ଷୁ ସମାଜର ଦୀର୍ଘଶ୍ୱାସକୁ ଉପେକ୍ଷା କରି ମୁଷ୍ଟମେୟ ମାନସଭୋଜ୍ୟ ନହେଉ ସାହିତ୍ୟିକର ସୃଷ୍ଟି।

ଯାଜପୁର ରୋଡ, ଯାଜପୁର

ମୋ : ୯୮୬୧୦୩୪୧୬୩

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos