ପହୁଡ଼ ଯାଇଛି ଓଡ଼ିଆ ଜାତି!

  • ଦେବେନ୍ଦ୍ର ପୃଷ୍ଟି

କିଛି ମାସ ତଳେ ସାମାଜିକ ଗଣମାଧ୍ୟମରେ ଜଗନ୍ନାଥ ଭଜନଟିଏ ଖୁବ୍‌ ଭାଇରାଲ୍‌ ହୋଇଥିଲା। ଭଜନଟି ମୃଦଙ୍ଗ ବଜାଇ ଗାଇଥିଲେ ଶିଶିର ବେଦାନ୍ତ ନାମକ ଜଣେ ପାଲା ବାୟକ। ସେ ମୃଦଙ୍ଗ ବଜାଇବା ସହିତ ଭଜନଟି ନିଜେ ଗାଇଥିଲେ। ଚମତ୍କାର ଥିଲା ତାଙ୍କର ଭାବୋଦ୍ଦୀପକ ପରିବେଷଣ।

ଭଜନଟି ଶିଶିର ବେଦାନ୍ତ ନିଜେ ଲେଖିଛନ୍ତି କି ଅନ୍ୟ କେହି ତାହା ଜଣାନାହିଁ। ତେବେ ସେ ଲେଖା ଅତି ଚମତ୍କାର।

ତାହା ଏଇପରି:

ଚାଉଳରୁ ଭାତ ସବୁଠି ରନ୍ଧା ତ ଭାତରୁ ଚାଉଳ କେଉଁଠି ହୁଏ?

ମିତଣୀ, ଜଗନ୍ନାଥ ଧାମ ସିଏ।

ମାରିବା ଲୋକକୁ ଦଣ୍ଡ ନାହିଁ ସେଠି, ମାଡ଼ ଖାଇ ଭକ୍ତ ପାଉଣା ଦିଏ।

ମିତଣୀ, ଜଗନ୍ନାଥ ଧାମ ସିଏ।

ଦରଗଢ଼ା ଦିଅଁ ନାହିଁ ଗୋଡ଼ ହାତ, ତାକୁ ପୂର୍ଣ୍ଣ ବ୍ରହ୍ମ ବୋଲି କୁହନ୍ତି ଜଗତ,

ବଡ଼ ଭାଇ ବଳଦେବ ଥାଉଁ ଥାଉଁ ସାନ ଭାଇ ବଡ଼ ଠାକୁର ହୁଏ।

ମହଣ ମହଣ ସୁନାରୁପା ଥାଇ ଦରପୋଡ଼ା ମାଟି ହାଣ୍ଡିରେ ଭୁଞ୍ଜଇ,

କାନ ନାହିଁ ଗୀତ ଗୋବିନ୍ଦକୁ ଶୁଣି ଚକା ଆଖି ମେଲି ପହୁଡ଼ ଯାଏ।

ଏହା ଏକ ବିରୋଧାଭାସ ପୂର୍ଣ୍ଣ ଭଜନ। ଜଗନ୍ନାଥ ତତ୍ତ୍ୱର ଏହି ବିରୋଧାଭାସକୁ ସତେ ଯେମତି ଓଡ଼ିଆ ଜାତି ନିଜ ଚିନ୍ତା, ଚେତନା ଓ ଜାଗରଣରେ ସଂପୂର୍ଣ୍ଣ ନକଲ କରିନେଇଛି। ଏଇ ଭଜନରୁ ଯେଉଁ ବାର୍ତ୍ତା ମିଳେ ତାହା ଓଡ଼ିଆ ଜାତିର ବର୍ତ୍ତମାନ ସହିତ ସଂପୂର୍ଣ୍ଣ ମେଳ ଖାଇ ଯାଉଛି।

ଶେଷ ଆଡ଼ୁ ବୁଝିବା। ମହଣ ମହଣ ସୁନାରୁପ ଥୋଇ, ଦରପୋଡ଼ା ମାଟିହାଣ୍ଡିରେ ଭୁଞ୍ଜଇ। ଜଗନ୍ନାଥଙ୍କ ରତ୍ନ ଭଣ୍ଡାରରେ ମହଣ ମହଣ ସୁନାରୁପା, ହୀରାନୀଳା ଆଦି ଅନେକ ମୂଲ୍ୟବାନ ଧାତୁ ଓ ରତ୍ନର ଗହଣା ଥିଲେ ମଧ୍ୟ ତାଙ୍କ ପାଖରେ ମାଟିହାଣ୍ଡିରେ ନୈବେଦ୍ୟ ପରଷା ଯାଏ। ଓଡ଼ିଆ ଜାତିର ଠିକ ଏଇ ଅବସ୍ଥା। କ’ଣ ନାହିଁ ଓଡ଼ିଶାରେ? ଏସିଆ ମହାଦେଶରେ ଯେତେ କ୍ରୋମାଇଟ୍‌ ଗଚ୍ଛିତ ଅଛି ତାହାର ୯୦ ପ୍ରତିଶତ ଉପରେ ରହିଛି ଭାରତରେ। ପୁଣି ସାରା ଭାରତରେ ଯେତେ କ୍ରୋମାଇଟ୍‌ ଅଛି ତାହାର ୯୬ ପ୍ରତିଶତ ଅଛି କେବଳ ଓଡ଼ିଶାରେ। ନିର୍ଦ୍ଦିଷ୍ଟ ଭାବରେ ଓଡ଼ିଶାର ଯାଜପୁର ଜିଲ୍ଲା ଅନ୍ତର୍ଗତ ସୁକିନ୍ଦାରେ, କେନ୍ଦୁଝରରେ ଅଳ୍ପ କିଛି। କ୍ରୋମାଇଟ୍‌ ବିନା ଇସ୍ପାତ ବା ଷ୍ଟିଲ ଉତ୍ପାଦନ ହୋଇପାରେ ନାହିଁ। ଷ୍ଟିଲ ବିନା ଆଧୁନିକ ପୃଥିବୀର ବିକାଶ ଓ ପ୍ରଗତି କଳ୍ପନା କରିହେବ ନାହିଁ।

କିଛି ବର୍ଷ ତଳେ ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ(ସେଲ୍‌)ର ଗୋଟେ ବିଜ୍ଞାପନ ସ୍ଲୋଗାନ ବେଶ୍‌ ଲୋକାଦୃତ ହୋଇଥିଲା। ଦେୟାର ଇଜ୍‌ ଏ ଲିଟିଲ୍‌ ବିଟ୍‌ ଅଫ୍‌ ସେଲ୍‌ ଇନ୍‌ ଏଭ୍ରିବଡ଼ି’ସ୍‌ ଲାଇଫ୍‌। ଏହାକୁ ଆଉ ଟିକେ ଫର୍ଚ୍ଚ କରି କୁହାଗଲେ ଏଇପରି ହେବ, ଦେୟାର୍‌ ଇଜ୍‌ ଏ ଲିଟିଲ୍‌ ବିଟ୍‌ ଅଫ୍‌ ଷ୍ଟିଲ୍‌ ଇନ୍‌ ଏଭ୍ରିବଡି’ସ୍‌ ଲାଇଫ୍‌। ଅର୍ଥାତ ପ୍ରତ୍ୟେକ ଲୋକର ଜୀବନରେ ନିଶ୍ଚିତ କିଛି ଇସ୍ପାତ ରହିଛି। ଆମ ଘର ତିଆରିଠାରୁ ଆରମ୍ଭ କରି, ଘରୋଇ ସାଜସରଞ୍ଜାମ, ଯାନବାହନ ଆଦି ସବୁଥିରେ କିଛି କିଛି ଷ୍ଟିଲ ବା ଇସ୍ପାତ ରହିଛି। ଗାଡ଼ିମୋଟରରୁ ଆରମ୍ଭ କରି ଉଡ଼ାଜାହାଜ ଓ ଯୁଦ୍ଧଟ୍ୟାଙ୍କ ଯାଏଁ ସବୁ କିଛିର ପ୍ରଧାନ ଅଂଶ ହେଉଛି ଷ୍ଟିଲ୍‌। ଓଡ଼ିଶାର କ୍ରୋମ ବିନା ପୃଥିବୀର ଅନେକ ଦେଶରେ ଷ୍ଟିଲ୍‌ ଉତ୍ପାଦନ ହୋଇପାରିବ ନାହିଁ। ସେମାନେ ଆମ କ୍ରୋମ ନେଇ ସେମାନଙ୍କ ବିକାଶକୁ ଷ୍ଟିଲ୍‌ ପରି ମଜବୁତ୍‌ କରିପାରିଛନ୍ତି। ଅଥଚ ଓଡ଼ିଶାର ମୂଳବାସିନ୍ଦାମାନେ ଆଜି ବି ଗରୀବ, ଟଙ୍କିକିଆ ଚାଉଳ ନପାଇଲେ ସେମାନଙ୍କ ମଧ୍ୟରୁ ଅନେକ ଅନାହାରରେ ପ୍ରାଣତ୍ୟାଗ କରିବେ ବୋଲି ସରକାର ଭାବୁଛନ୍ତି, ସେମାନେ ମଧ୍ୟ ସେଇ ଭାବନାକୁ ଆଦର କରୁଛନ୍ତି।

ସାରା ଭାରତରେ ଯେତେ ପ୍ଲାଟିନମ୍‌ ଓ ପାଲାଡିୟମ ଅଛି ତାହାର ୯୦ ପ୍ରତିଶତ ଅଛି ଓଡ଼ିଶାରେ। ପ୍ଲାଟିନମ୍‌ ଏକ ମହଙ୍ଗା ଧାତୁ। ଆଜିକାଲି ପ୍ଲାଟିନମ୍‌ରେ ବି ସୁନା ଓ ରୁପା ପରି ଅଳଙ୍କାର ଗଢ଼ା ହେଲାଣି। ବିଭିନ୍ନ ଗାଡ଼ିମୋଟରରେ ଏହା ବ୍ୟବହୃତ ହୁଏ। ସାରା ଭାରତରେ ଯେତେ ବକ୍ସାଇଟ୍‌ ଗଚ୍ଛିତ ଅଛି ତାହାର ପ୍ରାୟ ୫୩ ପ୍ରତିଶତ ରହିଛି ଓଡ଼ିଶାରେ। ବକ୍ସାଇଟ୍‌ରୁ ଆଲୁମିନିୟମ ତିଆରି ହୁଏ। ଆଉ ଆଲୁମିନିୟମର ଚାହିଦା ଆଜିକାଲି ସବୁ ଶିଳ୍ପରେ, ସବୁ ସହରରେ, ସବୁ ଯାନବାହାନରେ। ଆଲୁମିନିୟମ ବିନା ବି ଆଧୁନିକ ବିକାଶର କଳ୍ପନା କରିବା ଅସମ୍ଭବ। ଭାରତରେ ଯେତେ ଲୁହା ପଥର ରହିଛି ତାହାର ୩୪ ପ୍ରତିଶତ ରହିଛି ଓଡ଼ିଶାରେ। ଭାରତରେ ନିକେଲ ଭଣ୍ଡାରର ୯୨ ପ୍ରତିଶତ ରହିଛି ଓଡ଼ିଶାରେ। ଭାରତର କୋବାଲ୍ଟ ଭଣ୍ଡାରର ୬୯ ପ୍ରତିଶତ ଅଛି ଓଡ଼ିଶାରେ। କୋବାଲ୍ଟର ବ୍ୟବହାର ଲିଥିୟମ ବ୍ୟାଟେରିଠାରୁ ଆରମ୍ଭ କରି ଅତ୍ୟନ୍ତ ସୁଦୃଢ଼ ଓ ଶକ୍ତିଶାଳୀ ମିଶ୍ରଧାତୁ ଉତ୍ପାଦନରେ ହୋଇଥାଏ। ଏସବୁ ଖଣିଜ ପଦାର୍ଥର ଗଚ୍ଛିତ ପରିମାଣ ଦୃଷ୍ଟିରୁ ଓଡ଼ିଶା ଦେଶରେ ଏକ ନମ୍ବର। ଅର୍ଥାତ ଓଡ଼ିଶାଠାରୁ ଅନ୍ୟ କୌଣସି ରାଜ୍ୟରେ ଏସବୁ ଖଣିଜ ପଦାର୍ଥ ଅଧିକ ନାହିଁ। କେବଳ ଏଇ କେତେଟା ଖଣିଜ ପଦାର୍ଥ ନୁହେଁ, ଲୁହା ପଥର ପଥରର ଗଚ୍ଛିତ ପରିମାଣ ଦୃଷ୍ଟିରୁ ମଧ୍ୟ ଓଡ଼ିଶା ଭାରତରେ ଏକ ନମ୍ବର। ଏଠାରେ ଭାରତର ୩୪ ପ୍ରତିଶତ ଲୁହା ପଥର ଗଚ୍ଛିତ ଅଛି। ସେହିପରି ଆମର କୋଇଲା ଭଣ୍ଡାର ଭାରତରେ ଦ୍ୱିତୀୟ, ଗାର୍ନେଟ୍‌ ଓ ମୋନାଜାଇଟ୍‌ରେ ଦ୍ୱିତୀୟ ଏବଂ ମାଇକାରେ ତୃତୀୟ। ଏହା ବାଦ ଡୋଲୋମାଇଟ୍‌, ଚାଇନାକ୍ଲେ, ଆଜବେଷ୍ଟସ, ଟିନ୍‌, ତମ୍ବା, ସୀସା, ଗ୍ରାଫାଇଟ୍‌, ଗ୍ରାନାଇଟ୍‌, ବୈଦୁର୍ଯ୍ୟ, ମାଣିକ୍ୟ ଓ ଅନ୍ୟ ବହୁ ମୂଲ୍ୟବାନ ଧାତବ ପଥର ଓ ରତ୍ନ ପଥର ମଧ୍ୟ ଓଡ଼ିଶା ମାଟିରେ ଭରି ରହିଛି।

ଏସବୁ ନେଇ ଭାରତ ଓ ଭାରତ ବାହାରର ବହୁ ଶିଳ୍ପପତି ନିଜନିଜର ଆର୍ଥିକ ସାମ୍ରାଜ୍ୟ ପ୍ରତିଷ୍ଠା କରିଛନ୍ତି। ମାତ୍ର, ୪.୫ କୋଟି ଓଡ଼ିଆଙ୍କ ମଧ୍ୟରୁ ୩.୫ କୋଟି ଆଜି ବି ସରକାରଙ୍କ ମାଗଣା ଯୋଜନା ଉପରେ ନିର୍ଭରଶୀଳ। ସେମାନଙ୍କର କୌଣସି ଆର୍ଥିକ ସାମ୍ରାଜ୍ୟ ନାହିଁ କି ସେପରି ସାମ୍ରାଜ୍ୟରେ ଓଡ଼ିଶା ଓ ଓଡ଼ିଆଙ୍କର ବିଶେଷ କିଛି ଭାଗ ନାହିଁ। ମହଣ ମହଣ ସୁନାରୁପା ଥୋଇ ଦରପୋଡ଼ା ମାଟିହାଣ୍ଡିରେ ଭୁଞ୍ଜଇ କଥାଟା ଓଡ଼ିଆଙ୍କ କ୍ଷେତ୍ରରେ କେତେ ସତ ନୁହେଁ ସତେ!

କାନ ନାହିଁ ଗୀତ ଗୋବିନ୍ଦକୁ ଶୁଣି ଚକା ଆଖି ମେଲି ପହୁଡ଼ ଯାଏ! ସଚରାଚର ସମସ୍ତେ ଜାଣନ୍ତି ଯେ ପ୍ରାଣୀମାନେ ଆଖି ବନ୍ଦ କରି ହିଁ ନିଦରେ ଶୁଅନ୍ତି। କେବଳ ବୋଧହୁଏ ମାଛ ଆଖି ମେଲା କରି ଶୋଇଥାଏ। କାରଣ ମାଛର ଆଖି ପତା ନାହିଁ। ଆମ ଜଗନ୍ନାଥଙ୍କର ମଧ୍ୟ ଆଖିପତା ନାହିଁ। ତେଣୁ ପହୁଡ଼ ଗଲେ ତାଙ୍କର ଚକାଆଖି ମୁଦି ହୁଏ ନାହିଁ। ଆମେ ତାକୁ ଅର୍ଥ କରିପାରନ୍ତି, ଭଗବାନଙ୍କ ଆଖି ମୁଦି ହୋଇଗଲେ ସଂସାର ଭାସିଯିବ। ତାହା ହେଇପାରେ। ମାତ୍ର, ଓଡ଼ିଆମାନେ ଏହିପରି ଆଖି ମେଲା କରି ଶୋଇଥିବା ପରି ଆଚରଣ ପ୍ରଦର୍ଶନ କରନ୍ତି। ସେମାନଙ୍କ ଆଖି ଆଗରୁ ଓଡ଼ିଶାର ଉପରୋକ୍ତ ଖଣିଜ ପଦାର୍ଥ ସବୁ ଲୁଟ୍‌ ହୋଇଯାଏ। ସରକାରଙ୍କ ସହିତ ସଂପର୍କ ରଖି ଅନେକ ଖଣି ମାଫିଆ ଓ ବିଦେଶୀ ବେପାରୀ ଆମର ମୂଲ୍ୟବାନ ଭଣ୍ଡାରକୁ ଖାଲି କରିଚାଲିଛନ୍ତି। ଏ ସଂପର୍କରେ ମଝିରେ ମଝିରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଏ। ରାଜନୀତିକ ସ୍ତରରେ ବି ଆଲୋଚନା ହୁଏ। କିନ୍ତୁ, ଓଡ଼ିଆ ଠେଙ୍ଗାବାଡ଼ି ଧରି ନିଜ ସଂପତ୍ତିର ସୁରକ୍ଷା କରନ୍ତି ନାହିଁ। ଓଲଟି ଯେଉଁମାନେ ଲୁଟ୍‌ କରୁଛନ୍ତି ବା ଲୁଟ୍‌ରେ ସହଯୋଗ କରୁଛନ୍ତି ସେମାନଙ୍କୁ ରାଜ୍ୟ ପରିଚାଳନା ଭାର ଅର୍ପଣ କରୁଛନ୍ତି।

ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ! ଓଡ଼ିଆ ଲୋକେ ସବୁ ଦେଖୁଛନ୍ତି, କିଛି ପ୍ରତିକ୍ରିୟା ନାହିଁ, ଗଭୀର ନିଦ୍ରାରେ ଅଚେତ ଥିଲା ପରି। ଗୀତ ଗୋବିନ୍ଦ ଶୁଣିବା ପାଇଁ କାନ ଥିବା ଦରକାର। କିନ୍ତୁ ଓଡ଼ିଆ ଜାତିର କାନଟିମାନ ଅଛି ଯେ ବୋଧହୁଏ ତାହା ଶ୍ରବଣଶକ୍ତି ରହିତ କିମ୍ବା ସେବାଟେ ଦେହ ଭିତରକୁ ଯାଉଥିବା ଭାଷା ଓ ଧ୍ୱନିକୁ ଓଡ଼ିଆ ଲୋକମାନେ ବୁଝିବାକୁ ଅସମର୍ଥ! ଗୀତଗୋବିନ୍ଦକୁ କେତେ ଓଡ଼ିଆ ବୁଝନ୍ତି ଯେ! ଯଦିଓ ଏହା କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶ ସମେତ ଅନ୍ୟ କେତେକ ପ୍ରଦେଶରେ ଅତ୍ୟନ୍ତ ଲୋକପ୍ରିୟ। କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରେ ଅନେକ ଲୋକଙ୍କ ଘରେ ସକାଳୁ ଓ ସନ୍ଧ୍ୟାରେ ଗୀତଗୋବିନ୍ଦ ବୋଲାଯାଏ, ଶୁଣାଯାଏ। ଏହାର ଅର୍ଥ ପାଇଁ ନୁହେଁ, ଏହାର ମାଧୁର୍ଯ୍ୟ ପାଇଁ, ପଦଲାଳିତ୍ୟ ପାଇଁ, ସ୍ୱରସଂଯୋଜନା ପାଇଁ। ଓଡ଼ିଶାର ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଏଥିରୁ କିଛି ଗାଇଥିଲେ ଯେ ତାହା ଏବେ କେତେ ଓଡ଼ିଆ ଶୁଣନ୍ତି ତାହାର ଆକଳନ କଲେ ଆତ୍ମଲଜ୍ଜିତ ହେବାକୁ ପଡ଼ିପାରେ। ଜଗନ୍ନାଥଙ୍କ ପରି ଓଡ଼ିଆ ଲୋକମାନେ ନିଜ ଲୁଟ୍‌ପାଟ୍‌ ଦେଖି ଆଖି ତରାଟି ରହିଯିବାକୁ ଉଚିତ ମନେ କରୁଛନ୍ତି, ବୋଧହୁଏ ସେମାନଙ୍କର କିଛି କରିବାର ନାହିଁ, କରିପାରିବାର ସାମର୍ଥ୍ୟ ନାହିଁ!

ଜଗନ୍ନାଥ ଦରଗଢ଼ା ଦିଅଁ। ତାଙ୍କର ହାତଗୋଡ଼ ଆଦି ନାହିଁ। ତଥାପି ତାଙ୍କୁ ପୂର୍ଣ୍ଣବ୍ରହ୍ମ ଭାବେ ଗ୍ରହଣ କରାଯାଏ। ସେଇ ଭାବରେ ଓଡ଼ିଆ ଜାତି ତାଙ୍କୁ ଆରାଧନା କରେ, ପ୍ରାର୍ଥନା କରେ, ବୁଝେ ଓ ଗୁଣଗାନ କରେ। ଠାକୁରଙ୍କ ପ୍ରତି ଯେମିତି ଭକ୍ତି, ନେତା ଓ ବାବୁଙ୍କ ପ୍ରତି ମଧ୍ୟ ସେମିତି ଅନୁରକ୍ତି। ଯେଉଁମାନେ ଓଡ଼ିଆଙ୍କୁ ନିଜର ବୋଲି ଭାବନ୍ତି ନାହିଁ, ଓଡ଼ିଆ ସଂସ୍କୃତିର ଅନୁଗାମୀ ନୁହନ୍ତି, ଓଡ଼ିଆ ଭାଷା ଓ ସାହିତ୍ୟର ପୂଜାରୀ ନୁହନ୍ତି, ଓଡ଼ିଆ ସାମାଜିକ ଚଳଣିକୁ ଘୃଣା କରନ୍ତି ବା ନ୍ୟୁନ ନଜରରେ ଦେଖନ୍ତି, ସେଇମାନେ ହିଁ ଓଡ଼ିଆଙ୍କର ସଂପୂର୍ଣ୍ଣ ମାଲିକ ଭାବେ ପ୍ରତିଷ୍ଠା ଲାଭ କରନ୍ତି। କହିବା ବାହୁଲ୍ୟ, ଓଡ଼ିଶାର ଅଧିକାଂଶ ପୂର୍ବତନ ରାଜବଂଶ ବହିରାଗତ ଅଣଓଡ଼ିଆ। ଏବେକାର ପରିସ୍ଥିତି ମଧ୍ୟ ଏହାଠାରୁ ସଂପୂର୍ଣ୍ଣ ଭିନ୍ନ ନୁହେଁ। ଅଧା ଓଡ଼ିଆଙ୍କୁ ଆମେ ପୂର୍ଣ୍ଣ ଓଡ଼ିଆ ଭାବେ ପ୍ରଚାର କରୁ, ପ୍ରଶଂସା କରୁ।

ଶ୍ରୀମନ୍ଦିରରେ ବଡ଼ଭାଇ ହେଲେ ବଳଭଦ୍ର। ସେ ହଳଧର, କୃଷି ସଂସ୍କୃତିର ପ୍ରତୀକ। ଓଡ଼ିଶା ମୁଖ୍ୟତଃ ଏକ କୃଷିପ୍ରଧାନ ରାଜ୍ୟ। କୃଷକମାନେ ଓଡ଼ିଶା ଜନସଂଖ୍ୟାର ଅର୍ଦ୍ଧାଧିକ ଅଂଶ ପୂରଣ କରିଥାନ୍ତି। କେବଳ ଚଷାଖଣ୍ଡାୟତ ନୁହନ୍ତି, ଓଡ଼ିଶାର ଅନ୍ୟ ସବୁ ଜାତିର ଲୋକ, ସେମାନଙ୍କର କୌଳିକ ବୃତ୍ତି ଯାହା ହେଇଥାଉ ନା କାହିଁକି, ଆଧୁନିକ ଶିଳ୍ପାୟନ ଓ ସହରାୟନ ପରେ ବୃତ୍ତି ହରେଇ ଚାଷଜମି ନଥିଲେ ବି ଚାଷକୁ ଆଧାର କରି ବହୁ ଦୁଃଖ ଓ କଷ୍ଟରେ ତିଷ୍ଠି ରହିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି କାରିଗର ଓ କଳାକାର। ତେଲି, ତନ୍ତି, ଗୁଡ଼ିଆ, ବଣିଆ, କାଚରା, ପାଟରା, କମ୍ମାର, କୁମ୍ଭାର, ବାରିକ, ଗୋପାଳ ଆଦି ଯେତେ ଜାତି, ଯେତେ ଦଳିତ, କୋହ୍ଲ, କନ୍ଧ, କୋୟା, ପରଜା, ସାନ୍ତାଳ, ଜୁଆଙ୍ଗ ଆଦି ଯେତେ ଜନଜାତି ଅବା ଆଦିବାସୀ, ସମସ୍ତେ ଓଡ଼ିଆ ସଭ୍ୟତାରେ ବହୁ ପୁରାତନ, ଅର୍ଥାତ ବହୁ ବଡ଼। ଓଡ଼ିଆ ଭାଷା ୨୦୦୦ ବର୍ଷର ପୁରାତନ ବୋଲି ଦାବି କରି ଆମେ ତାହା ପାଇଁ ଶାସ୍ତ୍ରୀୟ ମାନ୍ୟତା ଆଣିଲେ। ଓଡ଼ିଆ ଜାତି ନିଶ୍ଚୟ ତା’ଠାରୁ ଅଧିକ ପୁରାତନ ଓ ପ୍ରାଚୀନ। କିନ୍ତୁ ଆଜିର ଓଡ଼ିଶାର ରାଜନୀତିକ ଓ ପ୍ରାଶାସନିକ ମନ୍ଦିରରେ ଓଡ଼ିଆଙ୍କ ଭୂମିକା ଅତ୍ୟନ୍ତ ଗୌଣ, ନଗଣ୍ୟ। ଏଠି ଯେଉଁମାନେ ବଡ଼ଭାଇ ସେମାନଙ୍କୁ ଉଚ୍ଚାସନ ଦିଆଯାଏ ନାହିଁ, ଯେଉଁମାନେ ସାନ ସେମାନେ ହିଁ ଏବେ ମୁଖ୍ୟ। ବରିଷ୍ଠମାନଙ୍କୁ କୋଣଠେସା କରି କନିଷ୍ଠମାନେ ଗାଦି ମାଡ଼ି ବସିବା ଭଳି କଥା ଇଏ।

ଆମ ଆଇନକାନୁନ ବ୍ୟବସ୍ଥାରେ ଯେଉଁମାନେ ଦଣ୍ଡ ପାଇବା କଥା ସେମାନଙ୍କୁ ନେତା ନିର୍ବାଚିତ କରାଯାଉଛି। ମାରିବା ଲୋକକୁ ଦଣ୍ଡ ନାହିଁ ସେଠି ମାଡ଼ ଖାଇ ଲୋକ ପାଉଣା ଦିଏ। ଶ୍ରୀମନ୍ଦିରରେ ଯେପରି ବେତମାଡ଼ ଖାଉଥିବା ଲୋକ ଜଗନ୍ନାଥଙ୍କ ଆଶୀର୍ବାଦ ପାଇଲା ବୋଲି ଧରିନିଏ ଠିକ ସେହିଭଳି ଯେଉଁମାନେ ଓଡ଼ିଆଙ୍କୁ ବିଭିନ୍ନ ଛନ୍ଦକପଟରେ ମାରନ୍ତି ବା ଶୋଷଣ କରନ୍ତି, ସେହି ଲୋକମାନଙ୍କୁ ହିଁ ଓଡ଼ିଆମାନେ ଚାନ୍ଦାଭେଦା ଓ ଭୋଟ ଦେଇ ଜୟଯୁକ୍ତ କରାନ୍ତି। ସେମାନଙ୍କର ଶ୍ରୀବର୍ଦ୍ଧନ କରନ୍ତି ଓ ନିଜେ ଗରୀବ ହୋଇ ରହିଯାଆନ୍ତି। ସବୁଠି ଚାଉଳ ରାନ୍ଧି ଭାତ ତିଆରି ହୁଏ। ଶ୍ରୀମନ୍ଦିରରେ ଭାତ ବା ଅବଢ଼ାକୁ ଶୁଖେଇ ଚାଉଳ ବା ନିର୍ମାଲ୍ୟ କରାଯାଏ। ତାହାକୁ ଭକ୍ତମାନେ ପରମାନନ୍ଦରେ ଗ୍ରହଣ କରନ୍ତି। ଏହା ଯେମିତି ଏକ ଓଲଟା ପ୍ରକ୍ରିୟା ଓଡ଼ିଆଙ୍କର ଭାଗ୍ୟ ଓ କର୍ମ ବୋଧହୁଏ ସେହିପରି ଓଲଟା ହୋଇଯାଇଛି। ବିରୋଧାଭାସରେ ଭରପୂର ଏ ଜାତି, ଏ ରାଜ୍ୟ। ବୋଧହୁଏ, ଏଇ କଥା ଜାଣି ନେତାମାନେ ପ୍ରାୟ ସାତ ଦଶନ୍ଧି ହେଲାଣି କହି ଆସୁଛନ୍ତି, ପ୍ରାଚୁର୍ଯ୍ୟ ଭିତରେ ଦାରିଦ୍ର୍ୟ ହେଉଛି ଓଡ଼ିଶାର ପରିଚୟ। ଏହା ଓଡ଼ିଆଙ୍କ ଅଭିଶାପ କି ଆଶୀର୍ବାଦ, କର୍ମଫଳ କି ଭାଗ୍ୟଫଳ, ଅଜ୍ଞତା କି ଅନ୍ଧବିଶ୍ୱାସ, ତାହା ତର୍ଜମା କରିବାର ବେଳ ଆସିଛି କି ଆସିନାହିଁ ତାହା ମଧ୍ୟ ଓଡ଼ିଆଙ୍କ ଉପରେ ନିର୍ଭର କରେ।

ଜୟ ଜଗନ୍ନାଥ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।