ସେହି ଆପଣାର ସ୍ପର୍ଶ

ସାନ ଝିଅ ଜନ୍ମ ହେବା ପରେ ଦୁଃଖ ଲାଗିଥିଲା। ଏ ଦୁଃଖ ଦୀର୍ଘ ବର୍ଷ ଯାଏ ଥିଲା।

ସ୍ ଥିଲା ସାଢ଼େ ତିନିଟାରେ। ସକାଳ ସିଫ୍ଟ୍ ସାରି ଅଫିସ୍‌ ଛାଡ଼ିବା ବେଳକୁ ତିନି ବାଜି ସାରିଥିଲା। ବସ୍ ପାଇବି କି ନାହିଁ- ସେହି ଆଶା ଓ ଆଶଙ୍କା ମଧ୍ୟରେ ବାଣୀବିହାର ଯାଉଥିବା ଏକ ଅଟୋରେ ବସିଲି। ଟିକେ ଜଲଦି ଜଲଦି ଯିବା ପାଇଁ ବି ଡ୍ରାଇଭର୍‌ଙ୍କୁ କହିଥିଲି। ହେଲେ ବାଟରେ ଏକାଧିକ ଟ୍ରାଫିକ୍‌। ସେ ଅବା କ’ଣ କରିପାରିଥା’ନ୍ତେ! ଅଟୋରୁ ଓହ୍ଲାଉ ଓହ୍ଲାଉ ମୋ ଗାଁକୁ ଯାଉଥିବା ନୀଳ ରଙ୍ଗର ‘ମା ବସ୍‌’ଟି ବାଣୀ ବିହାର ଛକ ଅତିକ୍ରମ କରି ପଳାଉଥିବା ଲକ୍ଷ୍ୟ କଲି। ବସ୍‌ଟି ବେଶ୍ କିଛି ଦୂରରେ ବେଗ ବଢ଼ାଇ ଚାଲି ଯାଉଥିବା ବେଳେ ଶେଷ ପ୍ରୟାସ ସ୍ୱରୂପ ବ୍ୟାଗ୍‌ଟିକୁ ପିଠିରେ ପକାଇ ଧାଇଁ ଥିଲି। କିନ୍ତୁ କିଛି ଲାଭ ହେଲାନି। ବସ୍ ପଳାଇଲା। ଧଇଁ ସଇଁ ହୋଇ ଦୃଶ୍ୟପଟରୁ ବସ୍‌ଟି ଅନ୍ତର୍ଦ୍ଧାନ ହେବା ପର୍ଯ୍ୟନ୍ତ ସେମିତି ରାସ୍ତାକଡ଼ରେ ଛିଡ଼ା ହୋଇ ରହିଲି। ସେତେବେଳକୁ ବସ୍ ଫେଲ୍ ହୋଇଯିବାର କୋହ ଛାତିରୁ ବାହାରି ମୁହଁରେ ଦୃଶ୍ୟମାନ ହେଲାଣି। ଆଖିରୁ ଲୁହ ପଡ଼ିବା ଉପରେ। ଏହି ସମୟରେ ହଠାତ୍ ମୋ କାନ୍ଧରେ କେହି ଜଣେ ହାତ ପକାଇବାର ଅନୁଭବ କରି ପଛକୁ ଚାହିଁଲି। ପଛରେ ଛିଡ଼ା ହୋଇଥିଲେ ଜଣେ ବୟସ୍କ ଲୋକ। ବୟସ ବୋଧେ ପାଖାପାଖି ୬୦ ହେବ। ମୁଣ୍ଡର ଚୁଟି ସବୁ ପାଚି ଯାଇଥିଲା। ଧଳା ହାପ୍‌ ଶାର୍ଟ ପିନ୍ଧିଥିଲେ ଓ କଳା ରଙ୍ଗର ଏକ ଚମଡ଼ା ବ୍ୟାଗ୍‌ ଧରିଥିଲେ। ମୁଁ କିଛି ପଚାରିବା ପୂର୍ବରୁ ସେ କହିଲେ- ବସ୍‌ ଫେଲ୍‌ ହୋଇଗଲ?

– ଆଜ୍ଞା

– କୁଆଡ଼େ ଯାଇଥା’ନ୍ତ?

– ନିଆଳି

– ଘର ସେଠି?

– ଆଜ୍ଞା

ଟିକେ ସ୍ମିତ ହାସ୍ୟ ଦେଇ ଭଦ୍ରବ୍ୟକ୍ତି ଜଣଙ୍କ କହିଲେ, ମୁଁ ବି ସେଠିକି ଯିବି। ମୁଁ ବି ବସ୍ ଫେଲ୍ ହୋଇଗଲି। ଏବେ ବସ୍ ମିଳିବ ସାଢ଼େ ପାଞ୍ଚଟାରେ।

ମୁଁ କହିଲି, ହଁ ଜାଣିଛି।

ତାଙ୍କ ସହିତ କଥା ହେବାକୁ ମୋର ଆଦୌ ଇଚ୍ଛା ନଥିଲା। କିନ୍ତୁ ବୟସ୍କ ବ୍ୟକ୍ତି ଜଣଙ୍କୁ ଏଡ଼ାଇ ଯିବାକୁ ମନ ଶତପ୍ରତିଶତ ଅନୁମତି ଦେଉ ନଥିଲା।

ସେହି ସମୟରେ ତାଙ୍କ ଫୋନ୍ ବାଜିଲା। ସେ ଟିକେ ଦୂରକୁ ଯାଇ କାହା ସହିତ କଥା ହେବା ପରେ ମୋ ପାଖକୁ ପୁଣି ଫେରି ଆସିଲେ, ଯାହା ମୁଁ ଚାହୁଁ ନଥିଲି।

ମୋ ପାଖରେ ପହଞ୍ଚି ସେ କହିଲେ, ଗୋଟେ ବୋଲେରୋ ଆସୁଛି। ସିଧା ନିଆଳି ଯିବ। ତୁମେ ସେଥିରେ ଯିବ କି ଝିଅ?

ମୁଁ ଚିନ୍ତା କଲି ତାଙ୍କ ପ୍ରସ୍ତାବଟା କିଛି ମନ୍ଦ ନାହିଁ। ଆହୁରି ଦୁଇ ଘଣ୍ଟା ଛିଡ଼ା ହେବା ଅପେକ୍ଷା ସେଥିରେ ପଳାଇବା ଭଲ। ଅଧିକ କିଛି ଚିନ୍ତା ନ କରି ହିଁ କହିଲି।

୧୦ ମିନିଟ୍‌ ମଧ୍ୟରେ ବୋଲେରୋ ଆସି ପହଞ୍ଚିଲା। ମୁଁ ଝରକା ପାଖରେ ଯାଇ ବସିଲି। ଭଦ୍ର ବ୍ୟକ୍ତି ଜଣଙ୍କ ମୋ ପାଖରେ ବସିଲେ। ଗାଡ଼ିଟି ୧୦ ମିନିଟ୍ ରହି ଆଉ ଦୁଇ ତିନି ଜଣ ପାସେଞ୍ଜରଙ୍କୁ ବସାଇବା ପରେ ନିଆଳି ଅଭିମୁଖେ ବାହାରିଲା। ମେଘୁଆ ପାଗରେ ଝରକା ପାଖରେ ବସି ଭାବନା ରାଇଜରେ ହଜି ଯିବା ପୂର୍ବରୁ ଗପ ଆରମ୍ଭ କରି ଦେଲେ ସେହି ଭଦ୍ରବ୍ୟକ୍ତି। ପଛକୁ ପଛ ଅନେକ ପ୍ରଶ୍ନ ପଚାରି ଗଲେ- ତୁମ ନାଁ କ’ଣ, କେଉଁଠି ରୁହ, ପଢ଼ୁଛ ନା ଚାକିରି କରୁଛ, କି ଚାକିରି, କେବେ ବାହା ହେବ, କେମିତି ପିଲା ପସନ୍ଦ, ଘରେ କିଏ କିଏ ଅଛନ୍ତି… ଇତ୍ୟାଦି ଇତ୍ୟାଦି। ଅନିଚ୍ଛା ସତ୍ତ୍ୱେ ବିନମ୍ରତାର ସହ ତାଙ୍କ ସବୁ ପ୍ରଶ୍ନର ଉତ୍ତର ଦେଇଥିଲି। ତା’ପରେ ସେ କିଛି ସମୟ ଚୁପ୍ ରହିଲେ। ଭାବିଲି- ବଞ୍ଚିଗଲା ମଣିଷ। ଏଥର ଟିକେ ଶାନ୍ତିରେ ବସି ପାରିବି। କିନ୍ତୁ ନା, ମୋ ଆକଳନ ଭୁଲ୍‌ ଥିଲା। ସେ ପୁଣି ଗପ ଆରମ୍ଭ କରି ଦେଲେ। ମୁଁ କିଛି ପଚାରି ନଥିବା ସତ୍ତ୍ୱେ ସେ ତାଙ୍କ ବିଷୟରେ କହି ଚାଲିଲେ।

କହିଲେ- ମୁଁ ସଚିବାଳୟରେ କାମ କରେ। ଆଉ ଦୁଇ ବର୍ଷ ପରେ ଅବସର ନେବି। ଘରେ ମୋ ସ୍ତ୍ରୀ ଓ ସାନ ଝିଅ ଅଛନ୍ତି। ବଡ଼ ଝିଅ ବାହା ହୋଇ ସାରିଛି। ଜ୍ୱାଇଁ ସଫ୍ଟୱେର ଇଞ୍ଜିନିୟର୍‌। ସାନ ଝିଅ ଏଏସ୍‌ଓ ପରୀକ୍ଷା ଦେଇଥିଲା, କିନ୍ତୁ ହେଲାନି।

ମୁଁ ଚୁପ୍‌ଚାପ୍ ତାଙ୍କ କଥା ଶୁଣୁଥିଲି ଓ ଭାବୁଥିଲି, ମୋତେ କାହିଁକି ଏତେ କଥା ଶୁଣାଉଛନ୍ତି। ତା’ଭିତରେ ସେ କହିଲେ, ମୁଁ ଭାରି ଗପେ। ତେଣୁ ଅନେକ ମୋତେ ପସନ୍ଦ କରନ୍ତି ନାହିଁ। ଏମିତିକି ମୋ ପାଖରେ ବସିବାକୁ ବି କେହି କେହି କୁନ୍ଥକୁନ୍ଥ ହୁଅନ୍ତି। କିନ୍ତୁ ତୁମେ ମୋତେ ମନ ଦେଇ ଶୁଣୁଛ। ସେଥିପାଇଁ ମୋତେ ଭାରି ଖୁସି ଲାଗୁଛି। ହଁ, ତୁମ ନାଁଟା କ’ଣ କହିଥିଲ। ଭୁଲି ଗଲି। ମୋର ଏଇ ଦୋଷ ଅଛି। ଅଧିକ ଗପେ ଓ ଅଧିକ ଭୁଲେ।

ଭଦ୍ରବ୍ୟକ୍ତି ଜଣଙ୍କ ପୁଣି ଥରେ ମୋ ନାଁ ପଚାରିବା ପରେ ଭାବିଲି, ଆଜି ସକାଳେ କାହା ମୁହଁ ଚାହିଁଥିଲି କେଜାଣି, ଏମିତି ଲୋକ ହାବୁଡ଼ରେ ପଡ଼ିଗଲି। ଅଧାଘଣ୍ଟା ହୋଇନି ଗପି ଗପି ମୁଣ୍ଡ ଖରାପ କରି ଦେଲେଣି। ଆଉ ଘଣ୍ଟାଏ କେମିତି ବସିବି କେଜାଣି ୟାଙ୍କ ପାଖରେ। ଗାଡ଼ିରୁ ତ ଓହ୍ଲାଇ ହେବନି। ତେଣୁ କିଛି ଗୋଟାଏ ଉପାୟ କରିବାକୁ ପଡ଼ିବ। ପୁଣି ଥରେ ତାଙ୍କୁ ‘ନାଁ’ କହି ସାରିବା ପରେ ଶୋଇବାର ଅଭିନୟ କଲି। ତା’ପରେ ସେ ଗପ ବନ୍ଦ କରି ଦେଲେ। ବହୁତ ଖୁସି ଲାଗିଲା। ଭାବିଲି- ଯାହା ହେଉ, ଉପାୟଟା କାମ ଦେଲା। ନିଦ ଲାଗୁ ନଥିଲେ ବି ଆଉ ଆଖି ଖୋଲିବିନି ବୋଲି ସ୍ଥିର କଲି। ତେବେ ସେ ନଛଡ଼ୋବନ୍ଦା। ମୁଁ ଶୋଇବାର ଅଭିନୟ କରୁଥିବା ବେଳେ ସେ ମୋ ମୁଣ୍ଡକୁ ଆଉଁସି ଆଉଁସି ପୁଣି ଗପ ଆରମ୍ଭ କରି ଦେଲେ। ସେ ମୋ ମୁଣ୍ଡରେ ଏମିତି ହାତ ରଖିବା ପ୍ରଥମେ ଭଲ ଲାଗି ନଥିଲା। ତେବେ ମୁଁ ଆଖି ଖୋଲି ତାଙ୍କ ଗପକୁ ବି ପ୍ରୋତ୍ସାହିତ କରିବାକୁ ଚାହୁଁ ନଥିଲି। ତେଣୁ ଭାବିଲି କ’ଣ ଗପୁଛନ୍ତି ଗପନ୍ତୁ। ଭଦ୍ରବ୍ୟକ୍ତି ଜଣଙ୍କ ତାଙ୍କ ବାପାମା’ ଓ ବାହାଘର କଥା କହୁ କହୁ ପୁଣି ଥରେ ତାଙ୍କ ଝିଅମାନଙ୍କ କଥା କହିଲେ।

ସେ କହୁଥିଲେ- ବଡ଼ ଝିଅ ହେଲା ବେଳେ ମୋତେ ଦୁଃଖ ଲାଗି ନଥିଲା। କିନ୍ତୁ ସାନ ଝିଅ ଜନ୍ମ ହେବା ପରେ ଦୁଃଖ ଲାଗିଥିଲା। ଏ ଦୁଃଖ ଦୀର୍ଘ ବର୍ଷ ଯାଏ ଥିଲା। ଅବଶ୍ୟ କାହା ଆଗରେ କେବେ କହିନି। ସ୍ତ୍ରୀ ହୁଏତ ଜାଣିପାରିଥିବେ! ଦୁଇ ବର୍ଷ ତଳେ ବଡ଼ ଝିଅର ବାହାଘର ପର୍ଯ୍ୟନ୍ତ ଏ ଦୁଃଖ ରହିଥିଲା। ଏଇ କିଛି ମାସ ହେବ ସେ ଦୁଃଖ ମନରୁ ପଳାଇଛି, ଯେଉଁ ଦିନ ରାମହରି ନନା ଚାଲି ଗଲେ। ମୋ ଘର ପାଖରେ ତାଙ୍କ ଘର। ମୋଠୁ ଦଶ ବର୍ଷରେ ବଡ଼ ଥିଲେ। ପ୍ରଧାନଶିକ୍ଷକ ହୋଇ ଚାକିରିରୁ ଅବସର ନେଇଥିଲେ। ମୋ ବଡ଼ ଝିଅର ବାହାଘରର ବେଶ୍ ଦୁଇ ତିନି ମାସ ପରେ ସେ ପକ୍ଷାଘାତର ଶିକାର ହୋଇଥିଲେ। ତାଙ୍କର ଚାରି ପୁଅ। ସମସ୍ତେ ଭିନ୍ନ ଭିନ୍ନ ସ୍ଥାନରେ ଚାକିରି କରନ୍ତି। କେହି ତାଙ୍କୁ ନେଇ ପାଖରେ ରଖିଲେନି କି ଘରେ ଆସି ରହିଲେନି। ଭାଉଜ ତାଙ୍କର ସେବା କରୁଥିଲେ। ଭାରି ହନ୍ତସନ୍ତ ହୋଇଛନ୍ତି। ନନା ପକ୍ଷାଘାତରେ ପଡ଼ିବାର ପ୍ରାୟ ମାସେ ପରେ ଗୋଟିଏ ରବିବାରରେ ତାଙ୍କ ମଝିଆଁ ପୁଅ ଅଶୋକ ସମ୍ବଲପୁରରୁ ଆସିଥିଲା। ମୋର ମନେ ଅଛି, ସେତେବେଳେ ଭାଉଜ ତାକୁ କହିଥିଲେ ଯେ ସେ ଏକା ଆଉ ପାରୁ ନାହାନ୍ତି। ଏତିକି ଶୁଣି ଅଶୋକ କହିଥିଲା, ଆଉ କ’ଣ ଆମେ ଚାକିରି ଛାଡ଼ି ଆସି ଏଠି ତାଙ୍କୁ ଜଗିବୁ। ତା’ କଥା ଶୁଣି ଭାଉଜ ଚୁପ୍‌। ଭୟରେ ତାଙ୍କ ଆଖିରୁ ଲୁହ ବି ବାହାରି ନଥିଲା। ମୁଁ ବି କିଛି କହିଲିନି। ତା’ପରେ ଅଶୋକ କହିଥିଲା, ଝିଅଟେ କି ପିଲାଟେ ରଖ, ମୁଁ ପଇସା ପଠେଇ ଦେବି। କଥା ଏତିକିରେ ରହିଲା। ଭାଉଜ ଆଉ ପାଟି ଫିଟାଇଲେନି। ଏ କଥା ଶୁଣି ମୋ ସ୍ତ୍ରୀ କହିଲେ- ‘ଏମିତି ପୁଅ ଥାଇ କେତେ ନଥାଇ କେତେ।’ ତେବେ ମୋର ଆଶା ଥିଲା, ଚାରି ପୁଅଙ୍କ ମଧ୍ୟରୁ ନନାଙ୍କ କଥା ନିଶ୍ଚୟ କେହି ବୁଝିବେ। କିନ୍ତୁ ସେମିତି ହେଲାନି। ବିଛଣାରେ ପଡ଼ିପଡ଼ି ଦେଢ଼ବର୍ଷ ପରେ ସେ ଚାଲିଗଲେ। ନା କୌଣସି ପୁଅ ତାଙ୍କୁ ପାଖକୁ ନେଲେ ନା ଆସି ସେବା କଲେ। କେବେ କେମିତି ଆସି ଖାଲି ଦେଖା କରି ଚାଲି ଯାଉଥିଲେ। ପୁତ୍ର ସନ୍ତାନର ବାପା ନ ହେବାର ଯେଉଁ ଦୁଃଖ ତିରିଶ ବର୍ଷ ଧରି ମୋ ଛାତିରେ ଥିଲା, ତାହା ସେଦିନ ମଶାଣିରେ ନନାଙ୍କ ଜୁଇ ଜଳିବା ସହିତ ଜଳି ପାଉଁଶ ହୋଇଯାଇଥିଲା।

ଏତିକି କହିବା ପରେ ସେ ନୀରବ ହୋଇଗଲେ। ଆଉ କିଛି କହିଲେନି। ହେଲେ ତାଙ୍କ ହାତଟି ସେତେବେଳ ଯାଏ ମୋ ମୁଣ୍ଡ ଉପରେ ଥିଲା। ମୁଁ ବି ଆଖି ଖୋଲି ନଥିଲି। କିଛି ସମୟ ପୂର୍ବରୁ ଯେଉଁ ସ୍ପର୍ଶକୁ ମୁଁ ବିରୋଧ କରି ନଥିଲେ ବି ଗ୍ରହଣ କରି ପାରି ନଥିଲି, ଏବେ ତାହା ମୋତେ ସେହି ଦେହସୁହା ସ୍ପର୍ଶ ପରି ଲାଗୁଥିଲା ଓ ଭାରି ଆପଣାର ଲାଗୁଥିଲା। ମୁଁ ଚାହୁଁଥିଲି, ସେ ଆହୁରି ଗପନ୍ତୁ, ଯେମିତି ନିଦ ଆସିବା ପର୍ଯ୍ୟନ୍ତ ମୋ ବାପା ମା’ ଗପ ଶୁଣାଉଥିଲେ।

ବିଶ୍ୱବନ୍ଦିତା ସ୍ୱାଇଁ
ଭୁବନେଶ୍ୱର
swainbiswobandita@gmail.com