ତିଥୱାଲର କୁକୁର

monto[ମାତ୍ର ତେୟାଳିଶ ବର୍ଷର ଜୀବନକାଳରେ ବାଇଶିଟି ଗଳ୍ପ ସଙ୍କଳନ, ପାଞ୍ଚୋଟି ନାଟ୍ୟ ସଙ୍କଳନ, ତିନୋଟି ପ୍ରବନ୍ଧ ସଙ୍କଳନ ଓ ଗୋଟିଏ ଉପନ୍ୟାସର ରଚୟିତା ସାଦତ ହାସନ ମଣ୍ଟୋ ଦକ୍ଷିଣ ଏସିଆର ଅନ୍ୟତମ ପ୍ରଭାବଶାଳୀ ଗାଳ୍ପିକ ରୂପେ ସୁପରିଚିତ । ଭାରତ ବିଭାଜନର ଗଭୀର ପ୍ରଭାବ ତାଙ୍କ ଜୀବନ ତଥା ରଚନାକୁ ମୂଖ୍ୟତଃ ପ୍ରଭାବିତ କରିଥିବାରୁ ତାଙ୍କର ବହୁଚର୍ଚ୍ଚିତ ରଚନା ମାନଙ୍କରେ ଜାତିଆଣ ଭାବ ତଥା ସମ୍ପର୍କ, ଯୁଦ୍ଧ, ସାମାଜିକ ବ୍ୟବସ୍ଥା ଇତ୍ୟାଦିର ଚିତ୍ର ଦେଖିବାକୁ ମିଳେ । ୧୯୧୨ରେ ଲୁଧିଆନାର ଗୋଟିଏ କାଶ୍ମୀର ମୁସଲମାନ ପରିବାରରେ ଜନ୍ମ ଓ ପଞ୍ଜାବରେ ବଢିଥିବାରୁ ସେ ଶିଖ ସମ୍ପ୍ରଦାୟ ସହିତ ମଧ୍ୟ ବିଶେଷ ଭାବରେ ଜଡିତ ଥିଲେ । କଲେଜ ପାଠ ଶେଷ କଲା ପରେ ସେ ବମ୍ବେ ଟକିଜରେ ସ୍କ୍ରିପ୍ଟ ଲେଖକ ଭାବେ କାମ କରୁଥିଲେ । ତାଙ୍କର ଲେଖକ ଜୀବନକାଳର ଆରମ୍ଭରେ ସେ ଅସ୍କାର ୱାଇଲ୍ଡ, ଚେକଭ, ଗର୍କୀ ଆଦି ଲେଖକ ମାନଙ୍କୁ ଉର୍ଦ୍ଦୁରେ ଅନୁବାଦ କରିଥିବାରୁ ତାଙ୍କ ଗପ ମାନଙ୍କରେ ଏହି ବଡ ଲେଖକଙ୍କ ପ୍ରଭାବ ଦେଖିବାକୁ ମିଳେ । ତାଙ୍କର ଲେଖାରେ ଉପନିବେଶ ସମୟର ସାମାଜିକ ତଥା ଅର୍ଥନୈତିକ ଚିତ୍ରଣ, ମାନବୀୟ ଆଚରଣ ଆଦି ଥିବାରୁ ତାଙ୍କୁ ବିଷିଷ୍ଟ ଲେଖକ ଡି.ଏଚ୍.ଲରେନ୍ସଙ୍କ ସହ ତୁଳନ କରାଯାଏ ।  ଭାରତ ବିଭାଜନ ସମୟରେ ତାଙ୍କର ହିନ୍ଦୁ ସହକର୍ମୀ ମାନଙ୍କର ମୁସଲମାନ ବିରୋଧୀ ବ୍ୟବହାରରେ ମର୍ମାହତ ହୋଇ ସେ ୧୯୪୭ରେ ପାକିସ୍ତାନକୁ ଚାଲିଯାଇଥିଲେ ହେଁ ସେଠି ତାଙ୍କୁ ଅନେକ ପ୍ରକାରର ସାମାଜିକ ତଥା ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଜୀବନର ଶେଷ ସମୟରେ ସେ ପ୍ରଚୁର ମଦ୍ୟପାନ କରୁଥିଲେ ଓ ୧୯୫୫ରେ ତାଙ୍କର ମୃତ୍ୟୁ ଘଟିଲା । ୨୦୦୫ରେ ପାକିସ୍ତାନ ସରକାର ତାଙ୍କ ଚିତ୍ର ଥିବା ଡାକଟିକେଟ ପ୍ରଚଳନ କରାଇଥିଲେ ଓ ୨୦୧୨ରେ ତାଙ୍କୁ ମରଣୋତ୍ତର ପାକିସ୍ତାନର ସର୍ବୋଚ୍ଚ ନାଗରିକ ପୁରସ୍କାର “ନିଶାନ-ଇ-ଇମିତିଆଜ”ରେ ପୁରସ୍କୃତ କରାଇଥିଲେ । ]

 କେଇ ସପ୍ତାହ ଧରି ସୈନ୍ୟମାନେ ନିଜ ନିଜ ଯାଗାରେ ପ୍ରସ୍ତୁତ ଥିଲେ ମଧ୍ୟ ଯୁଦ୍ଧ ନାଁରେ କାଁ ଭାଁ କିଛି ଘଟୁଥିଲା, କେବଳ ଯାହା ଡଜନେ ଲେଖାଏ ଗୁଳି ଶାସ୍ତ୍ରବିଧି ପରି ପ୍ରତିଦିନ ବିନିମୟ ହେଉଥିଲା । ପାଗ ଖୁବ୍ ବଢିଆ ଥିଲା । ଜଙ୍ଗଲି ଫୁଲର ବାସ୍ନାରେ ପବନ ଭାରୀ ଲାଗୁଥିଲା ଏବଂ ପ୍ରକୃତି ସତେ ଯେମିତି ତାର ପ୍ରବାହକୁ ଅନୁସରଣ କରୁଥିଲା, ସୈନିକଙ୍କ ବଡ ବଡ ପଥର ପଛରେ ଅଥବା ପାହାଡି ଗୁଳ୍ମ ପଛରେ ଲୁଚିବାକୁ ତାର ଧ୍ୟାନ ନଥିଲା । ସବୁଥର ପରି ପକ୍ଷୀମାନେ ଗୀତ ଗାଉଥିଲେ ଏବଂ ଫୁଲମାନେ ପ୍ରସ୍ଫୁଟିତ ଥିଲେ । ମହୁମାଛି ମାନେ ବଡ ଅଳସ ଭାବରେ ଗୁଞ୍ଜରଣ କରୁଥିଲେ ।

କେବଳ ଯେତେବେଳେ ଗୁଳି ଫୁଟିବାର ଶବ୍ଦ ଶୁଣାଯାଉଥିଲା, ପକ୍ଷୀମାନେ ଡେଣା ଫଡଫଡ କରି ଉଡିଯାଉଥିଲେ ସତେ ଯେପରି କେଉଁ ସଙ୍ଗୀତକାର ତାର ବାଦ୍ୟଯନ୍ତ୍ରରେ କିଛି କଟୁକର ସୁର ବଜୋଉଥିଲା । ସେପ୍ଟେମ୍ବର ସରି ସରି ଆସୁଥିଲା, ଗରମ ସରିଯାଇଥିଲା ଓ ଥଣ୍ଡା ପଡିନଥିଲା । ଲାଗୁଥିଲା ଯେମିତି ଗ୍ରୀଷ୍ମ ଓ ଶୀତ ନିଜ ନିଜ ମଧ୍ୟରେ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ନୀଳ ଆକାଶରେ ତୁଳାର ବାଦଲ ହ୍ରଦରେ ନୌକା ଭାସିଲା ପରି ଭାସୁଥିଲେ ।

ସୈନିକମାନେ ଏହି ଅନିର୍ଣ୍ଣାୟକ ଯୁଦ୍ଧରେ କ୍ରମଶଃ କ୍ଳାନ୍ତ ଅନୁଭବ କରୁଥିଲେ । ସେମାନଙ୍କୁ ନିଜ ନିଜର ସ୍ଥିତି ଏକଦମ ସୁଦୃଢ ଲାଗୁଥିଲା । ସେମାନେ ଯେଉଁ ଦୁଇଟି ପାହାଡ ପଛରେ ନିଜନିଜର ଆସ୍ଥାନ ଜମାଇଥିଲେ, ସେ ପାହାଡ ଦୁଇଟି ପ୍ରାୟ ସମାନ ଉଚ୍ଚତାର ଥିଲା ତେଣୁ କୌଣସି ପକ୍ଷ ପାଇଁ ପରିସ୍ଥିତି ଲାଭଦାୟକ ନଥିଲା । ପାହାଡ ତଳ ଉପତ୍ୟକାରେ ସରୁ ଝରଟିଏ ପଥରଭର୍ତ୍ତି ନଦୀତଳ ଦେଇ ସାପପରି ଅଙ୍କାବଙ୍କା ହୋଇ ବହିଯାଉଥିଲା ।

କୌଣସି ପକ୍ଷର ବାୟୁସେନା ଯୁଦ୍ଧରେ ଭାଗ ନେଇନଥିଲେ ଏବଂ କୌଣସି ପକ୍ଷରେ ଅତ୍ୟଧିକ ମାତ୍ରାରେ ବନ୍ଧୁକ ଓ ଗୋଳାବାରୁଦ ନଥିଲା । ରାତିରେ ସେମାନେ ନିଆଁ ଜାଳି ବସୁଥିଲେ ଏବଂ ପାହାଡ ଦେଇ ପ୍ରତିଧ୍ୱନିତ ହେଉଥିବା ପରସ୍ପରର ସ୍ୱର ଶୁଣୁଥିଲେ ।

ରାତିର ଶେଷ ଚା ପାନ ଏଇ ମାତ୍ର ସରିଥିଲା । ନିଆଁ ଲିଭି ସାରିଥିଲା । ଆକାଶ ସଫା ଦିଶୁଥିଲା, ପବନରେ ଆର୍ଦ୍ରତା ଥିଲା ଏବଂ ପାଇନ୍ ଫଳର ତୀବ୍ର ଅଥଚ ରୁଚିକର ଗନ୍ଧ ଆସୁଥିଲା । ରାତି ଜଗୁଆଳ କରୁଥିବା ଜମାଦାର ହରନାମ ସିଂ ବ୍ୟତୀତ ଅନ୍ୟ ସୈନିକମାନେ ଶୋଇଯାଇଥିଲେ । ରାତି ଦୁଇଟାରେ ରାତି ଜଗୁଆଳ କାମ ଆଗକୁ ଜାରୀ ରଖିବାକୁ ସେ ଗଣ୍ଡା ସିଂଙ୍କୁ ଉଠେଇଲା । ତାପରେ ସେ ବିଛଣାରେ ଗଡପଡ ହେଲା, କିନ୍ତୁ ନିଦ ଆକାଶର ତାରା ପରି କାହିଁ କେତେ ଦୂରରେ ଥିଲା । ସେ ଗୋଟିଏ ପଞ୍ଜାବି ଲୋକଗୀତ ଗାଇବାକୁ ଆରମ୍ଭକଲା ।

“ମୋ ପାଇଁ କିଣିଦେ ହଳେ ଜୋତା, ରାଞ୍ଝା ମୋର

ହଳେ ଜୋତା, ତା ଦେହରେ ଲାଗିଥିବ ତାରା

ବିକିଦେ ମଇଁଷି ତୋର, ଯଦି ଚାହୁଁ

କିନ୍ତୁ କିଣି ଦେ ମୋ ପାଇଁ ହଳେ ଜୋତା

ଯେଉଁଥିରେ ଲାଗିଥିବ ତାରା।”

ଗୀତଟି ତାକୁ ଭାବବିହ୍ୱଳ କରିଦେଲା । ସେ ଜଣ ଜଣ କରି ସମସ୍ତଙ୍କୁ ଉଠେଇଲା । ସୈନିକମାନଙ୍କ ମଧ୍ୟରେ ସମସ୍ତଙ୍କଠୁ ସାନ, ବଣ୍ଟା ସିଂ, ଯାହାର ସ୍ୱର ଖୁବ୍ ମିଠା, କାଳଜୟୀ ପ୍ରେମ ଓ ବିରହର ପଞ୍ଜାବୀ ମହାକାବ୍ୟ ହୀର-ରାଞ୍ଝାରୁ ଗୋଟିଏ ବିରହ ପଙ୍କ୍ତି ଗାଇବାକୁ ଆରମ୍ଭ କଲା । ସେମାନଙ୍କ ମଧ୍ୟରେ ଏକ ଗଭୀର ଦୁଃଖଦ ବାତାବରଣ ଅନୁଭୂତ ହେଲା । ଏପରିକି ଗୀତର ଉଦାସୀପଣ ଧୂସର ପାହାଡକୁ ଛୁଇଁଲାପରି ଲାଗିଲା ।

ହଠାତ ଗୋଟିଏ କୁକୁରର ଭୁକିବାର ଶବ୍ଦ ଏମିତି ଏକ ଆବେଗାତ୍ମକ ପରିବେଶକୁ ଚୂର ଚୂର କରି ଭାଙ୍ଗିଦେଲା । ଜମାଦାର ହରନାମ ସିଂ କହିଲା, “ୟେ ହାରାମଜାଦା କମୀନା ଏତିକିବେଳକୁ କେଉଁଠୁ ଆସି ପହଁଚିଲା ?”

କୁକୁର ପୁଣି ଥରେ ଭୁକିଲା । ତାର ଶବ୍ଦ କ୍ରମଶଃ ନିକଟତର ହେଲା । ପାଖ ବୁଦା ଭିତରୁ ପତ୍ର ଖଡଖଡ ହେବାର ଶୁଣାଗଲା । ବଣ୍ଟା ସିଁ ଘଟଣାର ଅନୁସନ୍ଧାନ କରିବ ବୋଲି ବାହାରିଗଲା ଓ କିଛି ସମୟ ପରେ ଗୋଟେ ବୁଲା କୁକୁରକୁ ଦଉଡିରେ ବାନ୍ଧି ଟାଣି ଟାଣି ଆଣିଲା । କୁକୁର ତାର ଲାଞ୍ଜ ହଲୋଉଥିଲା । “ମୁଁ ତାକୁ ବୁଦା ପଛପଟେ ପାଇଲି ଓ ସେ ତା ନାଆଁ ଝୁନ୍‌ଝୁନ୍ କହିଲା, “ ବଣ୍ଟା ସିଂ ଘୋଷଣା କଲା । ସମସ୍ତେ ବଡପାଟିରେ ହସିଲେ ।

ହରନାମ ସିଂ ତା ବ୍ୟାଗରୁ ବିସ୍କୁଟ ବାହାରକରି କୁକୁରକୁ ଦେଖାଇ ଭୂଇଁରେ ରଖିଲା । କୁକୁର ବିସ୍କୁଟକୁ ଶୁଙ୍ଘି ଖାଇବାକୁ ଯାଉଥିଲାବେଳେ ହରନାମ ସିଁ ବିସ୍କୁଟକୁ ଉଠେଇନେଲା ଓ କୁକୁରକୁ ଚାହିଁ କହିଲା, “ରହ ରହ, ତୁ ପାକିସ୍ତାନୀ କୁକୁର ହୋଇଥାଇପାରୁ ।”

ସମସ୍ତେ ପୁଣି ହସିଲେ । ବଣ୍ଟା ସିଂ କୁକୁର ପିଠିରେ ହାତ ଥାପୁଡେଇ ହରନାମ ସିଂକୁ କହିଲା, “ଜମାଦାର ସାହେବ, ଝୁନ୍‌ଝୁନ୍‌ ଭାରତୀୟ କୁକୁର ।”

“ତୋ ପରିଚୟ ପତ୍ର ଦେଖା,” ହରନାମ ସିଂ କୁକୁରକୁ ଆଦେଶ ଦେବା ସ୍ୱରରେ କହିଲା । କୁକୁର ଲାଞ୍ଜ ହଲେଇଲା ।
“ସବୁ କୁକୁର ଲାଞ୍ଜ ହଲାନ୍ତି । ଲାଞ୍ଜ ହଲେଇବା ପରିଚୟ ପତ୍ର ନୁହେଁ  ।” ହରନାମ ସିଂ କହିଲା ।

କୁକୁର ଲାଞ୍ଜ ସହ ଖେଳୁ ଖେଳୁ ବଣ୍ଟା ସିଂ କହିଲା, “ସେ ବିଚରା ରିଫ୍ୟୁଜି ପରା।”

ହରନାମ ସିଂ ଉପରକୁ ବିସ୍କୁଟ ଖଣ୍ଡେ ଫିଙ୍ଗିଦେଲା ଯାହାକୁ କୁକୁର ଡେଇଁକରି ଧରିଲା ।

“ଏବେ କୁକୁରଙ୍କୁ ମଧ୍ୟ ସ୍ଥିର କରିବାକୁ ହେବ ସେମାନେ ଭାରତୀୟ କି ପାକିସ୍ତାନୀ,” ଜଣେ ସୈନିକ କହିବାର ଶୁଣାଗଲା ।

ହରନାମ ସିଁ ଆଉ ଖଣ୍ଡେ ବିସ୍କୁଟ କୁକୁର ଆଡକୁ ଫିଙ୍ଗି କହିଲା, “କୁକୁର ସମେତ ସମସ୍ତ ପାକିସ୍ତାନୀଙ୍କୁ ଗୁଳିରେ ଉଡେଇ ଦିଆଯିବ ।”

ଜଣେ ସୈନିକ ଚିତ୍କାର କରି କହିଲା, “ଭାରତ ଜିନ୍ଦାବାଦ ।”

କୁକୁର ବିସ୍କୁଟ ଚୋବେଇବାକୁ ଯାଉଥିଲା । ସୈନିକର ଚିତ୍କାର ଶୁଣି ଲାଙ୍ଗୁଡକୁ ଦୁଇ ଗୋଡ ଭିତରେ ଜାକି ବିସ୍କୁଟ ଛାଡି ଚୁପଚାପ  ଛିଡାହେଲା । ସେ ଭୟାତୁର ଲାଗୁଥିଲା । ହରନାମ ସିଂ ହସିଲା ଏବଂ କହିଲା, “ତୁ ନିଜ ଦେଶରେ କାହିଁକି ଡରୁଛୁ? ନେ ଝୁନଝୁନ, ଆଉ ଖଣ୍ଡେ ବିସ୍କୁଟ ଖା ।”

ହଠାତ ସକାଳ ହେଲା ଯେମିତି କେହି ଅନ୍ଧାର କୋଠରୀ ଭିତରେ ବିଜୁଳୀ ଆଲୁଅ ଲଗେଇଦେଲା । ଚାହୁଁ ଚାହୁଁ ସୂର୍ଯ୍ୟାଲୋକରେ ତିଥୱାଲର ଉପତ୍ୟକା ଆଲୋକିତ ହୋଇଗଲା ।

ଯଦିଓ ଯୁଦ୍ଧ ଆରମ୍ଭ ହେବାର କେଇ ମାସ ହୋଇଗଲାଣି, ଯୁଦ୍ଧ ଜିତିବା ନେଇ ଏ ପର୍ଯ୍ୟନ୍ତ କେହି ନିଶ୍ଚିତ ନୁହଁନ୍ତି ।

ଜମାଦାର ହରନାମ ସିଂ ତା ଦୂରବୀନରେ ସଂପୂର୍ଣ୍ଣ ଉପତ୍ୟକାକୁ ନିରୀକ୍ଷଣକଲା । ସେ ସାମ୍ନା ପାହାଡରୁ ଧୂଆଁ ଉଠିବାର ଦେଖିଲା ଯାହାର ଅର୍ଥ ହେଲା ସେମାନଙ୍କ ପରି ଶତ୍ରୁ ଶିବିରରେ ମଧ୍ୟ ପ୍ରାତଃଭୋଜନ ରନ୍ଧାହେଉଛି ।

ମୋଟା ନିଶକୁ ମୋଡି ପାକିସ୍ତାନ ସେନାର ସୁବେଦାର ହିମ୍ମତ ଖାଁ  ତିଥୱାଲ ଉପତ୍ୟକାର ମାନଚିତ୍ର ଉପରେ ଆଖି ବୁଲେଇବାକୁ ଲାଗିଲା । ତା ପାଖକୁ ଲାଗି ବସିଥିଲା ତା ୱେୟାରଲେସ୍ ଅପରେଟର ଯିଏ ପରବର୍ତ୍ତି ଆଦେଶ ପାଇଁ ପ୍ଲାଟୁନ କମାଣ୍ଡର ସହିତ ଯୋଗାଯୋଗ କରିବାକୁ ଚେଷ୍ଟାକରୁଥିଲା ।କେଇ ଫୁଟ ଦୂରରେ ପଥରକୁ ଆଉଜିହୋଇ ଓ ସାମ୍ନାରେ ବନ୍ଧୁକଧରି ସୈନିକ ବଶିର ଖାଁ ଭୂଇଁଉପରେ ବସି ଗୁଣୁଗୁଣୁ ଗାଉଥିଲା ।

“କାଲି ରାତି କେଉଁଠି ବିତେଇଲୁ, ମୋ ପ୍ରିୟା, ମୋ ଜହ୍ନ?

କାଲି ରାତି ବିତେଇଲୁ କେଉଁଠି?”

ସେ ଗୀତର ମଜା ନେଇ ନେଇ ବଡପାଟିରେ ଗାଇବାକୁ ଲାଗିଲା । ହଠାତ ସେ ସୁବେଦାର ହିମ୍ମତ ଖାଁକୁ ଚିତ୍କାରକରି କହିବାର ଶୁଣିଲା, “କାଲି ରାତି କେଉଁଠି ବିତେଇଲୁ?”

କିନ୍ତୁ ତାହା ବଶିର ପାଇଁ ନଥିଲା । ସେ ଗୋଟିଏ କୁକୁରକୁ ଚାହିଁ ଚିତ୍କାର କରି କହୁଥିଲା । କିଛିଦିନ ତଳେ କୁକୁରଟିଏ କେଉଁଠୁ ଆସି ହଠାତ ପହଁଚିଲା ଏବଂ କ୍ୟାମ୍ପ ଭିତରେ ମଜାରେ ରହିବାକୁ ଲାଗିଲା । କାଲି ରାତିରେ ସେ କୁଆଡେ ଉଭେଇଗଲା ଏବେ ଗୋଟିଏ ଅଚଳ ଅଧୁଲି ପରି ଆସି ପହଁଚିଛି ।

ବଶିର ମୁରୁକି ହସିଲା ଓ କୁକୁରକୁ ଚାହିଁ ଗାଇଲା, “କାଲି ରାତି କେଉଁଠି ବିତେଇଲୁ, କାଲି ରାତି କେଉଁଠି ବିତେଇଲୁ?” କୁକୁର କେବଳ ତାର ଲାଞ୍ଜ ହଲେଇଲା । ସୁବେଦାର ହିମ୍ମତ ଖାଁ କୁକୁର ଆଡକୁ ପଥର ଖଣ୍ଡେ ଫିଙ୍ଗି କହିଲା, “କେବଳ ଲାଞ୍ଜ ହଲେଇ ଯାଣିଛି, ବଦମାସ ।”

“ଆରେ, ତା ବେକ ଚାରିପାଖେ କଣ ଗୁଡାହେଇଛି?” ବଶିର ପଚାରିଲା । ଆଉ ଜଣେ ସୈନିକ କୁକୁରକୁ ଧରି ତା ବେକରେ ବନ୍ଧାଯାଇଥିବା ବେକପଟି ବାହାରକଲା । ସେଥିରେ ଖଣ୍ଡେ ମୋଟା କାଗଜ ବନ୍ଧା ଯାଇଥିଲା । “କଣ ଲେଖାଯାଇଛି?” ପଢିପାରୁନଥିବା ସୈନିକ ଜଣକ ପଚାରିଲା ।

ବଶିର ଆଗକୁ ଆସିଲା ଏବଂ ବଡ କଷ୍ଟରେ ଲେଖାକୁ ପଢିଲା । “ଏଥିରେ ଲେଖାଯାଇଛି ଝୁନ୍‌ଝୁନ୍,” ସେ କହିଲା।

ସୁବେଦାର ହିମ୍ମତ ଖାଁ ତା ମୋଟା ନିଶକୁ ପୁଣି ଥରେ ମୋଡି କହିଲା, “ବୋଧହୁଏ ୟେ କିଛି ଗୁପ୍ତ ଭାଷା । ଏଥିରେ ଆଉ କିଛି ଲେଖା ଅଛି, ବଶିରେ ।”

“ଆଜ୍ଞା, ଏଥିରେ ଲେଖା ହୋଇଛି ୟେ ଏକ ଭାରତୀୟ କୁକୁର ।”

“କଣ ତା ଅର୍ଥ?” ସୁବେଦାର ହିମ୍ମତ ଖାଁ ପଚାରିଲା ।

“ବୋଧହୁଏ ୟେ କୌଣସି ପ୍ରକାରର ଗୁପ୍ତ ସଙ୍କେତ ।” ବଶିର ଗମ୍ଭୀର ଭାବରେ ଉତ୍ତର ଦେଲା ।

“ଯଦି ଏହା ଭିତରେ ଗୁପ୍ତ ସଙ୍କେତ କିଛି ଥାଏ, ତା ହେଲା ଝୁନ୍‌ଝୁନ୍,” ଆଉ ଜଣେ ସୈନିକ ନିଜ ବୁଦ୍ଧିମତାର ପରିଚୟ ଦେବାକୁ ଯାଇ କହିଲା ।

“ସେଠି ନିଶ୍ଚିତ ଭାବରେ ଆଉ କିଛି ଲେଖା ହୋଇଥିବା ।” ସୁବେଦାର ହିମ୍ମତ ଖାଁ ଦୃଢତାର ସହ କହିଲା ।

କର୍ତ୍ତବ୍ୟନିଷ୍ଠାର ସହିତ ବଶିର ସଂପୂର୍ଣ୍ଣ ଲେଖାକୁ ଆଉ ଥରେ ପଢିଲା, “ଝୁନ୍‌ଝୁନ୍‌ । ଏହା ଏକ ଭାରତୀୟ କୁକୁର ।”

ସୁବେଦାର ହିମ୍ମତ ଖାଁ ୱେୟାରଲେସ୍ ଯନ୍ତ୍ରକୁ ଉଠେଇଲା ଓ କୁକୁରର ହଠାତ୍ ଆବିର୍ଭାବ ହେବା, କାଲି ରାତି ହଠାତ୍ ଉଭାନ ହୋଇଯିବା ଏବଂ ଆଜି ସକାଳେ ଫେରିବାକୁ ନେଇ ପ୍ଲାଟୁନ କମାଣ୍ଡରକୁ ସବିସ୍ତ୍ରୃତ ବିବରଣୀ ଦେଲା । “ୟେ କଣ କହୁଛୁ ତୁ?” ପ୍ଲାଟୁନ କମାଣ୍ଡର ପଚାରିଲେ ।

ସୁବେଦାର ହିମ୍ମତ ଖାଁ ଆଉଥରେ ମାନଚିତ୍ରକୁ ନିରେଖିଲା ।ତାପରେ ସେ ସିଗାରେଟ ପ୍ୟାକେଟରୁ ଛୋଟ କାଗଜ ଖଣ୍ଡେ ଚିରିଲା ଏବଂ ବଶିରକୁ ଦେଇ କହିଲା, “ଗୁରୁମୁଖୀ ଭାଷାରେ ଲେଖେ ଯାହା ଶିଖ ମାନେ ପଢିବେ ।”

“କଣ ଲେଖିବି?”

“ଉଁ….।”

ବଶିର ମନକୁ ହଠାତ୍ କଣ ଆସିଲା । “ଶୁନ୍‌ଶୁନ୍‌, ହଁ, ୟେ ଠିକ ରହିବ ।ଝୁନ୍‌ଝୁନ୍‌ ବଦଳରେ ଶୁନ୍‌ଶୁନ୍‌ ।”

“ବଢିଆ,” ସୁବେଦାର ହିମ୍ମତ ଖାଁ ତା କଥାରେ ରାଜି ହେଲା । “ଏବଂ ତା ସହିତ ଲେଖେ – ଏହା ଏକ ପାକିସ୍ତାନୀ କୁକୁର ।”

ସୁବେଦାର ହିମ୍ମତ ଖାଁ ନିଜେ କୁକୁର ଗଳାରେ କାଗଜକୁ ବାନ୍ଧି କହିଲା, “ଯା, ଏବେ ତୋ ପରିବାର ସହିତ ଯୋଗ ଦେ ।”

ସେ କୁକୁରକୁ କିଛି ଖାଇବାକୁ ଦେଇ କହିଲା, “ଦେଖ୍, ମୋ ସହିତ ବେଇମାନୀ କରିବୁନାହିଁ । ବେଇମାନୀର ସଜ୍ଜା ହେଲା ମୃତ୍ୟୁ ।”

କୁକୁର ଲାଞ୍ଜ ହଲେଇ ହଲେଇ ଖାଇଚାଲିଲା । ତାପରେ ସୁବେଦାର ହିମ୍ମତ ଖାଁ କୁକୁରର ମୁହଁକୁ ଭାରତୀୟ ଶିବିରଆଡକୁ ବୁଲେଇ କହିଲା, “ଯା, ଶତ୍ରୁପକ୍ଷକୁ ଏଇ ବାର୍ତ୍ତା ପହଁଚେଇ ଆ ।ୟେ ତୋ କମାଣ୍ଡରର ଆଦେଶ ।”

କୁକୁର ଲାଞ୍ଜ ହଲେଇ ଉପତ୍ୟକାକୁ ଗଡି ଯାଉଥିବା କଚ୍ଚା ରାସ୍ତା ଆଡକୁ ଦଉଡିଲା ଯାହା ଦୁଇ ପାହାଡକୁ ଭାଗ ଭାଗ କରୁଥିଲା ।ସୁବେଦାର ହିମ୍ମତ ଖାଁ ତାର ବନ୍ଧୁକ ଉପରକୁ ଦେଖାଇ ଶୂନ୍ୟରେ ଗୁଳି ମାରିଲା ।

ଭାରତୀୟ ସୈନିକମାନେ ଦ୍ୱନ୍ଦ୍ୱରେ ପଡିଲେ ଯେହେତୁ ସକାଳର ଏହି ସମୟରେ ସାଧାରଣତଃ ଗୁଳି ଶବ୍ଦ ଶୁଣାଯାଏନାହିଁ । ଜମାଦାର ହରନାମ ସିଂ ଏମିତି ବିରକ୍ତିକର ଅନୁଭବ କରୁଥିଲା, ଗୁଳି ଶବ୍ଦ ଶୁଣି ବଡପାଟିରେ କହିଲା, “ଆସ, ତାଙ୍କୁ ମଧ୍ୟ ପାନେ ଦେବା ।”

ଦୁଇ ପକ୍ଷ ଅଧଘଣ୍ଟା ଧରି ଗୁଳି ବିନିମୟ କଲେ ଯାହା ସଂପୂର୍ଣ୍ଣରୂପେ ସମୟ ବରବାଦ ହିଁ ଥିଲା ।ଶେଷରେ ଜମାଦାର ହରନାମ ସିଂ ବନ୍ଦ କରିବାକୁ କହିଲା ।ସେ ତାର ଲମ୍ବା କେଶକୁ କୁଣ୍ଡେଇ ଦର୍ପଣରେ ନିଜ ମୁହଁକୁ ଦେଖିଲା ଏବଂ ବଣ୍ଟା ସିଂକୁ ପଚାରିଲା, “ସେ କୁକୁର ଝୁନ୍‌ଝୁନ୍ ଗଲା କୁଆଡେ?”

“କଥାରେ ଅଛି କୁକୁର କେବେହେଲେ ଘିଅ ହଜମ କରିପାରିବେନାହିଁ,” ବଣ୍ଟା ସିଂ ବଡ ଦାର୍ଶନିକ ଭାବେ କହିଲା ।

ବାହାରେ ପହରା ଦେଉଥିବା ସୈନିକ ହଠାତ ଆସି କହିଲା, “ହେଇ, ଆସୁଛି ସେ ।”

“କିଏ?” ଜମାଦାର ହରନାମ ସିଂ ପଚାରିଲା ।

“କଣତାନାଆଁତ? ହଁ, ଝୁନଝୁନ୍ ।” ସୈନିକ ଉତ୍ତର ଦେଲା ।

“କଣ କରୁଛି ସେ?” ହରନାମ ସିଁ ପଚାରିଲା ।

“ଆମ ଆଡକୁ ଆସୁଛି ।” ଦୂରବୀନରେ ଝାଙ୍କି ସୈନିକ କହିଲା ।

ଜମାଦାର ହରନାମ ସିଂ ସୈନିକ ହାତରୁ ଦୂରବୀନ ଛଡାଇ ନିଜେ ଦେଖିଲା ଏବଂ କହିଲା, “ହଁ ଆସୁଛି ସିଏ ଏବଂ ତା ବେକରେ କଣ ଗୋଟେ ଗୁଡା ହୋଇଛି । ହଉ, ଅପେକ୍ଷାକର, ସେ ଶଳା ପାକିସ୍ତାନୀ ପାହାଡଆଡୁ ଆସୁଛି ।”

ସେ ତା ବନ୍ଧୁକ ଉଠାଇଲା ଓ କୁକୁରକୁ ଲକ୍ଷ୍ୟ କରି ଟ୍ରିଗାର ଦବେଇଲା। ଗୁଳି ଯାଇ କୁକୁର ପାଖରେ ଗୋଟେ ପଥର ଦେହରେ ଲାଗିଲା ।ସେ ଅଟକିଗଲା ।

ସୁବେଦାର ହିମ୍ମତ ଖାଁ ଖବର ଶୁଣିଲା ଓ ଦୂରବୀନରେ ଚାହିଁଲା । କୁକୁର ବୁଲିପଡି ଫେରିଆସୁଥିଲା ।“ବାହାଦୂର କେବେ ପଛକୁ ଫେରେନାହିଁ ।ଆଗକୁ ଯା ଓ କାର୍ଯ୍ୟକୁ ସଂପୂର୍ଣ୍ଣ କର ୤ “ ସେ କୁକୁରକୁ ଚିତ୍କାରକରି କହିଲା । ତାକୁ ଡରେଇବା ପାଇଁ ସେ କୁକୁର ଦେହରେ ନବାଜିଲା ଭଳି ଗୁଳି ଚଳେଇଲା ।ଠିକ ସେଇ ସମୟରେ ହରନାମ ସିଂ ମଧ୍ୟ ଗୁଳି ଚଳେଇଲା । କୁକୁର ତାର କାନ ହଲେଇ ଉପରକୁ କୁଦାମାରି ନିଜକୁ ବଞ୍ଚେଇଲା ।ସୁବେଦାର ହିମ୍ମତ ଖାଁ ଆଉଥରେ ଗୁଳି ଚଳେଇଲା ଯାହା ପଥରରେ ଯାଇ ଲାଗିଲା ।

କ୍ରମଶଃ ଏହା ଦୁଇ ସୈନିକଙ୍କ ମଧ୍ୟରେ ଗୋଟିଏ ଖେଳରେ ପରିବର୍ତ୍ତନ ହେବାକୁ ଲାଗିଲା ଏବଂ କୁକୁର ମଝିରେ ଡରରେ ଚକ୍କର କାଟିବାକୁ ଲାଗିଲା । ହିମ୍ମତ ଖାଁ ଓ ହରନାମ ସିଁ ଦୁହେଁ ଜୋରରେ ହସିବାକୁ ଲାଗିଲେ । କୁକୁର ହରନାମ ସିଂ ଆଡକୁ ଦୌଡିବାକୁ ଲାଗିଲା।ହରନାମ ସିଂ ତାକୁ ଜୋରରେ ଗାଳିଦେଲା ଏବଂ ଗୁଳି ମାରିଲା ।ଏଥର ଗୁଳି ତା ଗୋଡରେ ଲାଗିଲା । ସେ ଭୁକିଲା ଓ ବୁଲିପଡି ହିମ୍ମତ ଖାଁ ଆଡକୁ ଦୌଡିଲା । “ତୋର ସାହସ ଦେଖା । ଯଦି ତୁ ଜଖମୀ, ତୋ ଜଖମକୁ ତୁ ଓ ତୋର କର୍ତ୍ତବ୍ୟ ମଝିକୁ ଆଣେନା । ଯା, ଯା, ଯା।” ପାକିସ୍ତାନୀ ସୈନିକ ଜଣେ ଚିତ୍କାରକରି କହିଲା ।

କୁକୁର ବୁଲି ପଡିଲା ।ତାର ଗୋଟିଏ ଗୋଡ ସଂପୂର୍ଣ୍ଣରୂପେ ଅଚଳ ହୋଇସାରିଥିଲା ।ସେ ଘୋଷାଡି ଘୋଷାଡି ହରନାମ ସିଂ ଆଡକୁ ଚାଲିଲା । ହରନାମ ତାକୁ ଠିକରେ ଲକ୍ଷ୍ୟ କଲା ଓ ଟ୍ରିଗାର ଦବେଇଲା । ଏଥର କୁକୁରର ମୃତ୍ୟୁ ହେଲା ।

ସୁବେଦାର ହିମ୍ମତ ଖାଁ ଧିରେ କହିଲା, “ବିଚରା, ଶହିଦ ହେଇଗଲା ।”

ଜମାଦାର ହରନାମ ସିଂ ତା ହାତରେ ବନ୍ଧୁକର ଗରମ ନଳୀକୁ ଆଉଁସୁ ଆଉଁସୁ ଅସ୍ପଷ୍ଟ ଭାବେ ଉଚ୍ଚାରଣ କଲା, “କୁକୁର ମରଣ ମରିଲା ଶଳା ।”

 

୭୪୬୪ ୱିଜ୍‌ଡମ୍‌ ଲେନ୍, ଡବ୍‌ଲିନ୍

ୱାହିଓ ୪୩୦୧୬, ଯୁକ୍ତରାଷ୍ଟ୍ର ଆମେରିକା