ସତରେ ତାହା ଥିଲା ମରୁଡ଼ି ନା ଦୁର୍ଭିକ୍ଷ?

ଦେବ ରଞ୍ଜନ

“ବାହାରିଆ ବେପାରୀଙ୍କ ପ୍ରବଳ ଭିଡ଼। ଗୋଟିଏ ମାଲବୁହା ମୋଟରଗାଡ଼ି ମଧ୍ୟ ଆଜି ପ୍ରଥମ ଥର ପାଇଁ ଆସିଛି (ବୋଡ଼େନ) ବଜାରକୁ। ….ସେଇଠି ହିଁ ଲୋକେ ପିତଳ, କଂସା, ବାସନ ବିକ୍ରି କରିଦେଉଛନ୍ତି। ବରଗଛ ପଛପଟେ ଗାଈବଳଦ ବିକ୍ରି ହେଉଛି। ବିଲୁକଟା ବଳଦ ଦୁଇଟିର ଶିଙ୍ଘକୁ ଛୁଇଂଲା, ଆଉଁସି ଦେଲା, ନିଜ ମୁଣ୍ଡକୁ ବଳଦର ମୁଣ୍ଡରେ ରଖିଲା। ଯୁକ୍ତି କରିପାରିଲା ନାହିଁ ଯେ ସେ ଏତେ କମ ଦାମରେ (କୋଡ଼ିଏ ଟଙ୍କାରେ) ବିକ୍ରି କରିଦେଇଛି ବୋଲି। ଚାଉଳ ଦୋକାନୀ ପାଖରେ ପ୍ରବଳ ଭିଡ଼।“

ସାମୁଏଲ ଦାନୀଙ୍କ ଏହି ଉପନ୍ୟାସ “ମରୁଡ଼ି-୧୯୬୫” ମଧ୍ୟରେ ରହିଛି ଏହିଭଳି ଅନେକ ଯନ୍ତ୍ରଣାଦାୟକ ଚିତ୍ର। ଗୋଟିଏ ବର୍ଷ ବରଷା ନହେବା କାରଣରୁ ହୁଏତ ଏକ ଅଞ୍ଚଳରେ ଶୁଖା ଆସିଥାଇପାରେ। କିନ୍ତୁ ଏହାର ସୁଯୋଗରେ ଚାରି ପାଖରୁ ମାଡ଼ି ଆସୁଛନ୍ତି ଚତୁର ଲୋକେ। ସେମାନେ ଯେ କେବଳ କଂସା, ବାସନ, ସୁନା ଓ ବଳଦ ନେଇଯାଉଛନ୍ତି ତାହା ନୁହେଁ। ସେମାନେ ଗ୍ରାମବାସୀଙ୍କୁ ହତ୍ୟା କରିବାର ଧମକ ମଧ୍ୟ ଦେଉଛନ୍ତି। କାରଣ ସେମାନଙ୍କୁ ଆବଶ୍ୟକ ଜଙ୍ଗଲ, ଜମି ସାଙ୍ଗକୁ ଶସ୍ତା ଶ୍ରମ। ଅଞ୍ଚଳବାସୀ କିନ୍ତୁ ଖାଦ୍ୟ ଅନ୍ଵେଷଣରେ ଦାଦନ ଶ୍ରମିକ ପାଲଟିଯାଉଛନ୍ତି। “ମରୁଡି-୧୯୬୫” ଉପନ୍ୟାସର ଏହି କଥାବସ୍ତୁ ମଧ୍ୟରେ ରହିଛି ପ୍ରେମ, ଯନ୍ତ୍ରଣା, ଅସହାୟବୋଧ, ନିର୍ବାକପଣ।

ଔପନ୍ୟାସିକଙ୍କ ବର୍ଣ୍ଣନା ଅନୁସାରେ ଜଙ୍ଗଲଘେରା କଛନାମାଲ ଗାଁରେ ଏହା ଆଗରୁ ଖାଦ୍ୟର ଅଭାବ ନଥିଲା। “ଛେଳି ମେଣ୍ଢା ଭଳି ପଲ ପଲ ବାରହା, ହରିଣ, ସମ୍ବର ଜଙ୍ଗଲରେ ବୁଲୁଥିଲେ। ଘର ବାହାରିଲେ ବାଘ ଭାଲୁର ଭୟ। ସମସ୍ତଙ୍କର ଚାଷ ଜମି ଅଛି। କଛନାମାଲ ଏକ ସ୍ଵୟଂ ସଂପୂର୍ଣ୍ଣ ସଂସାର।“ ୧୯୬୫ ମସିହାରେ ସେଟେଲମେଣ୍ଟ ହୋଇଛି। ଜମିର କିସମ ବଦଳି ଯାଇଛି। ମାଲ ଗୁଜାର ପଇଠର କାନୁନ ବଦଳିଯାଇଛି। ଜଙ୍ଗଲ ଆଉ ଗାଁ ଲୋକଙ୍କ ସମ୍ପତ୍ତି ହୋଇ ରହିନାହିଁ। ସେହି ବର୍ଷ ପୁଣି ବରଷା ବନ୍ଦ ହୋଇଯାଇଛି। ଆଷାଢ ମାସରେ ଆକାଶ ନିର୍ମଳ ରହିଛି, ଜ୍ୟେଷ୍ଠ ମାସର ଖରା ଭଳି ଲାଗି ରହିଛି ଆକାଶ। ଲୋକେ ବୁଣିଥିବା ବିହନ ଜମିରେ ଜଳିଗଲା। “ମାଟି ବିଭୋର” ମଣିଷର ହାତ ବନ୍ଦ ହୋଇଗଲା। ସେ ବର୍ଷ ଚାଷ ହେଲା ନାହିଁ।

ଘରେ ମାଣ୍ଡିଆ, ଚାଙ୍ଗୁ, କୋଳଥ ଯାହା ଥିଲା ସେ ସବୁ ସରିବାକୁ ଲାଗିଲା। ଲୋକେ ନିଜର କଂସା ବାସନ ବୋଡେନ ବଜାରରେ ଆସି ବିକିଲେ। ସେଥିରେ ବି ନଚଳିବା ହେତୁ ଲୋକେ ନିଜର ସୁନା ବି ବିକିଲେ। ବର୍ଣ୍ଣନା ଅଛି, “ରାମଲାଲ ତା’ ନିଜ ହାତରେ ସୁନାର ଓଜନକୁ ଅନୁଭବ କଲା। ବୁଢୀ ରାମଲାଲକୁ ତିନୋଟି ଲାଲ କାଗଜ ଧରେଇଦେଲା। ତିନୋଟି କାଗଜରେ ବୁଢା (ରାମଲାଲ) ନାମ ଓ ତାରିଖ ଲେଖିଲା, ସୁନାକୁ କାଗଜରେ ଗୁଡ଼େଇଦେଇ ତା’ର ସ୍ତ୍ରୀକୁ ଧରେଇଦେଲା। ଖୁଟୁଲୁକୁ ୩୦ ଟଙ୍କା, ପର୍ଶୁକୁ ୨୦ ଟଙ୍କା ଓ ଗିରିକୁ ୨୦ ଟଙ୍କା ଦେଇ ବୁଢ଼ା କହିଲା ବାହାରକୁ ଯିବା ପାଇଁ।‘ ଟଙ୍କା କେ ଦଶ ପଏସାର କନ୍ତର। ଖୁଟୁଲୁ ଏଥର ପର୍ଶୁକୁ କହିଲା, “ଗଲା ସୁନା ଗଲାରେ।“ ପର୍ଶୁ ଦୁଃଖରେ କହିଲା, “ଗଲା ସାଲ ଶହେ କୋଡିଏ ଟଙ୍କାରେ ଘିନିଥିବା ସୁନାକୁ କୋଡ଼ିଏ ଟଙ୍କାରେ ନେଇଗଲା।“

ଉପନ୍ୟାସରେ ଉଭୟ କୋସଲି ଓ ଓଡ଼ିଆ ଭାଷାରେ ବର୍ଣ୍ଣନା ରହିଛି। କଳାହାଣ୍ଡି ପୃଷ୍ଠଭୂମିରେ ଏହା ରଚିତ ହୋଇଥିବା କାରଣରୁ ଚରିତ୍ରମାନଙ୍କର କଥୋପକଥନ କୋସଲି ଭାଷାରେ ହୋଇଥିଲା ବେଳେ ଉପନ୍ୟାସର ବର୍ଣ୍ଣନା ଓଡ଼ିଆ ଭାଷାରେ ହୋଇଛି। କଥୋପକଥନ ସାଙ୍ଗକୁ ବର୍ଣ୍ଣନାର ଏଭଳି ସଂଯୋଗ ହୋଇଛି ଯେ ପାଠକ ଯଦି କୋସଲି ବୁଝି ନପାରୁଥାଏ ତେବେ ସହଜରେ ଚରିତ୍ରମାନଙ୍କର କଥୋପକଥନକୁ ଠଉରାଇପାରିବ। ଔପନ୍ୟାସିକ ସାମୁଏଲ ଦାନୀଙ୍କ ଏହା ନିଜସ୍ଵ ଅନୁଭୂତିର କଥା ବୋଲି ଉପନ୍ୟାସର ପ୍ରକାଶକ “କାବ୍ୟାଲୋକ” ଲେଖନ୍ତି। ସେ ଲେଖନ୍ତି, ‘ସାମୁଏଲ ଦାନୀଙ୍କ ଜନ୍ମମାଟି ଅବିଭକ୍ତ କଳାହାଣ୍ଡି।‘ ଉପନ୍ୟାସଟି ଗଲା ବର୍ଷ (୨୦୨୧) ପ୍ରକାଶ ପାଇଛି।

ଖଳନାୟକଙ୍କ ଭୂମିକା:

ଅମର୍ତ୍ତ୍ୟ ସେନ ନିଜର The Argumentative Indian ପୁସ୍ତକରେ ଲେଖନ୍ତି ଯେ ଭାରତୀୟ ସାହିତ୍ୟରେ ଖଳନାୟକର ଭୂମିକା ବିଶେଷ ଭାବରେ ରହିଛି, ସେ ଡ୍ରାମା ହେଉ ଅଥବା ଫିଲ୍ମ ବା ଉପନ୍ୟାସ। ରବୀନ୍ଦ୍ରନାଥ ଟାଗୋରଙ୍କ ଡ୍ରାମା ‘ରାଜା ଓ ରାଣୀ’ର ପୃଷ୍ଠଭୂମି ହେଲା ଲୋକଙ୍କ ଅନାହାର। ସାମୁଏଲ ଦାନୀଙ୍କ ଉପନ୍ୟାସ ମଧ୍ୟ ଏହି ଖଳନାୟକଙ୍କଠାରୁ ମୁକ୍ତ ନୁହେଁ। ବ୍ୟବସାୟୀ ରାମଲାଲର ଠକାମି ଓ ଅମାନବୀୟପଣ, ଅମିନ ଓ ରେଭେନ୍ୟୁ ଇନ୍ସପେକ୍ଟରଙ୍କ ପରିସ୍ଥିତିର ଫାଇଦା ନେଇ ନିଜ ସ୍ଵାର୍ଥ ହାସଲ କରିବାର ଗୁଣ ସାଙ୍ଗକୁ ରିଲିଫ ଇନ୍ସପେକ୍ଟର ପଣ୍ଡାବାବୁଙ୍କ ଦୁର୍ନୀତି ଓ ଯୌନ ଲାଳସା (‘ଇନ୍ସପେକ୍ଟରଙ୍କ ଦେହ ଗହ୍ଵର ଭିତରୁ ଆଦିମ ପିପାସା ଜାଗି ଉଠିଲା’) ସବୁ ମିଶି କଛନାମାଲ ଗ୍ରାମବାସୀଙ୍କ ଲାଗି ମରୁଡ଼ିର ସ୍ଥିତିରୁ ମୁକୁଳିବାର ରାସ୍ତାକୁ ବନ୍ଦ କରିଦେଇଛି।

କଳାହାଣ୍ଡିର ମରୁଡ଼ି ଓ ତତଜନିତ ପରିସ୍ଥିତିକୁ ନେଇ ରଚିତ ଅନ୍ୟ ଏକ ପୁସ୍ତକ ‘ଅକାଲ’ ସର୍ବୋଦାୟୀ କର୍ମୀ ରବି ଦାଶଙ୍କ ଦ୍ଵାରା ଲିଖିତ ବିଭିନ୍ନ ଲେଖାର ସଂଗ୍ରହ। ଏଥିରେ ମଧ୍ୟ ସେ ୧୯୮୫ ମସିହା ପରବର୍ତ୍ତୀ କଳାହାଣ୍ଡିର ମରୁଡ଼ିର ବର୍ଣ୍ଣନା ଦିଅନ୍ତି। ସେଥିରେ ସେ କଳାହାଣ୍ଡିରେ ପିଲା ବିକ୍ରି, ନୂଆଖାଇ ଆସିଲେ ଶ୍ରମିକ ଠିକାଦାରର ଆବିର୍ଭାବ, ଦାଦନ ଶ୍ରମିକକୁ ଆଡଭାନ୍ସ ପେମେଣ୍ଟ, ହାଇଦ୍ରାବାଦ ଇଟାଭାଟିକୁ କାମ ଲାଗି ଯିବା ଇତ୍ୟାଦି। କଳାହାଣ୍ଡିରେ କିନ୍ତୁ ଏହି ପ୍ରକ୍ରିୟା ଯେ ୧୯୬୫ ମସିହାରୁ ଆରମ୍ଭ ହୋଇଛି ତାହା ସେ ଉଲ୍ଲେଖ କରିବାକୁ ଭୁଲିନାହାନ୍ତି।

ରବି ଦାଶଙ୍କ କୃତ “ଅକାଲ” ବହିରେ (ପ୍ରକାଶକ: ବିଦ୍ୟାରତ୍ନ, ୨୦୧୪ ମସିହା) ଏହି ଖଳନାୟକମାନେ ହେଲେ ଅଞ୍ଚଳରେ ନିଯୁକ୍ତ ସରକାରୀ ଅଧିକାରୀ ଯେଉଁମାନେ ସର୍ବଦା ଭାବନ୍ତି ଯେ ମରୁଡ଼ି ଦୀର୍ଘସ୍ଥାୟୀ ହେଉ। ସେଥିରେ ଅଞ୍ଚନ୍ତି ବିଡ଼ିଓ, ଜିଲ୍ଲାପାଳ, ସ୍ଥାନୀୟ ଲୋକ ପ୍ରତିନିଧି, ମଧ୍ୟବିତ୍ତ ବର୍ଗରୁ ଆସିଥିବା ଠିକାଦାର ଓ ଏନଜିଓ କର୍ମୀ। ସେ ଲେଖନ୍ତି, “କଳାହାଣ୍ଡିରେ ଲଗାତର ମରୁଡ଼ି ଓ ଦୁର୍ଦ୍ଦଶାରୁ ସବୁ ପ୍ରକାର ଫାଇଦା ସରକାର, ରାଜନୈତିକ ଦଳ, ସ୍ଵେଚ୍ଛାସେବୀ ଅନୁଷ୍ଠାନ, ବ୍ୟବସାୟୀ ଏବଂ ଅମଲାତନ୍ତ୍ର ଉଠାଇଲେ। ମାତ୍ର ପୂର୍ବପରି ଭୂମିହୀନ କୃଷି, ଶ୍ରମିକ, ଗ୍ରାମ୍ୟ କାରୀଗର, କ୍ଷୁଦ୍ରଚାଷୀ, ଆଦିବାସୀ, ଦଳିତ ଓ ସୁଖବାସୀମାନେ ଅନାହାର, ଅନାହାର ଜନିତ ମୃତ୍ୟୁ ଓ ଅପପୁଷ୍ଟିର ଶିକାର ହୋଇଚାଲିଛନ୍ତି।“ (ପି. ସାଇନାଥ ମଧ୍ୟ ନିଜର ଇଂରାଜୀ ପୁସ୍ତକ “Everybody loves a good drought” ରେ ସମାନ କଥା କହିଛନ୍ତି।)

ଏହି ଦୁଇ ପୁସ୍ତକରେ ଖଳନାୟକମାନଙ୍କ ସମ୍ବନ୍ଧରେ ଏ ଭଳି ବର୍ଣ୍ଣନା ରହିଛି ଯେମତି ମରୁଡ଼ି କଦାପି ପ୍ରାକୃତିକ ଦୁର୍ବିପାକ ନୁହେଁ ବରଂ ମନୁଷ୍ୟକୃତ। ସେମାନେ ସକ୍ରିୟ ରହିବାର ମୁଖ୍ୟ କାରଣ ହେଲା ଭୁବନେଶ୍ଵରର ଶାସକ ଓ ପ୍ରଶାସକ କଳାହାଣ୍ଡି ଉପରେ ନିଜର କର୍ତ୍ତୃତ୍ଵ ରଖିବା ଲାଗି ଏହି ଫାଇଦା ନେଉଥିବା ଗୋଷ୍ଠୀ ଉପରେ ନିର୍ଭରଶୀଳ। ଅନ୍ୟପଟରେ, ‘କଚ୍ଛନାମାଲ’ର ଗଣା – ଗଣ୍ଡା – ବିଞ୍ଝାରଙ୍କର ଜାତୀୟ ଅର୍ଥନୀତିରେ ଯୋଗଦାନ “ବାହାରିଆଙ୍କ”ଠାରୁ ଯଥେଷ୍ଟ କମ କାରଣରୁ ସେମାନେ ଅର୍ଥନୈତିକ ଓ ରାଜନୈତିକ ଦୃଷ୍ଟିରୁ ପ୍ରଭାବନହୀନ ପାଲଟିଯାଇଛନ୍ତି। କ୍ଷମତାର ଏହି ଅନୈତିକ ଓ ଅଗଣତାନ୍ତ୍ରିକ ସଂପର୍କକୁ କିନ୍ତୁ ଉଭୟ ‘ଅକାଲ’ ଓ ‘ମରୁଡି-୧୯୬୫’ ପ୍ରସଙ୍ଗ କରିପାରି ନାହାନ୍ତି। ଉଭୟ କ୍ଷମତାର ନୃଶଂସପଣକୁ ସେହି କଳାହାଣ୍ଡି ମଧ୍ୟରେ ହିଁ ଦେଖିଛନ୍ତି।

ସାମୁଏଲ ଦାନୀଙ୍କ ଉପନ୍ୟାସ “ମରୁଡି-୧୯୬୫” କିନ୍ତୁ ଆମ ସମୟର ସାହିତ୍ୟରେ ଇତିହାସ। ୧୯୬୫ ମସିହାର କଳାହାଣ୍ଡିକୁ ଜାଣିବାକୁ ହେଲେ “ମରୁଡି-୧୯୬୫”  ଏକ ବଳିଷ୍ଠ ଦସ୍ତାବିଜ। ଓଡ଼ିଆ ସାହିତ୍ୟରେ ଏ ଭଳି ଉଦ୍ୟମ କ୍ଵଚିତ ଦେଖାଯାଏ। ମରହଟ୍ଟାଙ୍କ ଆକ୍ରମଣ ସମ୍ପର୍କରେ ଯଦି ଫକୀରମୋହନ ‘ଲଛମା’ ଉପନ୍ୟାସ ଲେଖିନଥାନ୍ତେ ତେବେ ବର୍ଗୀ ଆକ୍ରମଣର ଇତିହାସ ଲୁଚିଯାଇଥାନ୍ତା। ନ’ଅଙ୍କ ଦୁର୍ଭିକ୍ଷ ସମ୍ପର୍କରେ ଫକୀରମୋହଙ୍କ ଆତ୍ମଜୀବନୀ ବ୍ୟତୀତ କ୍ଵଚିତ ପୁସ୍ତକ ରହିଥିବା କାରଣରୁ ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ‘ପିପିଲି ସାଂସ୍କୃତିକ ପରିଷଦ’  ଉଦ୍ୟମରେ ଇଂରାଜୀ ପୁସ୍ତକ The Great Orissa famine 1866 ଉଭୟ ଅନିଲ ଧୀର ଓ ରମେଶ ଚନ୍ଦ୍ର ମହାପାତ୍ରଙ୍କ ସମ୍ପାଦନାରେ ପ୍ରକାଶିତ ହୋଇପାରିଛି। ହୁଏତ ଆମେ “ମରୁଡି-୧୯୬୫” ପ୍ରକାଶ ଆଗରୁ ଏ ସମ୍ପର୍କରେ କମ ଆଲୋଚନା କରିଥିବା।

ଉପନ୍ୟାସର ନାମକରଣ:

ସମସ୍ତ ମରୁଡ଼ି କଦାପି ଦୁର୍ଭିକ୍ଷ ନୁହେଁ। ଏହା ମଧ୍ୟରେ ଏକ ପାର୍ଥକ୍ୟ ମଧ୍ୟ ରହିଛି ଯାହାକୁ ସରକାରୀ ସ୍ତରରେ ବେଶ ବ୍ୟବହାର କରାଯାଇଥାଏ। ୱେବଷ୍ଟର ଶବ୍ଦାର୍ଥ ଅନୁସାରେ କୌଣସି ଏକ ଅଞ୍ଚଳରେ ବର୍ଷା ଅଭାବରୁ ଫସଲ ନହେବାକୁ ମରୁଡ଼ି କୁହାଯାଉଥିଲାବେଳେ ଅତ୍ୟଧିକ ଖାଦ୍ୟ ସଙ୍କଟକୁ ଦୁର୍ଭିକ୍ଷ କୁହାଯାଇଥାଏ। ୧୯୬୫ ମସିହାରେ ଯାହା କଳାହାଣ୍ଡିରେ ଦେଖାଯାଇଥିଲା ତାହା ମରୁଡ଼ି ଥିଲା କି ଦୁର୍ଭିକ୍ଷ? ଉପନ୍ୟାସର ବର୍ଣ୍ଣନା ଅନୁସାରେ, “ପାର୍ବତୀ ନାନି ଗାଡ଼ିରୁ ଓହ୍ଲାଇଲେ। ଦାରୁଣ ଦୃଶ୍ୟ। ସ୍ତ୍ରୀ ଲୋକଟି ଅଚେତ ଅବସ୍ଥାରେ ପଡ଼ିଛି: ହାଡ଼ଚର୍ମସାର ଧୂଳିଧୂସର ଦେହ, ଉନ୍ମୁକ୍ତ ଛାତି, ଛଣପଟ ଭଳି ମୁଣ୍ଡର ବାଳ ମୁହଁକୁ ଅଧା ଢାଙ୍କିଛି। ଲାଙ୍ଗଳା ଛୁଆଟିର ନାକରୁ ସିଙ୍ଗାଣି ଓ ପାଟିରୁ ଲାଳ ବୋହୁଛି। ଅତି ରୁଗ୍ଣ ଛୁଆ କାନ୍ଦୁଛି।“ ଏହା କ’ଣ ଦୁର୍ଭିକ୍ଷର ଚିତ୍ର ନୁହେଁ? ଆଉ ଠାଏଁ ବର୍ଣ୍ଣନା ଅଛି, “ଶୁକ ଶ୍ୱାସରେ ମରିନାହିଁ, ମରିଛି ଭୋକରେ। ବୋଧହୁଏ, ମରୁଡ଼ି ଶୁକର ତଣ୍ଟି ଚିପିଦେଲା।“ କଥା ହେଲା ଯେ ସ୍ଵାଧୀନତା ପରେ ଦେଶର ଶାସକମାନେ ସର୍ବଦା ଅସ୍ଵୀକାର କରିଆସିଛନ୍ତି ଯେ ଏ ଦେଶରେ ମରୁଡ଼ି ପଡୁଛି କିନ୍ତୁ ଦୁର୍ଭିକ୍ଷ ନୁହେଁ।

ଏ ଦେଶ ସ୍ଵାଧୀନତାର ଚାରି ବର୍ଷ ପୂର୍ବରୁ ପଶ୍ଚିମ ବଙ୍ଗର ଦୁର୍ଭିକ୍ଷ (୧୯୪୩) ଦେଖିଥିଲା। ଏଥିରେ ଖାଦ୍ୟ ଅଭାବରୁ ୪୦ ଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ। ୧୯୬୫ ମସିହାରେ କିନ୍ତୁ ନିର୍ବାଚିତ ଲୋକସଭା ସଦସ୍ୟ କିଶାନ ପଟ୍ଟନାୟକ ଲୋକସଭାରେ ବୋଡେନ ଅଞ୍ଚଳର ମରୁଡି ସମ୍ପର୍କରେ କଥା ଉଠାଇବା ପରେ ପ୍ରଥମ କରି ଜିଲ୍ଲାର ଜିଲ୍ଲାପାଳ ମରୁଡ଼ି ପ୍ରପୀଡିତ ଅଞ୍ଚଳକୁ ତ୍ଵରିତ ଗସ୍ତ କରିଛନ୍ତି। ସେହି ସମାନ ସମୟରେ ସର୍ବୋଦୟୀ ନେତ୍ରୀ ରମାଦେବୀ ନିଜର ସାଥିମାନଙ୍କ ମଧ୍ୟରୁ ପାର୍ବତୀ ଗିରି ଓ ଅନ୍ୟମାନଙ୍କୁ ନେଇ ରିଲିଫ କାମ ଆରମ୍ଭ କରିଦେଇଛନ୍ତି। ଏହା ପରେ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ସେମାନେ ରିଲିଫ କାର୍ଯ୍ୟ ଆରମ୍ଭ କରିଛନ୍ତି। ଫଳରେ, ମୃତ୍ୟୁହାର କମିଯାଇଛି। ଏଥିଲାଗି ସେ ଦୁର୍ଭିକ୍ଷ-୧୯୬୫ ବଦଳରେ ଉପନ୍ୟାସର ନାମକରଣ ମରୁଡ଼ି – ୧୯୬୫ ରଖିଥିବା ମନେହୁଏ।

“ମରୁଡ଼ି-୧୯୬୫”ର ସମୟ କାଳଠାରୁ “ଅକାଲ”ର ସମୟ କାଳ (୧୯୮୫-୨୦୧୪) ମଧ୍ୟରେ ଅଧିକ ସଂଖ୍ୟାରେ ଲୋକ ଅନାହାରରେ ମରିଛନ୍ତି ଓ ଅଧିକ ଲୋକ ଦାଦନ ଶ୍ରମିକ ଭାବରେ ବାହାର ରାଜ୍ୟକୁ ଯାଇଛନ୍ତି। ଗଲା ୨୦୦୦ ମସିହା ପରଠାରୁ ମରୁଡ଼ି ଆଉ ଗୋଟିଏ କି ଦୁଇଟି ଜିଲ୍ଲା ମଧ୍ୟରେ ସୀମିତ ହୋଇରହି ନାହିଁ। ୨୦୧୩, ୨୦୧୫ ଓ ୨୦୧୮ ମସିହାରେ କ୍ରମାଗତ ମରୁଡ଼ି ହେତୁ ଓଡ଼ିଶାର ସମସ୍ତ ପ୍ରାନ୍ତରୁ ଲୋକେ ଅଧିକ ସଂଖ୍ୟାରେ ଦାଦନ ଭାବରେ ବାହାର ରାଜ୍ୟକୁ ଯିବାରେ ଲାଗିଛନ୍ତି। ୨୦୧୫-୧୬ ପରଠାରୁ ଆଦିବାସୀ ମହିଳାମାନେ ମଧ୍ୟ ମହିଳା ଗୋଷ୍ଠୀରେ ତାମିଲନାଡୁ, କେରଳ, ଦିଲ୍ଲୀ ଓ ପଞ୍ଜାବ ଯିବାରେ ଲାଗିଛନ୍ତି। ସେମାନେ କ୍ରମାଗତ ଭାବରେ ନିଜ ସମ୍ପତ୍ତିରୁ ବେଦଖଲ ହେବାରେ ଲାଗିଛନ୍ତି ଠିକ କଛନାମାଲ ଗାଁ ଭଳି। ଏହି ଚିତ୍ର ଆମକୁ ବ୍ୟସ୍ତ କରୁଥିଲେ ମଧ୍ୟ ସବୁଠାରେ ଏହି “ବାହାରିଆମାନେ” କ୍ଷମତା କେନ୍ଦ୍ର ଦ୍ଵାରା ପ୍ରୋତ୍ସାହିତ ହେଉଛନ୍ତି ଓ ସ୍ଥାନୀୟ ଚାଷୀ-ଆଦିବାସୀ-ଦଳିତ ବର୍ଗ ଜାତୀୟ ଅର୍ଥନୀତିରେ ଗୌଣ ହେବା କାରଣରୁ ରାଜନୀତିରେ ନିଷ୍ପ୍ରଭ ହୋଇଯାଉଛନ୍ତି।

ଯେଉଁଭଳି ଆଧୁନିକ ଯନ୍ତ୍ରପାତି ଓ ରୋବୋଟର ବ୍ୟବହାରକୁ ସରକାର ଉତ୍ପାଦନ କ୍ଷେତ୍ରରେ ଅନୁମତି ଦେଉଛନ୍ତି ସେଥିରେ ରାଜ୍ୟର ଅଣକୁଶଳୀ ଶ୍ରମିକ ବାହାର ରାଜ୍ୟରେ ବେଶୀ ଦିନ ଯେ କାମ ପାଇବେ ସେଥିରେ ସନ୍ଦେହ ଆସୁଛି। ହୁଏତ ଆଗାମୀ ଦଶନ୍ଧିରେ ଲୋକେ ମରୁଡି ହେତୁ ଗାଁ ଛାଡ଼ିବାକୁ ବସିଲେ ବି ଉତ୍ପାଦନ କ୍ଷେତ୍ରରେ ସେମାନଙ୍କ ଲାଗି କାମ ନଥିବ। ଆମେ ପୁଣି ଦୁର୍ଭିକ୍ଷର ସ୍ଥିତି ଆଡ଼କୁ ଟାଣିହୋଇ ଯାଉଛେ।

ମରୁଡ଼ି ଅଞ୍ଚଳରେ ଦୁଇଟି ସମାନ୍ତରାଳ ଘଟଣା କିନ୍ତୁ ଦେଖାଯାଇଛି। “ମରୁଡି-୧୯୬୫” ଓ “ଅକାଲ”ର ବର୍ଣ୍ଣନା କ୍ରମେ, ମରୁଡ଼ିର ବେପାରୀମାନେ ଅମଲାମାନଙ୍କୁ କିଣି ନିଅନ୍ତି। ସେମାନେ ଗ୍ରାମବାସୀଙ୍କୁ ମାରିଦେବାର ଧମକ ମଧ୍ୟ ଦିଅନ୍ତି। କାରଣ ବେପାରୀମାନେ ଗାଁ ଚାହାନ୍ତି। ସେଠାର ଜମି, ଜଙ୍ଗଲ ଓ ଶସ୍ତା ଶ୍ରମ ଉପରେ ସେମାନଙ୍କର ନଜର। ଏହାର ଅନ୍ୟପଟରେ, ଗାଁର ଲୋକେ ଗାଁ ଛାଡ଼ନ୍ତି। ଗାଁ ଛାଡ଼ିବା ସମୟରେ ସ୍ତ୍ରୀ ଲୋକମାନେ କଣ୍ଟା ଉପରେ ବହଳ କରି ମାଟି ଲିପିଦିଅନ୍ତି ଯେମିତି ଘରର ତାଟି କେହି ଖୋଲିବ ନାହିଁ। ସମସ୍ତେ ନିଜ ପରିବାର ସହିତ ଦୂର ରାସ୍ତାରେ ଅଦୃଶ୍ୟ ହୋଇଯାନ୍ତି। ଗାଁର ବୁଢ଼ାବୁଢ଼ି ଭୋ ଭୋ କାନ୍ଦି ନିଜ ମୃତ୍ୟୁକୁ ଅପେକ୍ଷା କରିରହିଥାନ୍ତି। ଉପନ୍ୟାସରେ ବର୍ଣ୍ଣିତ ଏହି ଛବି ଆଜି ଓଡ଼ିଶାର ଅନେକ ପ୍ରାନ୍ତରେ ଦେଖିବାକୁ ମିଳୁଛି। ସାମୁଏଲ ଦାନୀଙ୍କ ଭଳି ଔପନ୍ୟାସିକ କି ରବି ଦାଶଙ୍କ ଭଳି ଜଣେ ହୃଦୟବାନ ମଣିଷ ଦରକାର ଯିଏ ଏ ସବୁକୁ ଲିପିବଦ୍ଧ କରିରଖିବ। ଆଗାମୀ ଦିନରେ ହୁଏତ ଏହି ଭିତରୁ ଉତ୍ତମ ରାସ୍ତାଟିଏ ବାହାରିପାରିବ।

ଫୋ-୯୪୩୭୭୬୨୨୭୨

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।