Advertisment

ଡିଜେ ଆଣିବ ମୃତ୍ୟୁ; ହୋଇପାରେ ହାର୍ଟ ଆଟାକ୍‌ କିମ୍ବା ବ୍ରେନ୍‌ ଷ୍ଟ୍ରୋକ

ଡିଜେ ସାଉଣ୍ଡର ନକରାତ୍ମକ ଦିଗକୁ ହୃଦୟଙ୍ଗମ କରି ଗଣେଶ ପୂଜା ଭସାଣୀ ବେଳେ ଡିଜେର ଅତ୍ୟଧିକ ଶବ୍ଦ ବ୍ୟବହାରରେ ଅଙ୍କୁଶ ଲଗାଇବାକୁ ନିଷ୍ପତ୍ତି ନେଇଛି ଜଟଣୀ ଗଣେଶ ପୂଜା କମିଟି।

author-image
Manoranjan Sial
DJ Sound

DJ Sound

ଡିଜେ ଡାକିଆଣୁଛି ଡେଞ୍ଜର। କାନ ପରଦା ଫାଟିପାରେ, ହାର୍ଟ ଆଟାକ୍‌ କିମ୍ବା ବ୍ରେନ୍‌ ଷ୍ଟ୍ରୋକ ହୋଇପାରେ। ଜୀବନ ମଧ୍ୟ ଯାଇପାରେ। ଚଳିତ ସପ୍ତାହରେ ଅସହ୍ୟ ଡିଜେ ଶବ୍ଦରେ ଜଣଙ୍କର ହାର୍ଟ ଆଟାକ ଓ ଅନେକ ଲୋକ ଅସୁସ୍ଥ ହୋଇପଡ଼ିବା ପରେ ଏହାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।

Advertisment

ତେବେ କାହିଁକି ଏତେ ବିପଦପୂର୍ଣ୍ଣ ଡିଜେର ବିକଟାଳ ଶବ୍ଦ? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଜଣେ ସାଧାରଣ ବ୍ୟକ୍ତି ପାଇଁ ୮୫ ଡେସିବଲରୁ ଅଧିକ ତୀବ୍ରତାର ଶବ୍ଦ କ୍ଷତିକାରକ। ହେଲେ ଡିଜେ ସାଉଣ୍ଡର ମାତ୍ରା ୧୦୦ରୁ ୧୨୦ ଡେସିବଲ୍‌ ରହୁଛି। ତେଣୁ ଏତେ ତୀବ୍ର ଶବ୍ଦରେ କାନ ପରଦା ଫାଟିଯିବାର ଆଶଙ୍କା ରହିଛି। କାନର ସ୍ନାୟୁ ବା ନର୍ଭ ମସ୍ତିଷ୍କ ଓ ହୃତପିଣ୍ଡ ସହ ସଂଯୁକ୍ତ ହୋଇଥିବାରୁ, ଏହା ବ୍ରେନ ଷ୍ଟ୍ରୋକ ଓ ହାର୍ଟ ଆଟାକ ମଧ୍ୟ ଆଣିପାରେ। ଏମିତିକି ଡିଜେ ଶବ୍ଦ ଭର୍ଟିଗୋ ଭଳି ରୋଗ ସୃଷ୍ଟି କରିପାରେ। ତେଣୁ ଡିଜେ ସାଉଣ୍ଡ ବକ୍ସର ଅତି ପାଖକୁ ନ ଯିବା ସହ ଡିଜେ ବାଜୁଥିବା ସ୍ଥାନରେ ୧୦-୧୫ ମିନିଟରୁ ଅଧିକ ସମୟ ନ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

ସେପଟେ ପରିବେଶବିତଙ୍କ ମତରେ ଡିଜେ ଶବ୍ଦ କେବଳ ମନୁଷ୍ୟ ନୁହେଁ, ଅନ୍ୟ ଜୀବଜନ୍ତୁଙ୍କ ଉପରେ ଭୀଷଣ କୁପ୍ରଭାବ ପକାଉଛି। ଶବ୍ଦ ପ୍ରଦୂଷଣ ସହ ବୃକ୍ଷଲତା ବୃଦ୍ଧି ଉପରେ ନକରାତ୍ମକ ପ୍ରଭାବ ପଡ଼ୁଛି। ଏପଟେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିଛି ଯେ, ୬୫ ଡେସିବଲରୁ ଅଧିକ ଶବ୍ଦ ପ୍ରଦୂଷଣ ସୃଷ୍ଟି କରୁଥିବା ଡିଜେ ଓ ମ୍ୟୁଜିକ ସିଷ୍ଟମ ବ୍ୟବହାର ଉପରେ ରୋକ ଲଗାଇବା ପାଇଁ ୨୦୨୧ ମସିହାରୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ବର୍ତ୍ତମାନ ସମୟରେ ରାଜ୍ୟରେ ଡିଜେ ଯୋଗୁ ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି, ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପୁଣିଥରେ ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିବା ଦିଗରେ ବିଚାର କରୁଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ।

Advertisment

ଡିଜେ ସାଉଣ୍ଡର ନକରାତ୍ମକ ଦିଗକୁ ହୃଦୟଙ୍ଗମ କରି ଗଣେଶ ପୂଜା ଭସାଣୀ ବେଳେ ଡିଜେର ଅତ୍ୟଧିକ ଶବ୍ଦ ବ୍ୟବହାରରେ ଅଙ୍କୁଶ ଲଗାଇବାକୁ ନିଷ୍ପତ୍ତି ନେଇଛି ଜଟଣୀ ଗଣେଶ ପୂଜା କମିଟି। ଗଣେଶ ପୂଜା ଭସାଣୀ ବେଳେ ଡିଜେ ସିଷ୍ଟମରୁ ଅତ୍ୟଧିକ ଶବ୍ଦ ପ୍ରଦୂଷଣକାରୀ ବାସ୍‌ପିନ ବ୍ୟବହାର ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ପୂଜା କମିଟି।

Crime