କାଲି ୧୧ଟାରୁ ୩ଟା ‘ଭାରତ ବନ୍ଦ’

ନୂଆଦିଲ୍ଲୀ: ନୂଆ କୃଷି ଆଇନ୍ ବିରୋଧରେ ଦିଲ୍ଲୀ ବର୍ଡରରେ ଚାଷୀଙ୍କ ଆନ୍ଦୋଳନ ଆଜି ଦ୍ୱାଦଶ ଦିନରେ ପହଞ୍ଚିଛି। ଏହାକୁ ବିରୋଧ କରି ବିଭିନ୍ନ ଚାଷୀ ସଂଗଠନ ଡିସେମ୍ବର ୮ ତାରିଖରେ ‘ଭାରତ ବନ୍ଦ’ ଡାକରା ଦେଇଛନ୍ତି। ଏହି ବନ୍ଦ କିପରି ହେବ ସେ ନେଇ ସୂଚନା ଦେଇଛନ୍ତି ଭାରତୀୟ କିଷାନ ୟୁନିୟନର ମୁଖପାତ୍ର ରାକେଶ ଟିକେତ୍।

ସେ କହିଛନ୍ତି, ଆମର ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ ହେବ ଏବଂ ଆମେ ଏହାକୁ ଜାରି ରଖିବୁ। ଆସନ୍ତାକାଲି ସକାଳ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଭାରତ ବନ୍ଦ ହେବ। ଏହା ଆମର ସାଂକେତିକ ବିରୋଧ ପ୍ରଦର୍ଶନ, ଯାହା ଜରିଆରେ ଆମେ ଜଣାଇବାକୁ ଚାହୁଁଛୁ ଯେ ଆମେ ଭାରତ ସରକାରଙ୍କ ନୀତିକୁ ବିରୋଧ କରୁଛୁ।

ରାକେଶ ଆହୁରି କହିଛନ୍ତି, ସାଧାରଣ ଲୋକଙ୍କୁ ଯେପରି କୌଣସି ସମସ୍ୟା ନହେବ, ସେଥିପାଇଁ ଭାରତ ବନ୍ଦର ଶୁଭାରମ୍ଭ ସକାଳ ୧୧ଟା ଆରମ୍ଭ ହେବ। ଏହାଦ୍ୱାରା ଲୋକେ ନିର୍ଦ୍ଧାରିତ ସମୟ ଭିତରେ ନିଜ ନିଜର ଅଫିସରେ ପହଞ୍ଚିପାରିବେ। ଅଫିସ ସମୟ ମଧ୍ୟ ୩ଟା ବେଳେ ବନ୍ଦ ହୁଏ। ଆମ୍ବୁଲାନ୍ସ ଓ ବିବାହ ସମାରୋହରେ ବାଧା ସୃଷ୍ଟି ହେବ ନାହିଁ। ଲୋକେ ନିଜ ନିଜର କାର୍ଡ ଦେଖାଇ ଯାଇପାରିବେ।

ଅପରପକ୍ଷରେ ସରକାର ମଧ୍ୟ ଭାରତ ବନ୍ଦକୁ ନେଇ ସତର୍କ ଅଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଚାଷୀଙ୍କ ପକ୍ଷରୁ ହେଉଥିବା ଭାରତ ବନ୍ଦକୁ ଆଖି ଆଗରେ ରଖି ରାଜ୍ୟଗୁଡ଼ିକୁ ଆଡଭାଇଜରୀ ଜାରି କରିଛନ୍ତି। ରାଜ୍ୟ ଗୁଡ଼ିକ ସୁନିଶ୍ଚିତ କରିବେ ଯେ ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ ଏବଂ ଏଥିରେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ଯେପରି ନଉପୁଜିବ।

ସୂଚନାଯୋଗ୍ୟ, ଆସନ୍ତାକାଲି ଭାରତ ବନ୍ଦକୁ କଂଗ୍ରେସ ସମେତ ଏକାଧିକ ପାର୍ଟି ସମର୍ଥନ କରୁଛନ୍ତି। କଂଗ୍ରେସ ବ୍ୟତୀତ ତୃଣମୂଳ କଂଗ୍ରେସ, ଶିବସେନା, ଡିଏମକେ, କମଲ୍ ହାସନଙ୍କ ଏମଏନଏମ, ଆରଜେଡି, ସମାଜବାଦୀ ପାର୍ଟି, ଏନସିପି, ଆମ୍ ଆଦମୀ ପାର୍ଟି, ନୂତନ ଭାବେ ନିର୍ମିତ ଜମ୍ମୁ ଓ କଶ୍ମୀରର ଗୁପକାର ପାର୍ଟି ମଧ୍ୟ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।