ନୂଆଦିଲ୍ଲୀ: ଇସ୍ରାଏଲୀ ସ୍ପାଇୱେୟାର ପେଗାସସକୁ ନେଇ ଦେଶରେ ଆରମ୍ଭ ହୋଇଛି ରାଜନୀତିକ ବାକ୍ ଯୁଦ୍ଧ। ବିରୋଧୀ ଶାସକ ଦଳ ବିଜେପିକୁ ଦାୟୀ କରି କଡ଼ା ସମାଲୋଚନା କରିଛି। ନିର୍ବାଚନ ବେଳେ ପେଗାସସକୁ ବ୍ୟବହାର କରି ସଂସଦରୁ ସୁପ୍ରିମକୋର୍ଟ ସବୁଠି ଶାସକ ଦଳ ଗୁଇନ୍ଦାଗିରି କରିଛି ବୋଲି ଅଭିଯୋଗ କରିଛି। ଖାଲି ଏତିକି ନୁହେଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ମୋବାଇଲକୁ ମଧ୍ୟ ଗୁଇନ୍ଦାଗିରି କରିବାକୁ ଚେଷ୍ଟା କରାଯାଇଥିଲା ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜଓ୍ୱାଲା କହିଛନ୍ତି। ଏହି ଅବସରରେ ଶାସକ ଦଳ ଭାରତୀୟ ଜନତା ପାର୍ଟିକୁ ‘ଭାରତୀୟ ଜାସୁସି ପାର୍ଟି’ ବୋଲି କଂଗ୍ରେସ କହିଛି। ଗତକାଲି ‘ବେଇମାନ୍ ସରକାର’ ବୋଲି କଂଗ୍ରେସ କହିଥିଲା।
ପେଗାସସ ଜରିଆରେ ଦେଶର ନେତା, ସାମ୍ୱାଦିକ ଏବଂ ସାମାଜିକ କର୍ମୀଙ୍କ ତଥ୍ୟ ଚୋରି କରାଯାଉଛି। ଏଥିପାଇଁ ମୋଦି ସରକାର ଦାୟୀ। କଂଗ୍ରେସ ଅଭିଯୋଗ କିରିଛି ଯେ ଏହି ଗୁଇନ୍ଦାଗିରି ପଛରେ ବିଜେପିର ହାତ ଅଛି। କଂଗ୍ରେସ ନେତା ରଣଦୀପ ସୁରଜଓ୍ୱାଲା କହିଛନ୍ତି, ଯେଉଁମାନଙ୍କ ଫୋନ୍ ହ୍ୟାକ ହୋଇଥିଲା ସେହିମାନଙ୍କ ପାଖକୁ ହ୍ୱାଟସଆପ ମେସେଜ ପଠାଉଥିଲା। ଏମିତି ଏକ ମେସେଜ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପାଖକୁ ଆସିଥିଲା ବୋଲି ସେ କହିଛନ୍ତି। ଏବେ ଲୋକମାନେ ‘ଅବ୍ କୀ ବାର୍ ଜାସୁସି ସରକାର’ର ନାରା ଦେଉଥିବା ସେ କହିଛନ୍ତି। ସେହିପରି କଂଗ୍ରେସ ଶାସକ ଦଳ ବିଜେପିକୁ କଟାକ୍ଷ କରିବାକୁ ଯାଇ ‘ଭାରତୀୟ ଜାସୁସି ପାର୍ଟି’ ବୋଲି କହିଛି। ଡାଟା ହ୍ୟାକ ନେଇ ପାଞ୍ଚ ମାସ ପୂର୍ବରୁ ଫେସବୁକ ଓ ମାସକ ତଳେ ହ୍ୱାଟସଆପ୍ ସୂଚନା ଦେଇଥିବାବେଳେ ସରକାର କାହିଁକି ଏ ବାବଦରେ ନିରବ ଥିଲେ ସେ ନେଇ ବିରୋଧୀ କଂଗ୍ରେସ ଅଭିଯୋଗ କରିଛି।
ଇସ୍ରାଏଲର ସ୍ପାଇଓ୍ୱେୟାର ପେଗାସସ କେବଳ ସରକାରକୁ ବିକ୍ରି କରାଯାଇଥାଏ। ଆଉ କାହାରିକୁ ବିକ୍ରି କରାଯାଏ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ବେଳେ ସରକାର ପେଗାସସ ଜରିଆରେ ନେତା, ସାମ୍ୱାଦିକଙ୍କ ଗୁଇନ୍ଦାଗିରି ସରକାର କରିଛନ୍ତି ବୋଲି ସେ କହିଛନ୍ତି।
ଅନ୍ୟପଟେ ଆଜି ଆଇଟି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ଯେ, ସେପ୍ଟେମ୍ୱର ଶେଷରେ ୧୨୧ ଭାରତୀୟଙ୍କ ହ୍ୱାଟସଆପ ଆକାଉଣ୍ଟ ହ୍ୟାକ ବାବଦରେ ହ୍ୱାଟସଆପ ପକ୍ଷରୁ ସୂଚନା ମିଳିଥିଲା। ହେଲେ ଏହା ଅସମ୍ପୂର୍ଣ୍ଣ, ପ୍ରମାଣଯୋଗ୍ୟ ନଥିଲା, ବୈଷୟିକ କାରଣ ବୋଲି ମଧ୍ୟ ହ୍ୱାଟସଆପ କହିଥିଲା ବୋଲି ସୂଚନା ମିଳିଛି।
ଶୁକ୍ରବାର ଏ ନେଇ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଥିଲେ ଯେ, ସରକାର ସମସ୍ତଙ୍କ ବ୍ୟକ୍ତିଗତ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି। ହ୍ୱାଟସଆପ କତ୍ତୃପକ୍ଷଙ୍କୁ ହ୍ୟାକିଂ ବାବଦରେ ସରକାର ଏବେ ଜବାବ ମାଗିଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।