ମୁମ୍ୱାଇ: ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଘୋଷଣାର ୧୮ ଦିନ ପରେ ସରକାର ଗଢ଼ିବା ନେଇ ସ୍ଥିତି ସ୍ପଷ୍ଟ ହୋଇଛି। ରାଜନୀତିରେ ଦୁଇ ଦଳ ପରସ୍ପରର ନୀତି ଆଦର୍ଶରେ ବିରୋଧ ବୋଲି ବିଚାର କରାଯାଉଥିବା ଶିବସେନା ଓ କଂଗ୍ରେସ ଶେଷରେ କୋଳାକୋଳି ହୋଇଛନ୍ତି। ଶିବସେନା ନେତୃତ୍ୱରେ ମହାରାଷ୍ଟ୍ରରେ ସରକାର ହେବ ବୋଲି ସ୍ଥିର ହୋଇଛି। ଏନସିପି ସହ ଶିବସେନା ମେଣ୍ଟ କରି ଏଠାରେ ସରକାର ଗଢ଼ିବ ଏବଂ ବାହାରୁ କଂଗ୍ରେସ ସମର୍ଥନ କରିବ ବୋଲି କହିଛି। ମୁଖ୍ୟମନ୍ତ୍ରୀ ପଦବୀ ଶିବସେନା ପାଖରେ ରହିବ ବୋଲି ସ୍ଥିର ହୋଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଏନସିପି ପାଖରେ ରହିବ। ତେବେ ଶିବସେନାରୁ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଅସ୍ପଷ୍ଟ ରହିଛି। ଆଜି ରାଜ୍ୟପାଳ ଭଗତ ସିଂହ କୋଶିଆରିଙ୍କୁ ଭେଟି ସରକାର ଗଠନ କରିବା ପାଇଁ ଶିବସେନା ପ୍ରସ୍ତାବ ଦେବ ବୋଲି ଜଣାପଡ଼ିଛି।
ବିଜେପି ସହ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଶିବସେନା ଦାବି କରୁଥିବା ବେଳେ ଆଦିତ୍ୟ ଠାକରେ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଶିବସେନା କହିଥିଲା। ଏହାପରେ ଏନସିପି ଓ କଂଗ୍ରେସର ସମର୍ଥନ ମିଳିବା ପରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଶିବସେନା ବିଧାୟକ ଦାବି କରିଥିଲେ।
କଂଗ୍ରେସ ବାହ୍ୟ ସମର୍ଥନ କରିବା ପୂର୍ବରୁ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଫୋନ କରି କଥା ହୋଇଥିଲେ। ଏହା ପୂର୍ବରୁ ସୋନିଆ ଗାନ୍ଧି ମହାରାଷ୍ଟ୍ର କଂଗ୍ରେସ ନେତା ଏବଂ ସହଯୋଗୀ ଏନସିପି ସହ ବୈଠକ କରିଥିଲେ।
ସୂଚନାଯୋଗ୍ୟ, ଗତକାଲି ବିଜେପି ସରକାର ଗଢ଼ିବ ନାହିଁ ବୋଲି ରାଜ୍ୟପାଳ ଭଗତ ସିଂହ କୋଶିଆରିଙ୍କୁ ଭେଟି ଜଣାଇଥିଲା। ଏହାପରେ ଶିବସେନାକୁ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରିଥିଲେ ରାଜ୍ୟପାଳ। ଏଥିପାଇଁ ଆଜି ସନ୍ଧ୍ୟା ୭ଟା ୩୦ ଯାଏ ସରକାର ଗଢ଼ିବା ନେଇ ମତାମତ ରଖିବାକୁ କହିଥିଲେ ରାଜ୍ୟପାଳ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।