କାନରେ ନିଆଁ ଲଗାଇ ହାତୀକୁ ମାରିଦେଲେ ଲୋକେ, ସାମ୍ନାକୁ ଆସିଲା ଭିଡିଓ
ଚେନ୍ନାଇ: ପୁଣିଥରେ ତାମିଲନାଡୁରେ ବନ୍ୟଜନ୍ତୁଙ୍କ ପ୍ରତି ନିଷ୍ଠୁର ଅତ୍ୟାଚାରର ଜ୍ୱଳନ୍ତ ଚିତ୍ର ସାମ୍ନାକୁ ଆସିଛି। ଗୋଟିଏ ୪୦ ବର୍ଷ ବୟସ୍କ ହାତୀର କାନରେ ନିଆଁ ଲଗାଇ ଲୋକମାନେ ତା’କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ନୀଲଗିରିସର ମାସିନାଗୁଡ଼ିଠାରେ ଘଟିଥିବା ଏହି ଘଟଣାର ଭିଡଓ ମଧ୍ୟ ସାମ୍ନାକୁ ଆସିଛି।
ସୂଚନା ଅନୁସାରେ, ଏହି ବୟସ୍କ ହାତୀଟି ନିକଟସ୍ଥ ଜଙ୍ଗଲରୁ ଭୁଲବଶତଃ ଗାଁ ଭିତରେ ପଶି ଯାଇଥିଲା। ତା’କୁ ଘଉଡ଼ାଇବା ପାଇଁ ଲୋକମାନେ ନିଆଁ ହୁଳା ଦେଖାଇଥିଲେ। ହାତୀଟି ଗାଁ ଛାଡ଼ୁ ଥିବା ବେଳେ ହଠାତ୍ କିଛି ଲୋକ ଟାୟାରରେ ନିଆଁ ଲଗାଇ ତା’ ଉପରକୁ ମାଡ଼ କରିଥିଲେ। ଗୋଟିଏ ଜ୍ୱଳନ୍ତ ଟାୟାର ହାତୀର କାନରେ ଫସି ଯାଇଥିଲା। ସେ ଏହାକୁ କାଢ଼ିବାକୁ ଚେଷ୍ଟା କରିଥିଲେ ହେଁ ଏହା ହୁତହୁତ ହୋଇ ଜଳିବା ଆରମ୍ଭ କରିଥିଲା।
Shocking shots of a burning tire being thrown at an elephant @YoufeckingIdiot@Viral_GIFs@LovePower_page @topfailclip @cctv_idiots @DashCamTwats @almostddied @worstrlders @ddofinternet @Allfailz @Wild_Fights @FunnymanPage @Ffs_OMG @HowDiditGoWell @howtopronunce_ @UnexpectedScene pic.twitter.com/QDMCc8HvHO
— ✌️Don 😍Aravind🔎 (@DonAravind13) January 22, 2021
ଯନ୍ତ୍ରଣାରେ ଛଟପଟ ହୋଇ ହାତୀଟି ଜଙ୍ଗଲ ଅଭିମୁଖେ ଚିତ୍କାର କରି ଚାଲି ଯାଇଥିଲା। ଜଙ୍ଗଲ ବିଭାଗ ଅଧିକାରୀ ଗୋଟିଏ ଦିନ ପରେ ହାତୀଟିକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଠାବ କରିଥିଲେ। ନିଆଁ ଲାଗି ତା’ କାନ ଓ ପଛ ପାଖ ସଂପୂର୍ଣ୍ଣ ପୋଡ଼ି ଯାଇଥିଲା। ତା’ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ତା’କୁ ଅଧିକ ଚିକିତ୍ସା ପାଇଁ ମେଡିକାଲ କ୍ୟାମ୍ପକୁ ନିଆ ଯାଇଥିଲା। ହେଲେ ଅଧା ରାସ୍ତାରେ ହିଁ ତା’ର ମୃତ୍ୟୁ ଘଟିଛି।
ହାତୀ କାନରେ ନିଆଁ ଲାଗିବା ଘଟଣାର ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ପ୍ରତିବାଦର ସ୍ୱର ଉଠିଛି। ଜଙ୍ଗଲ ବିଭାଗର ଅଭିଯୋଗକ୍ରମେ ପୁଲିସ୍ ୩ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରୁ ୨ ଜଣ ଗିରଫ ହୋଇଥିବା ବେଳେ ଆଉ ଜଣେ ଏବେ ବି ଫେରାର ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।