ନୂଆଦିଲ୍ଲୀ: ଗତ ରବିବାର ଦିନ ଇଷ୍ଟର ଉତ୍ସବ ବେଳେ ଶ୍ରୀଲଙ୍କାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ସୂଚନା ଭାରତର ଗୁଇନ୍ଦା ପାଇଥିଲା। ଏ ନେଇ ଶ୍ରୀଲଙ୍କା ଗୁଇନ୍ଦା ଅଧିକାରୀଙ୍କୁ ଭାରତ ବିସ୍ଫୋରଣର ୨ ଘଣ୍ଟା ପୂର୍ବରୁ କୌଣସି ଚର୍ଚ୍ଚ ଉପରେ ଆକ୍ରମଣ ହେବ ବୋଲି ଅବଗତ କରାଇଥିଲା। ହେଲେ ଏହାକୁ ସେତେଟା ଗୁରୁତ୍ୱ ଦେଇ ନଥିଲା ଶ୍ରୀଲଙ୍କା। ଫଳରେ ପଦକ୍ଷେପ ଗ୍ରହଣ ନ କରିବାରୁ ଆତଙ୍କବାଦୀମାନେ ବିସ୍ଫୋରଣ କରିବାରେ ସଫଳ ହୋଇଥିଲେ। ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ସାକ୍ଷାତକାର ଦେବା ବେଳେ ଏହା କହିଛନ୍ତି ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ବିକ୍ରମାସିଙ୍ଘେ। ବର୍ତ୍ତମାନ ଏହି ଗଣସଂହାର ଘଟଣାରେ ମୃତ୍ୟୁ ସଂଖ୍ୟା ୩୫୯ ଛୁଇଁଥିବା ବେଳେ ୫୦୦ରୁ ଅଧିକ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।
ତେବେ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ଆଇଏସ ସଂଗଠନ ସହ ଶ୍ରୀଲଙ୍କାର କିଛି ଲୋକ ମଧ୍ୟ ସାମିଲ ଅଛନ୍ତି ବୋଲି ସେ କହିଛନ୍ତି। ତେଣୁ ତଦନ୍ତ ପାଇଁ ଶ୍ରୀଲଙ୍କା ସରକାର ଦେଶ ବାହାରର କିଛି ସଂସ୍ଥାର ସହଯୋଗ ଲୋଡ଼ିଛନ୍ତି ବୋଲି ବିକ୍ରମାସିଙ୍ଘେ କହିଛନ୍ତି।
ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ଆଇଏସ) ଏବଂ ସ୍ଥାନୀୟ ଜାତୀୟ ତୋହୀଦ ଜମାତ(ଏନଟିଜେ) ଏହି ଆକ୍ରମଣ କରିଥିବା ସ୍ପଷ୍ଟ କରିଛନ୍ତି। ଏହି ଘଟଣାରେ ୪୦ ଜଣଙ୍କୁ ଏଯାଏ ଗିରଫ କରାଯାଇଥିବା ବେଳେ ସନ୍ଦିଗ୍ଧଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।