ଓଲଟି ପଡ଼ିଲା ଡଙ୍ଗା, ୧୧ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ଅମରାବତୀରେ ଘଟିଛି ଭୟଙ୍କର ଦୁର୍ଘଟଣା। ନଦୀରେ ଡଙ୍ଗା ଓଲଟି ୧୧ଜଣଙ୍କ ମୃତ୍ୟୁ ହୋଇଛି। ୮ ଜଣ ଏବେବି ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତିଙ୍କ ତଲାସି ଅଭିଯାନ ଜାରି ରହିଛି।

ପୁଲିସ ସୂଚନା ମୁତାବକ ଅମରାବତୀର ୱାର୍ଦ୍ଦା ନଦୀରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ୧୧ ଜଣ ମୃତକ ଗୋଟିଏ ପରିବାର ବୋଲି ଜଣାପଡିଛି। ଗୋରେଗାଓଁରୁ ଏମାନେ ସମସ୍ତେ ଅନ୍ତିମ ସଂସ୍କାର କାର୍ଯ୍ୟ ପାଇଁ ଆସିଥିଲେ। ଅନ୍ତିମ ସଂସ୍କାର ସମାପ୍ତ କରିବା ପରେ ସେମାନେ ଆଜି ସକାଳେ ନରଖେଡ ତାଲୁକାର ଜୁଞ୍ଜ ଅଞ୍ଚଳ ବୁଲିବାକୁ ଯାଇଥିଲେ।

ଶିବ ମନ୍ଦିର ଦର୍ଶନ କରିବା ପାଇଁ ସେମାନେ ଏକ ଡଙ୍ଗା ସାହାଯ୍ୟରେ ୱାର୍ଦ୍ଦା ନଦୀରେ ଯାତ୍ରା କରିଥିଲେ। ଏହି ସମୟରେ ଡଙ୍ଗାଟି ଓଳଟି ପଡିଥିଲା। ମୃତକଙ୍କ ମଧ୍ୟରେ ମହିଳା, ଜଣେ ଶିଶୁ ଓ ବୋଟ ଚାଳକ ଥିବା ଜଣାପଡିଛି। ତେବେ କେବଳ ୩ ଜଣଙ୍କ ମୃତଦେହ ମିଳିଥିବା ବେଳେ ଆହୁରି ୮ଜଣ ନିଖୋଜ ଅଛନ୍ତି। ପ୍ରଶାସନ ପକ୍ଷରୁ ରେସ୍କ୍ୟୁ ଅପରେସନ ଜାରି ରହିଛି।

ଗତ ସପ୍ତାହରେ ଆସାମରେ ମଧ୍ୟ ଏଭଳି ଏକ ଡଙ୍ଗା ଦୁର୍ଘଟଣା ଘଟିଥିଲା। ଜୋରହାଟରେ ଦୁଇଟି ଡଙ୍ଗା ଧକ୍କା ହୋଇଥିଲା, ଯେଉଁ କାରଣରୁ ଗୋଟିଏ ଡଙ୍ଗା ଓଲଟି ପଡିଥିଲା। ​​ଏହି ଦୁର୍ଘଟଣାରେ ୮୦ରୁ ଅଧିକ ଲୋକ ବୁଡ଼ି ଯାଇଥିଲେ। ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଅନେକ ନିଖୋଜ ହୋଇଯାଇଥିଲେ। ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା ​​ଯେଉଁଥିରେ ଲୋକମାନେ ଚିତ୍କାର କରି ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।