ନୂଆଦିଲ୍ଲୀ: ଦେଶରେ ଏବେ ମହଙ୍ଗା ଦର ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଏବେ ଏହିକ୍ରମରେ ଦେଶର ରାଜଧାନୀ ଦିଲ୍ଲୀରେ ଏଲପିଜି ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପାଇଛି। ୧୪.୨ କିଲୋ ବିଶିଷ୍ଟ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ ୫୦ ଟଙ୍କା ମହଙ୍ଗା ହୋଇଛି। ଏହି ନୂଆ ଦର ସୋମବାର ମଧ୍ୟାହ୍ନ ୧୨ଟାରୁ ଲାଗୁ ହେବ। ଏବେ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହେବା ଦ୍ୱାରା ୧୪.୨ କିଲୋ ରୋଷେଇ ଗ୍ୟାସ ସିଲିଣ୍ଡର ପାଇଁ ଖାଉଟୀଙ୍କୁ ୭୬୯ ଟଙ୍କା ଦେବାକୁ ପଡ଼ିବ।
ଏହା ପୂର୍ବରୁ ଦିଲ୍ଲୀରେ ଅଣ-ସବସିଡି ଏଲପିଜି ସିଲିଣ୍ଡରର ଦର ୬୯୪ ଟଙ୍କାରୁ ବୃଦ୍ଧି କରାଯାଇ ୭୧୯ ଟଙ୍କା କରାଯାଇଥିଲା। ଏହାବ୍ୟତୀତ ଡିସେମ୍ବର, ୨୦୨୦ରେ ଦିଲ୍ଲୀରେ ରୋଷେଇ ଗ୍ୟାସ ସିଲିଣ୍ଡରର ଦରରେ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଏବେ ପୁଣିଥରେ ୫୦ ଟଙ୍କା ବୃଦ୍ଧି କରାଯିବା ନେଇ ଖାଉଟୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଦେଇଛି।
ଦେଖିବାକୁ ଗଲେ ପ୍ରତିମାସର ପ୍ରଥମ ତାରିଖରେ ଏଲପିଜିର ଦାମରେ ପରିବର୍ତ୍ତନ ହୋଇଥାଏ। ଏଥର ଫେବୃଆରୀ ୧ ତାରିଖରୁ କେବଳ କମର୍ଶିଆଲ୍ ଗ୍ୟାସ ସିଲିଣ୍ଡରର ଦାମରେ ୧୯୦ ଟଙ୍କା ବୃଦ୍ଧି କରାଯାଇଥିଲା। ଏହି ରିହାତି ପରେ ଦେଶର ରାଜଧାନୀରେ ୧୯ କିଲୋ ବିଶିଷ୍ଟ ସିଲିଣ୍ଡରର ଦର ୧୫୩୩ ଟଙ୍କା, କୋଲକାତାରେ ୧୫୯୮.୫୦ ଟଙ୍କା, ମୁମ୍ବାଇରେ ୧୪୮୨.୫୦ ଟଙ୍କା ଓ ଚେନ୍ନାଇରେ ୧୬୪୯ ଟଙ୍କା ହୋଇଛି। କିନ୍ତୁ ଘରୋଇ ଗ୍ୟାସର ଦାମରେ କୌଣସି ପରିବର୍ତ୍ତନ କରାଯାଇନଥିଲା। ତେବେ ଦିଲ୍ଲୀରେ ରବିବାର ୫୦ ଟଙ୍କା ବୃଦ୍ଧି କରାଇବାକୁ ଘୋଷଣା କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।