ମୁମ୍ବାଇ: ପିଲା ଚୋର ଭାବି ସାଧୁଙ୍କ ନିସ୍ତୁକ ପିଟିଲେ ଲୋକେ। ମହାରାଷ୍ଟ୍ରରେ ପାଲଘର ଭଳି ଘଟଣାର ପୁନାରାବୃତ୍ତି ଘଟିଛି। ମଙ୍ଗଳବାର ସାଙ୍ଗଲି ଜିଲ୍ଲାରେ ୪ ଜଣ ସାଧୁଙ୍କ ଉପରେ ଆକ୍ରମଣ ହୋଇଛି। ପିଲା ଚୋର ସନ୍ଦେହରେ ଲୋକେ ନିର୍ଧୁମ ପିଟିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନା ଅନୁସାରେ, ଏହି ୪ ଜଣ ସାଧୁ ଉତ୍ତରପ୍ରଦେଶ ମଥୁରାର ବାସିନ୍ଦା। ଏମାନେ କର୍ଣ୍ଣାଟକର ବିଜାପୁରରୁ ପନ୍ଦରପୁର ଅଭିମୁଖେ ଦର୍ଶନ ପାଇଁ ଯାଉଥିଲେ। ସେମାନେ ସୋମବାର ଗାଁର ଏକ ମନ୍ଦିରରେ ରହିଥିଲେ। ତେବେ ମଙ୍ଗଳବାର ନିଜ ଗନ୍ତବ୍ୟସ୍ତଳକୁ ଯିବା ପାଇଁ ଜଣେ ଛୋଟ ପିଲାକୁ ରାସ୍ତା ପଚାରି ବୁଝିଥିଲେ। ଏହାଦେଖି କିଛି ସ୍ଥାନୀୟ ଲୋକେ ଏମାନେ ପିଲା ଚୋର ବୋଲି ସନ୍ଦେହ କରିଥିଲେ। ଛୋଟ ପିଲାଙ୍କୁ ଅପହରଣ କରୁଥିବା ଅପରାଧୀ ଗ୍ୟାଙ୍ଗର ଏମାନେ ସଦସ୍ୟ ବୋଲି ଗାଁ ଲୋକେ ଭାବିଥିଲେ। ଏହାପରେ ଏକାଠି ହୋଇ ଏହି ଚାରି ସାଧୁଙ୍କୁ ଉପରେ ଗ୍ରାମବାସୀ ବାଡିରେ ଆକ୍ରମଣ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
https://twitter.com/rshukla676/status/1569897680683388928?s=20&t=HkHrE97l25oVxN8krdgTYA
ସାଙ୍ଗଲି ଏସପି ଦୀକ୍ଷିତ ଗଦାମ କହିଛନ୍ତି, 'ଆମେ ଏନେଇ କୌଣସି ଅଭିଯୋଗ କିମ୍ବା ଆନୁଷ୍ଠାନିକ ରିପୋର୍ଟ ଗ୍ରହଣ କରିନାହୁଁ, କିନ୍ତୁ ଭାଇରାଲ ଭିଡିଓକୁ ଦେଖି ତଥ୍ୟଗୁଡିକୁ ଯାଞ୍ଚ କରୁଛୁ। ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।'
ସେପଟେ ଏହି ଘଟଣାକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଛି। ଉଦ୍ଧବଙ୍କ ଶିବେସନା ଗୋଷ୍ଠୀ ସିନ୍ଦେ ସରକାରଙ୍କୁ ଟାର୍ଗେଟ୍ କରିଛି। ମହାରାଷ୍ଟ୍ରରେ ଆଇନ୍ ବ୍ୟବସ୍ଥା ଫେଲ୍ ମାରିଥିବା ସେମାନେ କହିଛନ୍ତି।
ବିଜେପି ବିଧାୟକ ରାମ କଦମ ସାଧୁମାନଙ୍କୁ ଦୁର୍ବ୍ୟବହାର ଘଟଣାକୁ ନିନ୍ଦା କରିଛନ୍ତି। ସାଧୁ ମାନଙ୍କ ସହ ଏଭଳି ଦୁର୍ବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ। ଅଭିଯୁକ୍ତଙ୍କୁ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ୨୦୨୦ରେ ପାଲଘରରେ ମଧ୍ୟ ସମାନ ଘଟଣା ଘଟିଥିଲା। ଦୁଇ ଜଣ ସାଧୁଙ୍କୁ ପିଲା ଚୋର ସନ୍ଦେହରେ ସ୍ଥାନୀୟ ଲୋକ ପିଟି ପିଟି ହତ୍ୟା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।