‘ମମତାଙ୍କୁ କେହି ଠେଲି ନାହାନ୍ତି, କାର ଡୋର ବାଡ଼େଇ ହୋଇ ଆହତ ହୋଇଛନ୍ତି’
କୋଲକାତା: ନନ୍ଦିଗ୍ରାମରେ ପ୍ରଚାର କରିବା ବେଳେ ୪-୫ ଲୋକଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ପଶ୍ଚିମବଙ୍ଗ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। ତାଙ୍କୁ ଠେଲି ଦେବାରୁ ତାଙ୍କ ଗୋଡ଼ ଓ ବେକରେ ଆଘାତ ଲାଗିଛି ବୋଲି ସେ କହିଛନ୍ତି। ଏହାପରେ ସେ ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ସମର୍ଥକମାନେ ଏହାକୁ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ଏମିତିକି ବିଭିନ୍ନ ସ୍ଥାନରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଆଗାମୀ ଦିନରେ ସାରା ରାଜ୍ୟରେ ବିକ୍ଷୋଭ କରିବେ ବୋଲି କହିଛନ୍ତି। ତେବେ ରାଜ୍ୟପାଳ ହସ୍ପିଟାଲକୁ ଆସୁଥିବା ବେଳେ ତାଙ୍କ ଗାଡ଼ି ଉପରକୁ ଟିଏମସି କର୍ମୀ ଜୋତା ଫିଙ୍ଗିଥିବା ଦେଖିବାକୁ ମିଳିଛି। ଏମିତିକି ‘ଗୋ ବ୍ୟାକ’ ନାରା ଦେଇଛନ୍ତି ମମତାଙ୍କ ସମର୍ଥକ। ଅନ୍ୟପଟେ ମମତାଙ୍କ ଚିକିତ୍ସା ପାଇଁ ଏକ ଡାକ୍ତରୀ ଟିମ୍ ଗଠନ ହୋଇଛି। ପୁଲିସ ମାମଲାର ତଦନ୍ତ କରୁଛି।
ଏହାରି ଭିତରେ ଜଣେ ପ୍ରତ୍ୟକ୍ଷଦର୍ଶୀ ଚିତରଞ୍ଜନ ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ‘ଘଟଣାସ୍ଥଳରେ ମୁଁ ଥିଲି। ମମତା ବାନାର୍ଜୀ କାରରେ ବସିଥିଲେ। ହେଲେ କାରର ଡୋର ଖୋଲା ଥିଲା। ଏହି ସମୟରେ ଏକ ପିଲର ସହିତ କାରର ଡୋରଟି ବାଡ଼େଇ ହୋଇଯାଇଥିଲା। ତେଣୁ ଡୋରଟି ବନ୍ଦ ହୋଇଯାଇଥିଲା। କେହି ମମତା ବାନାର୍ଜୀଙ୍କ କାର ଡୋର ପାଖରେ ନଥିଲେ’।
ସେହିପରି ଆଉ ଜଣେ ପ୍ରତ୍ୟକ୍ଷଦର୍ଶୀ ଛାତ୍ର ସୁମନ ମୈତୀ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ଆସିବା ମାତ୍ରେ ଲୋକମାନେ ଏକାଠି ହୋଇଯାଇଥିଲେ। ଆଉ ସଙ୍ଗେସଙ୍ଗେ ମମତାଙ୍କ ବେକ ଏବଂ ଗୋଡ଼ ମକଚି ଯାଇଥିଲା। କେହି ଠେଲି ନାହାନ୍ତି। କାରଟି ଧୀରେ ଧୀରେ ଯାଉଥିଲା’।
#WATCH Eyewitness, a student gives an account of incident that happened in Nandigram which CM Banerjee says was an attack on her
Eyewitness Suman Maity: "When CM came here,public gathered around her,at the time she got hurt in her neck& leg, not pushed,car was moving slowly" pic.twitter.com/Xoe0Nct87p
— ANI (@ANI) March 10, 2021
ଅନ୍ୟପଟେ ବିରୋଧୀ ବିଜେପି ଏହାକୁ ନାଟକ ବୋଲି କହିଛି। ସହାନୁଭୂତି ପାଇବା ପାଇଁ ମମତା ନିର୍ବାଚନ ବେଳେ ଏଭଳି ନାଟକ କରିଛନ୍ତି। ବିଜେପି ନେତା ଅର୍ଜୁନ ସିଂହ ଏହା କହିଛନ୍ତି।
ବିରୋଧୀ କହିଛନ୍ତି, ନନ୍ଦିଗ୍ରାମରେ ମମତା ଆଜି ପ୍ରାର୍ଥୀପତ୍ର ଦାଖଲ କରିବା ସହିତ ପ୍ରଚାର କରିଛନ୍ତି। ଏହି ସମୟରେ ଶତାଧିକ ସୁରକ୍ଷାକର୍ମୀ ମୁତ୍ତୟନ ହୋଇଛନ୍ତି। ସେହିଭଳି ଟିଏମସିର ରାଲି ବେଳେ 4-5 ଦୁର୍ବୃତ୍ତ ଆସି ମମତାଙ୍କୁ ଧକ୍କା ଦେଇ ଚାଲିଗଲେ ଆଉ ସେମାନଙ୍କୁ କେହି ଧରିନପାରିବା ଏହା ନାଟକ ଛଡ଼ା କିଛି ନୁହେଁ।
ରାଜ୍ୟରେ ନିଜର ସରକାର, ସୁରକ୍ଷାକର୍ମୀ ଥିବା ସତ୍ତ୍ୱେ ଯଦି ଖୋଦ୍ ମୁଖ୍ୟମନ୍ତ୍ରୀ ଆକ୍ରମଣର ଶିକାର ହେଉଛନ୍ତି ତାହେଲେ ରାଜ୍ୟର ସୁରକ୍ଷା ବ୍ୟବସ୍ଥା ଏଇଥିରୁ ବୁଝି ହେଉଛି ବୋଲି ବିଜେପି କହିଛି। ନିଜ ସୁରକ୍ଷା ବ୍ୟବସ୍ଥାରେ ଢ଼ିଲା ହେବାରୁ ଏଭଳି ସ୍ଥିତି ଉପୁଜିଛି ତେଣୁ ମମତା ପ୍ରଥମେ ନିଜ ସୁରକ୍ଷାକର୍ମୀଙ୍କୁ ବରଖାସ୍ତ କରିବା ଦରକାର ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।