କୋଲକାତା: ମାତ୍ର ମାସକ ପୂର୍ବରୁ ଦୁହେଁ ଜୀବନ ସାଥୀ ହୋଇଥିଲେ। ନୂଆ ନୂଆ ଘର ସଂସାର ଗଢ଼ି ହସ ଖୁସିର ସହ ବେଶ ଆଗକୁ ବଢ଼ୁଥିଲା ଜୀବନର ଗାଡ଼ି। ଆଗକୁ କେତେ କଣ ଆଶା ଆଉ ସ୍ୱପ୍ନ ବି ଥିଲା। ହେଲେ ବୈବାହିକ ଜୀବନଯାତ୍ରା ଆରମ୍ଭୁ ଏକ ଭୟଙ୍କର ଦୁର୍ଘଟଣା ଆସି ସବୁ କିଛି ଛାରଖାର କରିଦେବ ତାହା କେହି ଭାବି ନଥିଲେ। ହାତଗଣ୍ଠି ପଡ଼ିବାର ମାସକ ଭିତରେ ପୋଡ଼ି ପାଉଁସ ହୋଇଯାଇଛି ଜୀବନ। ନିକଟରେ ପଞ୍ଚିମବଙ୍ଗର ବୀରଭୂମର ହିଂସାକାଣ୍ଡରେ ଶିକାର ହୋଇ ଏକ ନବବିହିତ ଦମ୍ପତ୍ତି ଜୀବନ୍ତ ଦଗ୍ଦ ହୋଇଛନ୍ତି।
ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ଏହି ନବବିବାହିତ ସ୍ୱାମୀ-ସ୍ତ୍ରୀ ହେଉଛନ୍ତି ଲିଲି ଖାତୁନ ଏବଂ କ୍ୱାଜି ସାଜିଦୁର। ଉଭୟେ ଜାନୁଆରୀ ମାସରେ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବୀରଭୂମ ଜିଲ୍ଲାର ବାଗଟୁଇ ଗାଁର ଶ୍ୱଶୁର ଘରକୁ ଉଭୟେ ସ୍ୱାମୀ ସ୍ତ୍ରୀ ଆସିଥିଲେ। ତେବେ ହଠାତ୍ ମଧ୍ୟରାତ୍ରିରେ ସାଜିଦୁର ଏବଂ ତାଙ୍କ ପତ୍ନୀ ରହୁଥିବା ଘରୁ ବାହାରୁ କେହି ଜଣେ କବାଟ ତାଲା ପକାଇ ଦେଇଥିଲେ। ଏହା ପରେ ଉକ୍ତ ଘରେ ନିଆଁ ଲଗାଇଦେଇଥିଲେ। ଘରେ ଭିତରେ ଅସହାୟ ହୋଇ ସାଜିଦୁର ତାଙ୍କ ସାଙ୍ଗ ମାଜିମଙ୍କୁ ଫୋନ୍ କରିଥିଲେ। ତାଙ୍କୁ ବଞ୍ଚେଇବା ପାଇଁ ସେ ସାହାଯ୍ୟ ମାଗିଥିଲେ। ମାଜିମ ପୁଲିସକୁ ଫୋନ୍ କରିବା ପାଇଁ ସାଜିଦୁର ନିବେଦନ କରିଥିଲେ। ମାଜିମ ସଙ୍ଗେ ସଙ୍ଗେ ସାଜିଦୁରଙ୍କ ବାପାଙ୍କୁ ଫୋନ୍ କରିଥିଲେ।
ଯେତେବେଳେ ସାଜିଦୁରଙ୍କ ବାପା ତାଙ୍କ ସହ ଯୋଗାଯୋଗ କରିବା ପାଇଁ ଉଦ୍ୟମ କରିଥିଲେ ତାହା ବିଫଳ ହୋଇଥିଲା। ଆଉ ଏହାରି ଭିତରେ ଛଟପଟ ହୋଇ ଜଳିଯାଥିଲେ ସ୍ୱାମୀ-ସ୍ତ୍ରୀ। ତେବେ ଏହାର ପରଦିନ ସକାଳେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର କରାଯାଇ ଥିଲା। ବେଙ୍ଗଲର ବୀରଭୁମ ଜିଲ୍ଲାର ରାମପୁରହତ ଜିଲ୍ଲାରେ ହିଂସାକାଣ୍ଡ ଘଟି ପ୍ରାୟ ଡଜନେରୁ ଅଧିକ ଘର ପାଉଁଶ ହୋଇଛି। ପ୍ରାୟ ୮ ଜଣ ଲୋକେ ପ୍ରାଣ ହରାଇଛନ୍ତି। ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏସଆଇଟି ଗଠନ କରିଛନ୍ତି । ଯାହାର ନେତୃତ୍ୱ ନେଉଛନ୍ତି ଏଡିଜି ଜ୍ଞାନବନ୍ତ ସିଂହ। ଇତି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଉକ୍ତ ଘଟଣାର ରିପୋର୍ଟ ମଗାଯାଇଛି। ୭୨ ଘଣ୍ଟାରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।