ରାୟପୁର: ଦୀର୍ଘ ୫ ଦିନ ଧରି ଗର୍ତ୍ତ ଭିତରେ ସଂଘର୍ଷ କରୁଛି ୧୧ ବର୍ଷର ବାଳକ ରାହୁଲ। ୯୦ ଘଣ୍ଟାରୁ ବି ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ବୋରୱେଲ ଭିତରୁ ବାଳକଟିକୁ ଉଦ୍ଧାର କରାଯାଇପାରି ନାହିଁ। ରାହୁଲଙ୍କ ଠାରୁ ରେସ୍କ୍ୟୁ ଟିମ୍ ଆଉ ଅଳ୍ପ ଦୂରରେ ଥିବା କୁହାଯାଉଛି। ସେପଟେ ଗତକାଲି ଠାରୁ ଖାଇନଥିବାରୁ ପିଲାଟିର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ବିଗିଡିବାରେ ଲାଗିଛି।
ଛତିଶଗଡ ଜାଞ୍ଜଗିର ଚାମ୍ପା ଜିଲ୍ଲାର ୧୧ ବର୍ଷୀୟ ରାହୁଲ ସାହୁଙ୍କ ଶ୍ୱାସ ପ୍ରକ୍ରିୟା ସ୍ୱାଭାବିକ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ରାହୁଲଙ୍କୁ ଉଦ୍ଧାର ପାଇଁ ରେସ୍କ୍ୟୁ ଟିମ୍ ଜୋରଦାର ଉଦ୍ୟମ ଚଳାଇଛି। ଟନେଲ୍ ଭିତରେ ଲଗାତାର ଖନନ କାର୍ଯ୍ୟ ଚାଲିଛି। ଦୁଇ ପାଖରୁ ରାହୁଲଙ୍କ ପାଖରେ ପହଞ୍ଚିବା ପାଇଁ ଉଦ୍ଧାରକାରୀ ଦଳ ଉଦ୍ୟମ ଚଳାଇଛନ୍ତି।
ତେବେ ରାହୁଲ ପାଖରେ ପହଞ୍ଚିବା ପାଇଁ ପଥର ବାଧକ ସାଜିଛି। ସିଧା ପଥର ଖୋଲିବାରେ ଯଦି କିଛି ଅସୁବିଧା ହୁଏ ତେବେ ତେରଚ୍ଛା ଖୋଳା ଯିବ। ଏଥିପାଇଁ ଦେଢ଼ ଫୁଟ୍ ଖୋଲିବାକୁ ପଡିବ ବୋଲି ସୂଚନା ମିଳିଛି। ଗତ ଶୁକବ୍ରାର ଠାରୁ ରେସ୍କ୍ୟୁ ଅପରେସନ୍ ଚାଲିଛି। ଅଣଓସାରିଆ ସୁଡଙ୍ଗ ଦେଇ ପହଞ୍ଚିବାକୁ ଉଦ୍ୟମ ହେଉଛି। ମିଶନ ମୋଡରେ ଅପରେସନ୍ ଚାଲିଥିବା ଏନ୍ଡିଆର୍ଏଫ୍ ଟିମ୍ କହିଛି।
ଛତିଶଗଡ଼ର ଜାଞ୍ଜଗିର-ଚମ୍ପା ଜିଲ୍ଲା ଫିରିଡ୍ ଗାଁରେ ପ୍ରାୟ ୮୦ ଫୁଟ୍ ବୋରେଓ୍ବଲ ଗାତ ଭିତରେ ୫ ଦିନ ହେଲା ଫସି ରହିଛି ରାହୁଲ। ଲଗାତାର ଭାବେ ରାହୁଲ ସହ ଯୋଗାଯୋଗ କରାଯିବା ସହ ତାକୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଥିଲା। ଗତକାଲି ରାତିରେ ମଧ୍ୟ କଦଳି ଏବଂ ଜୁସ୍ ଦିଆଯାଇଥିଲା। ପାଇପ୍ ଯୋଗେ ତା' ପାଖକୁ ଅକ୍ସିଜେନ୍ ପହଞ୍ଚାଯାଉଛି। ପିଲାଟିକୁ ଉଦ୍ଧାର କରିବା ପାଇଁ ଏନ୍ଡିଆର୍ଏଫ, ଏସ୍ଡିଆର୍ଏଫ୍ ଟିମ୍ ଓ ଜିଲ୍ଲା ପ୍ରଶାସନ ନିରନ୍ତର ଲାଗିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।