ବଢ଼ୁଛି ତେଲ ଦର, ସରକାରକୁ ଘେରିଲେ ସୁବ୍ରମଣ୍ୟମ ସ୍ୱାମୀ
ନୂଆଦିଲ୍ଲୀ: ଦେଶରେ ଏବେ ତେଲ ଦର ‘ଅଲ୍ ଟାଇମ୍ ହାଇକ୍’ରେ ଚାଲିଛି। ରାଜସ୍ଥାନରେ ତେଲ ଦର ଶତକ ମାରି ସାରିଲାଣି। ଅନ୍ୟ ସ୍ଥାନରେ ଶତକ ପାଖାପାଖି ରହିଛି ତେଲ ଦର। ଏହାକୁ ନେଇ ସାଧାରଣ ଲୋକଙ୍କଠୁ ବ୍ୟବସାୟୀ ସମସ୍ତେ ଚିନ୍ତାପ୍ରକଟ କରୁଛନ୍ତି। କେନ୍ଦ୍ରର ଶାସକ ଦଳ ବିଜେପିର ନେତାମାନେ ବିଭିନ୍ନ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ବେଳେ କହୁଛନ୍ତି ସରକାର ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ। ଯେଉଁ ଟିକସ ଆଦାୟ ହେଉଛି ତାହା ଦେଶର ବିକାଶରେ ନିବେଶ ହେଉଛି। ଅର୍ଥାତ ଦର କମିବା ନେଇ ସରକାର ଏବେ ଚିନ୍ତା କରୁ ନାହାନ୍ତି କି ଟିକସ କମାଇବା ନେଇ ମଧ୍ୟ ସରକାର ଚିନ୍ତା କରୁ ନାହାନ୍ତି।
ଏହାରି ଭିତରେ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ୍ କରି ନିଜ ଦଳର ସରକାରକୁ ଘେରିଛନ୍ତି। ସେ ଲେଖିଛନ୍ତି ଅଳ୍ପ କେତେକ ପ୍ରସଙ୍ଗରେ ଲୋକଙ୍କ ସ୍ୱର ସ୍ପଷ୍ଟ ଏବଂ ଉଚ୍ଚ ହୁଏ। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକ ଏବେ ସ୍ୱର ଉତ୍ତୋଳନ କରୁଛନ୍ତି। ଏଭଳି ସ୍ଥିତିରେ ସରକାର ଦର ବୃଦ୍ଧି ପ୍ରସଙ୍ଗରେ ମତ ରଖିବା ଦରକାର। ଏଥିସହ ସରକାର ଟିକସ ଛାଡ କରିବା ଦରକାର ବୋଲି ସୁବ୍ରମଣ୍ୟମ ଲେଖିଛନ୍ତି।
The voice of people is rarely clear and loud. But sometimes it is. On petrol and diesel price rise, there is unanimity in the public [minus porn vendors& iphone chors and fake ID tweeples] that the rise is exploitative. Hence government must stoop to conquer–Withdraw the levies
— Subramanian Swamy (@Swamy39) February 19, 2021
ସୂଚନାଯୋଗ୍ୟ, ବୁଧବାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଶୋଧିତ ତେଲ ଉତ୍ତୋଳନକାରୀ ଦେଶଙ୍କ ସହ ଆଲୋଚନା କରିଥିଲେ। ଦର ବୃଦ୍ଧି ହେଉଥିବାରୁ ଅଶୋଧିତ ତେଲର ଦାମକୁ ନିୟନ୍ତ୍ରଣ କରିବାକୁ ଆହ୍ୱାନ କରିଥିଲେ।
ସୂଚନାଯୋଗ୍ୟ, କେବଳ ଜାନୁଆରୀ ଏବଂ ଫେବ୍ରୁଆରୀ ମାସ ଭିତରେ ଦେଶର ତେଲ ଦର ୬ଟଙ୍କା ୭୭ ପଇସା ବଢ଼ି ସାରିଲାଣି। ତେଲ ଦର ବୃଦ୍ଧି ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୫୮ ପଇସା ବଢ଼ିଛି। ସେହିପରି ଡିଜେଲ ଦର ଲିଟର ପିଛା ୮୦ ଟଙ୍କା ୯୭ ପଇସାରେ ପହଞ୍ଚିଛି। ମୁମ୍ବାଇରେ ତେଲ ଦର ସେଞ୍ଚରୀ ମାରିବାକୁ ମାତ୍ର ଆଉ ୩ ଟଙ୍କା ବାକି ଅଛି। ସେଠାରେ ପେଟ୍ରୋଲ ଲିଟର ପିଛା ୯୭ ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ ଦର ୮୮.୦୬ ପଇସା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।