ଗାଳି ପରେ ଚାପୁଡ଼ା କାଣ୍ଡ, ସିକ୍ୟୁରିଟି ଗାର୍ଡଙ୍କୁ ନିର୍ଧୁମ ପିଟିଲେ ମହିଳା

ନୂଆଦିଲ୍ଲୀ: ପ୍ରଥମେ ଗାଳି ଆଉ ଏବେ ଚାପୁଡା। ହାଇ ସୋସାଇଟି କଲୋନୀରେ ହାଇ ଭୋଲଟେଜ ଡ୍ରାମା। କିଛି ଦିନ ପୂର୍ବେ ନଏଡାରେ ‘ଗାଲିବାଜ୍‌’ ମହିଳାଙ୍କ ଭିଡିଓ ଭାଇରାଲ ହୋଇଥିଲା। ଆଉ ଏବେ ନଏଡାରୁ ‘ଥପ୍ପଡବାଜ’ ମହିଳାଙ୍କ ଭିଡିଓ ସାମ୍ନାକୁ ଆସିଛି। ଗୋଟ୍‌ ଖୋଲିବାରେ ବିଳମ୍ବ ହେବାରୁ ସିକ୍ୟୁରିଟି ଗାର୍ଡଙ୍କୁ ନିର୍ଧୁମ ପଟିଛନ୍ତି ମହିଳା। ପୁଲିସ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଛି।

ନଏଡାର ଫେଜ୍‌-୩ ଥାନା ଅଞ୍ଚଳରେ ଶନିବାର ଘଟିଛି ଏଭଳି କିଛି ଘଟଣା। ଏଠାକାର Cleo County ସୋସାଇଟିର ଜଣେ ମହିଳା କାର୍‌ରେ କେଉଁ ଆଡେ ଯାଇଥିଲେ। ତେବେ ସେ ଫେରିବା ବେଳେ କଲୋନୀର ଏଣ୍ଟ୍ରି ଗେଟ୍‌ ଖୋଲିବାରେ ସାମାନ୍ୟ ବିଳମ୍ବ ହୋଇଥିଲା। ବାସ୍‌ ଏତିକିରେ ରାଗି ଯାଇଥିଲେ ଉକ୍ତ ମହିଳା। କାର୍‌ରୁ ଓହ୍ଲାଇ ଆସି ସିକ୍ୟୁରିଟି ଗାର୍ଡଙ୍କୁ ଚାପୁଡା ଉପରେ ଚାପୁଡା ମାରି ଚାଲିଥିଲେ। ଏ ସମସ୍ତ ଘଟଣାର ଭିଡିଓ କଲୋନୀର ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଛି। ସିସିଟିଭି ଫୁଟେଜ ଆଧାରରେ ପୁଲିସ ଉକ୍ତ ମହିଳାଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।

ଏହା ପୂର୍ବରୁ ନଏଡାରୁ ହିଁ ଏକ ‘ଗାଲିବାଜ୍‌’ ମହିଳାଙ୍କ ଭଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ନଏଡାର ସେକ୍ଟର-୧୨୬ ହାଇରାଇଜ ୱିଶଟାଉନ ସୋସୋଇଟିର ଭବ୍ୟା ରାୟ ନାମକ ଜଣେ ୩୨ ବର୍ଷୀୟା ମହିଳା ହୋମ୍‌ ଗାର୍ଡଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏପରିକି ସେ ଗାର୍ଡଙ୍କ ସହ ମାରପିଟ୍‌ ମଧ୍ୟ କରିଥିବା ଭିଡିଓରେ ଦେଖିବାକୁ ମିଳିଥିଲା। ଏହାପରେ ପୁଲିସ ସମ୍ପୃକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।