ଆଇସିୟୁରେ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ରାୟପୁର: ଆଇସିୟୁରେ ଥିବାବେଳେ ଜଣେ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ହସ୍ପିଟାଲର ଦୁଇ ଓ୍ୱାର୍ଡ ବୟ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ନିଜେ ଛାତ୍ରୀ। ଏଭଳି ଘଟଣା ଛତିଶଗଡ଼ ବିଳାସପୁରର ଏକ ଘରୋଇ ହସ୍ପିଟାଲରେ ହୋଇଥିବା ଅଭିଯୋଗ ହୋଇଛି।

ଛାତ୍ରୀ ଜଣଙ୍କ ଏକ ଚିଠି ଜରିଆରେ ଏଭଳି ଘଟଣା ବାବଦରେ କହିଛନ୍ତି। ପୀଡ଼ିତାଙ୍କ ବାପା ଏହାପରେ କହିଛନ୍ତି, ଏହି ଘଟଣା ପରେ ତାଙ୍କ ଝିଅକୁ ବେହୋସ କରି ଅଧିକ ଦୁଇ ଦିନ ହସ୍ପିଟାଲରେ ରଖାଯାଇଛି।
ବିଳାସପୁର ଥାନା ଅଧିକାରୀ ପରିବେଶ ତିଓ୍ୱାରୀ କହିଛନ୍ତି, ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ଆଇପିସିର ଧାରା ୩୭୬ ଜରିଆରେ ମାମଲା ରୁଜୁ କରାଯାଇଛି।

ପୀଡ଼ିତାଙ୍କ ବାପା କହିଛନ୍ତି, ମେ’ ୧୮ ସକାଳେ ଔଷଧ ଖାଇବା ପରେ ଝିଅର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ଏହାପରେ ନେହରୁ ନଗର ସ୍ଥିତ ଶ୍ରୀରାମ କେୟାର ହସ୍ପିଟାଲରେ ଝିଅକୁ ଭର୍ତ୍ତି କରାଯାଇଥିଲା। ମେ’ ୨୧-୨୨ ରାତିରେ ହସ୍ପିଟାଲର ଦୁଇ ଓ୍ୱାର୍ଡ ବୟ ଝିଅ ସହିତ ବଳ ପୂର୍ବକ ଦୁଷ୍କର୍ମ କରିଛନ୍ତି।

ଏବେ ପୀଡ଼ିତା ଭେଣ୍ଟିଲେଟରରେ ରହିଛନ୍ତି। କିଛି କହି ପାରୁ ନାହାନ୍ତି। ନିଜ ପରିବାର ଲୋକଙ୍କୁ ଠାର ଜରିଆରେ କହିବାକୁ ଚେଷ୍ଟା କରିଥିଲେ ହେଲେ ତାଙ୍କ ବାପା ବୁଝିପାରିନଥିଲେ। ଏହାପରେ ପୀଡ଼ିତା ଜଣଙ୍କ ଏକ କାଗଜରେ ସମସ୍ତ ଘଟଣା ଲେଖିଥିଲେ। ଏହାପରେ ମାମଲାକୁ ଚପାଇବା ପାଇଁ ହସ୍ପିଟାଲ କତ୍ତୃପକ୍ଷ ପୀଡ଼ିତାଙ୍କୁ ବେହୋସ କରି ରଖୁଛନ୍ତି ବୋଲି ଅଭିଯୋଗ ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।