ନୂଆଦିଲ୍ଲୀ: ମୋଦିଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି ଶିବସେନା ସାଂସଦ ଅରବିନ୍ଦ ସାଓ୍ୱନ୍ତ। ମୋଦି ସରକାରରେ ଅରବିନ୍ଦ ସାଓ୍ୱନ୍ତ ଭାରୀ ଉଦ୍ୟୋଗ ମନ୍ତ୍ରୀ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ସେ ଅନୁମତି ମାଗିଥିଲେ। ହେଲେ ପିଏମଓ ଅନୁମତି ନଦେବାରୁ ସେ ତାଙ୍କ ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇ ଦେଇଛନ୍ତି ବୋଲି ସାଓ୍ୱନ୍ତ କହିଛନ୍ତି। ଶିବସେନାର ଏକମାତ୍ର ସାଂସଦ ଭାବେ ସାଓ୍ୱନ୍ତ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇଥିଲେ।
ମହାରାଷ୍ଟ୍ରରେ ନିର୍ବାଚନ ପୂର୍ବରୁ ବିଜେପି-ଶିବସେନା ମଧ୍ୟରେ ୫୦:୫୦ ଫର୍ମୁଲାରେ ସରକାର ଗଠନ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ବିଜେପି ସଭାପତି ଅମିତ ଶାହ ଏବଂ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କ ମଧ୍ୟରେ ଏ ବାବଦରେ ଆଲୋଚନା ହୋଇଥିଲା। ହେଲେ ଏଭଳି ନିଷ୍ପତ୍ତିକୁ ବିଜେପି ଖଣ୍ଡନ କରିଛି। ଯାହାକି ଉଦ୍ଧବ ଠାକରେ ମିଛ କୁହନ୍ତି ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରାଯାଇଛି। ଠାକରେ ପରିବାର ଯାହା ବି ପ୍ରତିଶ୍ରୁତି ଦିଅନ୍ତି, ତାହା ପୂରଣ କରନ୍ତି ବୋଲି ଗଣମାଧ୍ୟମକୁ ନିଜ ଇସ୍ତଫା ବାବଦରେ ପ୍ରତିକ୍ରିୟା ଦେବାକୁ ଯାଇ ସାଓ୍ୱନ୍ତ ଏହା କହିଛନ୍ତି।
ମେଣ୍ଟରୁ ଓହରିବା ପାଇଁ ବିଜେପି ମିଛର ସାହାରା ନେଇଛି ବୋଲି ସାଓ୍ୱନ୍ତ କହିଛନ୍ତି। ତେଣୁ ଏଭଳି ସ୍ଥିତିରେ ମୋଦି ମନ୍ତ୍ରିମଣ୍ଡଳରେ ରହିବାକୁ ଉଚିତ ମନେ କରିନଥିଲେ ବୋଲି ସାଓ୍ୱନ୍ତ କହିଛନ୍ତି। ଇସ୍ତଫା ଦେବା ପୂର୍ବରୁ ଅରବିନ୍ଦ ସାଓ୍ୱନ୍ତ ଆଜି ସକାଳେ ପ୍ରଥମେ ଟୁଇଟ୍ କରି ଘୋଷଣା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।