ଢାକା: ଆଜି ସକାଳେ ବାଂଲାଦେଶରେ ଟ୍ରେନ ଦୁର୍ଘଟଣା ଘଟି ଏଯାଏ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଟ୍ରାକ ବଦଳ କରୁଥିବା ବେଳେ ପଛରେ ଥିବା ଟ୍ରେନଟି ଆଗ ଟ୍ରେନକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ବାଂଲାଦେଶର ରାଜଧାନୀ ଢାକାର ପୂର୍ବରେ ଥିବା ବ୍ରାହ୍ମନବରିଆ ଜିଲ୍ଲାର ମୋନଡୋଭାଗ ରେଲଓ୍ୱେ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି। ଭୋର ୩ଟାରୁ ୪ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ଘଟଣାସ୍ଥଳରେ ଉଦ୍ଧରକାରୀ ଟିମ୍ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରୁଛନ୍ତି। ଏ ନେଇ ଚିତ୍ତାଗୋଙ୍ଗ ରେଳବାଇ ପୁଲିସ ଅଧିକାରୀ ମହମ୍ମଦେ ଶଓ୍ୱକ୍ତ ଅଲ୍ଲୀ ସୂଚନା ଦେଇଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ସେ ସୂଚନା ଦେଇଛନ୍ତି।
ସୟଲହେଟ ସହରରୁ ଚିତ୍ତୋଗୋଙ୍ଗ ଯାଉଥିବା ଟ୍ରେନଟି ଆଗରେ ଯାଉଥିବାବେଳେ ପଛରେ ଯାଉଥିଲା ଢ଼ାକା ବାଉଣ୍ଡ ଟ୍ରେନ୍। ହେଲେ ସିଗନାଲ ଠିକ୍ ନରହିବାରୁ ପଛରେ ଯାଉଥିବା ଢ଼ାକା-ବାଉଣ୍ଡ ଟ୍ରେନଟି ଟ୍ରାକ ବଦଳ କରିବା ବେଳେ ଆଗରେ ଯାଉଥିବା ଟ୍ରେନକୁ ଧକ୍କା ଦେଇଥିବା ସୂଚନା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।