ଫ୍ରାନ୍ସରେ ବଡ଼ କାର୍ଯ୍ୟାନୁଷ୍ଠାନ, ମାଲ୍ୟାଙ୍କ ୧୪ କୋଟି ଟଙ୍କା ଜବତ
ନୂଆଦିଲ୍ଲୀ: କିଙ୍ଗଫିଶର୍ ଏୟାରଲାଇନ୍ସ ଲିମିଟେଡର ମାଲିକ ଓ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଶୁକ୍ରବାର ଇଡି ଫ୍ରାନ୍ସରେ ଥିବା ବିଜୟ ମାଲ୍ୟାଙ୍କର ୧.୬ ମିଲିୟନ୍ ୟୁରୋ ସମ୍ପତ୍ତି ଜବତ କରିନେଇଛି। ଏ ନେଇ ଇଡି ତା’ର ଅଫିସିଆଲ୍ ଟୁଇଟର୍ ହ୍ୟାଣ୍ଡଲରେ ସୂଚନା ଦେଇଛି।
ED seizes asset worth 1.6 Million Euros through French authority located at 32 Avenue FOCH, France of Vijay Mallya under PMLA in a #BankFraudCase
— ED (@dir_ed) December 4, 2020
ଇଡିର ଅନୁରୋଧକ୍ରମେ ବିଜୟ ମାଲ୍ୟାଙ୍କର ଫ୍ରାନ୍ସସ୍ଥିତ ୩୨ ଆଭେନ୍ୟୁ ଫୋଚରେ ଥିବା ସମ୍ପତ୍ତିକୁ ଫ୍ରେଞ୍ଚ୍ ଅଥରିଟି ଜବତ କରିଛି। ଫ୍ରାନ୍ସରେ ଜବତ ହୋଇଥିବା ମାଲ୍ୟାଙ୍କର ସମ୍ପତ୍ତିର ମୂଲ୍ୟ ୧.୬ ମିଲିୟନ୍ ୟୁରୋ (୧୪.୩୪ କୋଟି ଟଙ୍କା)। ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି ଯେ କିଙ୍ଗଫିଶର ଏୟାରଲାଇନ୍ସ ଲିମିଟେଡର ବିଦେଶରେ ଥିବା ବ୍ୟାଙ୍କ ଆକାଉଣ୍ଟରେ ବିପୁଳ ଅର୍ଥ ଜବତ କରାଯାଇଛି।
ସୂଚନାଯୋଗ୍ୟ, ବିଜୟ ମାଲ୍ୟାଙ୍କ ଉପରେ ୯ହଜାର କୋଟି ଟଙ୍କାରୁ ଅଧିକ ବ୍ୟାଙ୍କ ଋଣ ଠକେଇର ମାମଲା ରହିଛି। ବର୍ତ୍ତମାନ ସେ ବ୍ରିଟେନରେ ରହୁଛନ୍ତି। ମାଲ୍ୟାଙ୍କୁ ପ୍ରତ୍ୟର୍ପଣ ପାଇଁ ଭାରତ ସରକାର କିଛି ମାସ ତଳେ ୟୁକେ ସରକାରକୁ ନିବେଦନ କରିଥିଲେ। ବିଜୟ ମାଲ୍ୟାଙ୍କୁ ତୁରନ୍ତ ପ୍ରତ୍ୟର୍ପଣ କରିବା ନେଇ ଭାରତ ସରକାର ମଧ୍ୟ ବ୍ରିଟିଶ ସରକାର ସହ ଯୋଗାଯୋଗରେ ଅଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।