ମୁମ୍ୱାଇ: ମହାରାଷ୍ଟ୍ର ରାଜନୀତିର ମହାନାଟକ ଆହୁରି ରୋଚକ ହେଉଛି। ଦିନ ଯେତିକି ଗଡ଼ୁଛି, ସରକାର ଗଢ଼ିବା ନେଇ ସ୍ଥିତି ସେତିକି ଅସ୍ପଷ୍ଟ ରହୁଛି। ନିର୍ବାଚନ ଫଳାଫଳର ୧୭ ଦିନ ପରେ ବି ରାଜ୍ୟରେ ସରକାର କିଏ ଗଢ଼ିବ ସେ ନେଇ ସ୍ଥିତି ଅସ୍ପଷ୍ଚ ହେବାରେ ଲାଗିଛି। ଆଜି ରାଜ୍ୟପାଳଙ୍କୁ ଭେଟି ବିଜେପି ସ୍ପଷ୍ଟ କରିଛି, ରାଜ୍ୟରେ ସରକାର ଗଢ଼ିବ ନାହିଁ। ଏହାପରେ ବିରୋଧୀ ଆସନରେ ବସିବାକୁ ରାଜନୀତିକ ଦଳ ଅଧିକ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି। ହେଲେ ରାଜ୍ୟର ମଙ୍ଗ ଧରିବାକୁ ଶିବସେନା ଛଡ଼ା ଆଉ କେହି ଦୃଢ଼ୋକ୍ତି ପ୍ରକାଶ କରିପାରୁ ନାହାନ୍ତି। ଏବେ ଶିବସେନା ସରକାର ଗଢ଼ିବା ପାଇଁ ଦାବି କରିବ ନା ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ରାଜ୍ୟରେ ବିଜେପି-ଶବିସେନାକୁ ଜନମତ ମିଳିଛି। ହେଲେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ରହିଛି। ଏହାପରେ ଶିବସେନା ବିଜେପି ନେତୃତ୍ୱାଧୀନ ସରକାରରେ ସାମିଲ୍ ହେବନି ବୋଲି କହିଛି। ୯ ତାରିଖରେ ଗତ ବିଧାନସଭା କାର୍ଯ୍ୟକାଳ ଶେଷ ହୋଇଥିଲା। ଏହାପରେ ସଂଖ୍ୟା ଗରିଷ୍ଠତା ଆଧାରରେ ବିଜେପି ଅଧିକ ଆସନ ଜିତିଥିବାରୁ ରାଜ୍ୟପାଳ ଭଗତ ସିଂହ କୋଶିଆରି ବିଜେପିକୁ ଆମନ୍ତ୍ରଣ କରିଥିଲେ। ଏହାପରେ ଆଜି ବିଦାୟୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ଘରେ ବିଜେପିର ବୈଠକ ବସିଥିଲା। ଏହି ବୈଠକରେ ଦଳ ସରକାର ଗଢ଼ିବ କି ନାହିଁ ଆଲୋଚନା ହୋଇଥିଲା। ଏହାପରେ ରାଜ୍ୟପାଳଙ୍କୁ ଭେଟି ବିଜେପି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟା ନଥିବାରୁ ବିଜେପି ସରକାର ଗଢ଼ିବ ନାହିଁ ବୋଲି ରାଜ୍ୟପାଳଙ୍କୁ ବିଦାୟୀ ମୁଖ୍ୟମନ୍ତ୍ରୀ କହିଛନ୍ତି। ଯଦି ଶିବସେନା ରାଜ୍ୟରେ ସରକାର ଗଢ଼ିବ ତାହାଲେ ବିଜେପି ବିରୋଧୀ ଆସନରେ ବସିବ। କାରଣ ବିଜେପି ପାଖରେ ୧୦୫ ବିଧାୟକ ରହିଛନ୍ତି।
ମହାରାଷ୍ଟ୍ରର ବିଜେପି ସଭାପତି ଚନ୍ଦ୍ରକାନ୍ତି ପାଟିଲ କହିଛନ୍ତି, ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟକୁ ଜନମତ ମିଳିଛି। ରାଜ୍ୟରେ ବିଜେପି ଏକୁଟିଆ ସରକାର ଗଢ଼ିବା ସମ୍ଭବ ନୁହେଁ। ଶିବସେନା ସହଯୋଗୀ ଦଳକୁ ସମର୍ଥନ ନକରି ବିରୋଧୀ ଏନସିପି-କଂଗ୍ରେସ ସହ ସରକାର ଗଢ଼ିବା ପାଇଁ ଇଚ୍ଛା କରୁଛି। ତେଣୁ ବିଜେପି ଏଥିପାଇଁ ଶିବସେନାକୁ ଶୁଭେଚ୍ଛା ଜଣାଉଛି। ସରକାର ଗଢ଼ିବା ନେଇ ଯେଉଁ ସ୍ଥିତି ଉପୁଜିଛି ସେଥିପାଇଁ ଶିବସେନାକୁ ଦୋଷ ଦେଇଛି ବିଜେପି।
ଏବେ ଶିବସେନା ସରକାର ଗଢ଼ିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିପାରେ। ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ଶିବସେନାରୁ ହିଁ ହେବେ ବୋଲି ଦଳର ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି। ପୂର୍ବରୁ ଶିବସେନା କହିଥିଲା, ବିଜେପି ପ୍ରଥମ ସରକାର ଗଢ଼ିବା ପାଇଁ ପ୍ରୟାସ କରୁ। ଯଦି ବିଫଳ ହୁଏ, ତାହେଲେ ଶିବସେନା ସରକାର ଗଢ଼ିବ। ଏନସିପି-କଂଗ୍ରେସକୁ ନେଇ ଶିବସେନା ସରକାର ଗଢ଼ିବ ବୋଲି ଚର୍ଚ୍ଚା ହେଉଛି। ହେଲେ କଂଗ୍ରେସ-ଏନସିପି ଶିବସେନାକୁ ସମର୍ଥନ ବାବଦରେ ସ୍ପଷ୍ଟ କରିନି। ଉଭୟ ବିରୋଧୀ ଆସନରେ ବସିବାକୁ ଅଧିକ ଇଚ୍ଛୁକ ବୋଲି କହିଛନ୍ତି।
ଅନ୍ୟପଟେ ରାଜସ୍ଥାନ ଜୟପୁରରେ ଏକ ହୋଟଲରେ ଥିବା ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ଶିବସେନାକୁ ସମର୍ଥନ କରିବା ପାଇଁ ରାଜି ହୋଇଥିବା ସୂଚନା ରହିଛି। ତେଣୁ ଏବେ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ନିଷ୍ପତ୍ତିକୁ ଅପେକ୍ଷା ବୋଲି ମଲ୍ଲିକାର୍ଜୁନ ଗଣମାଧ୍ୟମକୁ କହିଛନ୍ତି। ବିଧାୟକଙ୍କ ସମର୍ଥନ ପ୍ରସଙ୍ଗକୁ ସୋନିଆଙ୍କୁ ପାଖକୁ ନେଇ ଖାଡ଼ଗେ ଯିବେ ବୋଲି ସଜବାଜ ହେଉଥିବା ବେଳେ ପୂର୍ବତନ ଶିବସେନା ନେତା ତଥା ଏବେର କଂଗ୍ରେସ ନେତା ସଞ୍ଜୟ ନିରୂପମ କହିଛନ୍ତି, ଶିବସେନାକୁ ବିଶ୍ୱାସ କରିବା ଠିକ୍ ହେବନି। ମେଣ୍ଟ କଲେ ଶିବସେନା ବିନାଶକାରୀ ହେବ ବୋଲି ସେ କହିଛନ୍ତି। ସେହିଭଳି ଜୟପୁରରେ କଂଗ୍ରେସ ବିଧାୟକ ଦଳର ବୈଠକ ବସିଥିଲା। ହେଲେ ସହମତି ପ୍ରକାଶ ନପାଇବାରୁ ବିଧାୟକ ଦଳର ନେତା ବାବଦରେ ନିଷ୍ପତ୍ତି ନିଆଯାଇପାରିନି।
ରାଜ୍ୟରେ କଂଗ୍ରେସର ସହଯୋଗୀ ଏନସିପି କହିଛି, କଂଗ୍ରେସର ନିଷ୍ପତ୍ତି ଅନୁସାରେ ଦଳ ଚିନ୍ତା କରିବ। ପୂର୍ବରୁ କିନ୍ତୁ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର କହିଥିଲେ, ମହାରାଷ୍ଟ୍ରବାସୀ ତାଙ୍କ ଦଳକୁ ବିରୋଧୀ ଆସନରେ ବସାଇଛନ୍ତି। ତେଣୁ ସରକାରରେ ସାମିଲ ନହୋଇ ବିରୋଧୀ ଆସନରେ ହିଁ ବସିବ।
ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ବିଜେପି ୧୦୫ଟି, ଶିବସେନା ୫୬, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ଜିତିଛନ୍ତି। ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ୱର ୧୪୫ ରହିଛି। କଂଗ୍ରେସ ଓ ଏନସିପି ମିଶି ୯୮ ଆସନ ଜିତିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।