/odisha-reporter/media/post_attachments/uploadimage/library/16_9/16_9_0/Mobile_APP_1682922429.jpg)
Mobile APP
ଆତଙ୍କବାଦର ପ୍ରଚାର କରିବା ପାଇଁ ଜମ୍ମୁ-କଶ୍ମୀରରେ ବହୁଳ ଭାବେ ବ୍ୟବହାର ହେଉଥିବା ୧୪ଟି ମୋବାଇଲ ଆପ୍କୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର। ପାକିସ୍ତାନରେ ବସିଥିବା ଆତଙ୍କୀ ଆକ୍କାମାନେ ଜମ୍ମୁ-କଶ୍ମୀରରେ ରହୁଥିବା ସେମାନଙ୍କ ସମର୍ଥକ ଓ ସଦସ୍ୟମାନଙ୍କ ସହ ଏହି ସବୁ ଆପ୍ ଗୁଡ଼ିକ ଜରିଆରେ ଯୋଗାଯୋଗ କରୁଥିଲେ। ଏଥିପାଇଁ କେନ୍ଦ୍ର ସରକାର ସେଭଳି ୧୪ଟି ଆପ୍କୁ ବ୍ୟାନ ବା ନିଷିଦ୍ଧ କରିଛନ୍ତି।
ବ୍ୟାନ ହୋଇଥିବା ମେସେଞ୍ଜର ଆପ୍ଲିକେସନ ଗୁଡ଼ିକ ହେଲା କ୍ରିପଭାଇଜର, ଇନିଗମା, ସେଫସ୍ୱିସ, ୱିକ୍ରମେ, ମିଡିଆଫାୟାର, ବ୍ରିଆର, ବିଚ୍ୟାଟ, ନନ୍ଦବକ୍ସ, କୋନିଅନ, ଆଇଏମଓ, ଏଲିମେଣ୍ଟ, ସେକେଣ୍ଡ ଲାଇନ, ଜାଙ୍ଗି ଓ ଥ୍ରୀମା।
ସୂତ୍ର ଅନୁସାରେ, ଏହି ସବୁ ଆପ୍ଗୁଡ଼ିକ ଦ୍ୱାରା ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀମାନେ ବିଭିନ୍ନ ପ୍ରକାରର କୋଡ ମେସେଜକୁ ସେମାନଙ୍କ ଓଭରଗ୍ରାଉଣ୍ଡ ସଦସ୍ୟ ଓ ଅନ୍ୟ ସମର୍ଥକମାନଙ୍କ ପାଖକୁ ପଠାଉଥିଲେ। ଜମ୍ମୁ-କଶ୍ମୀରେ ଏହାକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଉଥିଲା। ସୁରକ୍ଷାକର୍ମୀମାନେ ଦୀର୍ଘ ଦିନ ହେଲାଣି ଏସବୁ ଯୋଗାଯୋଗ ମାଧ୍ୟମ ଉପରେ ନଜର ରଖିଥିଲେ।
ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଏସବୁ ଆପ୍ଗୁଡ଼ିକର କୌଣସି ପ୍ରତିନିଧି ଭାରତରେ ନାହାନ୍ତି। ତେଣୁ ଏହି ଆପ୍ଗୁଡ଼ିକ ଯୋଗେ ହେଉଥିବା କଥାବାର୍ତ୍ତାକୁ ଟ୍ରାକ୍ କରିବା ସୁରକ୍ଷାକର୍ମୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଶେଷରେ ଗୁଇନ୍ଦା ବିଭାଗ ସହାୟତାରେ ଆତଙ୍କବାଦୀମାନେ ବ୍ୟବହାର କରୁଥିବା ଆପ୍ଗୁଡ଼ିକର ତାଲିକା ପ୍ରସ୍ତୁତ କରାଯାଇଥିଲା।
ଏହି ସବୁ ଆପ୍ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବାରୁ ସେଗୁଡ଼ିକ ଉପରେ ବ୍ୟାନ ଲଗାଇବାକୁ ଭାରତ ସରକାରଙ୍କୁ କୁହାଯାଇଥିଲା। ଭାରତ ସରକାର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନ ୨୦୦୦ର ଧାରା ୬୯ଏ ବଳରେ ଏଗୁଡ଼ିକୁ ବ୍ୟାନ କରିଛନ୍ତି।
ଜାତୀୟ ସୁରକ୍ଷା ପାଇଁ ଏପରି ମୋବାଇଲ ଆପ୍ ବ୍ୟାନ କରିବା ଦେଶରେ ନୂଆ ନୁହେଁ। ଏହା ପୂର୍ବରୁ ଭାରତ ସରକାର ଅନେକ ଚାଇନିଜ ଆପ୍କୁ ବ୍ୟାନ କରିଥିଲେ। କିଛି ବର୍ଷ ମଧ୍ୟରେ ସରକାର ପ୍ରାୟ ୨୫୦ଟି ଚାଇନିଜ୍ ବ୍ୟାନ କରି ସାରିଲେଣି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
