Advertisment

ଆପ୍‌ର ବଡ଼ ବିଜୟ: ମେୟର ନିର୍ବାଚନରେ ଭୋଟ ଦେଇପାରିବେନି ମନୋନୀତ ସଦସ୍ୟ

ଉପ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ସଦସ୍ୟମାନେ ଗତଥର ମେୟର ନିର୍ବାଚନ ସମୟରେ ଭୋଟ ଦେବାକୁ ଚେଷ୍ଟା କରିଥିଲେ। ଏହାକୁ ବିରୋଧ କରି ଆପ୍‌ ସଦସ୍ୟମାନେ ନାରାବାଜୀ କରିଥିଲେ।

author-image
Hemant Lenka
MCD

MCD

ସୁପ୍ରିମକୋର୍ଟରେ ବଡ଼ ବିଜୟ ହାସଲ କରିଛି ଦିଲ୍ଲୀର କ୍ଷମତାସୀନ ଆପ୍‌। ଦିଲ୍ଲୀ ମହାନଗର ନିଗମ(ଏମସିଡି)ର ମେୟର ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ ମନୋନୀତ ସଦସ୍ୟ। ଉପ ରାଜ୍ୟପାଳ ଭିକେ ସକ୍ସେନା କିଛି ସଦସ୍ୟଙ୍କୁ ଏମସିଡିକୁ ମନୋନୀତ କରିଥିଲେ। ସେମାନଙ୍କର ଭୋଟ ଦେବାର ଅଧିକାର ରହିଛି ବୋଲି ମଧ୍ୟ ବିଜେପି ଯୁକ୍ତି କରିଥିଲା। ହେଲେ ଆଜି ସୁପ୍ରିମକୋର୍ଟ ସବୁ କିଛି ସ୍ପଷ୍ଟ କରି ମନୋନୀତ ସଦସ୍ୟମାନେ ମେୟର ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ ବୋଲି କହିଛନ୍ତି।

Advertisment

ଏହି ପ୍ରସଙ୍ଗକୁ ଆଧାର କରି ୨ ମାସ ମଧ୍ୟରେ ଏକାଧିକ ଥର ମେୟର ନିର୍ବାଚନ ସ୍ଥଗିତ ହୋଇଥିଲା। ଆପ୍‌ ଅଭିଯୋଗ କରିଥିଲା ଯେ ବିଜେପି ଏମସିଡିକୁ ଦଖଲ କରିବାକୁ ଚାହୁଁଛି। ଏଥିପାଇଁ ଦଳ ଜଣେ ବିଜେପି ନେତାଙ୍କୁ ମେୟର ପଦକୁ ନିର୍ବାଚିତ କରବାକୁ ଚାହୁଁଥିବା ଆପ କହିଥିଲା।

ଉପ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ସଦସ୍ୟମାନେ ଗତଥର ମେୟର ନିର୍ବାଚନ ସମୟରେ ଭୋଟ ଦେବାକୁ ଚେଷ୍ଟା କରିଥିଲେ। ଏହାକୁ ବିରୋଧ କରି ଆପ୍‌ ସଦସ୍ୟମାନେ ନାରାବାଜୀ କରିଥିଲେ। ଫଳରେ ମେୟର ନିର୍ବାଚନ ଅନୁଷ୍ଠିତ ହୋଇ ପାରି ନଥିଲା। ଶେଷରେ ମେୟର ନିର୍ବାଚନ ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିଥିଲା।

Advertisment

ଆଜି ସୁପ୍ରିମକୋର୍ଟ କହିଛନ୍ତି, ମେୟର ନିର୍ବାଚନ ସରିବା ପରେ ଡେପୁଟି ମେୟର ପାଇଁ ଭୋଟ ହେବ। ମେୟର ଥରେ ନିର୍ବାଚିତ ହେବା ପରେ ସେ ଗୁରୁତ୍ୱର ସହ ମିଟିଂ କରିବେ। ମେୟର ନିର୍ବାଚନ ପ୍ରଥମେ ହେବ। ଏହାପରେ ନିର୍ବାଚନ ପ୍ରକିୟାର ଦାୟିତ୍ୱ ନେଇ ମେୟର ଡେପୁଟି ମେୟର ପଦର ଭୋଟିଂ କରାଇବେ।

ସମ୍ବିଧାନର ଅନୁଚ୍ଛେଦ ୨୪୩ଆର ଅନୁସାରେ ମନୋନୀତ ସଦସ୍ୟମାନେ ମେୟର ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ। ନିର୍ବାଚନ ଯଥାଶୀଘ୍ର ହେବା ଦରକାର। ପ୍ରଥମେ ମେୟର, ପରେ ଡେପୁଟି ମେୟର ଓ ଶେଷରେ ଷ୍ଟାଣ୍ଡିଂ କାଉନସିଲ ପାଇଁ ମତଦାନ ହେବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ମେୟର ନିର୍ବାଚନରେ ମନୋନୀତ ସଦସ୍ୟ ଭୋଟ ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ ମଧ୍ୟ ଷ୍ଟାଣ୍ଡି କାଉସିଲ ନିର୍ବାଚନରେ ଭୋଟ ଦେଇପାରିବେ ବୋଲି ଏମସିଡିର ଓକିଲ ମତ ରଖିଛନ୍ତି। 

ସୁପ୍ରିମକୋର୍ଟ ଆପ ସପକ୍ଷରେ ରାୟ ଦେଇଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରି ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ସୁପ୍ରିମକୋର୍ଟଙ୍କ ଆଦେଶ ଗଣତନ୍ତ୍ରର ବିଜୟ। ସୁପ୍ରିମକୋର୍ଟଙ୍କୁ ବହୁତ ବହୁତ ଧନ୍ୟବାଦ। ଅଢ଼େଇ ମାସ ପରେ ଏବେ ଦିଲ୍ଲୀକୁ ମେୟର ମିଳିବେ। ଉପ ରାଜ୍ୟପାଳ ଓ ବିଜେପି ମିଳିତ ଭାବେ କେମିତି ଦିଲ୍ଲୀରେ ବେଆଇନ ଓ ଅସାମ୍ବିଧାନିକ ନିର୍ଦ୍ଦେଶ ଜାରି କରୁଥିଲେ, ସେକଥା ସୁପ୍ରିମକୋର୍ଟଙ୍କ ରାୟରୁ ସ୍ପଟ ହୋଇଛି।”

Bjp Delhi Supreme Court AAP