Advertisment

ଦଇବ ନେଇଗଲା ଦୃଷ୍ଟିଶକ୍ତି, ଦୀପ ହୋଇ ଆଲୋକିତ କରୁଛନ୍ତି ଭାସ୍କର ସାର୍

ବାସୁଦେବପୁର(କିରୀଟି ଦାସ): ଦୃଷ୍ଟି ଶକ୍ତି ନାହିଁ। ହେଲେ ସେ ଶିକ୍ଷାର ବିନ୍ଧାଣି। ଦୁନିଆ କ’ଣ ନିଜେ ଦେଖିପାରୁ ନ ଥାଇବି ଅନ୍ୟକୁ ଶିକ୍ଷାର ଆଲୋକ ଦେଖାଉଛନ୍ତି ସେ । ଗଣିତ ହେଉକି ସାହିତ୍ୟ ଅବା ଇଂରାଜୀ ବିଷୟରେ ସେ ର୍ନିଭୁଲ ପାଠ ପଢାଉଛନ୍ତି। ଶିକ୍ଷକତା ତାଲିମ ନେଇ ନାହାଁନ୍ତି, ପିଲାଙ୍କ ଠାରୁ ପ୍ରଶ୍ନ ଶୁଣିବା ପରେ ସହଜସାଧ୍ୟ ପ୍ରଣାଳୀରେ ପାଠ ବୁଝାଇ ଦେଉଛନ୍ତି। ପାରିଶ୍ରମିକ ଯାହାବି ମିଳୁ  ପିଲାମାନଙ୍କୁ ପାଠ ପଢାଇ ଆତ୍ମସନ୍ତୋଷ ପାଉଛନ୍ତି। ଆଉ ସେ […]

author-image
Tapas Behera
ଦଇବ ନେଇଗଲା ଦୃଷ୍ଟିଶକ୍ତି, ଦୀପ ହୋଇ ଆଲୋକିତ କରୁଛନ୍ତି ଭାସ୍କର ସାର୍

6nm

ବାସୁଦେବପୁର(କିରୀଟି ଦାସ): ଦୃଷ୍ଟି ଶକ୍ତି ନାହିଁ। ହେଲେ ସେ ଶିକ୍ଷାର ବିନ୍ଧାଣି। ଦୁନିଆ କ'ଣ ନିଜେ ଦେଖିପାରୁ ନ ଥାଇବି ଅନ୍ୟକୁ ଶିକ୍ଷାର ଆଲୋକ ଦେଖାଉଛନ୍ତି ସେ । ଗଣିତ ହେଉକି ସାହିତ୍ୟ ଅବା ଇଂରାଜୀ ବିଷୟରେ ସେ ର୍ନିଭୁଲ ପାଠ ପଢାଉଛନ୍ତି। ଶିକ୍ଷକତା ତାଲିମ ନେଇ ନାହାଁନ୍ତି, ପିଲାଙ୍କ ଠାରୁ ପ୍ରଶ୍ନ ଶୁଣିବା ପରେ ସହଜସାଧ୍ୟ ପ୍ରଣାଳୀରେ ପାଠ ବୁଝାଇ ଦେଉଛନ୍ତି। ପାରିଶ୍ରମିକ ଯାହାବି ମିଳୁ  ପିଲାମାନଙ୍କୁ ପାଠ ପଢାଇ ଆତ୍ମସନ୍ତୋଷ ପାଉଛନ୍ତି। ଆଉ ସେ ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲୁଙ୍ଗା ପଂଚାୟତ ନୂଆସାହିର ଭାଷ୍କର ସାର‌୍‍।

Advertisment

ଭାଷ୍କର ମଲ୍ଲିକ।  ବୟସ ୬୦ ପାରି ହେଲାଣି। ଭଗବାନ ତାଙ୍କ ଦୃଷ୍ଟି ଶକ୍ତିକୁ ନେଇଯାଇଛନ୍ତି ସତ। ହେଲେ ଶିଖିବା ଓ ପଢ଼ିବାର ଅଦମ୍ୟ ଇଚ୍ଛା ପାଖରେ ହାର ମାନି ଯାଇଥିଲା ଅକ୍ଷମତା। ନିଜେ ଅନ୍ଧାରରେ ଥାଇ ମଧ୍ୟ ଆଲୋକର ସନ୍ଧାନ କରିପାରିଥିବା ଭାଷ୍କର ସାର‌୍‍ ଏବେ ଅନ୍ୟମାନଙ୍କ ପାଇଁ ଆଲୋକ ବର୍ତ୍ତିକା ପାଲଟିଯାଇଛନ୍ତି। ନିଜେ ଅର୍ଜନ କରିଥିବା ଅଧ୍ୟୟନକୁ ଅନ୍ୟମାନଙ୍କୁ ବାଣ୍ଟି ସେ ବହୁ ମେଧାବୀ ଛାତ୍ର ତିଆରି କରି ଚାଲିଛନ୍ତି। ସକାଳ ସନ୍ଧ୍ୟା ଦୁଇ ବେଳା ତାଙ୍କ ଘର ପାଖରେ ପିଲାମାନଙ୍କ ଭିଡ଼ ଲାଗୁଛି। ପିଲାଟି ବେଳୁ ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ଥିଲେ।

ସ୍କୁଲ ସ୍ତରରେ ପାଠପଢିବା ସମୟରେ ସାମାନ୍ୟ ଆଖି ସମସ୍ୟା ଦେଖାଦେଇଥିଲା। ୧୯୮୦ ରେ ଏକାଦଶ ଶ୍ରେଣୀ ପାଶ କରିଥିଲେ। ପରେ ଭୁବନେଶ୍ୱର ବିଜେବି କଲେଜରେ ବାଣିଜ୍ୟ ବିଭାଗରେ ନାମ ଲେଖାଇଥିଲେ। ସେ ସମୟରେ ଆଖିକୁ ଭଲଭାବେ ଦେଖାଯାଉନଥାଇବି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ଆଉ ବିକମ‌୍‍ ପଢିବା ପାଇଁ ପୁଣି ସେଇଠାରେ ନାମ ଲେଖାଇଥିଲେ। କିଛିଦନ ପାଠ ପଢିବାରେ ଆଖିର ଦୃଷ୍ଟିଶକ୍ତି ବହୁ ମାତ୍ରାରେ କମିଗଲା। ବହିର ଅକ୍ଷର ଦେଖଗଲା ନାହିଁ। ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ବ୍ୟବହାର ପରେବି ଆଖିର କିଛି ପରିବର୍ତନ ହେଲାନାହିଁ। ଧୀରେଧୀରେ ଆଖିର ଦୃଷ୍ଟିଶକ୍ତି କମିବାକୁ ଲାଗିଲା। ସମୟକ୍ରମେ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ଚାଲିଗଲା। ଶେଷରେ ଭାସ୍କରଙ୍କ ପାଠ ପଢିବାର ଉଚ୍ଚ ଆଶା ମଉଳି ଗଲା। ଆଉ ସେହିଠାରୁ ବନ୍ଧାହେଲା ପାଠ ପଢାର ଡୋରୀ।

Advertisment

ଦୃଷ୍ଟିଶକ୍ତି ହରାଇବା ପରେ ମଧ୍ୟ ଭାଷ୍କର ସାର‌୍‍ ଘରେ ବସି ରହି ନଥିଲେ। ପ୍ରଥମେ ସାନଭାଇ ମାନଙ୍କୁ ପାଠ ପଢାଇବା ଆରମ୍ଭ କଲେ। ସାନଭାଇ ମାନେ ଭୁଲ ପଢୁଥିଲେ ସେମାନଙ୍କୁ କହିଦେଉଥିଲେ। ଏପରିକି ଉତ୍ତର କ'ଣ ହେବ କହିଦେଉଥିଲେ। ଧୀରେ ଧୀରେ ନିଜ ଭାଇ ମାନଙ୍କସହ ପାଖପଡୋଶୀ ପିଲା ଭାସ୍କରଙ୍କ ପାଖରେ ପାଠପଢିଲେ। ଭାସ୍କରଙ୍କ ପାଖରେ ପାଠପଢୁଥିବା ପିଲାମାନେ ଭଲ ରେଜାଲ୍ଟ ମଧ୍ୟ କଲେ। ଏବେ ତାଙ୍କ ପାଖରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪୦ଜଣ ପାଖାପାଖି ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଏହି ଗୁରୁଙ୍କ ପାଖରେ ପଢୁଥିବା ଅନେକ ପିଲା ଭଲ ପଦବୀରେ ଏବେ ଅବସ୍ଥାପିତ ହୋଇପାରିଛନ୍ତି। ଦୃଷ୍ଟି ବାଧିତ ଭାସ୍କର ସାର‌୍‍ଙ୍କ ଗୁଣକୁ ସମ୍ମାନ ଜଣାଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ମଧ୍ୟ କରାଯାଇଛି।