Advertisment

୩୦ ଆଇଏଏସଙ୍କୁ ଜିଲ୍ଲା ଦାୟିତ୍ୱ: ସବୁ ମାସର ତୃତୀୟ ସପ୍ତାହରେ ଯିବେ, ରାତିରେ ଗାଁରେ ରହିବେ

ନିର୍ବାଚନୀ ବର୍ଷରେ ରାଜ୍ୟ ସରକାର ୧୦ଟି ଆକାଂକ୍ଷା ଜିଲ୍ଲା ସହ ମୋଟ ୩୦ଟି ଜିଲ୍ଲା ଦାୟିତ୍ୱ ୩୦ଜଣ ବରିଷ୍ଠ ଆଇଏଏସଙ୍କୁ ନ୍ୟସ୍ତ କରିଛନ୍ତି ।

author-image
Ordigital Desk
Loka Seva Bhawan

Loka Seva Bhawan

ନିର୍ବାଚନୀ ବର୍ଷରେ ରାଜ୍ୟ ସରକାର ୧୦ଟି ଆକାଂକ୍ଷା ଜିଲ୍ଲା ସହ ମୋଟ ୩୦ଟି ଜିଲ୍ଲା ଦାୟିତ୍ୱ ୩୦ଜଣ ବରିଷ୍ଠ ଆଇଏଏସଙ୍କୁ ନ୍ୟସ୍ତ କରିଛନ୍ତି । ଏହାସହିତ ସେମାନଙ୍କୁ ପ୍ରତ୍ୟେକ ମାସର ତୃତୀୟ ସପ୍ତାହରେ ଜିଲ୍ଲା ଗସ୍ତରେ ଯାଇ ବ୍ୟାପକ କ୍ଷେତ୍ର ପରିଦର୍ଶନ କରି ଦୁର୍ଗମ ଅଂଚଳରେ ରାତିରେ ରହିବା ସହ ଗ୍ରାମାଂଚଳରେ ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଓ ବିଭିନ୍ନ ଜନସେବା କିଭଳି ପ୍ରଦାନ କରାଯାଉଛି ତା’ର ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଫିସରମାନେ ତୃତୀୟ ସପ୍ତାହରେ ଜିଲ୍ଲା ଗସ୍ତରେ ଯାଉଥିବାରୁ ଏହି ସପ୍ତାହରେ ସରକାରୀସ୍ତରରେ କୌଣସି ପ୍ରକାରର ସମୀକ୍ଷା ବୈଠକ ନରଖିବା ପାଇଁ ବିଭାଗୀୟ ସଚିବ ଓ ଅତିରିକ୍ତ ମୁଖ୍ୟ ସଚିବମାନଙ୍କୁ ପରାମର୍ଶ ଦିଆଯାଇଛି । ଯଦି ଜରୁରୀ ବୈଠକ ଆବଶ୍ୟକ ଥିବ,ତା’ହେଲେ ଏନେଇ ମୁଖ୍ୟ ସଚିବ ନିଷ୍ପତ୍ତି ନେବେ । ଚଳିତ ଏପ୍ରିଲ ମାସରୁ ହିଁ ତୃତୀୟ ସପ୍ତାହ(ପ୍ରତ୍ୟେକ ମାସ)ରେ ବିଭାଗୀୟ ସଚିବମାନେ କୌଣସି ବୈଠକ ସ୍ଥିରୀକୃତ ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ଉନ୍ନୟନ ସଚିବ ଅନୁ ଗର୍ଗଙ୍କ ମାର୍ଚ୍ଚ ୨୭,୩୧ ଓ ଏପ୍ରିଲ ୩ତାରିଖରେ ସମସ୍ତ ସଚିବମାନଙ୍କୁ ଭିନ୍ନ ଭିନ୍ନ ୩ଟି ଚିଠି ଲେଖି ସଚିବ ଓ ବରିଷ୍ଠ ଅଫିସରମାନଙ୍କୁ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରିବା ସହ ପ୍ରତି ମାସର ତୃତୀୟ ସପ୍ତାହରେ ରାଜ୍ୟସ୍ତରରେ କୌଣସି ବୈଠକ ନରଖି ସେମାନଙ୍କୁ ବ୍ୟାପକ କ୍ଷେତ୍ର ପରିଦର୍ଶନ କରିବା ନିମନ୍ତେ ଆବଶ୍ୟକ ସୁଯୋଗ ଦେବାକୁ ପରାମର୍ଶ ଦେଇଛନ୍ତି । ଏହାସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ୧୦ଟି ଆକାଂକ୍ଷା ଜିଲ୍ଲା ଦାୟିତ୍ୱରେ ଥିବା ୧୦ଜଣ ବରିଷ୍ଠ ଆଇଏଏସଙ୍କୁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ୫ଟି କ୍ଷେତ୍ରର ମୋଟ ୪୯ଟି ଦିଗର ପ୍ରଦର୍ଶନର ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀମତୀ ଗର୍ଗ ୨୦୨୨ ଅକ୍ଟୋବର ୭ତାରିଖର ନିର୍ଦ୍ଦେଶନାମାକୁ ପରିବର୍ତ୍ତନ କରି ସଚିବସ୍ତରର ଅଫିସର ଓ ବରିଷ୍ଠ ଅଫିସର(ଆଇଏଏସ ଅଫିସର)ମାନଙ୍କୁ ସାନି ଜିଲ୍ଲା ଦାୟିତ୍ୱ ଆବଂଟନ କରିଛନ୍ତି । ମାର୍ଚ୍ଚ ୨୭ତାରିଖରେ ଜାରି ନିର୍ଦ୍ଦେଶନାମା ଅନୁସାରେ ଏହି ସଚିବସ୍ତରୀୟ ଓ ବରିଷ୍ଠ ଅଧିକାରୀମାନେ ସେମାନଙ୍କୁ ଆବଂଟିତ ଜିଲ୍ଲାକୁ ଗସ୍ତ କରି ବିଭିନ୍ନ ଯୋଜନା ଓ ପ୍ରକଳ୍ପର କାର୍ଯ୍ୟାନ୍ୱୟନର ତଦାରଖ ସହ ଜନସେବା ପ୍ରଦାନ ତଥା ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଏନଏଚଏମ୍ ନିର୍ଦ୍ଦେଶିକା ଆଇଏଏସ ବୃନ୍ଦା ଡିଙ୍କୁ ଅନୁଗୁଳ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ ହୋଇଥିବାବେଳେ ଶ୍ରମ କମିଶନର ଏନ.ଥିରୁମାଳା ନାଏକଙ୍କୁ ବାଲେଶ୍ୱର, ଶିଳ୍ପ ନିର୍ଦ୍ଦେଶକ ସିଦ୍ଦିକ ଆଲମଙ୍କୁ ବରଗଡ଼, ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ସୁଧାଂଶୁ ମୋହନ ସାମଲଙ୍କୁ ଭଦ୍ରକ, ପଂଚାୟତିରାଜ ବିଭାଗର ଅତିରିକ୍ତ ସଚିବ ଗୁହା ପୁନମ ତାପସ କୁମାରଙ୍କୁ ବୌଦ୍ଧ, ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ କଟକ, ଉତରାଂଚଳ ଆରଡିସି ସୁରେଶ କୁମାର ଦଳାଇଙ୍କୁ ଦେବଗଡ଼, ସ୍କୁଲ ଓ ଗଣଶିକ୍ଷା ସଚିବ ଏସ୍ ଅଶ୍ୱଥିଙ୍କୁ ଗଞ୍ଜାମ, ଭିନ୍ନକ୍ଷମ ବିଭାଗ ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କୁ ଯାଜପୁର, ହସ୍ତତନ୍ତ ଓ ବୟନଶିଳ୍ପ ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟଙ୍କୁ ଜଗତସିଂହପୁର, ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ଝାରସୁୁଡ଼ା, ଗ୍ରାମ୍ୟ ଉନ୍ନୟନ ସଚିବ ସଞ୍ଜୟ ସିଂଙ୍କୁ କେନ୍ଦୁଝର, କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ କେନ୍ଦ୍ରାପଡ଼ା, ମହିଳା ଓ ଶିଶୁବିକାଶ ସଚିବ ଶୁଭା ଶର୍ମାଙ୍କୁ ଖୋର୍ଦ୍ଧା, ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କୁ ମୟୂରଭଞ୍ଜ, ପଂଚାୟତିରାଜ ନିର୍ଦ୍ଦେଶକ ବି.ପରମେଶ୍ୱରନଙ୍କୁ ନୟାଗଡ଼, ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀଙ୍କୁ ପୁରୀ, ପୂର୍ତ୍ତ ସଚିବ ବୀରବିକ୍ରମ ଯାଦବଙ୍କୁ ସମ୍ବଲପୁର, ଇପିକଲ ଏମଡି ଭୂପେନ୍ଦ୍ର ସିଂ ପୁନିଆଙ୍କୁ ସୋନପୁର ଓ ଓଏମସି ପରିଚାଳନା ନିର୍ଦ୍ଦେଶକ ବଳବନ୍ତ ସିଂଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଆବଂଟିତ ହୋଇଛି । ସେହିପରି ୧୦ଟି ଆକାଂକ୍ଷା ଜିଲ୍ଲା ଦାୟିତ୍ୱ ନ୍ୟସ୍ତ ହୋଇଥିବା ଅଫିସରମାନେ ହେଲେ-ପଂଚାୟତିରାଜ ସଚିବ ସୁଶୀଲ କୁମାର ଲୋହାନୀଙ୍କୁ ବଲାଙ୍ଗିର, ଶ୍ରମ ସଚିବ ଆର.ସନ୍ଥଗୋପାଳନଙ୍କୁ ଢେଙ୍କାନାଳ, ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଚିତ୍ରା ଅରୁମୁଗମଙ୍କୁ ଗଜପତି, ପଂଚାୟତିରାଜ ସ୍ପେଶାଲ ପ୍ରୋଜେକ୍ଟ ନିର୍ଦ୍ଦେଶକ ଅରବିନ୍ଦ ଡାକୁଆଙ୍କୁ କଳାହାଣ୍ଡି, ମତ୍ସ୍ୟ ଓ ପଶୁସମ୍ପଦ ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠଙ୍କୁ କନ୍ଧମାଳ, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ କୋରାପୁଟ, ସମବାୟ ପ୍ରମୁଖ ସଚିବ ସଞ୍ଜୀବ କୁମାର ଚଢ଼ାଙ୍କୁ ମାଲକାନଗିରି, ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କୁ ନବରଙ୍ଗପୁର, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କୁ ନୂଆପଡ଼ା ଓ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ କୁମାର ପାଢ଼ୀଙ୍କୁ ରାୟଗଡ଼ା ଜିଲ୍ଲାର ଇନଚାର୍ଜ ଭାବେ ଦାୟିତ୍ୱ ନ୍ୟସ୍ତ ହୋଇଛି ।

ଆକାଂକ୍ଷା ଜିଲ୍ଲା ଦାୟିତ୍ୱରେ ଥିବା ଅଫିସରମାନଙ୍କୁ ସମ୍ପୃକ୍ତ ଜିଲ୍ଲାର ସ୍ୱାସ୍ଥ୍ୟ ଓ ପୃଷ୍ଟିକର ଖାଦ୍ୟ, ଶିକ୍ଷା, କୃଷି ଓ ଜଳସମ୍ପଦ, ବିତ୍ତୀୟ ସମାବେଶ ଓ ଦକ୍ଷତା ବିକାଶ ଏବଂ ମୌଳିକ ଭିତ୍ତିଭୂମି ଭଳି ୫ଟି କ୍ଷେତ୍ରର ୪୯ଟି ମାନଦଣ୍ଡର ପ୍ରଦର୍ଶନକୁ ତଦାରଖ କରିବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲାରେ ଏହି ୪୯ଟି  ମାନଦଣ୍ଡର ପ୍ରଦର୍ଶନକୁ ସମ୍ପୃକ୍ତ ଅଫିସରମାନେ ମାସିକ, ତ୍ରୈମାସିକ ଓ ବାର୍ଷିକ ଭିତ୍ତିରେ ତଦାରଖ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ । ସମ୍ପୃକ୍ତ ଅଫିସରମାନେ ନିୟମିତ ଜିଲ୍ଲା ଗସ୍ତ କରି ଏସବୁ ଜିଲ୍ଲାର ବିଭିନ୍ନ ମାନଦଣ୍ଡର ନିୟମିତ ସମୀକ୍ଷା କରିବେ । ସମ୍ପୃକ୍ତ ଜିଲ୍ଲାରେ ସବୁଦିନିଆ ରାସ୍ତା, ସବୁ ଘରକୁ ଶୌଚାଳୟ, ପିଇବା ପାଣି, ବିଦ୍ୟୁତ ସଂଯୋଗ, ଛାତ ଘର , ପଂଚାୟତକୁ ଇଂଟରନେଟ୍ ସୁବିଧା ଆଦି ଭଳି ମୌଳିକ ସୁବିଧା ସହ ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା, ବିଭିନ୍ନ ସରକାରୀ ଯୋଜନାରେ ସାଧାରଣ ଲୋକଙ୍କୁ ସାମିଲ ଆଦିର ମଧ୍ୟ ତଦାରଖ ଏହି ଅଫିସରମାନେ ନିୟମିତ ଭାବେ କରିବେ ।

ସେହିପରି ଶ୍ରୀମତୀ ଗର୍ଗ ଗତକାଲି ଲେଖିଥିବା ଚିଠିରେ ଜିଲ୍ଲା ଦାୟିତ୍ୱରେ ନ୍ୟସ୍ତ ହୋଇଥିବା ସମସ୍ତ ଅଫିସରମାନଙ୍କୁ ପ୍ରତ୍ୟେକ ମାସର ତୃତୀୟ ସପ୍ତାହରେ ଜିଲ୍ଲା ଗସ୍ତରେ ଯାଇ ଗ୍ରାମାଂଚଳ ଓ ଦୁଗର୍ମ ଅଂଚଳରେ ରାତି ବିତାଇବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲାଗସ୍ତରେ ଯାଇ ବ୍ୟାପକ କ୍ଷେତ୍ର ପରିଦର୍ଶନ କରିବା ସହ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ, ଯୋଜନା ଓ ଜନସେବା ଆଦି କିଭଳି ମିଳୁଛି ତା’ର ସମୀକ୍ଷା କରିବା ପାଇଁ କୁହାଯାଇଛି । କ୍ଷେତ୍ର ପରିଦର୍ଶନ ସମୟରେ ଲୋକଙ୍କୁ ଭେଟି ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାକୁ କିଭଳି ଅଧିକ ଲୋକାଭିମୁଖୀ ଓ ସରଳ କରାଯାଇ ପାରିବ ସେ ନେଇ ମତାମତ ସଂଗ୍ରହ ନିମନ୍ତେ ପରାମର୍ଶ ଦିଆଯାଇଛି । ରାଜ୍ୟ ସରକାର ନିକଟ ଅତୀତରେ ଅନେକ ଉଲ୍ଲେଖନୀୟ ପଦକ୍ଷେପ ନେଇ ଶିକ୍ଷା, ସ୍ୱାସ୍ଥ୍ୟ,ଜଳସେଚନ, କୃଷି, ଦକ୍ଷତା ବିକାଶ, ନିବେଶ ବୃଦ୍ଧି ଆଦି କ୍ଷେତ୍ରରେ ପରିବର୍ତ୍ତନ ଆଣିଛନ୍ତି ବୋଲି ଶ୍ରୀମତୀ ଗର୍ଗ ତାଙ୍କ ଚିଠିରେ ଉଲ୍ଲେଖ କରିବା ସହ ଏସବୁର ଫାଇଦା କିଭଳି ସବୁ ବର୍ଗର ଲୋକଙ୍କ ପାଖରେ ପହଂଚିବ ତାହା ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି ।

Odisha Government