ଏମିତି ହୋଇପାରେ ବିଜେପୁର ଗଣିତ: ପ୍ଲସ୍ ମାଇନସ୍ ପ୍ଲସ୍ ମାଇନସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ଉପ ନିର୍ବାଚନକୁ ଆଉ ବାକି ରହିଲା ୧୫ ଦିନ। ଫେବ୍ରୁଆରୀ ୨୪ରେ ହେବ ଭୋଟ୍ ଗ୍ରହଣ। ଏହି ଦିନ ୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୧ ହଜାର ୧୪୪ ଭୋଟର। ତେବେ ମୁଖ୍ୟ ଲଢ଼େଇ ହେବ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ। ଏହି ଉପ ନିର୍ବାଚନର ଏକ ରୋଚକ କଥା ହେଉଛି ଏକଦା ଯେଉଁମାନେ ଶତ୍ରୁ ଥିଲେ ଏବେ ସେମାନେ ମିତ୍ର ହୋଇଛନ୍ତି। ଆଉ […]

Bijepurarithmetic

Bijepurarithmetic

Rakesh Mallick
  • Published: Friday, 09 February 2018
  • Updated: 09 February 2018, 11:30 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ଉପ ନିର୍ବାଚନକୁ ଆଉ ବାକି ରହିଲା ୧୫ ଦିନ। ଫେବ୍ରୁଆରୀ ୨୪ରେ ହେବ ଭୋଟ୍ ଗ୍ରହଣ। ଏହି ଦିନ ୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୧ ହଜାର ୧୪୪ ଭୋଟର। ତେବେ ମୁଖ୍ୟ ଲଢ଼େଇ ହେବ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ। ଏହି ଉପ ନିର୍ବାଚନର ଏକ ରୋଚକ କଥା ହେଉଛି ଏକଦା ଯେଉଁମାନେ ଶତ୍ରୁ ଥିଲେ ଏବେ ସେମାନେ ମିତ୍ର ହୋଇଛନ୍ତି। ଆଉ ଯେଉଁମାନେ ମିତ୍ର ଥିଲେ ସେମାନେ ଶତ୍ରୁ ହୋଇଛନ୍ତି। କେମିତି? ପଢ଼ନ୍ତୁ।

ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ସ୍ୱାମୀ ସୁବଳ ସାହୁ କଂଗ୍ରେସରେ ଥିଲେ। ତାଙ୍କ ମୃତ୍ୟୁ ପରେ ରୀତା ବିଜେଡିରେ ମିଶିଲେ ଓ ପ୍ରାର୍ଥୀ ହେଲେ। ସେହିପରି ବିଜେପି ପ୍ରାର୍ଥୀ ଅଶୋକ କୁମାର ପାଣିଗ୍ରାହୀ ବିଜେଡିରେ ଥିଲେ। ସେ ବିଜେଡି ଟିକେଟ୍‌ରେ ଥରେ ବିଧାୟକ ମଧ୍ୟ ହୋଇଥିଲେ। ରୀତାଙ୍କୁ ବିଜେଡି ଟିକେଟ୍ ଦେବାରୁ ସେ ବିଜେପିରେ ମିଶିଲେ ଓ ବିଜେପି ତାଙ୍କୁ ପ୍ରାର୍ଥୀ କରିଛି। ଆଉ ରହିଲା କଂଗ୍ରେସ। ସ୍ୱାମୀଙ୍କ ମୃତ୍ୟୁ ପରେ ରୀତା ଦଳର ହାତ ଛାଡ଼ି ଦେଲେ। ବହୁ ମାନସ ମନ୍ଥନ ପରେ ଦଳ ଗାଈସିଲଟ ବ୍ଲକ ଉପାଧ୍ୟକ୍ଷ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରିଛି। ଏଣୁ ଲଢ଼େଇ ଘମାଘୋଟ ହେବ। ସମସ୍ତେ ନିଜ ନିଜର ସମ୍ମାନ ରଖିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବେ।

ବିଜେଡି ଅଙ୍କ

ମୁଖ୍ୟମନ୍ତ୍ରୀଙ୍କ ଇମେଜ୍ ଓ ରୀତା ସାହୁଙ୍କ ପ୍ରତି ସହାନୁଭୂତିକୁ ପାଥେୟ କରି ଭୋଟ୍ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ୨୦୦୯ ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଭାତ ଆଦିତ୍ୟ ମିଶ୍ର ୪୭,୮୯୩ଟି ଭୋଟ୍ ପାଇଥିଲେ। ତେବେ ହାରି ଯାଇଥିଲେ। ୨୦୧୪ରେ ଦଳୀୟ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ୫୨,୮୩୨ଟି ଭୋଟ୍ ପାଇ ଥିଲେ, କିନ୍ତୁ ହାରି ଯାଇଥିଲେ। ତେବେ ୨୦୦୯ ନିର୍ବାଚନ ଅପେକ୍ଷା ଦଳକୁ ଏଥର ୪୯୩୯ଟି ଅଧିକ ଭୋଟ୍ ମିଳିଥିଲା। ଏଥର ଦଳ ଆହୁରି ଅଧିକ ଭୋଟ୍ ସହ ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ଉଦ୍ୟମ କରିବ। ବିଜେଡି ନିଜର ଭୋଟ୍ ସହିତ ଏଥର କଂଗ୍ରେସରୁ କିଛି ଭୋଟ୍ ପାଇପାରେ। ସ୍ୱର୍ଗତ ସୁବଳ ସାହୁଙ୍କର ଅନେକ ପିଟା ସମର୍ଥକ ଅଛନ୍ତି। ସେମାନେ କଂଗ୍ରେସକୁ ଭୋଟ୍ ଦେଇ ଆସୁଥିଲେ ବି ଏଥର ରୀତାଙ୍କୁ ଭୋଟ୍ ଦେଇପାରନ୍ତି। ସେମିତି ବିଜେପିରେ ବି ଅଶୋକଙ୍କୁ ନେଇ ଅସନ୍ତୋଷ ରହିଛି। ବିଜେପିର ପୂର୍ବତନ ବରଗଡ଼ ଜିଲ୍ଲା ସଭାପତି ନାରାୟଣ ସାହୁ ବିଜେଡିରେ ମିଶିଛନ୍ତି। ତାଙ୍କରି ମାଧ୍ୟମରେ ଦଳ ବିଜେପିର କିଛି ଭୋଟ୍ ନିଜ ଆଡ଼କୁ କରିବାକୁ ଉଦ୍ୟମ କରିବ।   ତେବେ ଏହା ବି କୁହାଯାଉଛି ଯେ ଅଶୋକ ପାଣିଗ୍ରାହୀ ସିନା ସିଧାସଳଖ ଦଳକୁ ବିରୋଧ କରି ବିଜେଡି ଛାଡ଼ିଲେ, ହେଲେ ଏବେ ବି ଦଳ ଭିତରେ କିଛି ଅସନ୍ତୁଷ୍ଟ ଅଛନ୍ତି। ସେମାନେ ବିଜେଡିର ଭୋଟ୍ ମାଇନସ୍ କରିବେ ବୋଲି କୁହାଯାଉଛି। ସେହିଭୋଟ୍ ସେମାନେ ବିଜେପି ଅବା କଂଗ୍ରେସକୁ ଦେଇପାରନ୍ତି।

ବିଜେପି ଅଙ୍କ

ବିଜେପିର ଅଶୋକ ପ୍ରାଣିଗ୍ରାହୀ ୨୦୧୪ ନିର୍ବାଚନରେ ସ୍ୱାଧୀନ ଭାବେ ଛିଡ଼ା ହୋଇଥିଲେ। କାରଣ ବିଜେଡି ସେଥର ତାଙ୍କୁ ଟିକେଟ୍ ଦେଇ ନଥିଲା। ସେ ୧୮,୨୩୨ଟି ଭୋଟ୍ ପାଇଥିଲେ। ସେହି ନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟଶଙ୍କର ପଟ୍ଟନାୟକ ୩୦,୦୦୧ ଖଣ୍ଡ ଭୋଟ୍ ପାଇଥିଲେ। ୨୦୦୯ରେ ବିଜେପି ପ୍ରାର୍ଥୀ ମହମ୍ମଦ ରଫିକ୍ ୧୯,୪୯୩ଟି ଭୋଟ୍ ପାଇଥିଲେ। ୨୦୦୯ ଅପେକ୍ଷା ୨୦୧୪ରେ ବିଜେପି ପ୍ରାର୍ଥୀ ୧୦,୫୦୮ଟି ଅଧିକ ଭୋଟ୍ ପାଇଥିଲେ। ବିଜେପି ୨୦୧୪ରେ ତୃତୀୟ ସ୍ଥାନରେ ରହିଥିଲେ ବି କଂଗ୍ରେସ ଓ ବିଜେଡିଠାରୁ ୨୦୦୯ ନିର୍ବାଚନ ତୁଳନାରେ ଅଧିକ ଭୋଟ୍ ପାଇଥିଲା। ଏହି ଧାରାକୁ ଅବ୍ୟାହତ ରଖି ଦଳୀୟ ପ୍ରାର୍ଥୀକୁ ବିଜୟୀ କରିବାକୁ ଦଳର ନେତାମାନେ ଲାଗିପଡ଼ିଛନ୍ତି। ଦଳ ତାର ଚିରାଚରିତ ଭୋଟ୍ ସହିତ ଅଶୋକ ପାଣିଗ୍ରାହୀଙ୍କ ଜରିଆରେ ଅସନ୍ତୁଷ୍ଟ ବିଜେଡି ନେତା,କର୍ମୀ ଓ ସମର୍ଥକଙ୍କ ଭୋଟ୍ ହାତେଇବାକୁ ଚେଷ୍ଟା କରିବ। ତେବେ ବିଜେପିରେ କିଛି କମ୍ ଅସନ୍ତୁଷ୍ଟ ନାହାଁନ୍ତି। ଇତି ମଧ୍ୟରେ ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା ୫ ଜଣଙ୍କୁ ଦଳରୁ ସସ୍‌ପେଣ୍ଡ କରିଛନ୍ତି। ଆଉ କେତେ ଜଣଙ୍କୁ ସସ୍‌ପେଣ୍ଡ କରିବେ ବୋଲି ମଧ୍ୟ କୁହାଯାଉଛି। ତେଣୁ ସେମାନଙ୍କ ସମର୍ଥକ ଭୋଟ୍ ବିଜେଡିକୁ ବି ଯାଇପାରେ ଓ କଂଗ୍ରେସକୁ ବି ଯାଇପାରେ। ସେହି ଭୋଟ୍‌ଗୁଡ଼ିକୁ ନାରାୟଣ ସାହୁ ବିଜେଡିକୁ ନେବାକୁ ଚେଷ୍ଟା କରିବେ। ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଥିବା ପ୍ରମୋଦ କୁମାର ଛତର ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଛନ୍ତି। ସେ ବି ବିଜେପିର କିଛି ଭୋଟ୍ ଟାଣି ନେଇପାରନ୍ତି।

କଂଗ୍ରେସ ଅଙ୍କ

କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଗାଈସିଲଟ ବ୍ଲକ୍‌ ଉପାଧ୍ୟକ୍ଷ ଅଛନ୍ତି। ତେଣୁ ନିଜ ବ୍ଲକ୍‌ରେ ତାଙ୍କର ନିଶ୍ଚିତ ଦବ୍‌ଦବା ରହିଛି। ସେ ନିଜ ବ୍ଲକ୍‌ରୁ ଅଧିକରୁ ଅଧିକ ଭୋଟ୍ ହାତେଇବାକୁ ଚେଷ୍ଟା କରିବେ। ଏହା ବାଦ୍ ଦଳ ଅନ୍ୟସ୍ଥାନରେ ନିଜର ପାରମ୍ପରିକ ଭୋଟ୍ ଉପରେ ଲକ୍ଷ୍ୟ ରଖିଛି। ଅସନ୍ତୁଷ୍ଟ ବିଜେପି ଓ ବିଜେଡି ସମର୍ଥକ ମଧ୍ୟ ତାଙ୍କୁ ଭୋଟ୍ ଦେଇପାରନ୍ତି। ଗତ ବିଧାନସଭା ନିର୍ବାଚନରେ ସୁବଳ ସାହୁ ମାତ୍ର ୪୫୮ ଖଣ୍ଡ ଭୋଟ୍‌ରେ ଜିତି ଥିଲେ। ଏଥର ଦଳ ପାଇଁ ସ୍ଥିତି ଜଟିଳ ଅଛି।

ତେବେ ସର୍ବଶେଷରେ ଏତିକି କୁହାଯାଇପାରିବ, ଗଣିତ ହିସାବରେ ବିଜେପି ଓ କଂଗ୍ରେସଠାରୁ ଶାସକ ବିଜେଡି ଭଲ ସ୍ଥିତିରେ ଅଛି। କିନ୍ତୁ ଜନତା ଜନାର୍ଦ୍ଦନ କାହାର ତାହା କେହି ଜାଣନ୍ତିନି। ରାଜନୈତିକ ପାଣିପାଗ ଯାହା କହୁଛି, ଶେଷ ରାତିରେ ବି ପୂରା ପାଣିପାଗ ବଦଳିଯାଇପାରେ। ତେଣୁ ଅପେକ୍ଷା, କିଏ ଜିତୁଛି ବିଜେପୁର ବାଜି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos