ବାଲେଶ୍ୱର(ଓଡ଼ିଶା ରିପୋର୍ଟର):ଲୁଟ୍ ଯୋଜନାରେ ବ୍ୟାଙ୍କକୁ ଯାଇଥିଲେ। ସୁଯୋଗ ଦେଖି ସେଠାରୁ ୨୦ ହଜାର ଟଙ୍କା ନେଇ ଚମ୍ପଟ ମଧ୍ୟ ମାରିଲେ। ହେଲେ ସେଠାରୁ ଫେରାର ହେଉଥିବା ସମୟରେ ଘଟିଲା ଦୁର୍ଘଟଣା। ଏହାପରେ ନିର୍ଦ୍ଦୂମ ଛେଚି ସ୍ଥାନୀୟ ଲୋକେ ପୁଲିସ୍ ଜିମା ଦେଲେ । ଏପରି ଘଟଣା ବାଲେଶ୍ୱର ଜିଲ୍ଲା ରୁପସା ଅଞ୍ଚଳରେ ହୋଇଥିବା ଜଣାଯାଇଛି।
ଯୁବକଦ୍ୱୟ ରୁପ୍ସା ଅଞ୍ଚଳର ଏକ ବ୍ୟାଙ୍କ ସମ୍ମୁଖରୁ ଜଣେ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଲୁଟି ନେଇ ଦ୍ରୁତ ଗତିରେ ବାଇକ୍ରେ ପଳାଉଥିଲେ । ଏହି ସମୟରେ ଏକ ହମ୍ପସ୍ରେ ଭାରସାମ୍ୟ ହରାଇ ନିକଟସ୍ଥ ଏକ ଦୋକାନରେ ଧକ୍କା ହୋଇ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଉକ୍ତ ୨ ଯୁବକଙ୍କୁ ଛେଚିବା ପରେ ପୁଲିସ୍କୁ ହସ୍ତାନ୍ତର କରିଥିଲେ।
ଉକ୍ତ ଯୁବକଦ୍ୱୟଙ୍କଠାରୁ ଲୁଟ୍ ହୋଇଥିବା ୨୦ ହଜାର ଟଙ୍କା ସହ ଏକ କଟୁରୀ ମଧ୍ୟ ଉଦ୍ଧାର କରାଯାଇଛି। ଏ ସମ୍ପର୍କରେ କ୍ଷତିଗ୍ରସ୍ତ ହୋଇଥିବା ଦୋକାନ ମାଲିକ ଅଜିତ କୁମାର ହାତି ରୁପ୍ସା ଥାନାରେ ଏତଲା ଦେବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ୨ ଅଭିଯୁକ୍ତ ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।