ତେଲକୋଇ (ଚିନ୍ମୟ କୁମାର ସାହୁ): ପ୍ରବଳ କ୍ଷତି ଯୋଗୁ ଟସର ଚାଷ ଛାଡ଼ିବାକୁ ବସିଲେଣି ଚାଷୀ। ହେଲେ ଚାଷୀଙ୍କ ଏଭଳି ଦୁର୍ଦ୍ଦଶା ପ୍ରତି ଦୃଷ୍ଟି ଦେଉନାହାନ୍ତି ରାଜ୍ୟ ସରକାର। କେନ୍ଦୁଝର ଜିଲ୍ଲାରୁ ଆସିଛି ଏଭଳି ଚିତ୍ର।
ତେଲକୋଇ ବ୍ଲକ ଟସର ଚାଷୀ ଟସର ଚାଷରେ କ୍ଷତିକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଲଗାତାର ୩ ବର୍ଷ ଧରି କ୍ଷତି ପରେ କ୍ଷତି ସହି ଚାଲିଛନ୍ତି ଏଠାକାର ଚାଷୀ।
ଅଭିଯୋଗ ମୁତାବକ, ମଞ୍ଜିରୁ ପୋକ ବାହାରି ବଡ଼ ହେଲାପରେ ଗଛରେ ମରି ଯାଉଛନ୍ତି। ଯେଉଁ ସମୟରେ ପୋକ ଟସର ବାନ୍ଧିବା କଥା, ଠିକ୍ ତାହା ପୂର୍ବରୁ ଟସର ପୋକରେ ମରୁଡି ଧରୁଛି। ଏ ମରୁଡିକୁ ନେଇ ନା ତାଙ୍କୁ ମିଳୁଛି ବୈଷୟିକ ସହାୟତା, ନା ଚାଷକୁ ଉନ୍ନତ କରିବା ନିମନ୍ତେ ଆଧୁନିକ ଜ୍ଞାନକୌଶଳ। ଫଳରେ ଟସର ଚାଷ ବେଶ ପ୍ରଭାବିତ ହୋଇଛି। ପରିସ୍ଥିତି ଏପରି ହେଲାଣି ଯେ ଟସର ଚାଷ ନ କରିବାକୁ ଚାଷୀ ନିଷ୍ପତ୍ତି ନେଇଛନ୍ତି।
ସରକାରୀ ସହାୟତା ନ ମିଳିଲେ ତେଲକୋଇ ବ୍ଲକରେ ଟସର ଚାଷରେ ଚଳିତ ବର୍ଷ ଚାଷୀ ପ୍ରବଳ କ୍ଷତି ସହିବା ସହିତ ଦେବାଳିଆ ହୋଇଯିବେ ବୋଲି ଅଭିଯୋଗ କରିଛନ୍ତି। ଟସର ଚାଷ ନିମନ୍ତେ ଅସନ ଓ ଅର୍ଜୁନ ଗଛ ବେଶ ସହାୟକ ହୋଇଥାଏ। ଟସର ପୋକ ଏହି ଗଛର ପତ୍ର ଖାଇ ଟସର ପ୍ରସ୍ତୁତିରେ ସହାୟକ ହୋଇଥାଏ। ହେଲେ ଗଛରୁ ପତ୍ର ନଷ୍ଟ ହୋଇଯାଉଥିବା ବେଳେ ପୋକ ମରି ଯାଉଛନ୍ତି। ତେଣୁ ଏ ସବୁ ଗଛକୁ କାଟି ଅନ୍ୟ କିଛି ଚାଷ କରିବେ ବୋଲି ଚାଷୀ କହିଲେଣି।
ଏନେଇ ବିଞ୍ଝବାହାଳ ପଞ୍ଚାୟତର ଚାଷୀ ଧୋବା ପ୍ରଧାନ ଓ କଣ୍ଠ ପ୍ରଧାନ କହିଛନ୍ତି, ଏଠାର ପ୍ରାୟ ୮୦ ହେକ୍ଟର ଜମିରେ ୧୨୫ ଜଣ ଚାଷୀ ଟସର ଚାଷ କରି ଆସୁଛନ୍ତି। ଦେଢ଼ ମାସ ଭିତରେ ଜଣେ ଚାଷୀଙ୍କୁ ୩୦ରୁ ୪୦ ହଜାର ଟଙ୍କା ଲାଭ ମିଳିଥାଏ। ଚଳିତ ବର୍ଷ ସୋସାଇଟିରୁ ଟସର ଚାଷ ପାଇଁ ମଞ୍ଜି କିଣିଥିଲେ। ହେଲେ ଗତ ଦୁଇବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟସର ପୋକ ମାରି ଯାଉଥିବାରୁ ଲାଭ ମିଳିବା ଦୂରର କଥା, ମୂଳ ମଧ୍ୟ ମିଳିବନି। ଅସନ ଓ ଅର୍ଜୁନ ଗଛଗୁଡ଼ିକ ମଧ୍ୟ ଏହି ସମୟରେ ରୋଗାକ୍ରାନ୍ତ ହୋଇପଡ଼ୁଛନ୍ତି। କୃଷି ବିଭାଗ ଯୋଗାଇ ଦେଉଥିବା କୀଟନାଶକ କାମ କରୁନି। ତେଣୁ ମନ ଭାରି ଦୁଃଖ। ସରକାର ଦୁଃଖ ନ ବୁଝିଲେ ଚାଷ ଛାଡ଼ିବାକୁ ଚାଷୀ ବାଧ୍ୟ ହେବେ ବୋଲି କହିଛନ୍ତି।
[caption id="attachment_776541" align="aligncenter" width="650"] ଟସର ପୋକ ମରି ଯାଉଥିବା ନେଇ ଚାଷୀ କରୁଛନ୍ତି ଅଭିଯୋଗ।[/caption]
ସୂଚନା ମୁତାବକ, ତେଲକୋଇ ବ୍ଲକ ଟସର ଚାଷକୁ ନେଇ ବେଶ୍ ଖ୍ୟାତି ରହିଛି। ଏଠାରେ ପ୍ରାୟ ଅଢ଼େଇ ହଜାର ଚାଷୀ ଟସର ଚାଷ କରିଥାନ୍ତି ଏବଂ ପ୍ରାୟ ୭୦୦ ହେକ୍ଟର ଜମିରେ ଟସର ଚାଷ ହୋଇଥାଏ।
ତେବେ ଚାଷୀଙ୍କ ଏଭଳି ଅଭିଯୋଗ ନେଇ କୃଷି ବିଭାଗ, ଉଦ୍ୟାନ ବିଭାଗ କିମ୍ବା ଟସର୍ ସୋସାଇଟି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।