ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମହାମାରୀ (କୋଭିଡ-୧୯) ସଂକ୍ରମଣ କାରଣରୁ ଦେଶବ୍ୟାପୀ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଜାରି ରହିଛି । ଏଭଳି ସ୍ଥିତିରେ ବିଭିନ୍ନ ପ୍ରକାରର ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯିବା କାରଣରୁ ନିର୍ମାଣ ଶ୍ରମିକଙ୍କ ରୋଜଗାରର ବାଟ ବନ୍ଦ ହୋଇଯାଇଛି । ଏହି ମାନ୍ଦାବସ୍ଥା ସମୟରେ ସେମାନଙ୍କ ଜୀବନ ଧାରଣକୁ ସହଜ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକମାନଙ୍କୁ ୧୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଏହାଦ୍ୱାରା ବହୁସଂଖ୍ୟକ ନିର୍ମାଣ ଶ୍ରମିକ ଉପକୃତ ହୋଇଛନ୍ତି ।
ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡ଼ା ପଂଚାୟତ ବନ୍ଧୁଗୁଡ଼ା ଗ୍ରାମରେ ବଣ୍ଡା ଜନଜାତିର ନିର୍ମାଣ ଶ୍ରମିକମାନଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୧୫ ଶହ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ସଂପୃକ୍ତ ଗ୍ରାମର ଯାତ୍ରୀ ବିଶ୍ରାମାଗାରରେ ହିତାଧିକାରୀଙ୍କୁ ଏହି ଅର୍ଥ ପ୍ରଦାନ କରାଯାଇଥିଲା । ଏଥିପାଇଁ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଥିବା ବେଳେ ହିତାଧିକାରୀମାନେ ୧ ମିଟର ଦୂରତାରେ ଠିଆ ହୋଇ ଏହି ଅର୍ଥ ଗ୍ରହଣ କରିଥିଲେ । ଏଥିପାଇଁ ମୁଦୁଲିପଡ଼ା ପଂଚାୟତ ପକ୍ଷରୁ ହାତ ଧୋଇବା ସହ ସାନିଟାଇଜର ଯୋଗାଇ ଦିଆଯାଇଥିଲା । ବନ୍ଧୁଗୁଡ଼ା ଗ୍ରାମର ଲଚ୍ଛିମ ମୁଦୁଲି ପଂଚାୟତ ଅଧିକାରୀମାନଙ୍କ ଠାରୁ ୧୫ଶହ
ଟଙ୍କା ଆର୍ଥିକ ସହାୟତା ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ଆମକୁ ତିନି ମାସ ପାଇଁ ଖାଦ୍ୟଶସ୍ୟ ଏବଂ ଆର୍ଥିକ ସହାୟତା ମିଳିଛି । ସେହିପରି ବିପିଏଲ କାର୍ଡ ଥିବାରୁ ଆହୁରି ୧ହଜାର ଟଙ୍କାର ସହାୟତା ମଧ୍ୟ ମିଳିଛି । ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ।
ଏପ୍ରିଲ ୧୩ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ଆଇନ ଅନୁଯାୟୀ ଗଠନ କରାଯାଇଥିବା ତଥା ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ୨.୧୭ କୋଟି ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କା ଲେଖାଏଁ ଆର୍ଥିକ
ସହାୟତା ଯୋଗାଇ ଦିଆଯାଇଛି। ଏହି ଯୋଜନା ଅଧୀନରେ ୩.୦୭ କୋଟି ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହି ଆର୍ଥିକ ସହାୟତା ପାଇଁ ବହୁସଂଖ୍ୟକ ନିର୍ମାଣ ଶ୍ରମିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସୂଚନା ଯୋଗ୍ୟ, କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଦେଶରେ ଜାରି ଲକଡାଉନ ସମୟରେ ଗରିବ ଲୋକଙ୍କୁ ସହାୟତା ନିମନ୍ତେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଗତ ୨୬ ମାର୍ଚ୍ଚ, ୨୦୨୦ରେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ୧.୦୭ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।