ଜଳେଶ୍ୱର(ଅଜିତ ଦାସ): ଥଣ୍ଡା ରାତିରେ ମୁମୂର୍ଷ ଅବସ୍ଥାରେ ରାସ୍ତାରେ ପଡ଼ି ରହିଥିଲେ ମହିଳା। ସକାଳୁ ସକାଳୁ ଲୋକେ ଦେଖି କେଉଁଠୁ ଆସିଲ, କିଏ ଛାଡ଼ି ଦେଇଗଲା ପଚାରିବାରୁ ମିଳୁ ନ ଥିଲା ସଠିକ୍ ଉତ୍ତର। କଥାରେ ରହୁ ନ ଥିଲା ତାଳମେଳ। ଅଧା ଖଣ୍ଡି ଓଡ଼ିଆ ଓ ହିନ୍ଦୀରେ କଥା ହେଉଥିବା ମହିଳା ଜଣକ ନିଜ ଘର ଖୋର୍ଦ୍ଧା ଜିଲ୍ଲାରେ ବୋଲି କହୁଛନ୍ତି। ହେଲେ ବାଲେଶ୍ୱର ଜିଲ୍ଲା ନାପଖାଲିନା ରାସ୍ତାରେ କିଏ ଛାଡ଼ି ଦେଇଗଲା ପଚାରିବାରୁ କିଛି ମନ ପକାଇବାକୁ ଚେଷ୍ଠା କରି କେବଳ ଅନ୍ୟମାନଙ୍କ ମୁହଁକୁ ବଲବଲ କରି ଚାହୁଁଥିଲେ। କେତେବେଳେ କହୁଥିଲେ ସ୍ୱାମୀ ଆଣି ଛାଡ଼ି ଦେଇ ପଳାଇଲେ , ତ କେତେବେଳେ ପାଟିରୁ ବାହାରୁଥିଲା ୬ଜଣ ବୋଲି ।
ଏପରି ଚିତ୍ର ଆଜି ବଡ଼ି ଭୋରରୁ ବାଲେଶ୍ୱର ଜିଲ୍ଲା ନାପଖାଲିନା ରାସ୍ତାରେ ଦେଖିବାକୁ ମିଳିଥିଲା। ରାସ୍ତାରେ ଜଣେ ମହିଳା ପଡ଼ିଥିବା ଦେଖି ଆସ୍ତେଆସ୍ତେ ତାଙ୍କ ନିକଟରେ ଭିଡ଼ ଜମିଥିଲା। ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ ମଧ୍ୟ ୨ ଘଣ୍ଟା ପର୍ଯ୍ୟନ୍ତ ପୁଲିସ୍ର ଦେଖା ମିଳି ନ ଥିଲା। ଫଳରେ ସ୍ଥାନୀୟ ଲୋକେ ଓ ଗଣମାଧ୍ୟମ ପ୍ରତିନିଧି ମହିଳାଙ୍କୁ ଉଦ୍ଧାର କରି ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟାକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ଅନ୍ୟପକ୍ଷରେ ମହିଳାଙ୍କ ସମ୍ପର୍କରେ ଓ ତାଙ୍କ ପରିବାର ସମ୍ପର୍କରେ କିଛି ଜଣା ପଡ଼ି ନାହିଁ। ତେଣୁ ପୂରା ଘଟଣା ଉପରୁ ପରଦା ହଟି ପାରୁନି। ଏନେଇ ପୁଲିସ୍ କୌଣସି ମାମଲା ରୁଜୁ କରି ନାହିଁ। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ମହିଳାଜଣକ ସୁସ୍ଥ ହେବା ପରେ ତାଙ୍କ ସମ୍ପର୍କରେ ଅଧିକ ସୂଚନା ମିଳିପାରିବ ବୋଲି ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।