ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁଆଁରୀ ବା ସଂପୂର୍ଣ୍ଣ ନୂଆ ଲୁହା ଓ ବକ୍ସାଇଟ୍ ଖଣି ଲିଜ୍ ପାଇଁ ନିଲାମ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା, ଓଡ଼ିଶା ବନ୍ୟ ପ୍ରାଣୀ ସୋସାଇଟର ସଂପାଦକ ତଥା ଜଙ୍ଗଲ ପରିବେଶ ବିଶେଷଜ୍ଞ ଡ: ବିଶ୍ୱଜିତ ମହାନ୍ତି ଓ କେନ୍ଦୁଝର ନାଗରିକ ସମାଜର ସଭାପତି କିରଣ କୁମାର ସାହୁ। ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସେମାନେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ଯେ ଗନ୍ଧଲପଡ଼ା-କର୍ଲାପାଟ ପରି ମୂଲ୍ୟବାନ ଜଙ୍ଗଲ ଓ ତା’ର ଜଳ-ଜୈବ ବିବିଧତା ସମ୍ବଳକୁ ଭବିଷ୍ୟତ ଓଡ଼ିଶା ଓ ଜଳବାୟୁ ସୁରକ୍ଷା ପାଇଁ ସଂରକ୍ଷିତ ରଖାଯାଉ। ନଚେତ୍ ରାଜ୍ୟ ସମ୍ବଳହୀନ ହେବା ସହ ହଜାର ହଜାର ଜଙ୍ଗଲବାସୀ ପରିବାରଗୁଡ଼ିକ ଜୀବିକାରୁ ବଞ୍ଚିତ ହେବେ।
ସେମାନେ ତଥ୍ୟ ପ୍ରକାଶ କରି କହିଛନ୍ତି, ଓଡ଼ିଶା ସରକାର ୧୧ଟି ଖଣି ନିଲାମ କରିବାକୁ ଯାଉଛନ୍ତି, ସେଗୁଡ଼ିକ ମଧ୍ୟରେ ଅଛି ୫ଟି କୁଆଁରୀ ବା ସଂପୂର୍ଣ୍ଣ ନୂଆ ଲୁହାଖଣି ଓ ଗୋଟିଏ ବକ୍ସାଇଟ୍ ଖଣି। ଏଗୁଡ଼ିକ ମଧ୍ୟରେ କେନ୍ଦୁଝର ଯୋଡ଼ା ବ୍ଲକ ଅନ୍ତର୍ଗତ ବଉଲି ପଞ୍ଚାୟତ ଗନ୍ଧଲପଡ଼ା ଘଞ୍ଚ ଜଙ୍ଗଲ ଓ କଳାହାଣ୍ଡିର କର୍ଲାପାଟ ଜଙ୍ଗଲ ସମେତ କୁଆଁରୀ ଜଙ୍ଗଲଗୁଡ଼ିକର ସୁରକ୍ଷା ଓଡ଼ିଶାର ଭବିଷ୍ୟତ ପିଢ଼ି ଓ ସ୍ଥାନୀୟ ଜଙ୍ଗଲ ବା ଲୋକଙ୍କର ଜୀବିକା ସୁରକ୍ଷା ତଥା ପରିବେଶୀୟ ନ୍ୟାୟ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ରାଜ୍ୟରେ ଅବସ୍ଥିତ ଇସ୍ପାତ ପ୍ରକଳ୍ପଗୁଡ଼ିକ ପାଇଁ ସ୍ୱତନ୍ତ୍ର ଭାବେ ଖଣି ଲିଜ୍ ଥିବା ବେଳେ ବର୍ତ୍ତମାନ ଦେଶ-ବିଦେଶ ବଜାରରେ ବିକ୍ରି କରିବା ପାଇଁ ମୂଲ୍ୟବାନ ଲୁହାପଥର ଓ ବକସାଇଟ କମ୍ପାନୀମାନଙ୍କ ମୁନାଫା ପାଇଁ ନିଲାମ ଦ୍ୱାରା ରାଜ୍ୟ ସମ୍ବଳହୀନ ହେବ ଓ ଭବିଷ୍ୟତ ବଂଶଧରଙ୍କ ପ୍ରତି ଅନ୍ୟାୟ ହେବ। ଏହା ସହ ହଜାର ହଜାର ଜଙ୍ଗଲବାସୀ ଜୀବିକା ହରାଇବା ସହ ରାଜ୍ୟରେ ମରୁଭୂମି ସୃଷ୍ଟି ହେବ।
ଜଙ୍ଗଲ ଅଧିକାର ଆଇନ (୨୦୦୬), ପେସା ଆଇନ ଓ ସମ୍ବିଧାନର ୫ମ ଅନୁଚ୍ଛେଦରେ ଥିବା ଆଦିବାସୀ ସମାଜର ଅଧିକାର ଉଲଙ୍ଘନ ସହ ୨୦୧୩ ଭୂଅଧିଗ୍ରହଣ ଆଇନ ଅନୁଯାୟୀ ସାମାଜିକ ପ୍ରଭାବ ଆକଳନ ଅଧ୍ୟୟନ ପ୍ରସ୍ତୁତି ପୂର୍ବରୁ ପ୍ରାକୃତିକ ସମ୍ବଳ ନିଲାମ କରିବା ବେଆଇନ, ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ।
ଗନ୍ଧଲପଡ଼ା ଜଙ୍ଗଲରେ ୯ ଲକ୍ଷ ବୃକ୍ଷରୁ ୭୩% ପ୍ରତିଶତ ଶାଳ। ଏପରି ଏକ ପ୍ରାକୃତିକ ଜଙ୍ଗଲ ସୃଷ୍ଟି ପାଇଁ ୫୦୦ ବର୍ଷ ଅପେକ୍ଷା କରିବାକୁ ହେବ। ଗୋଟିଏ ଶାଳ ଗଛର ୩୦ ଇଞ୍ଚ ଗୋଲେଇ ସୃଷ୍ଟି ପାଇଁ ପ୍ରାୟ ୩୦ ବର୍ଷ ଲାଗିଯାଉଥିବା ବେଳେ ଏକ ପୂର୍ଣ୍ଣାଙ୍ଗ ପରିପକ୍ୱ ବୃକ୍ଷ ଶହେ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହେ। ସେହି ଦୃଷ୍ଟିରୁ ଶାଳ ବଣର ସ୍ଥାୟିତ୍ୱ ପରିବେଶ, ଜଳବାୟୁ ସୁରକ୍ଷା ସହ ଅମ୍ଳଜାନ ଓ ଆଦିବାସୀଙ୍କ ଜୀବିକା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। କେନ୍ଦୁଝର ଜିଲ୍ଲା ଅବିଚାରିତ ଖଣି ଖନନ ଦ୍ୱାରା ଅତି ମାତ୍ରରେ ବିପର୍ଯ୍ୟସ୍ତ, ଜଙ୍ଗଲ ଶେଷ ହୋଇଯାଉଥିବା ବେଳେ ବର୍ଜ୍ୟ ଖଣି ଅଞ୍ଚଳ ମରୁଭୂମି ଦୃଶ୍ୟମାନ। ଗନ୍ଧଲପଡ଼ା ପରି ଶାଳ ଜଙ୍ଗଲକୁ ମାରି ଦେବା ଅର୍ଥ କେନ୍ଦୁଝରକୁ ଶ୍ୱାସରୁଦ୍ଧ କରିବା ସହ ସମାନ।
ସେହିପରି କର୍ଲାପାଟ ଜଙ୍ଗଲରେ ହାତୀମାନଙ୍କ କରିଡର ରହିଛି, ଏହା ସହ ବନ୍ୟପ୍ରାଣୀ ଅଭୟାରଣ୍ୟ ରହିଛି। ଯେଉଁଠି ତିନି ଶହରୁ ଅଧିକ ଛୋଟ-ବଡ଼ ଝରଣା ରହିଛି। ଅଭୟାରଣ୍ୟକୁ ସଂରକ୍ଷଣ ପାଇଁ ସରକାରଙ୍କ ଗୁରୁଦାୟିତ୍ୱ ଥିବା ବେଳେ ତାକୁ ଧ୍ୱଂସ କରିବା ପାଇଁ ଖଣି ନିଲାମ ଉଦ୍ଦିଷ୍ଟ। ସେହି ଜଙ୍ଗଲ ଉପରେ ଲକ୍ଷାଧିକ ଆଦିବାସୀ ସମେତ ବିଭିନ୍ନ ଶ୍ରେଣୀର ଜଙ୍ଗଲବାସୀ ନିର୍ଭର କରୁଛନ୍ତି। ତେଣୁ କର୍ଲାପାଟର ସୁରକ୍ଷା ପାଇଁ ସେଠାର ଖଣି ଖନନ ନିଷିଦ୍ଧ ଏକାନ୍ତ ଜରୁରୀ। ସୁନ୍ଦରଗଡ଼ ଜିଲ୍ଲାରେ ଜଙ୍ଗଲ କମି କମି ଆସୁଛି। ବର୍ତ୍ତମାନ ଖଣ୍ଡାଧାର ପାହାଡ଼ର ନିକଟରେ ବ୍ୟାପକ ଲୁହାଖଣି ଖନନ ହେଉଥିବା ବେଳେ ଜଙ୍ଗଲ ଧ୍ୱଂସ ହେଉଛି, ଜଳ ଧାରା ଶୁଖିଯାଉଛି। ଆଦିବାସୀମାନଙ୍କ ଜୀବିକା ଚାଲିଯାଉଛି।
ବର୍ତ୍ତମାନ ପୁଣି ୫ଟି କୁଆଁରୀ ତଥା ନୂଆ କରି ଖଣି ଖନନ ଦ୍ୱାରା କାଶିଆ, ଝୁମୁକା ପଥର ପୋସି ଓ ଚାନ୍ଦିପୋଷି ଥିବା ବଡ଼ ବଡ଼ ଜଙ୍ଗଲ ୧୫୦୦ ଏକର ପର୍ଯ୍ୟନ୍ତ ବିଲୋପ ହେବ। ଏ ସମସ୍ତ ଖଣି ଆମ ରାଜ୍ୟର ଇସ୍ପାତ ଉତ୍ପାଦନ ଚାହିଦା ପାଇଁ ନୁହେଁ, ବରଂ ଦେଶ-ବିଦେଶ ବଜାରରେ ବିକ୍ରି ପାଇଁ ଘରୋଇ ମାଲିକମାନଙ୍କୁ ଲିଜ୍ ଦିଆଯିବ। ଏପରି ସମ୍ବଳ ଶେଷ କରି ଦେବା ଦ୍ୱାରା ରାଜ୍ୟ ସମ୍ବଳହୀନ ହୋଇଯିବ ଓ ଆସନ୍ତା ଭବିଷ୍ୟତ ପିଢ଼ିମାନଙ୍କ ପ୍ରତି ଅନ୍ୟାୟ ହେବ। ରାଜ୍ୟ ସରକାର ରାଜ୍ୟର ବନ୍ୟପ୍ରାଣୀ ପରିଷଦ ଜରିଆରେ ନିୟମ ଓ ଆଇନକୁ ଉଲଙ୍ଘନ କରି ଖଣିଖନନ ପାଇଁ ପରିବେଶ ଅନୁମତି ସୁଗମ କରିବା ପାଇଁ କର୍ଲାପାଟ ବନ୍ୟପ୍ରାଣୀ ଅଭୟାରଣ୍ୟର ସୀମାକୁ ହ୍ରାସ କରିବାକୁ ନିଆଯାଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ପାଇଁ ସେମାନେ ନିବେଦନ କରିଛନ୍ତି।
ଓଡ଼ିଶା ସରକାରଙ୍କ ନିକଟରେ ସେମାନେ ଉଠାଇଥିବା ଦାବିଗୁଡ଼ିକ ହେଲା :
୧. ଗନ୍ଧଲପଡ଼ା ଓ କର୍ଲାପାଟ ପରି ଘଞ୍ଚ ଜଙ୍ଗଲ ସଂରକ୍ଷଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ୧୧ଟି ଖଣି ମଧ୍ୟରୁ ୭ଟି ନୂଆ କୁଆଁରୀ ଖଣି ନିଲାମ ବାତିଲ କରାଯାଉ। ନଚେତ୍ ପ୍ରାକୃତିକ ସମ୍ପଦ ସହ ଯୋଡ଼ି ହୋଇଥିବା ଜୀବନ ଜୀବିକା ତଥା ଜଳବାୟୁ ନ୍ୟାୟ ପାଇଁ ଖଣି ଆନ୍ଦୋଳନ ଅପରିହାର୍ଯ୍ୟ ହେବ।
୨. ସରକାର ଖଣି ନିଲାମ ଓ ଲିଜ୍ ନ ଦେଇ ଆବଶ୍ୟକତା ଅନୁଯାୟୀ ଓଏମସି ଦ୍ୱାରା ଖଣି ଖନନ କରି ବଜାର ଦରରେ ଶିଳ୍ପଗୁଡ଼ିକୁ ବିକ୍ରି କରିବା ଆବଶ୍ୟକ। ତଦ୍ୱାରା କମ ଖଣିଜ ପଦାର୍ଥ ବ୍ୟବହାର କରି ଅଧିକ ରାଜସ୍ୱ ମିଳିବ।
୩. ରାଜ୍ୟର ଖଣିଜ ସମ୍ପଦ ଭଣ୍ଡାର କେତେ ଶେଷ ହେଲାଣି, କେତେ ଗଚ୍ଛିତ ଓ କେତେ ଆବଶ୍ୟକ ସହ ଭବିଷ୍ୟତର ସୁରକ୍ଷା ପାଇଁ ଯୋଜନା ଉପରେ ସରକାର ଏକ ଶ୍ୱେତ ପତ୍ର ଜାରି କରିନ୍ତୁ।
୪. ନୂଆ ଖଣି ଦ୍ୱାରା ଜଙ୍ଗଲ ଧ୍ୱଂସର ସାମାଜିକ ଓ ପରିବେଶୀୟ ପ୍ରଭାବ ଆକଳନ ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଉ। ଏହି ରିପୋର୍ଟ ପ୍ରସ୍ତୁତ ପରି ସର୍ବସାଧାରଣଙ୍କ ମଧ୍ୟରେ ଖୋଲା ଚର୍ଚ୍ଚା କରାଯାଉ।
୫. ବିକାଶ ନାମରେ ରାଜ୍ୟର ଜଳ, ଜଙ୍ଗଲ ଓ ଜମିକୁ କମ୍ପାନୀ ହାତରେ ଟେକି ଦେବା ବନ୍ଦ କରାଯାଉ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।