କାର୍ଗିଲ ଯୁଦ୍ଧ ସମୟର କଥା ବଖାଣିଲେ ଓଡ଼ିଆ ଯବାନଙ୍କ ଝିଅ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ଲଢ଼ିଥିବା ଯବାନଙ୍କ ବୀରତ୍ୱର ଗାଥା ମନେ ପକାଇ ଜୁଲାଇ ୨୬କୁ ଆମେ ପ୍ରତିବର୍ଷ ‘କାର୍ଗିଲ ବିଜୟ ଦିବସ’ ରୂପରେ ପାଳନ କରିଥାଉ। ତେବେ ଯୁଦ୍ଧ ସମୟରେ ସୀମାରେ ଶତ୍ରୁର ଗୁଳିଗୋଳାକୁ ସାହସିକତାର ସହିତ ମୁକାବିଲା କରୁଥିବା ଯବାନଙ୍କ ପରିବାର ଲୋକଙ୍କର ସ୍ଥିତି କେମିତି ଥିବ କେବେ ଭାବିଛନ୍ତି। ଏହି ଯୁଦ୍ଧରେ ଲଢ଼ି ଗୁରୁତର ଭାବେ ଆହତ ହୋଇଥିଲେ ଏଭଳି ଜଣେ ଓଡ଼ିଆ ଯବାନ ବିପିନ ନାୟକ। ତାଙ୍କ […]

kargil

kargil

Subrat Kumar Nayak
  • Published: Friday, 26 July 2019
  • Updated: 26 July 2019, 07:17 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ଲଢ଼ିଥିବା ଯବାନଙ୍କ ବୀରତ୍ୱର ଗାଥା ମନେ ପକାଇ ଜୁଲାଇ ୨୬କୁ ଆମେ ପ୍ରତିବର୍ଷ ‘କାର୍ଗିଲ ବିଜୟ ଦିବସ’ ରୂପରେ ପାଳନ କରିଥାଉ। ତେବେ ଯୁଦ୍ଧ ସମୟରେ ସୀମାରେ ଶତ୍ରୁର ଗୁଳିଗୋଳାକୁ ସାହସିକତାର ସହିତ ମୁକାବିଲା କରୁଥିବା ଯବାନଙ୍କ ପରିବାର ଲୋକଙ୍କର ସ୍ଥିତି କେମିତି ଥିବ କେବେ ଭାବିଛନ୍ତି। ଏହି ଯୁଦ୍ଧରେ ଲଢ଼ି ଗୁରୁତର ଭାବେ ଆହତ ହୋଇଥିଲେ ଏଭଳି ଜଣେ ଓଡ଼ିଆ ଯବାନ ବିପିନ ନାୟକ। ତାଙ୍କ ଝିଅ ସୁଭଦ୍ରା ପ୍ରିୟଦର୍ଶିନୀ ନାୟକ ଫେସବୁକ୍‌ରେ ବଖାଣିଛନ୍ତି ତାଙ୍କ ପରିବାର ପାଇଁ କେମିତି ଥିଲା ଯୁଦ୍ଧ ବେଳର ଲୋମହର୍ଷଣକାରୀ ମୁହୂର୍ତ୍ତ।

ମୁଁ ସେତେବେଳେ ବହୁତ ଛୋଟ ହେଇଥାଏ। ବୋଧହୁଏ ୪ ବର୍ଷ ବି ପୂରି ନଥାଏ। ସମସ୍ତଙ୍କର ଅତି ଗେହ୍ଲା, ଯେହେତୁ ମୁଁ ଆମ ପିଢ଼ିର ପ୍ରଥମ ଛୁଆ ଥିଲି। ଆଉ ପୁଣି ଅଜା-ଆଈଙ୍କର ଅତି ପ୍ରିୟ ନାତୁଣୀ। ବାବା ସେନାରେ ଚାକିରି କରୁଥିଲେ, ଆଉ କଶ୍ମୀରରେ କାର୍ଯ୍ୟରତ ଥିଲେ। ସେଥିପାଇଁ ଅଜା ମାଆକୁ ବାବାଙ୍କ ପାଖରୁ ନେଇଆସିଥିଲେ। କାହିଁକିନା ମୋର ସେତେବେଳେ ଜନ୍ମ ହେବାର ଥିଲା। ଆଉ ଏହି ଅବସ୍ଥାରେ ମୋତେ ଆଉ ମାଆକୁ ନାନା କଶ୍ମୀର ଛାଡି ନ ଥିଲେ।

ୟା ଭିତରେ ବାବା ମୋତେ ଦେଖିବା ପାଇଁ ଛୁଟି ନେଇ ଘରକୁ ଆସିଥିଲେ। କିଛି ଦିନ ରହିଛନ୍ତି କି ନାଇଁ ହଠାତ୍ ଶୀଘ୍ର ଯାଇ କର୍ମସ୍ଥଳୀରେ ଯୋଗ ଦେବାପାଇଁ ରେଜିମେଣ୍ଟରୁ ଖବର ଆସିଲା। କାରଣ ସୀମାରେ ଅଘୋଷିତ ଯୁଦ୍ଧ ଆରମ୍ଭ ହେଇଯାଇଥିଲା। ଶତ୍ରୁ ଦେଶ ପାକିସ୍ତାନର ସୈନ୍ୟ ଓ ଆତଙ୍କବାଦୀମାନେ ଭାରତର ସୀମା ପାର ହୋଇ କାଶ୍ମୀରରେ ଅନୁପ୍ରବେଶ କରିଥାନ୍ତି। ଆଉ ଭାରତୀୟ ସେନା ସେମାନଙ୍କୁ ରୋକିବା ପାଇଁ ଶତ ଚେଷ୍ଟା କରୁଥାନ୍ତି। କାଶ୍ମୀରର କାର୍ଗିଲ ଜିଲ୍ଲା ପୁରା ରଣକ୍ଷେତ୍ରରେ ପରିଣତ ହେଇଯାଇଥିଲା। ଚାରିଆଡ଼େ ଖାଲି ଗୁଳିଗୋଳାର ଶବ୍ଦ।

ବାବା ଯାଇ ଯୁଦ୍ଧରେ ଯୋଗ ଦେଇସାରିଥାନ୍ତି। ଆମ ପରିବାରର ସମସ୍ତଙ୍କୁ ରାତିରେ ନିଦ ହେଉନଥାଏ। ସେପଟେ ଭାରତର ସ୍ଥଳସେନାର ଅନେକ ଯବାନ ସେ ଯୁଦ୍ଧରେ ନିଜର ଜୀବନ ବାଜି ଲଗେଇଥାନ୍ତି। ସ୍ଥଳସେନା ଓ ବାୟୁସେନା ଉଭୟ ଆପ୍ରାଣ ଉଦ୍ୟମ ଜାରି ରଖିଥାନ୍ତି। ସେତେବେଳେ ଟିଭିରେ କେବଳ କାର୍ଗିଲ ଯୁଦ୍ଧ ସମ୍ପର୍କରେ ଖବର ପ୍ରସାରଣ ହେଉଥାଏ। ଆଉ ମୁଁ ଟିଭି ଆଗରେ ଅନେଇକି ବସିଥାଏ,କେତେବେଳେ ମୋ ବାବାଙ୍କର ଫଟୋ ଆସିବ ଆଉ ମୁଁ ଦେଖିବି। ୟା ଭିତରେ କିଛି ଦିନ ବିତିଯାଇଥାଏ। ଯୁଦ୍ଧରେ ଭାରତୀୟ ସେନାର ଅନେକ ଯବାନ ସହିଦ ହେଇସାରିଥାନ୍ତି ଆଉ କିଛି ଗୁରୁତର ଆହତ ମଧ୍ୟ। ଆହତ ମାନଙ୍କ ମଧ୍ୟରେ ମୋ ବାବା ବି ଥାଆନ୍ତି। ଶତ୍ରୁପକ୍ଷ ସହିତ ସାମ୍ନା ସାମ୍ନି ଯୁଦ୍ଧରେ ଏକ ବିଷ ଛୁରୀ ବାବାଙ୍କର ହାତରେ ଶିରାରେ ବାଜିଯାଇଥାଏ ଓ ତାଙ୍କ ଶରୀରର ୯୦ଭାଗ ରକ୍ତ ବିଷାକ୍ତ ହେଇଯାଇଥାଏ। ବଞ୍ଚିବାର ଆଶା ପୁରା କ୍ଷୀଣ।

ଘରେ ଏ ଖବର ଶୁଣି ଆମର ଖାଇବା ପିଇବା ଏକରକମ ବନ୍ଦ ହେଇଯାଇଥାଏ। ମାଆ କେବଳ କାନ୍ଦୁଥାଏ। ମୋ ବାବା ସେଠି ମୃତ୍ୟୁ ସହିତ ଲଢୁଛନ୍ତି ବୋଲି ମୁଁ ଜାଣିପାରୁ ନଥିଲି। ଆର୍ମି ହସ୍ପିଟାଲରେ ବାବା ଚିକିତ୍ସିତ ହେଉଥାନ୍ତି । ସେଠିକି ପରିବାର ଲୋକଙ୍କୁ ଯିବାକୁ ଅନୁମତି ନ ଥାଏ। ଆମେ କେବଳ ସେଠୁ ଆସୁଥିବା ଖବର ଭରସାରେ ଥାଉ। ଭଗବାନଙ୍କ ଆଶୀର୍ବାଦ ଆଉ ମୋ ପରିବାରର ପ୍ରାର୍ଥନା ଯୋଗୁ ବାବା ଏକ ନୂଆ ଜୀବନ ନେଇ ଫେରିଲେ। ମୋ ପରିବାର ତ ତାଙ୍କୁ ଆଉଥରେ ଦେଖିବାର ଆଶା ଛାଡିଦେଇଥିଲା। ଏବେ ଯେବେବି ମୁଁ ବାବାଙ୍କଠୁ ଆଉ ପରିବାରଠୁ ଏ ବିଷୟରେ ଶୁଣେ ମୋ ଲୋମ ଟାଙ୍କୁରି ହେଇଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos