ଅମଳିନ ସୃଷ୍ଟିର ପ୍ରଜ୍ଞାପୁରୁଷ ନାଟ୍ୟକାର ଆପନ୍ନା ପରିଚ୍ଛା

୧୪୨ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ

ଓଡ଼ିଆ ଭାଷା ଓ ଜାତିର ବିପର୍ଯ୍ୟୟର ଗଡ଼ଢାଳିକା ମଧ୍ୟରେ ପ୍ରସ୍ଫୁଟିତ ହୋଇଥିଲେ କେତେକ ବହୁମୁଖୀ ପ୍ରତିଭାର ପ୍ରଜ୍ଞାପୁରୁଷ। ସେଥିମଧ୍ୟରୁ ନାଟ୍ୟକାର ଆପନ୍ନା ପରିଚ୍ଛା ଥିଲେ ଅନ୍ୟତମ। ସେ ଥିଲେ ଏକଧାରରେ କବି, ନାଟ୍ୟକାର, ସମାଜ ସେବୀ, ଜାତିପ୍ରେମୀ ଓ ସର୍ବୋପରି ପ୍ରାକୃତିକ ଓଡିଶାର ପ୍ରଥମ ଭ୍ରାମ୍ୟମାଣ ରାସଦଳର ପ୍ରତିଷ୍ଠାତା।

୧୮୭୯ ମସିହା ମଇ ମାସ ୨୨ ତାରିଖ ରେ ଦକ୍ଷିଣ ଓଡିଶା ର ସାଂସ୍କୃତିକ ରାଜଧାନୀ ପାରଳାଖେମୁଣ୍ଡି ସହର ରେ ଜନ୍ମ ଗ୍ରହଣ କରିଥିଲେ ଆପନ୍ନା। ପିତା ଲକ୍ଷ୍ମୀନରାୟଣ ଥିଲେ ଗାନ୍ଧିବାଦୀ ସଂଗ୍ରାମୀ ଓ ଏକ ବିତ୍ତଶାଳୀ ମଠର ପରିଚାଳକ। ଯାହା ଓଡିଶାର ଆନନ୍ଦ ମଠ ରୂପେ ଖ୍ୟାତ। ଯାହା ସର୍ବଦା ସଙ୍ଗୀତ , ନୃତ୍ୟ ଓ ନାଟକ ର ପୃଷ୍ଠଭୂମି ରୂପେ ପରିଚିତ ଥିଲା। ଏଭଳି ପରିବେଶ ଆପନ୍ନାଙ୍କୁ ଓଡିଶାରେ ସାମାଜିକ ନାଟ୍ୟ ପରମ୍ପରାର ଆଦ୍ୟ ଆବାହକ ରୂପେ ଗଢି ତୋଳିବାରେ ସହାୟକ ହୋଇଥିଲା। ଚଉଦ ବର୍ଷ ବୟସ ରେ ସେ ପ୍ରଥମେ ଲେଖିଥିଲେ “ଚନ୍ଦ୍ରହାସ”ନାଟକ, ଯାହାକି ଜୈମିନୀ ମହାଭାରତର ଏକ ଆଖ୍ୟାୟିକା ଉପରେ ପର୍ଯ୍ୟବସିତ ଥିଲା। ଏହି ନାଟକ ଶ୍ୟାମ ସୁନ୍ଦର ରାଜଗୁରୁଙ୍କ ପୃଷ୍ଠପୋଷକତା ରେ ମଞ୍ଚସ୍ଥ ହୋଇ ବେଶ ଲୋକପ୍ରିୟତା ସାଉଁଟିପାରିଥିଲା। ଏହା ଥିଲା ତାଙ୍କ ବାଲ୍ୟ ଜୀବନ ର ପ୍ରଥମ କୃତିତ୍ୱ ଯାହା ପରବର୍ତ୍ତୀ ସମୟ ରେ ଅଟକି ଯାଇନଥିଲା।

ପ୍ରଥମ ଭ୍ରାମ୍ୟମାଣ ରାସଦଳ ର ଜନ୍ମଦାତା

ଆପନ୍ନା ନିଜସ୍ୱ ମଠ ସମେତ ପ୍ରାଚୀନ କଳିଙ୍ଗର ମୁଖଲିଙ୍ଗ, କୂର୍ମ ,ଚାଙ୍ଗୁଡି, ବାଘଶଳା, ତରଳା, ଟିକାଲି , ପୁରୁଷୋତ୍ତମପୁର ମଠ ମନ୍ଦିର ଆଦିର ପରିଚାଳନା କରିବାରେ ଏକାକୀ ସିଦ୍ଧ ଥିଲେ।ଓଡିଶାରେ ଭକ୍ତିକୈନ୍ଦ୍ରିକ ସ୍ଥଳକୁ ଉତ୍କଳୀୟ ବୈଷ୍ଣବ ଧର୍ମ ଧାରାରେ ଜଡ଼ିତ କରି ” ବୈଷ୍ଣବାନନ୍ଦ ଦାୟିନୀ ସମାଜ” ନାମକ ରାସ ଦଳ ଗଢି ଥିଲେ। ଏହା ଓଡିଶାର ପ୍ରଥମ ରାସ ଦଳ ଯାହା ଭିନ୍ନ ଭିନ୍ନ ସ୍ଥାନରେ ହରିନାମ ଦ୍ୱାରା ଓଡ଼ିଆଙ୍କୁ ଏକତା ରଜ୍ଜୁ ରେ ବାନ୍ଧିଥିଲା। ଏହା ପରେ ତରଳା ରାଜଭ୍ରାତା ଗୋବିନ୍ଦଚନ୍ଦ୍ର ଶୁର ଦେଓ ନୟାଗଡ଼ରେ ଓ ତତ୍‌ପରେ ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରୀରେ ରାସ ଦଳ ଗଢିଥିଲେ।

ଦକ୍ଷିଣ ଓଡିଶା ର ପ୍ରଥମ ଅସ୍ଥାୟୀ ଓ ସ୍ଥାୟୀ ରଙ୍ଗମଞ୍ଚ

ଓଡିଶାରେ ଲୀଳା , ସୁଆଙ୍ଗ, ସଂକୀର୍ତ୍ତନ ପ୍ରତି ଆଗ୍ରହ କେଉଁ ଅନାଦି କାଳରୁ ଥିଲା। କିନ୍ତୁ ମଞ୍ଚନାଟକ ର ବ୍ୟବସ୍ଥାଟି ଉନବିଂଶ ଶତାବ୍ଦୀ ରେ ଲୋକଙ୍କୁ ବେଶ ଆଦୃତ କରିପାରିଥିଲା ଏହା ନିଃସନ୍ଦେହ। ପରିବର୍ତ୍ତିତ ସମାଜକୁ ଧରି କଳାର ପୃଷ୍ଠଭୂମି କୁ ବଦଳାଇବାରେ ସକ୍ଷମ ହୋଇଥିଲେ ଆପନ୍ନା ପରିଚ୍ଛା।। ସେ ସ୍ୱ ଉଦ୍ୟମ ବଳରେ ପ୍ରଥମେ ୧୮୯୩ରେ ଗଢ଼ିଥିଲେ ” ଶ୍ରୀ ଶ୍ରୀ ରସିକରାଜ ପ୍ରସାଦୈକ ସୁଜ୍ଞଜନ ମନୋରଞ୍ଜନ ନାଟ୍ୟମଣ୍ଡପ”। ଏହା ଓଡିଶାରେ ଦ୍ଵିତୀୟ ଅସ୍ଥାୟୀ ରଙ୍ଗମଞ୍ଚ ରୂପେ ମଧ୍ୟ ପରିଚିତ(ପ୍ରଥମଟି କଟକର ରାଧାକାନ୍ତ ରଙ୍ଗମଞ୍ଚ)। ଏହା ପରେ ଯଦି ସ୍ଥାୟୀ ରଙ୍ଗମଞ୍ଚ କୁ ବି ଦେଖାଯାଏ , ତାହାଲେ ମଧ୍ୟ ଆପନ୍ନା ଙ୍କ ଭୂମିକା କୁ ବାଦ ଦିଆଯାଇପାରେନା। ୧୮୮୨ ମସିହା ରେ ନିର୍ମିତ ପାରଳାର ରଙ୍ଗମଞ୍ଚ , ଯାହା ପରବର୍ତ୍ତୀ ସମୟ ରେ ଆପନ୍ନାଙ୍କ ପ୍ରସ୍ତାବ କ୍ରମେ ୧୯୦୫ ମସିହାରେ ” ପଦ୍ମନାଭ ରଙ୍ଗାଳୟ”ରେ ନାମିତ ହୋଇଥିଲା । ଓଡିଶା ତଥା ଓଡିଶା ବାହାରେ ଉକ୍ତ ରଙ୍ଗମଞ୍ଚ ବେଶ ସୁଖ୍ୟାତି ପାଇପାରିଥିଲା। ସାହିତ୍ୟ ଅନୁରାଗୀ ରାଜଭ୍ରାତା ପଦ୍ମନାଭଙ୍କ ନାମରେ ଏହା ନାମିତ ହୋଇଥିଲା। ଯାହାର ପରିଚାଳନା ସହ ସମସ୍ତ ଆନୁଷଙ୍ଗିକ ଦାୟିତ୍ୱ ନେଇଥିଲେ ନାଟ୍ୟକାର ପରିଚ୍ଛା । ଯେଉଁଥିରେ ପ୍ରସିଦ୍ଧ ଧ୍ରୁବ, ପ୍ରହ୍ଲାଦ, ଦାନ ପରୀକ୍ଷା, ଉଷାପରିଣୟ , ଅହଲ୍ୟା ଶାପ ମୋଚନ ଭଳି କାଳଜୟୀ ନାଟକ ମଞ୍ଚସ୍ଥ ହୋଇପାରିଥିଲା

କେବଳ ଯେ ନାଟକ ମଞ୍ଚସ୍ଥ କରିବାରେ ସେ ନିପୁଣ ନଥିଲେ। ସେ ଲେଖିଯାଇଥିଲେ ଅନେକ ନାଟକ। ବିଜୟ ବସନ୍ତ ,ନବାନୁରାଗ ,ସିନ୍ଧୁ ଉପସିନ୍ଧୁ, ଚଞ୍ଚଳା କୁମାରୀ ,ହେମଚନ୍ଦ୍ର, ସ୍ଵର୍ଣ୍ଣଲତା, କନୌଜ କୁମାରୀ, ହେମଲତା ଭଳି ସୁପ୍ରସିଦ୍ଧ ନାଟକ ସେ ବିରଚି ଓଡିଶା ରେ ଐତିହାସିକ ନାଟକ ଧାରା କୁ ପ୍ଲାବିତ ଯେ ଖାଲି କରିନଥିଲେ , ଠିକ ସେହି ଭଳି ମାନ ଭଞ୍ଜନ , ରାଧାକୃଷ୍ଣ ମିଳନ, ବିଲ୍ଵମଙ୍ଗଳ, ଓ ଗୋଷ୍ଠମିଳନ ଭଳି ପୌରାଣିକ ଓ ସାଂସ୍କୃତିକ ନାଟକ ର ପ୍ରବାହମାନ ଧାରାକୁ ବି ବଜାୟ ରଖିଥିଲେ।

ସ୍ୱାଧୀନତା ଆନ୍ଦୋଳନ ଓ ଆପନ୍ନା

ଜାତୀୟ ଆନ୍ଦୋଳନ ର ପ୍ରାରମ୍ଭିକ ସୋପାନ ରେ ହିଁ ଆପନ୍ନା ଗୋପବନ୍ଧୁ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇଥିଲେ। ସେ ଥିଲେ ଗୋପବନ୍ଧୁ ଅନ୍ୟତମ ଅନ୍ତରଙ୍ଗ ବନ୍ଧୁ। ଗୋପବନ୍ଧୁ ତାଙ୍କର ଭ୍ରମଣ କାଳରେ ଆପନ୍ନା ଙ୍କ ମଠରେ ହିଁ ରହୁଥିଲେ । ଖାଲି ସେତିକି କାହିଁକି ଗାନ୍ଧୀଙ୍କ ପାରଳା ଗସ୍ତ ସମୟ ରେ ମଧ୍ୟ ପରିଚ୍ଛା ମଠ ହିଁ ଏକ ମାତ୍ର ଜାତୀୟବାଦୀ ଆନ୍ଦୋଳନ ର ଆଲୋଚନା ଗୃହ ପାଲଟି ଥିଲା। ସେ ନିଜ ପୁଅ ପୁତୁରାଙ୍କ ଠାରୁ ଆରମ୍ଭ କରି ସହର ର ଅନେକ ମେଧାବୀ ଛାତ୍ର ଙ୍କୁ ସତ୍ୟବାଦୀ ବନ ବିଦ୍ୟାଳୟ କୁ ପଠାଇଥିଲେ।୧୯୨୪ ରେ ଗଞ୍ଜାମ ରୟତ ଆନ୍ଦୋଳନ ହୋଇଥିଲା, ସେଥିରେ ନିର୍ଭୀକତା ର ସହ ଚାଷୀ ମାନଙ୍କ ସପକ୍ଷରେ ସମର୍ଥନ ଦେଇଥିଲେ। ଏହା ବ୍ୟତୀତ ନୀଳକଣ୍ଠ, ଗୋଦାବରୀଶ, ଅନନ୍ତ ଙ୍କ ଦେଶମିଶ୍ରଣ ଆନ୍ଦୋଳନ ପାଇଁ ପାରଳା ଆସି ଆପନ୍ନାଙ୍କ ସହ ଅନେକ ଚର୍ଚ୍ଚା କରିବାର ପ୍ରମାଣ ରହିଛି । ଏଥି ସହିତ ଆପନ୍ନା ମଞ୍ଜୁଷା , ମୁକ୍ତାପୁର ଆଦି ବିଛିନ୍ନାଞ୍ଚଳ ରେ ପଲ୍ଲୀ ସମ୍ମିଳନୀ ଆୟୋଜନର ଗୁରୁଦାୟିତ୍ୱ ବହନ କରିଥିଲେ।

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ପରିଚ୍ଛା

ମାତ୍ର ସାତ ବର୍ଷ ଶିଶୁ ବୟସ ରୁ ହିଁ ସେ ଯୋଗ ଦେଇଥିଲେ ଉତ୍କଳ ସମ୍ମିଳନୀର ଆଦ୍ୟ ସ୍ୱରୂପ “ଉତ୍କଳ ହିତୈଷିଣୀ ସମାଜ” ରେ। ଓଡ଼ିଆ ଙ୍କ ଦୁର୍ଦଶା ତାଙ୍କୁ ଭାରି ବ୍ୟଥିତ କରିଥିଲା।୧୮୮୬ ରେ ନିର୍ମିତ ଏହି ସଭା ୧୯୧୨ ରେ ଶ୍ୟାମସୁନ୍ଦର ରାଜଗୁରୁ ଙ୍କମୃତ୍ୟୁ ପରେ ଶିଥିଳ ହୋଇପଡିଥିଲା। ଏହା ପରେ ଏହି ସଭା ର ମଙ୍ଗ ଧରିଥିଲେ ଆପନ୍ନା ପଣ୍ଡା , ବୃନ୍ଦାବନ ସାହୁ ଓ ଆପନ୍ନା ପରିଚ୍ଛା ଙ୍କ ଭଳି ବ୍ୟକ୍ତିବୃନ୍ଦ। ଏହାର ମୁଖ୍ୟ ଉଦେଶ୍ୟ ଥିଲା ଗଞ୍ଜାମ ରେ ଇଂରାଜୀ , ତେଲୁଗୁ ଆଦି ପତ୍ରିକା ବନ୍ଦ କରି ନବସମ୍ବାଦ , ମଧୁପ ର ପ୍ରଚାର, ମାଡ୍ରାସ ରେ ଓଡ଼ିଆ ଛାତ୍ରଙ୍କୁ ଓଡ଼ିଆ ପଢିବା ବନ୍ଦୋବସ୍ତ ଓ କଚେରୀ ଓଡ଼ିଆ ଭାଷାକୁ ଅକ୍ଷୁର୍ଣ୍ଣ ରଖିବା।

ସେତେବେଳେ ପାରଳା ସହର ସହ ଉପାନ୍ତ ଗଞ୍ଜାମ ମାଡ୍ରାସ ପ୍ରେସିଡେନ୍ସିରେ ଥିଲା। ତେଣୁ ତେଲେଙ୍ଗାଙ୍କ ପ୍ରଭାବ ମହାବିଦ୍ୟାଳୟରେ ଅଧିକ ଥାଏ। ଦକ୍ଷିଣାତ୍ୟ ରୀତି ରେ ଓଡ଼ିଆ ଛାତ୍ରମାନଙ୍କୁ ମଧ୍ୟ ଟୋପି ପିନ୍ଧିବା ବାଧ୍ୟତାମୂଳକ ଥିଲା । ଆପନ୍ନା ଏହାକୁ ବିରୋଧ କରି ନାଲି ଗାମୁଛା ପରିଧାନ ପ୍ରଚଳନ ଆରମ୍ଭ କରିଥିଲେ। ଏହା କେବଳ ନିୟମ ବଦଳାଇବା ଯେ ନଥିଲା ତା ନୁହଁ। ବରଂ ଓଡ଼ିଆ ଯୁବ ଗୋଷ୍ଠୀ କୁ ପ୍ରଦେଶ ଗଠନ ପାଇଁ ଏକତ୍ର ଆହ୍ଵନ ସମ ଥିଲା।

ଉତ୍କଳ ସମ୍ମିଳନୀରେର ଯେଉଁ ଦଶମ ଅଧିବେଶନଟି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା। ତାର ପ୍ରଚ୍ଛଦପଟର ନାୟକ ଆପନ୍ନା ଥିଲେ ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ। ୧୯୧୩ ମସିହା ପୁରୀ ଅଧିବେଶନ ଚାଲିଥାଏ। ସେଥିରେ ପରିଚ୍ଛା ଯୋଗ ଦେଇ ଗୋରଚାନ୍ଦ ମିଶ୍ରଙ୍କ ଜରିଆ ରେ ପାରଳା ଅଧିବେଶନର ଆବଶ୍ୟକତା ର ପ୍ରମାଣ ଦେଇ ଏକ ପ୍ରସ୍ତାବ ଦେଇଥିଲେ। ଖାଲି ଏତିକି ନୁହଁ ଦଶମ ଅଧିବେଶନର ସମସ୍ତ ଗୁରୁ ଦାୟିତ୍ୱ ତାଙ୍କରି ଉପରେ ନ୍ୟସ୍ତ ଥିଲା। ସେ ଅତିଥିଙ୍କ ରହଣି ହେଉ କି ସମ୍ମିଳନୀ ଶେଷରେ ନାଟକ ପରିବେଷଣ। ଏଥିରୁ ତାଙ୍କ ଜାତିପ୍ରେମ ଧାରା ସୁସ୍ପଷ୍ଟ। ପାରଳାଖେମୁଣ୍ଡିର ସଙ୍ଗୀତ ଓ ସାଂସ୍କୃତିକ ଉତ୍କର୍ଷତା ରେ ବିଭୋର ହୋଇ ଅନେକ ମହାପୁରୁଷ କଳାକାର ମାନଙ୍କ ସହ ଆପନ୍ନା ଙ୍କ ଭୁୟସୀ ପ୍ରଶଂସା କରିଥିଲେ।

କେବଳ ନାଟକ ନୁହେଁ , ସଙ୍ଗୀତ ବିଦ୍ୟାପ୍ରତି ମଧ୍ୟ ତାଙ୍କର ଗଭୀର ଅନୁରାଗ ଥିଲା। ସ୍ୱଲିଖିତ ନାଟକ ରେ ସେ କୌଣସି ପ୍ରକାରେ କର୍ଣ୍ଣାଟକୀ କିମ୍ବା ଉତ୍ତର ଭାରତୀୟ ରାଗ ନିର୍ଦେଶ ଦେଇନଥିଲେ। ଏହା ତଙ୍କର ଓଡ଼ିଆ ରାଗ ରାଗିଣୀ ପ୍ରେମ ର ନିଦର୍ଶନ। ବିଶେଷ କରି ତାଙ୍କରି ବହୁ ପ୍ରସିଦ୍ଧ ନାଟକ “ବିଜୟ ବସନ୍ତ ” ଯାହାକି ସମଗ୍ର ଓଡିଶା ରେ ଥରେ ଅଧେ ସେ କାଳର ଲୋକ ଦେଖିଛନ୍ତି। ସେଥିରେ ଏକମାତ୍ର ଗୀତ ର ରାଗ କୌଣସି ବାହ୍ୟ ସଙ୍ଗୀତ ଶାସ୍ତ୍ର ରୁ ଆହରଣ କରାଯାଇନାହିଁ। ଯେପରି

ରାଗ : ଝିଞ୍ଜୋଟି ରୂପକ ତାଳ

ଶୁଭଦିନ ଆଜି ମୋହର ଅଟଇଟି ନିକର

ପାଇଅଛି ଯାହା , ପାଦ ସେବନ ତୁମ୍ଭର ।

ସୁଧାମୟ ପ୍ରେମ,ପବିତ୍ର ସ୍ନେହ ଆଜି ପାଇଣ,

ନିଶ୍ଚୟ ପାଇବ ଚିର ସୁଖ ଏ ଜୀବନ।।

ଖାଲି ସଙ୍ଗୀତ ରଚନା ନୁହେଁ , ସଙ୍ଗୀତ ର ଉନ୍ନତି ସକାଶେ ଓଡିଶା ର ସୁରଦାସ ଆପନ୍ନା ପାଣିଗ୍ରାହୀ ଙ୍କ ଭଳି ଲୋକ ଙ୍କୁ ସେ ସଙ୍ଗୀତ ଶିକ୍ଷା ଦେଇଥିଲେ। ପୁଣି ସେତିକି ନୁହଁ ମଞ୍ଚଶ୍ରୀ ସତ୍ୟନାରାୟଣ ପଣ୍ଡା ଯେ କି ପସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ” ମହାଲକ୍ଷ୍ମୀ ପୂଜା” ର ସଙ୍ଗୀତ ଲେଖକ ଓ ନିର୍ଦେଶକ ଥିଲେ , ତାଙ୍କରି ଗୁରୁ ହେବାର ସୌଭାଗ୍ୟ ଆପନ୍ନା ଙ୍କୁ ମିଳିଥିଲା।ନାରାୟଣ ସଦେଇ ଙ୍କ ଭଳି ମହାନ ବ୍ୟକ୍ତିମଧ୍ୟ ଆପନ୍ନା ଙ୍କୁ ଗୁରୁ ରୂପେ ମଣିଥିଲେ।ପୁଣି ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁ ଙ୍କ ସେ ଥିଲେ ନାଟ୍ୟ ଗୁରୁ। ସେ ପାରଳା ର ତଥା ଉତ୍କଳ ର ସର୍ବ ପ୍ରାଚୀନ ନୃତ୍ୟ ସଖୀ ନାଟ ର ଧାରାକୁ ବଜାୟ ରଖିବାରେ ସକ୍ଷମ ହୋଇପାରିଥିଲେ। ମଠ ଓ ମନ୍ଦିର ର ସହର ପାରଳାରେ ବର୍ଷକରେ ଦୁଇ ଥର ଝୁଲଣ ହୁଏ। ଏ ଉତ୍ସବ ରେ ଆପନ୍ନା ପରିଚ୍ଛା ଙ୍କ ମଠରେ ଏଭଳି ଓଡ଼ିଆ ନୃତ୍ୟ, ନାଟକ ର ଆସର ଜମିରହୁଥିଲା , ଯାହା ଇତିହାସ କୁହେ।

ଉପାନ୍ତ ଅଞ୍ଚଳ ରେ ଭାଷା , ସାହିତ୍ୟ ର ବିକାଶ, ନାଟ୍ୟକାଦି ର ପ୍ରଚାର ଯେତେ ସହଜ ଶୁଭାଯାଉଛି ସେତେ ସରଳ କାର୍ଯ୍ୟ ନଥିଲା। ତା ପୁଣି ତେଲୁଗୁ ଭାଷା ଭାଷୀ ଲୋକଙ୍କ ଗହଳି ମଧ୍ୟରେ ସତେ ଯେପରି ଥିଲା ଏକ ଦୁରୁହ ବ୍ୟାପାର। ଏଥି ସହ ନିଜସ୍ୱ ପ୍ରଚେଷ୍ଟା ରେ ଏ ୫୦୦୦ ରୁ ଅଧିକା ବହି ସଂଗ୍ରହ କରି ଏକ ପଠାଗାରର ନିର୍ମାଣ କରାଇଥିଲେ ପରିଚ୍ଛା ମହାଶୟ। ଯାହା ଦ୍ୱାରା ଅନେକ ଶିକ୍ଷାର୍ଥୀ ଉପକୃତ ହୋଇ ଆସିଛନ୍ତି। ତାଙ୍କ ଜୀବନ କାଳରେ ଅନେକ ଗରିବ ଛାତ୍ର ଛାତ୍ରୀ ଙ୍କୁ ମାଗଣା ଶିକ୍ଷାଦାନ ସହ ମଠରେ ରହିବା , ଖାଇବା ବ୍ୟବସ୍ଥା କରିଦେଉଥିଲେ । ଏହା ତାଙ୍କ ଉଦାର ମାନବିକତାର ପରିଚୟ ଦିଏ।

ପଦ୍ମନାଭ ରଙ୍ଗାଳୟର କଳାକାରଙ୍କ ଗହଣରେ ଆପନ୍ନା ପରିଚ୍ଛା (ଦ୍ଵିତୀୟ ଧାଡି ଡାହାଣ ରୁ ୩ୟ)

ବାସ୍ତବ ରେ ସେ ଥିଲେ ସାହିତ୍ୟ, ସଙ୍ଗୀତ ଓ କଳା ର ଉଦୀୟମାନ ସାରସ୍ୱତ ସାଧକ। ୧୯୩୯ ଜୁଲାଇ ୧୪ରେ ଇହଧାମ ରେ ତାଙ୍କ ଚିହ୍ନ ରହିଲାନି ସତ। କିନ୍ତୁ ତାଙ୍କ ଜୀବନ ର ଅମ୍ଳାନ ସ୍ମୃତି କଦାଚିତ ବିସ୍ମୃତ ହେବନାହିଁ। ଯଦି ଓଡ଼ିଆ ସାହିତ୍ୟ ଓ ସମାଜ ର ଧାରାବାହିକ ଇତିହାସ ଲେଖାଯାଏ , ତାହାଲେ ଆପନ୍ନା ଙ୍କ ବିନା ଏହା ଅସମ୍ପୂର୍ଣ୍ଣ। ଚଳିତ ବର୍ଷ ରାଜ୍ୟ ସ୍ତରୀୟ ଆପନ୍ନା ଜୟନ୍ତି ପାଳନ ହେବାର ଆଶା ଆଶା ରେ ରହିଗଲା। ସମୟ ବଡ଼ ବଳବାନ । ପରିସ୍ଥିତି ର ଅସମ୍ଭାଳ ସମୟ ପୂର୍ବବତ ହେଲେ ଆଗାମୀ ବର୍ଷ ମାନଙ୍କ ରେ ଆମେ ଆମ ପୂର୍ବସୁରି ଙ୍କ ପୂଜ୍ୟପୂଜା କରିବା ର ସୁଯୋଗ ପୁଣିଥରେ ପାଇପାରିବା।

ରଚନା: ବିଷ୍ଣୁମୋହନ ଅଧିକାରୀ