ବହିଛପା ବାବଦରେ ଅର୍ଥ ପଇଠ ନ କରିବାରୁ ସ୍ୱର୍ଗରୁ ଟଣା ହେଲେ ଫକୀରମୋହନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଟରେ ହାଟେ ଦୋକାନ। କିଏ ଦେହ କିଣୁଛି ତ ପୁଣି କିଏ କିଣୁଛି ମନ। ଏଇ ହାଟରେ ବୁଲୁବୁଲୁ ନିଜ ଅନୁଗତ ମକରାକୁ ନିଜ ମନ କଥା କୁହନ୍ତି ବ୍ୟାସକବି ଫକୀର ମୋହନ। ହାଟରେ ଦୋକାନଟିଏ କରିବାକୁ ଝାଡି ଝୁଡି ଚାଲିଆଟାଏ ସଫା କରେ ମକରା। ହେଲେ ଏହି ଦୋକାନରେ କ’ଣ ବିକ୍ରି ହେବ ସେ ନେଇ ନା ମକରାକୁ ମାଲୁମ୍‌ ନା ମାଲୁମ୍‌ ଫକୀର ମୋହନଙ୍କୁ। ବହୁ ଦୋକାନ ବୁଲି ଦେଖନ୍ତି ଦୁହେଁ। ଉସ୍‌ମାନ୍‌ତାରାର ଦୋକାନରେ ନାକତଳେ ସୁରା ବିକ୍ରି, ଓକିଲ ବାବୁଙ୍କ ଆଇନ୍‌ ବିକ୍ରି, ଅବଧାନଙ୍କ ଅ’ ଆ ଆଉ ମାଷ୍ଟ୍ରେଙ୍କ ଏବିସିଡି ବିକ୍ରି ଦେଖିବା ପରେ ଫକୀର ମୋହନଙ୍କ ମୁଣ୍ଡକୁ ଜୁଟେ ସାହିତ୍ୟ ଦୋକାନର ବୁଦ୍ଧି।

ସାହିତ୍ୟ ଚାଷ କରିଥିବା ଧଳାବାଳିଆ ବାବୁ ଫକୀରମୋହନ ବହି ଛାପନ୍ତି। ଛ’ ମାଣ ଆଠଗୁଣ୍ଠ, ଲଛମା, ମାମୁଁ ଆଉ ପ୍ରାୟଶ୍ଚିତ ଭଳି ଚିଜ ଧରି ପସରା ମେଲାନ୍ତି ହାଟରେ। ହେଲେ ଧୋବଧୋବଲିଆ ଦରପାଠୁଆ ଓଡ଼ିଆ, ଇଂରାଜୀ ମୋହରେ ଏ ସବୁ ପସନ୍ଦ କରନ୍ତିନି। ଶେଷରେ ବାକି କାଳି କରି ବହି ଛାପିଥିବା ପ୍ରକାଶକ ମହୋଦୟ ଫକୀର ମୋହନଙ୍କ ବେକରେ ଗାମୁଛ ଛନ୍ଦିବେ ବୋଲି ଝପଟି ପଡ଼ନ୍ତି। ଆଉ ଫକୀର ଡିଆଁ ମାରନ୍ତି ଏ ପୁରରୁ ସେ ପୁରକୁ।

ଯୁଗ ବିତେ। ୨୦୧୯ ହୁଏ। ଛପା ବାବଦକୁ ପଇସା ଠକି ଆରପାରିକୁ ଚାଲିଯାଇଥିବା ବ୍ୟାସକବୀଙ୍କୁ କାଠଗଡ଼ାକୁ ଟାଣି ଆଣନ୍ତି ୩ୟ ଥର ମର୍ତ୍ତ୍ୟ ମଣ୍ଡଳରେ ଜନ୍ମ ନେଇଥିବା ପ୍ରକାଶକ । ହେଲେ ସାହିତ୍ୟ ଚାଷ କରିଥିବା ଫକୀରମୋହନ ଯେ, ବାସ୍ତବରେ ଜଣେ ଫୋକଡ୍‌ରାମ୍‌ ସେ କଥା ନିଜ ତୁଣ୍ଡରେ ସ୍ୱୀକାର କରନ୍ତି। ଆଉ ସେ ଛାଡ଼ି ଯାଇଥିବା ସାହିତ୍ୟ କୃତି ବିକି ଆଜି ପ୍ରକାଶକ ମହାଶୟ ମତ୍ତ୍ୟମଣ୍ଡଳର ଜଣେ ବିଶିଷ୍ଟ ଧନଶାଳୀ ବ୍ୟକ୍ତି ହୋଇଥିବା କୁହନ୍ତି। ସାକ୍ଷ ପ୍ରମାଣକୁ ଭିତ୍ତି କରି ନିଜେ ଜଜ୍‌ ସାହେବ୍‌ ଫକୀର ମୋହନଙ୍କ ତୁଣ୍ଡରୁ “ହାଟ ବାହୁଡ଼ା” ବୃତ୍ତାନ୍ତ ଶୁଣି ସତ୍ୟକୁ ହୃଦୟଙ୍ଗମ କରନ୍ତି। ଫକୀର ମୋହନଙ୍କ ଉପରେ ଲାଗିଥିବା ଆରୋପ ଭିତ୍ତିହୀନ ବୋଲି ଘୋଷଣା କରନ୍ତି।

ଆଉ ଶେଷରେ ଓଡ଼ିଆ ସାହିତ୍ୟ ପାଇଁ ମହତ୍‌ ଅବଦାନ ଲାଗିଏହି ପକ୍କା ଓଡ଼ିଆ ପୁଅର ସାମ୍ନାନାର୍ଥେ ମଥାନତ କରେ କୋର୍ଟ।

ଏମିତି ଏକ ରୋଚକ କାଳ୍ପନିକ ଘଟଣାବଳୀକୁ ନେଇ ବାଲେଶ୍ୱରର ନାଟ୍ୟଅନୁଷ୍ଠାନ ‘ସ୍ରଷ୍ଟା’ ପକ୍ଷରୁ ଆୟୋଜିତ ହୋଇଥିଲା ନାଟକ “ହାଟ ବାହୁଡ଼ା”। ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବ୍ୟାସକବୀ ଫକୀର ମୋହନ ସେନାପତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଆୟୋଜିତ ହୋଇଥିଲା ଏହି ମନୋଜ୍ଞ ନାଟକ। ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ସୋମବାର ସନ୍ଧ୍ୟାରେ ଆୟୋଜିତ ଏହି ସମାରୋହରେ ଯୋଗଦେଇଥିଲେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ଅନନ୍ତ ଦାସ।

ନାଟକଟି ଫକୀର ମୋହନଙ୍କ କବିତା ଖଣ୍ଡ ହାଟ ବାହୁଡ଼ାକୁ ନେଇ ପର୍ଯ୍ୟବେଶିତ ଥିଲା। ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ଭାଷା ପ୍ରତି ଆମ ରାଜ୍ୟବାସୀଙ୍କ ମନରେ ଥିବା ଘୃଣା ଭାବ ତଥା ବିଦେଶୀ ଚିଜରେ ଥିବା ରୁଚିବୋଧକୁ ଏହି ନାଟକରେ ବ୍ୟାଙ୍ଗ ମାଧ୍ୟମରେ ଉପସ୍ଥାପିତ କରାଯାଇଥିଲା। ସ୍ୱର୍ଗତ ଫକୀର ମୋହନଙ୍କୁ କିପରି ତଣ୍ଡ ଗଣିବା ପାଇଁ ସ୍ୱର୍ଗରୁ ମର୍ତ୍ତ୍ୟକୁ ଆସିବାକୁ ପଡ଼ିଥିଲା ତାହା ଥିଲା ଏହି ନାଟକର ପ୍ରମୁଖ ବିଷୟବସ୍ତୁ।