Advertisment

ଶ୍ରୀମନ୍ଦିର ପ୍ରଶାସନିକ ଅଫିସ କୋଠା ନିର୍ମାଣ ପାଇଁ ଏନଓସି ଦେଲେ ଜାତୀୟ ଐତିହ୍ୟ ପ୍ରାଧିକରଣ

ଜାତୀୟ ଏତିହ୍ୟ ପ୍ରାଧିକରଣ ତାଙ୍କର ୩୬୧ତମ ବୈଠକରେ ରେଗୁଲେଟେଡ୍ ଏରିଆ(ନିୟନ୍ତ୍ରିତ ଅଂଚଳ) ପରିସରରେ ପୁରୀ ଶ୍ରୀମନ୍ଦିର ପ୍ରଶାସନିକ ଅଫିସ କୋଠା ନିର୍ମାଣ ପାଇଁ ସମ୍ମତି ଦେଇଥିଲେ,କିନ୍ତୁ କୋଠାର ଉଚ୍ଚତା ୭.୫ ମିଟରରୁ ଅଧିକ କରିବା ଉପରେ ଆପତ୍ତି ଉଠାଇଥିଲେ ।

author-image
Ordigital Desk
undefined

Puri

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଅଫିସ୍ କୋଠା ନିର୍ମାଣ ପାଇଁ ଜାତୀୟ ଏତିହ୍ୟ ପ୍ରାଧିକରଣ(ଏନଏମଏ) ଅନୁମତି ଦେଇଛନ୍ତି । ତେବେ  ଏନଏମଏ ଅନୁମୋଦିତ ପ୍ଲାନ୍ ବା ଢ଼ାଂଚାରେ ସମସ୍ତ ନିର୍ମାଣ କାର୍ଯ୍ୟ କରିବା ନିମନ୍ତେ କହିବା ସହ ଏହାର ତଦାରଖ ପାଇଁ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଓ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ) ଅଧୀକ୍ଷକଙ୍କୁ ପରାମର୍ଶ ଦିଆଯାଇଛି । ଏହି ତିନି ମହଲା କୋଠା(ଜି+୧)ର ଉଚ୍ଚତାକୁ ନେଇ ସମସ୍ୟା ରହିଥିଲା, ଯାହା ଦୂର ହୋଇଥିବା କୁହାଯାଉଛି । ଜାତୀୟ ଏତିହ୍ୟ ପ୍ରାଧିକରଣ ତାଙ୍କର ୩୬୧ତମ ବୈଠକରେ ରେଗୁଲେଟେଡ୍ ଏରିଆ(ନିୟନ୍ତ୍ରିତ ଅଂଚଳ) ପରିସରରେ ପୁରୀ ଶ୍ରୀମନ୍ଦିର ପ୍ରଶାସନିକ ଅଫିସ କୋଠା ନିର୍ମାଣ ପାଇଁ ସମ୍ମତି ଦେଇଥିଲେ,କିନ୍ତୁ କୋଠାର ଉଚ୍ଚତା ୭.୫ ମିଟରରୁ ଅଧିକ କରିବା ଉପରେ ଆପତ୍ତି ଉଠାଇଥିଲେ । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକ ଗତ ଏପ୍ରିଲ ୭ତାରିଖରେ ଏନଏଏମଠାରୁ ଅନୁମତି ଲୋଡ଼ିଥିଲେ ।

Advertisment

କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଏତିହ୍ୟ ପ୍ରାଧିକରଣର ଅନୁସଚିବ ମନୀଷ ବାଗୋଇ ଗତ ଏପ୍ରିଲ ୨୫ତାରିଖରେ ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକ ତଥା ଏନଏମଏ ନୋଡାଲ ଅଫିସରଙ୍କୁ ଚିଠି ଲେଖି ଆମସାର ଆକ୍ଟ-୧୯୫୮ର ପ୍ରାବଧାନ ଅନ୍ତର୍ଗତ ଶ୍ରୀଜଗନ୍ନାଥ ମନ୍ଦିରର ରେଗୁଲେଟେଡ୍ ଏରିଆ(୨୦୦ମିଟର ପରିସର ପର୍ଯ୍ୟନ୍ତ) ମଧ୍ୟରେ ଏହି ଅଫିସ୍ କୋଠା ନିର୍ମାଣ କରିବାକୁ ଅନୁମତି ଦେଇଥିବା ଜଣାପଡ଼ିଛି । ୨୦୨୨ ଡିସେମ୍ବର ମାସରେ ଏନଏମଏର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପୁରୀ ଗସ୍ତରେ ଯାଇ ଐତିହ୍ୟ କରିଡର ଓ ଅନ୍ୟାନ୍ୟ ପ୍ରକଳ୍ପର ଅନୁଧ୍ୟାନ କରିଥିଲେ । ରାଜ୍ୟ ସରକାରଙ୍କ ଅନୁରୋଧରେ ଏନଏମଏ ଅଧ୍ୟକ୍ଷ କିଶୋର କେ ବାସାଙ୍କ ନେତୃତ୍ୱରେ ଆସିଥିବା ଟିମ୍ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ କୋଠାର ଉଚ୍ଚତାକୁ ନେଇ ଆପତ୍ତି ଉଠାଇବା ସହ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଦେବାକୁ କହିଥିଲେ । ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଏହି ଅଫିସ କୋଠାର ଉଚ୍ଚତା ୧୩ମିଟର କରିବାକୁ ପ୍ରସ୍ତାବ ଦିଆଯାଇଥିଲା ।

ସୂଚନାଯୋଗ୍ୟ, ଶ୍ରୀଜଗନ୍ନାଥ ମନ୍ଦିରଠୁ ୧୦୧.୫୦ମିଟର ଦୂରତ୍ୱରେ ନିର୍ମାଣ ହେଉଥିବା ଏହି ଅଫିସ କୋଠାର ଅଣ୍ଡରଗ୍ରାଉଣ୍ଡ ଫ୍ଲୋରରେ ୧୪୩ବର୍ଗମିଟର, ଗ୍ରାଉଣ୍ଡ ଫ୍ଲୋରରେ ୧୩୬୫ବର୍ଗମିଟର ଓ ପ୍ରଥମ ମହଲାରେ ୧୩୦୫ବର୍ଗମିଟର ପରିମିତ ନିର୍ମାଣ ହେବ ବୋଲି ଜଣାପଡ଼ିଛି । ତେବେ ଏହାର ଉଚ୍ଚତା ସାଢ଼େ ୭ମିଟର ମଧ୍ୟରେ ରହିଲା ନା ସେଥିରେ ବୃଦ୍ଧି ହୋଇଛି, ତାହା ଜଣାପଡ଼ିନି । ୨୦୨୨ ସେପ୍ଟେମ୍ବର ୯ତାରିଖରେ ଏନଏମଏ କର୍ତ୍ତୃପକ୍ଷଙ୍କ ୩୬୧ତମ ବୈଠକରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନିକ କୋଠାର ନିର୍ମାଣ କାର୍ଯ୍ୟ ରେଗୁଲେଟେଡ୍ ଏରିଆ ମଧ୍ୟରେ କରିବା ପାଇଁ ଅନୁମତି ଦିଆଯାଇଥିଲେ ମଧ୍ୟ ଏହି କୋଠାର ଉଚ୍ଚତାକୁ ୭.୫ମିଟରରୁ ଅଧିକ ହେବା ଉପରେ କଟକଣା ଜାରି ହୋଇଥିଲା ।

Advertisment
Puri Shreemandir Puri Puri Gajapati Puri Temple