Advertisment

ମହାପ୍ରଭୁ ପିନ୍ଧିବେ ସାତ୍ତ୍ୱିକ ଖଣ୍ଡୁଆପାଟ, ବିନା ଜୀବ ହତ୍ୟାରେ ବୁଣା ହେବ ଗୀତଗୋବିନ୍ଦ ଖଣ୍ଡୁଆ

ପୂର୍ବରୁ ରେଷମ ବସ୍ତ୍ରରେ ଯେଉଁ ଗୀତଗୋବିନ୍ଦ ଖଣ୍ଡୁଆ ପ୍ରସ୍ତୁତ ହେଉଥିଲା, ତାହା ରେଷମ ପୋକକୁ ମାରି ପ୍ରସ୍ତୁତ କରାଯାଉଥିଲା। କିନ୍ତୁ ହସ୍ତତନ୍ତ ବିଭାଗ ନିର୍ଦ୍ଦେଶକ ଶୋହନ କ୍ରୀଷ୍ଣା ସାହୁ ବ୍ୟକ୍ତିଗତ ପ୍ରଚେଷ୍ଟାରେ ଏକ ନୂଆ ପ୍ରଣାଳୀରେ ରେଷମ ବସ୍ତ୍ର ପ୍ରସ୍ତୁତ କରୁଛନ୍ତି।

author-image
Manoranjan Sial
Jagannath Temple

Jagannath Temple

ମହାପ୍ରଭୁ ପିନ୍ଧିବେ ସାତ୍ତ୍ୱିକ ଖଣ୍ଡୁଆପାଟ। ବିନା ଜୀବ ହତ୍ୟାରେ ବୁଣା ହେବ ଶ୍ରୀଜିଉଙ୍କ ଅତିପ୍ରିୟ ଗୀତଗୋବିନ୍ଦ ଖଣ୍ଡୁଆ। ଏହାର ଏକ ନକଲ ଶ୍ରୀମନ୍ଦିର ପରିଚାଳନା କମିଟି ବୖଠକରେ ଉପସ୍ଥାପନ କରାଯାଇଛି। ପରିଚାଳନା କମିଟି ସଦସ୍ୟ ଏହାର ପ୍ରସ୍ତୁତି ପ୍ରଣାଳୀକୁ ପ୍ରଶଂସା କରିବା ସହ ଶ୍ରୀମନ୍ଦିରରେ ପ୍ରଚଳନ ପାଇଁ ସହମତି ଜଣାଇଛି ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି।

Advertisment

ପୂର୍ବରୁ ରେଷମ ବସ୍ତ୍ରରେ ଯେଉଁ ଗୀତଗୋବିନ୍ଦ ଖଣ୍ଡୁଆ ପ୍ରସ୍ତୁତ ହେଉଥିଲା, ତାହା ରେଷମ ପୋକକୁ ମାରି ପ୍ରସ୍ତୁତ କରାଯାଉଥିଲା। କିନ୍ତୁ ହସ୍ତତନ୍ତ ବିଭାଗ ନିର୍ଦ୍ଦେଶକ ଶୋହନ କ୍ରୀଷ୍ଣା ସାହୁ ବ୍ୟକ୍ତିଗତ ପ୍ରଚେଷ୍ଟାରେ ଏକ ନୂଆ ପ୍ରଣାଳୀରେ ରେଷମ ବସ୍ତ୍ର ପ୍ରସ୍ତୁତ କରୁଛନ୍ତି। ରେଷମ ପୋକକୁ ନ ମାରି, ରେଷମ ପୋକକୁ କାଢ଼ି, ତା’ର ଖୋସାରେ ସେ ଏହି ବସ୍ତ୍ର ପ୍ରସ୍ତୁତ କରୁଛନ୍ତି। ଯାହାକୁ ରାଜ୍ୟ ହସ୍ତତନ୍ତ ବିଭାଗ ମଧ୍ୟ ଗ୍ରହଣ କରିଛି।

ଶ୍ରୀମନ୍ଦିରରେ ଏହି ରେଷମ ପ୍ରଚଳନ ପାଇଁ ସରକାର ଚାହୁଁଛନ୍ତି। ସେ ଦୃଷ୍ଟିରୁ ଆଜି ଏହି ରେଷମରେ ପ୍ରସ୍ତୁତ ଏକ ଗୀତଗୋବିନ୍ଦ ଖଣ୍ଡୁଆ ବୈଠକରେ ସର୍ବସମ୍ମୁଖରେ ପ୍ରଦର୍ଶିତ ହୋଇଥିଲା। ଏହାର ବିଶେଷତ୍ତ୍ୱ ହେଉଛି, ବିନା ଜୀବ ହତ୍ୟାରେ ରେଷମରୁ ଗୀତଗୋବିନ୍ଦ ଖଣ୍ଡୁଆ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କ ପାଖରେ ଲାଗିପାରିବ। ସଂପୂର୍ଣ୍ଣ ସାତ୍ତ୍ୱିକ ପ୍ରଣାଳୀରେ ଗୀତଗୋବିନ୍ଦ ଖଣ୍ଡୁଆ ରେଷମରୁ ପ୍ରସ୍ତୁତ ହେବ। ଏହାକୁ ମହାପ୍ରଭୁଙ୍କଠାରେ ଲାଗି ପାଇଁ ପରିଚାଳନା କମିଟି ସହମତି ପ୍ରକାଶ କରିଛି। ଖୁବଶୀଘ୍ର ହସ୍ତତନ୍ତ ବିଭାଗ ସହଯୋଗରେ ଏହି ଗୀତଗୋବିନ୍ଦ ଖଣ୍ଡୁଆ ପ୍ରଚଳନ କରିବାକୁ ଯାଉଛୁ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା।

Advertisment

ତେଣେ ସାତ୍ତ୍ୱିକ ରେଶମ ସୂତା ଉତ୍ପାଦନ ସମ୍ପର୍କରେ ତଥ୍ୟ ଦେଇ ରାଜ୍ୟ ରେଶମ ଶିଳ୍ପ ବିଭାଗ କହିଛି- ବର୍ତ୍ତମାନ ସମୟରେ ମୁଖ୍ୟତଃ ୪ ପ୍ରକାର ରେଶମ ପୋକ ଯଥାକ୍ରମେ ମାଲବେରୀ, ଟସର, ଏରି ଓ ମୁଗାଙ୍କ ଖୋସାରୁ ସିଲ୍‌କ ସୂତା ସଂଗ୍ରହ ହେଉଛି। ସେମାନଙ୍କ ମଧ୍ୟରୁ କେବଳ ଏରିକୁ ଛାଡ଼ି ବାକି ସବୁ ପୋକଙ୍କୁ ସୂତା ପାଇଁ ମରାଯାଏ। କିନ୍ତୁ ଏରି ବା ଏଣ୍ଡି ପୋକ, ପ୍ରଜାପତିରେ ପରିଣତ ହୋଇ ଉଡ଼ିଯିବା ପରେ ସେ ଛାଡ଼ି ଯାଉଥିବା ଖୋସାରୁ ଯେଉଁ ରେଶମ ସୂତା ବାହାରୁଛି ତାହା ଅତ୍ୟନ୍ତ ମୋଟା ଯୋଗୁ ସେଥିରୁ ପାଟବସ୍ତ୍ର ତିଆରି ହୋଇପାରୁନଥିଲା। କିନ୍ତୁ ରାୟପୁରର ଏକ ଫ୍ୟାକ୍ଟ୍ରିରେ ଏବେ ସେ ଖୋସାରୁ ସରୁ ସୂତା ବାହାରି ପାରୁଛି। ଯାହାକି ଜଗନ୍ନାଥଙ୍କ ଖଣ୍ଡୁଆ ପାଟ ତିଆରି ପାଇଁ ଉପଯୋଗୀ ହୋଇଛି।

ସେପଟେ ଏଭଳି ସାତ୍ତ୍ୱିକ ଗୀତଗୋବିନ୍ଦ ଖଣ୍ଡୁଆକୁ ଦେଖି ବେଶ୍‌ ଖୁସି ହୋଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ସେବାୟତ। ବିନା ଦ୍ୱିଧାରେ ଠାକୁରଙ୍କୁ ଲାଗି ପାଇଁ ସହମତି ଦେଇଛନ୍ତି। ଦଇତାପତି ସେବକଙ୍କ ସୂଚନା ଅନୁସାରେ- ଶ୍ରୀଜିଉମାନେ ପରିଧାନ କରୁଥିବା ଗୋଟିଏ ବାଡ଼ ସଜ ସେଟରେ ୧୬ଟି ପାଟ ଲୁଗା ରହିଥାଏ। ୮୮ମିଟର ଲମ୍ବର ଗୋଟିଏ ସେଟ୍‌ ପ୍ରସ୍ତୁତ କରିବାକୁ ହେଲେ ୪ରୁ ୭ ଲକ୍ଷ ଟସର ପୋକଙ୍କୁ ମାରି ରେଶମ ସଂଗ୍ରହ କରିବାକୁ ପଡ଼ିଥାଏ। ଅନ୍ୟ ଉପାୟ ନଥିବାରୁ ପୁରୁଣା ପ୍ରଣାଳୀରେ ପାଟ୍‌ ବସ୍ତ୍ର ପ୍ରସ୍ତୁତ ହୋଇ ଆସୁଛି। ଏବେ କିନ୍ତୁ ଅହିଂସା ପାଟ ତିଆରି ପାଇଁ ରାଜ୍ୟ ହସ୍ତତନ୍ତ ବିଭାଗର ଉଦ୍ୟମ ପ୍ରଶଂସନୀୟ।ସେପଟେ ଜଗନ୍ନାଥ ମନ୍ଦିରକୁ ପୁରୁଷ ପୁରୁଷ ଧରି ଖଣ୍ଡୁଆପାଟ ଯୋଗାଇ ଆସୁଥିବା ଖୋର୍ଦ୍ଧା ବେଗୁନିଆସ୍ଥିତ ରାଉତପଡ଼ା ଗାଁର ବୁଣାକାରମାନେ ଗୋଟିଏ ସେଟ୍‌ ସାତ୍ତ୍ୱିକ ପାଟ ବୁଣି ସାରିଥିବା ବେଳେ ଆଉ ଏକ ସେଟ୍‌ ପ୍ରସ୍ତୁତି ଚାଲିଥିବା କହିଛନ୍ତି।

Puri Shreemandir Puri Sri Jagannath Lord Jagannath