ରାଉରକେଲା: ରାଉରକେଲା ଜିଲ୍ଲା କଂଗ୍ରେସର କର୍ମୀମାନେ ଆଜି ସ୍ଥାନୀୟ ଯୋଗାଣ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି। ଏ ନେଇ ଉଦିନନଗର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଖାଦ୍ୟ ସୁରକ୍ଷା ଆଇନରେ ଅଯୋଗ୍ୟ କାର୍ଡଧାରୀଙ୍କଠାରୁ ୧୦ ପ୍ରତିଶତ ସୁଧ ଆଦାୟ, କେନ୍ଦ୍ର ସରକାରଙ୍କ ୮ଟି ମାନଦଣ୍ଡ ବାଦ ରାଜ୍ୟ ସରକାର ଆଉ ଏକ ଅତିରିକ୍ତ ମାନଦଣ୍ଡ ଲାଗୁ କରିବା, ଗିରଫଦାରୀ ନାଁରେ ଅଯୋଗ୍ୟ କାର୍ଡଧାରୀଙ୍କ ମନରେ ଭୟ ସୃଷ୍ଟି କରିବା ପ୍ରତିବାଦରେ ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆ ଯାଇଥିଲା। ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଚାଲିଥିବା ବେଳେ କିଛି କଂଗ୍ରେସ କର୍ମୀ ଯୋଗାଣ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା।
କଂଗ୍ରେସ କର୍ମୀମାନେ ଯୋଗାଣ କାର୍ଯ୍ୟାଳୟରେ ଭଙ୍ଗାରୁଜା ଅଭିଯୋଗକୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ବିରେନ ସେନାପତି ଖଣ୍ଡନ କରିଛନ୍ତି। ଏହି ଘଟଣା ପରେ ଅଯୋଗ୍ୟ ରାସନ କାର୍ଡର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବିରେ କଂଗ୍ରେସର ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।