Advertisment

ଛାତ୍ରଛାତ୍ରୀ ନିରାଶ, ଚାଷୀ ହତାଶ; ବହୁ ବର୍ଷ ହେବ କର୍ମନିୟୋଜନ ଓ ଉଦ୍ୟାନ କୃଷି କାର୍ଯ୍ୟାଳୟରେ ତାଲା

ବର୍ଷ ବର୍ଷ ଧରି ସରକାରଙ୍କ ଏମ୍ପ୍ଲେୟମେଣ୍ଟ ଏକ୍ସଚେଞ୍ଜ ଓ ଉଦ୍ୟାନ କାର୍ଯ୍ୟାଳୟରେ ତାଲା ପଡ଼ିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
employment exchange

employment exchange

ଛାତ୍ରଛାତ୍ରୀ ନିରାଶ। ଚାଷୀ ହତାଶ। କାରଣ ବର୍ଷ ବର୍ଷ ଧରି ସରକାରଙ୍କ ଏମ୍ପ୍ଲେୟମେଣ୍ଟ ଏକ୍ସଚେଞ୍ଜ ଓ ଉଦ୍ୟାନ କାର୍ଯ୍ୟାଳୟରେ ତାଲା ପଡ଼ିଛି। ଫଳରେ ଶିକ୍ଷିତ ଯୁବତଯୁବତୀଙ୍କୁ ଚାକିରି ମିଳିବାରେ ସମସ୍ୟା ହେଉଥିବା ବେଳେ ଚାଷୀ କୃଷି ସମସ୍ୟାର ସମାଧାନ ନିମନ୍ତେ ଆବଶ୍ୟକ ସହାୟତା ପାଉନି। ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ସରକାରୀକଳର ଏଭଳି ଅଚଳ ଅବସ୍ଥା ଦେଖିବାକୁ ମିଳିଛି।

Advertisment

ସରକାର ରାଜ୍ୟରୁ ବେରୋଜଗାରି ହଟାଇବା ଓ ଚାଷୀଙ୍କ ଉନ୍ନତି ନିମନ୍ତେ ବହୁ ପଦକ୍ଷେପ ନେଉଥିବା ଘୋଷଣା କରୁଥିବା ବେଳେ ଏହା କିପରି ପ୍ରହସନ ହୋଇଛି ତାହା ଏହି ଜ୍ୱଳନ୍ତ ଛବିରୁ ଜଣାପଡ଼ିଛି।

ବଣେଇ କର୍ମ ନିୟୋଜିତ ସଂସ୍ଥା(ଏମ୍ପ୍ଲେୟମେଣ୍ଟ ଏକ୍ସଚେଞ୍ଜ ଅଫିସ) ବର୍ଷ ବର୍ଷ ଧରି ତାଲା ପଡ଼ିଥିବାରୁ ଶିକ୍ଷିତ ଯୁବକ ଯୁବତୀମାନେ ଏଠାରୁ ୬୦ କିଲୋମିଟର ଦୂର ରାଉରକେଲା ଏମ୍ପେୟମେଣ୍ଟ ଅଫିସ୍‌କୁ ଯିବାକୁ ପଡ଼ୁଛି। ଫଳରେ ସେମାନଙ୍କୁ ହଇରାଣ ହରକତ ହେଉଛନ୍ତି।

Advertisment

ବଣାଇ ଅଂଚଳରେ ଚାଷୀଙ୍କ ଉନ୍ନତି ଲକ୍ଷ୍ୟରେ ସରକାର ଲକ୍ଷାଧିକ ଟଙ୍କା ବ୍ୟୟରେ ଏଠାର ବିରାଟ ଉଦ୍ୟାନ କୃଷି ଭବନ ନିର୍ମାଣ କରିଥିଲା। ଅଧିକାରୀମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା। ହେଲେ ଏଠାରେ କେବଳ ଘରଟି ଅଛି। ଅଧିକାରୀ ଆସୁନାହାନ୍ତି। ବହୁ ବର୍ଷ ଧରି ଅଫିସ୍‌ରେ ତାଲା ପଡ଼ିଥିବାରୁ ତାଲାରେ କଳଙ୍କି ଲାଗି ଗଲାଣି। ଅଫିସ୍‌ ଭିତରେ ଅନାବନା ଗଛ ଓ କଣ୍ଟା ଗଛ ଉଠିଗଲାଣି।

ହେଲେ ଅଫିସ୍‌ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀର ଉନ୍ନତି ନିମନ୍ତେ ଦେଇଥିବା ବାର୍ତ୍ତା ଓ ୫ଟି ଅଭିଯାନର ଉଦ୍ଦେଶ୍ୟ ସମ୍ପର୍କରେ ବିଶାଳ ବୋର୍ଡ ଲାଗିଛି।

ଏନେଇ ବଣାଇର ଚାଷୀ ତୁଷାରକାନ୍ତ ସାହୁ କହିଛନ୍ତି, ସ୍ଥାନୀୟ ଅଞ୍ଚଳର ଜୀବନଜୀବିକା ଚାଷ ଉପରେ ନିର୍ଭର କରେ। ସରକାରଙ୍କ ଉଦ୍ୟମରେ ଏହି ଉଦ୍ୟାନ କୃଷି କାର୍ଯ୍ୟାଳୟ ଖୋଲା ହୋଇଥିଲା। ଏଠାରେ କର୍ମଚାରୀ ମଧ୍ୟ ନିଯୁକ୍ତ ହୋଇଛନ୍ତି। ହେଲେ ଯେତେବେଳେ ଆସିବା ବେଳକୁ ଅଫିସ୍ ତାଲା ପଡ଼ିଥିବା ଦେଖିବାକୁ ମିଳୁଛି। ଫଳତଃ ଚାଷୀମାନଙ୍କୁ ଆବଶ୍ୟକ ସାହାଯ୍ୟ ଏଠାରୁ ମିଳିପାରୁନି। ଉନ୍ନତମାନର ଚାଷ ପରାମର୍ଶ ହେଉ ଅବା କୃଷି ଯନ୍ତ୍ରପାତି, କିମ୍ବା ରୋଗପୋକ ଦମନ, ବିହନ, ତାଲିମ ନିମନ୍ତେ ସହାୟତା କିଛି ବି ମିଳିପାରୁନି। ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। ସରକାର ତୁରନ୍ତ ଏହି ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ନିଅନ୍ତୁ ଓ ଚାଷୀଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରନ୍ତୁ।

horticulture officeବଣେଇ ଉଦ୍ୟାନ କୃଷି କାର୍ଯ୍ୟାଳୟ

ଏହା ତ’ ଗଲା ଚାଷୀଙ୍କ ସମସ୍ୟା। ବେକାର ଯୁବକ ଯୁବତୀଙ୍କ ସୁବିଧା ନିମନ୍ତେ ସରକାର ବଣେଇରେ ଖୋଲିଥିବା ଉପ ନିୟୋଜିତ କାର୍ଯ୍ୟାଳୟ ଅବସ୍ଥା ଏହାଠାରୁ ବଳକା। ଆରମ୍ଭରୁ ଏହି କାର୍ଯ୍ୟାଳୟ କିଛିଦିନ ଠିକ ଠାକ ଚାଲିଥିଲା। ଏହା ପରେ ସାପ୍ତାହକୁ ଥରେ ହାଟପାଳି ଦିନ କାର୍ଯ୍ୟାଳୟ ଖୋଲିଥିଲା। ଏବେ ସମ୍ପୂର୍ଣ୍ଣ ବନ୍ଦ। ଏହି କାର୍ଯ୍ୟାଳୟ ପରିସର ଗୋରୁଗୁହାଳ ପାଲଟିଛି। ଫଳରେ ଛାତ୍ରଛାତ୍ରୀ ଓ ଯୁବକଯୁବତୀମାନେ ଚାକିରି ନିମନ୍ତେ ନାମ ପଞ୍ଜୀକରଣ କରିବାକୁ ଆସି ନିରାଶରେ ଫେରୁଛନ୍ତି। ସରକାରୀ କାର୍ଯ୍ୟାଳୟର ଏଭଳି ଦୁରାବସ୍ଥା ଦେଖି ଦୀର୍ଘ ନିଶ୍ୱାସ ଛାଡ଼ୁଛନ୍ତି।

employment exchangeବଣେଇ କର୍ମନିୟୋଜନ କାର୍ଯ୍ୟାଳୟ ପରିସରରେ ଗୁହାଳ

ଏଠାରେ ନାମ ପଞ୍ଜୀକରଣ ସୁବିଧା ମିଳୁ ନ ଥିବାରୁ ୬୦ କିଲୋମିଟର ଦୂର ରାଉରକେଲା ଯିବାକୁ ପଡୁଛି। ଯାହା ସମସ୍ତଙ୍କୁ ଖର୍ଚ୍ଚାନ୍ତ କରିବା ସହ ଦହଗଞ୍ଜ କରୁଛି। କାର୍ଯ୍ୟାଳୟ ବନ୍ଦ ଯୋଗୁ କିଛି ଦଲାଲ ଏବେ ପିଲାମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଇ ଠକୁଥିବା ଅଭିଯୋଗ ଆସୁଛି।

ଏହି ଦୁଇ କାର୍ଯ୍ୟାଳୟ କୋମାରେ ପଡ଼ିଥିବା ବେଳେ ସରକାର କେବେ ଏହାର ଚିକିତ୍ସା କରୁଛନ୍ତି ତାହା ଦେଖିବାର କଥା।

ଏନେଇ ଯମକେଇର ଚାକିରି ଆଶାୟୀ ଆଲୋକ ମିଶ୍ର କହିଛନ୍ତି, ଏକ ଚାକିରିରେ ଭର୍ତ୍ତି ନିମନ୍ତେ ନାମପଞ୍ଜୀକରଣ ରିନ୍ୟୁଆଲ ଆବଶ୍ୟକ ହେଉଥିଲା। ହେଲେ ଏଠାରେ କାର୍ଯ୍ୟାଳୟ ବନ୍ଦ ଯୋଗୁ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ପ୍ରାୟ ୨ ବର୍ଷ ହେବ ଏହା ଆଦୌ ଖୋଲା ହେଉନି। ତେଣୁ ଏହି ଅଞ୍ଚଳର ବହୁ ଲୋକ ହଇରାଣ ହେଉଛନ୍ତି ଓ ଦଲାଲଙ୍କ ଦ୍ୱାରା ଠକାମୀର ଶିକାର ହେଉଛନ୍ତି। ସେପଟେ ରାଉରକେଲାରେ ପହଞ୍ଚିବା ବେଳକୁ ସେଠାରେ ଥିବା କର୍ମନିୟୋଜନ କାର୍ଯ୍ୟାଳୟରେ ପ୍ରବଳ ଭିଡ଼ ଯୋଗୁ ଦହଗଞ୍ଜ ହେବାକୁ ପଡ଼ୁଛି। ଠିକ୍ ଭାବେ ସେଠାରେ ମଧ୍ୟ ସୁବିଧା ମିଳୁନି। ତୁରନ୍ତ ବଣେଇ ଉପ ନିୟୋଜନ କାର୍ଯ୍ୟାଳୟ ଖୋଲିବାକୁ ସରକାର ପଦକ୍ଷେପ ନିଅନ୍ତୁ।

ଏନେଇ ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁ କହିଛନ୍ତି, ବଣେଇ ଉପ ନିୟୋଜନ କାର୍ଯ୍ୟରେ ନିଯୁକ୍ତି ପାଇଥିବା କିରାଣୀ ଓ କର୍ମଚାରୀଙ୍କ ବଦଳି ୨୦୨୦ ମସିହାରୁ ହୋଇଯାଇଛି। ତେଣୁ ଏହି କାର୍ଯ୍ୟାଳୟ ଖୋଲା ହୋଇପାରୁନି। ୨ ଦିନ ତଳେ ଜଣେ ଜୁନିଅର ଆସିଷ୍ଟାଣ୍ଟ ରାଉରକେଲାରେ ନିଯୁକ୍ତି ପାଇଛନ୍ତି। ଏହି ଅଧିକାରୀ ବଣାଇ ଉପ ନିୟୋଜନ କାର୍ଯ୍ୟାଳୟକୁ ସପ୍ତାହକୁ ଥରେ ଗୁରୁବାର ଦିନ ଆସି କାମ କରିବେ ବୋଲି ସେ କଥା ହୋଇଥିବା ଉପଜିଲ୍ଲାପାଳ କହିଛନ୍ତି।

ସେହିପରି ଉପଜିଲ୍ଲାପାଳ କହିଛନ୍ତି, ବଣେଇ ଉଦ୍ୟାନ କୃଷି କାର୍ଯ୍ୟାଳୟରେ ଜଣେ ଅଧିକାରୀଙ୍କ ସମେତ କାର୍ମଚାରୀ ନିୟୋଜିତ ଅଛନ୍ତି। ସେମାନେ ଫିଲ୍ଡରେ ଚାଷୀମାନଙ୍କୁ ବିହନ, ଅନ୍ୟାନ୍ୟ ଜିନିଷ ବାଣ୍ଟୁଛନ୍ତି। ସେମାନେ କେଉଁ ସମୟରେ ଅଫିସ୍‌ରେ ଉପସ୍ଥିତ ରହୁଛନ୍ତି ସେନେଇ ଲୋକଙ୍କୁ ଅବଗତ କରିବାର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛି ବୋଲି ଉପଜିଲ୍ଲାପାଳ କହିଛନ୍ତି।

Odisha Government