ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଦେଶପାଇଁ ଅସହ୍ୟ ଯନ୍ତ୍ରଣା ଓ ତ୍ୟାଗପୂତ ବଳିଦାନ ସତ୍ତ୍ୱେ ଅନେକ ମହାନ୍ ସଂଗ୍ରାମୀ ସ୍ୱାଧୀନୋତ୍ତର ଭାରତରେ ଏବେ ସୁଦ୍ଧା ଅଜଣା ହୋଇ ରହିଛନ୍ତି। ଦେଶକୁ ପରାଧୀନତାରୁ ମୁକ୍ତି ଦେବା ପାଇଁ ନିଜ ଯୌବନକୁ ବାଜିରେ ଲଗାଇ ଶକ୍ତିଶାଳୀ ବ୍ରିଟିଶ୍ ସରକାରଙ୍କ ନିଦ ହଜାଇ ଦେଇଥିବା ସେମିତି କିଛି ବିରଳ ବିପ୍ଲବୀଙ୍କ ମଧ୍ୟରୁ ଅନ୍ୟ ଜଣେ ହେଉଛନ୍ତି ପଶ୍ମିମବଙ୍ଗର ବଟୁକେଶ୍ୱର ଦତ୍ତ।
ମାତ୍ର ୧୯ ବର୍ଷ ବୟସରେ ଏହି ମହାନ୍ ବିପ୍ଲବୀ ସ୍ୱାଧୀନତା-ପୂର୍ବ ଭାରତ ଇତିହାସର ଅନ୍ୟତମ କିମ୍ବଦନ୍ତୀ ସହିଦ୍ ଭଗତ ସିଂହଙ୍କ ସହ ୧୯୨୯ ମସିହାରେ ନୂଆଦିଲ୍ଲୀର ସେଣ୍ଟ୍ରାଲ୍ ଲେଜିସ୍ଲେଟିଭ୍ ଆସେମ୍ବ୍ଲି ଭିତରେ ବମିଂ କରି ତତ୍କାଳୀନ ବ୍ରିଟିଶ୍ ସରକାରକୁ ମୁହାଁମୁହିଁ ଚ୍ୟାଲେଞ୍ଜ୍ କରିଥିଲେ।
ଆସନ୍ତୁ ଜାଣିବା, ସ୍ୱାଧୀନତା ସଂଗ୍ରାମର ଅନ୍ୟଜଣେ ମହାନାୟକ ବଟୁକେଶ୍ୱରଙ୍କ ସମ୍ପର୍କରେ କିଛି ଅଜଣା କଥା।
ବଟୁ ଓ ମୋହନ୍ ଭାବେ ସଂଗ୍ରାମୀ ସାଥୀମାନଙ୍କ ଗହଣରେ ପରିଚିତ ଏହି ବଙ୍ଗୀୟ ବିପ୍ଲବୀ ୧୯୧୦ ମସିହା ନଭେମ୍ବର ୧୮ ରେ ପଶ୍ଚିମବଙ୍ଗ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଓଆରି ଗାଁରେ ଜନ୍ମ ହୋଇଥିଲେ। ବଟୁକେଶ୍ୱରଙ୍କ ବାପାଙ୍କ ନାଁ ଗୋଷ୍ଠବିହାରୀ ଦତ୍ତ। କାନପୁରର ପିପିଏନ୍ ହାଇସ୍କୁଲ୍ରୁ ମ୍ୟାଟ୍ରିକ ପାସ କରିବା ପରେ ମହାନ୍ ବିପ୍ଲବୀ ଭଗତ ସିଂହଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ପରେ ଉଭୟ ଭଗତ ସିଂହ ଓ ଚନ୍ଦ୍ରଶେଖର ଆଜାଦ୍ଙ୍କ ଘନିଷ୍ଠ ସହଯୋଗୀ ଭାବେ ସେ କାମ କରିଥିଲେ। ଭଗତ ସିଂହଙ୍କ ନେତୃତ୍ୱରେ ପରିଚାଳିତ ହିନ୍ଦୁସ୍ତାନ୍ ସୋଶାଲିଷ୍ଟ୍ ରିପବ୍ଲିକାନ୍ ଆସୋସିଏସନ୍ର ସେ ଥିଲେ ଜଣେ ଆଗଧାଡ଼ିର ସଦସ୍ୟ। ଏହି ହିନ୍ଦୁସ୍ତାନ୍ ସୋସିଆଲିଷ୍ଟ୍ ରିପବ୍ଲିକାନ୍ ଆସୋସିଏସନ୍ରେ କାମ କରୁଥିବାବେଳେ ସେ ବୋମା ତିଆରି କୌଶଳ ଶିଖିଥିଲେ।
ଭଗତ ସିଂହଙ୍କ ଭଳି ଭାରତୀୟ ବିପ୍ଲବୀଙ୍କୁ ଦମନ କରିବା ପାଇଁ ତତ୍କାଳୀନ ବ୍ରିଟିଶ୍ ସରକାର ସେତେବେଳେ ଡିଫେନ୍ସ ଅଫ୍ ଇଣ୍ଡିଆ ଆକ୍ଟ- ୧୯୧୫କୁ ଲାଗୁ କରିଥିଲେ, ଯେଉଁ ନିୟମ ଦ୍ୱାରା ପୋଲିସ୍କୁ ଏଥିପାଇଁ ପୂର୍ଣ୍ଣ କ୍ଷମତା ମିଳିଥିଲା। ଏଭଳି ନିଷ୍ପତ୍ତିର ପ୍ରତିବାଦରେ ସହିଦ୍ ଭଗତ୍ ଦିଲ୍ଲୀ ସେଣ୍ଟ୍ରାଲ୍ ଲେଜିସ୍ଲେଟିଭ୍ ଆସେମ୍ବ୍ଲିରେ ବମିଂ ପାଇଁ ଦେଇଥିବା ପ୍ରସ୍ତାବକୁ ହିନ୍ଦୁସ୍ତାନ୍ ସୋଶାଲିଷ୍ଟ୍ ରିପବ୍ଲିକାନ୍ ଆସୋସିଏସନ୍ର ଉଚ୍ଚ କ୍ଷମତାପ୍ରାପ୍ତ କମିଟି ମଂଜୁରୀ ଦେଇଥିଲା। ଏହି ପ୍ରସ୍ତାବ ବିଧିବଦ୍ଧ ସ୍ୱୀକୃତି ପାଇବା ପରେ ପ୍ରଥମେ ଯୋଜନା ହୋଇଥିଲା, ବଟୁକେଶ୍ୱର ଓ ସୁଖଦେବ୍ ଆସେମ୍ବ୍ଲିରେ ବମ୍ ଖଞ୍ଜିବେ ଏବଂ ଭଗତ ସିଂହ ସୋଭିଏତ୍ ଋଷ୍ ଚାଲିଯିବେ। କିନ୍ତୁ ପରେ ଯୋଜନା ବଦଳିଥିଲା ଏବଂ ଭଗତ ସିଂହଙ୍କ ସହ ବଟୁକେଶ୍ୱର ହିଁ ଏହି ବିସ୍ଫୋରଣ କରିବାକୁ ଧାର୍ଯ୍ୟ ହୋଇଥିଲା।
ଯୋଜନା ଅନୁସାରେ, ୧୯୨୯ ମସିହା ଏପ୍ରିଲ୍ ୮ରେ ଦର୍ଶକ ଗ୍ୟାଲେରୀକୁ ଧସେଇ ପଶି ବଟୁକେଶ୍ୱର ହିଁ ଆସେମ୍ବ୍ଲି ଭିତରକୁ ଦୁଇଟି ବୋମା ଫିଙ୍ଗିଥିଲେ। ଆଉ ବିସ୍ଫୋରଣ ପରେ ଆସେମ୍ବ୍ଲି ହଲ୍ ଧୂଆଁମୟ ହୋଇ ପଡ଼ିଥିବାବେଳେ ଏହି ଦୁଇ ମହାନ୍ ବିପ୍ଲବୀ "ଇନ୍କିଲାବ୍ ଜିନ୍ଦାବାଦ୍" ସ୍ଲୋଗାନ୍ ଦେଇ ସେଠାରେ ନିଜର ଉପସ୍ଥିତି ଜାହିର୍ କରିବା ସହ ଇଂରେଜ୍ ସରକାର ବିରୋଧୀ ପ୍ରଚାରପତ୍ର ପ୍ରଦର୍ଶନ କରିଥିଲେ। ପରେ ବ୍ରିଟିଶ୍ ପୋଲିସ୍ ପଞ୍ଜାବର ଭଗତ ସିଂହ ଓ ବଙ୍ଗଳାର ବଟୁକେଶ୍ୱର ଦତ୍ତଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା।
ଏହି ମାମଲାରେ ସୁଖଦେବ ଓ ଭଗତ ସିଂହଙ୍କ ସମେତ ଦୋଷୀ ସାବ୍ୟସ୍ତ ହୋଇ ବଟୁକେଶ୍ୱର ଆଣ୍ଡାମାନ୍ ଓ ନିକୋବର୍ ଦ୍ୱୀପପୁଞ୍ଜର ସେଲୁଲାର୍ ଜେଲ୍ରେ ଆଜୀବନ କାରାଦଣ୍ଡ ଭୋଗିଥିଲେ। ତେବେ ଗଳା ସଂକ୍ରମଣରେ ଆକ୍ରାନ୍ତ ହେବା ଯୋଗୁ ଜେଲ୍ରୁ ଖଲାସ୍ ହେବା ପରେ ବି ସେ ୧୯୪୨ ମସିହାରେ ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନରେ ସାମିଲ୍ ହୋଇ ପୁଣିଥରେ ୪ ବର୍ଷ କାରାବରଣ କରିଥିଲେ। ଏଥର ତାଙ୍କୁ ବିହାର ଚମ୍ପାରଣ ଜିଲ୍ଲାର ମୋତିହାରୀ ଜେଲ୍ରେ ସଜା ଭୋଗିବାକୁ ପଡ଼ିଥିଲା।
ଦେଶ ସ୍ୱାଧୀନ ହେବା ପରେ ସେହି ୧୯୪୭ ମସିହା ନଭେମ୍ବରରେ ଏହି ମହାନ୍ ସଂଗ୍ରାମୀ ଅଞ୍ଜଳିଙ୍କୁ ବିବାହ କରିଥିଲେ। ତେବେ ସ୍ୱାଧୀନ ଭାରତରେ ଦେଶର ଏହି ସ୍ମରଣୀୟ ଯୋଦ୍ଧାଙ୍କୁ ଉଚିତ୍ ମର୍ଯ୍ୟାଦା ମିଳି ନ ଥିଲା। ଏପରିକି ସ୍ୱାଧୀନତା ପରବର୍ତ୍ତୀ ଦେଶର ରାଜନୈତିକ ଦୃଶ୍ୟପଟ୍ଟରେ ତାଙ୍କୁ କୌଣସି ଗୁରୁତ୍ୱ ମଧ୍ୟ ଦିଆଯାଇ ନ ଥିଲା। ଅଭାବ ଓ ଅନଟନ ମଧ୍ୟରେ ସେ ଜୀବନର ଅବଶିଷ୍ଟ ସମୟ କାଟିଥିଲେ।
ଯୌବନରେ ଦେଶ ପାଇଁ ଲଢ଼ିଥିବା ଏହି ଯୋଦ୍ଧା ନିଜ ଶେଷ ସମୟରେ ଦାରିଦ୍ର୍ୟ ସହ ଯୁଝିଥିଲେ। ପରିବାର ବଞ୍ଚିବା ପାଇଁ ବାଧ୍ୟବାଧ୍ୟକତାର ସହ ଏକ ପରିବହନ ବ୍ୟବସାୟ କରିଥିଲେ ହେଁ ସେଥିରେ ତାଙ୍କୁ ସେପରି ସଫଳତା ମିଳି ନ ଥିଲା। ଜୀବନତମାମ୍ ବ୍ୟବସ୍ଥା ଓ ପ୍ରତିକୂଳ ସ୍ଥିତି ସହ ସଂଗ୍ରାମ କରି ଦୀର୍ଘ ଦିନ ପୀଡ଼ିତ ରହିବା ପରେ ଶେଷରେ ଦିଲ୍ଲୀର ଏମ୍ସ୍ ହସ୍ପିଟାଲ୍ରେ ୧୯୬୫ ମସିହା ଜୁଲାଇ ୨୦ରେ ଏହି ଚିର ବିପ୍ଳବୀ ସବୁଦିନ ପାଇଁ ଆଖି ବୁଜିଥିଲେ। ପଞ୍ଜାବର ଫିରୋଜ୍ପୁର ନିଟକ ହୁସୈନିୱାଲାରେ ସାଥୀ ସହିଦ୍ ଭଗତ୍ ସିଂହ ଓ ସୁଖଦେବ୍ଙ୍କ ସମାଧି ସ୍ଥଳ ନିକଟରେ ତାଙ୍କ ଶେଷକୃତ୍ୟ ହୋଇଥିଲା।
ଏକମାତ୍ର ଝିଅ ଭାର୍ତୀ ଦତ୍ତ ବାଗ୍ଚୀ ଏବେ ପାଟନା ନିକଟ ଜାକନ୍ପୁର ଅଞ୍ଚଳରେ ଥିବା ସ୍ୱର୍ଗତଃ ବଟୁକେଶ୍ୱରଙ୍କ ଘରେ ରହୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।