ଅଭିନବ ଉପାୟରେ କୃଷି ସବ୍‌ସିଡି ହରିଲୁଟ୍, କୋଟି କୋଟି ଟଙ୍କାର ଘୋଟାଲା!

ଦେବେନ୍ଦ୍ର ପୃଷ୍ଟି

ଭୁବନେଶ୍ୱର: ନିରଂଜନ ସିଂହ, ପିତା- ପ୍ରଧାନ ସିଂହ, ଶ୍ରୀବନ୍ତପୁର, କୁରୁଡ଼ା, ରେମୁଣା, ବାଲେଶ୍ୱର।

ନିରଂଜନଙ୍କର ବାଲେଶ୍ୱର ଏସଏମଇ ଶାଖା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ଗୋଟେ ଜମାଖାତା ଅଛି। ସେ ଜମାଖାତାର ନମ୍ବର ହେଲା 10XXXXXXX55।

ଏଇ ଜମାଖାତାରେ ୧୦.୧.୨୦୧୯ ତାରିଖ ଦିନ ବଳକା ଜମା ପରିମାଣ ଥିଲା ୨୨୯୮ ଟଙ୍କା। ୧୧.୧.୨୦୧୯ ତାରିଖ ଦିନ ଏଇ ଖାତାରେ ଆର୍‌ଟିଜିଏସ୍‌ ମାଧ୍ୟମରେ ଜମା ହେଲା ୨୪ ଲକ୍ଷ ୧୪ ହଜାର ଟଙ୍କା। ମୋଟ ବଳକା ଜମା ହେଲା ୨୪ ଲକ୍ଷ ୧୬ ହଜାର ୨୯୮ ଟଙ୍କା। ଆର୍‌ଟିଜିଏସ୍‌ କରିଥିଲେ ନିଗମାନନ୍ଦ ଆସୋସିଏଟ୍‌ସ ନାମକ ଏକ ସଂସ୍ଥା। ସେଇ ସମାନ ତାରିଖରେ ଏଇ ନିଗମାନନ୍ଦ ଆସୋସିଏଟ୍‌ସକୁ ଚେକ୍‌ ମାଧ୍ୟମରେ ହସ୍ତାନ୍ତର ହେଲା ୧୪ ଲକ୍ଷ ୧୪ ହଜାର ୫୯ ଟଙ୍କା। ବଳକା ରହିଲା ୨୨୩୯ ଟଙ୍କା।

ଏଠି ପ୍ରଶ୍ନ ଉଠିପାରେ, ଯେଉଁ ନିଗମାନନ୍ଦ ଆସୋସିଏଟ୍‌ସ ଏଇ ଖାତାକୁ ୨୪.୧୪ ଲକ୍ଷ ଟଙ୍କା ହସ୍ତାନ୍ତର କଲା ସେହି ସଂସ୍ଥା ସେହି ଦିନ ପୁଣ ଚେକ୍‌ ମାଧ୍ୟମରେ ସବୁ ଯାକ ଟଙ୍କା ନେଇଗଲା କାହିଁକି?

ଓଡ଼ିଶାର ‘ସ୍ୱଚ୍ଛ ଓ ଦକ୍ଷ’ ସରକାର ଭିଜିଲାନ୍ସ କିମ୍ବା ଇଓଡବ୍‌ଲ୍ୟୁ ମାଧ୍ୟମରେ ଏହାର ତଦନ୍ତ କଲେ ସତ୍ୟାସତ୍ୟ ପଦାକୁ ଆସିବ। କେନ୍ଦ୍ର ସରକାରଙ୍କ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କିମ୍ବା ସିବିଆଇ ତଦନ୍ତ କଲେ ମଧ୍ୟ କଥାଟା ଫୁଟିଆରା ହୋଇପାରେ।

ତେବେ, ବେସରକାରୀ ସୂତ୍ରରୁ ଏଯାଏଁ ଯେତିକି ତଥ୍ୟ ପଦାକୁ ଆସିଛି ସେଥିରୁ ଜଣାପଡ଼ୁଛି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଅଭିଯାନ ଯୋଜନାରେ ଶସ୍ତା ଚାଉଳ ଯୋଜନାର ହିତାଧିକାର ଆଦିବାସୀ ସଂପ୍ରଦାୟର ନିରଂଜନ ସିଂହ ନିଗମାନନ୍ଦ ଆସୋସିଏଟ୍‌ସରୁ କୁବୋଟା ଏଗ୍ରିକଲ୍‌ଚରାଲ ମେସିନାରୀ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ଼୍‌ର ଇଂଜିନ ନମ୍ବର ବିଜେକ୍ୟୁ୦୮୧୮ ଚେସିସ ନମ୍ବର ୧୦୧୯୩୦ଏଚଏଲ କମ୍ବାଇନ୍‌ ହାର୍ଭେଷ୍ଟର ବା ଧାନ ଅମଳ ଯନ୍ତ୍ର ଖରିଦ କରିଥିଲେ। ଏହାର ବିଲ୍‌ ତାରିଖ ହେଉଛି ୧୧.୧.୨୦୧୯, ବିଲ୍‌ ନମ୍ବର ହେଉଛି ଏନ୍‌ଏ/୧୮-୧୯/୫୧୩ ଏବଂ ଯୋଗାଣ ତାରିଖ ହେଉଛି ୨୨.୧.୨୦୧୯। ଯୋଗାଣାକାରୀଙ୍କ ନାମ ହେଲା ନିଗମାନନ୍ଦ ଆସୋସିଏଟ୍‌ସ, ସୁଧାଂଶୁ ଶେଖର ପରିଡ଼ା।

ଏ ସୁଧାଂଶୁ ଶେଖର ପରିଡ଼ା ହେଲେ ଶାସକ ବିଜୁ ଜନତା ଦଳର ଜଣେ ବିଧାୟକ। ତାଙ୍କରି ମାଲିକାନାରେ ଚାଲିଛି ନିଗମାନନ୍ଦ ଆସୋସିଏଟ୍‌ସ।

ଠିକ୍‌ ଏମିତି ଅନ୍ୟ ଜଣେ କମ୍ବାଇନ୍‌ ହାର୍ଭେଷ୍ଟର କ୍ରେତା ହେଲେ ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଯଶିପୁର ପଞ୍ଚାୟତର ନାରଣ ମାଝୀ। ତାଙ୍କ ନାଁରେ ହୋଇଥିବା ବିଲ୍‌ର ତାରିଖ ହେଲା ୧୪.୧୨.୨୦୧୮, ବିଲ୍‌ ନମ୍ବର ହେଲା ଏନ୍‌ଏ/୧୮-୧୯/୪୭୩। ସେ ମଧ୍ୟ ସୁଧାଂଶୁ ଶେଖର ପରିଡ଼ାଙ୍କ ନିଗମାନନ୍ଦ ଆସୋସିଏଟ୍‌ସରୁ କୁବୋଟାର କମ୍ବାଇନ୍‌ ହାର୍ଭେଷ୍ଟର କିଣିଛନ୍ତି। ବିଲ୍‌ ପୂର୍ବରୁ ତାଙ୍କର ଝରାଡିହ ଶାଖା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଥିବା ଜମାଖାତା ନମ୍ବର 10XXXXXXXXXXX99କୁ ୨୪.୧୪ ଲକ୍ଷ ଟଙ୍କା ଆସିଛି ଓ ପରେ ପରେ ଉଠିଛି। ଠିକ ସେହିପରି ତାଙ୍କର ଏହି ଜମାଖାତାକୁ ଓଡ଼ିଶା କୃଷି ବିଭାଗରୁ ୬ ଲକ୍ଷ ଟଙ୍କାର ସବ୍‌ସିଡି ଟଙ୍କା ଆସିଥିଲା। ମାତ୍ର, ଏ ଟଙ୍କା ଆସିବା ପରେ ନିଗମାନନ୍ଦ ଆସୋସିଏଟ୍‌ସର ଲୋକମାନେ ତାଙ୍କୁ ଝରାଡିହ ଶାଖା ଗ୍ରାମ୍ୟ ବ୍ୟାଙ୍କକୁ ନେଇ ସେଠାରୁ ତାଙ୍କୁ ଟଙ୍କା ଉଠାଇବାକୁ କହିଥିଲେ ଓ ସେ ତାହା କରିଥିଲେ। ସେମାନେ ତାଙ୍କୁ ୬୦ ହଜାର ଟଙ୍କା ଦେଇ ବାକି ୫.୪ ଲକ୍ଷ ଟଙ୍କା ଟ୍ରାନ୍ସଫର କରିନେଇଥିଲେ। ଏ ବିଷୟରେ ନାରଣ ମାଝୀ ଏକ ସତ୍ୟପାଠ ମଧ୍ୟ ଦାଖଲ କରିଛନ୍ତି।

ଲୋକାୟୁକ୍ତରେ ଦାଖଲ ହୋଇଥିବା ଦଲିଲ

ଅନ୍ୟ ଜଣେ ହାର୍ଭେଷ୍ଟର ହିତାଧିକାରୀ ହେଲେ ରାଜେନ୍ଦ୍ର ପୁହାଣ। ତାଙ୍କର ବାଲେଶ୍ୱର ଏସଏମଇ ଶାଖା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଖାତାକୁ ନିଗମାନନ୍ଦ ଆସୋସିଟ୍‌ସ ଆକାଉଣ୍ଟରୁ ୬.୩.୨୦୧୯ ତାରିଖରେ ଆରଟିଜିଏସ ଜରିଆରେ ୧୮.୬୩ ଲକ୍ଷ ଟଙ୍କା ଆସିଛି ଓ ସେହି ଦିନ ପୁଣି ନିଗମାନନ୍ଦ ଆସୋସିଏଟ୍‌କୁ ୧୮ ଲକ୍ଷ ୬୩ ହଜାର ୫୯ ଟଙ୍କା ଟ୍ରାନ୍ସଫର୍‌ ହୋଇଯାଇଛି। ଏହାର ସପ୍ତାହକ ପରେ ୧୪.୩୨୦୧୯ ତାରିଖରେ କୃଷି ବିଭାଗରୁ ୬ ଲକ୍ଷ ଟଙ୍କା ଏନଇଏଫଟି ହୋଇଛି ଓ ୧୬.୩.୨୦୧୯ ତାରିଖରେ ଚେକ୍‌ ମାଧ୍ୟମରେ ୬ ଲକ୍ଷ ଟଙ୍କା ଉଠି ଯାଇଛି।

ଏ ତିନି ଜଣ ହେଲେ ଶହଶହ (ହଜାର ହଜାର ମଧ୍ୟ ହୋଇପାରେ) ଏଇଭଳି ହିତାଧିକାରୀଙ୍କ ମଧ୍ୟରେ ରହିଥିବା ନିରୀହ ମଣିଷ।

ବାଲେଶ୍ୱରର ଏଭଳି ଘୋଟାଲା ସଂପର୍କରେ ଭିଜିଲାନ୍ସରେ ଅଭିଯୋଗ ଦାଏର ହୋଇଛି। ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ତଦନ୍ତରେ ତତ୍ପରତା ପ୍ରକାଶ ପାଇନି। ତଦନ୍ତ କରୁଛନ୍ତି ବାଲେଶ୍ୱର ଭିଜିଲାନ୍ସ ଏସ୍‌ପି। ସେହିପରି ରାଜ୍ୟ ଲୋକାୟୁକ୍ତରେ ମଧ୍ୟ ଏ ସଂପର୍କରେ ଅଭିଯୋଗପତ୍ର ଦାଏର ହୋଇଛି ଏବଂ ୨୬.୨.୨୦୨୧ ତାରିଖରେ ମାନ୍ୟବର ଲୋକାୟୁକ୍ତ ଶୁଣାଣି କରି ଏହି ମାମଲା ଗ୍ରହଣ କରିଥିବା ଓ ୩୦.୩.୨୧ ସୁଦ୍ଧା ଜବାବ ଦେବାକୁ ସଂପୃକ୍ତ ଅଭିଯୁକ୍ତଙ୍କ ଉପରେ ନୋଟିସ ଜାରି କରିଥିବା ଅଭିଯୋଗକାରୀ ତନୟ ମହାନ୍ତି ସୂଚନା ଦେଇଛନ୍ତି। ଲୋକାୟୁକ୍ତରେ ଦାଖଲ ମାମଲାରେ ଦୁଇ ଅଭିଯୁକ୍ତ ହେଲେ ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଏବଂ କୃଷି ନିର୍ଦ୍ଦେଶକ, ଓଡ଼ିଶା। ତେବେ ମାନ୍ୟବର ବିଧାୟକଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଏ ନେଇ ଲୋକାୟୁକ୍ତରେ କୌଣସି ମାମଲା ହୋଇଥିବା ସେ ଜାଣିନାହାନ୍ତି କି ତାଙ୍କ ନିକଟକୁ ଜବାବ ଦାଖଲ ପାଇଁ କୌଣସି ନୋଟିସ ଆସିନାହିଁ।

କୃଷି ଯନ୍ତ୍ରପାତି ସବ୍‌ସିଡି ହଡ଼ପ କରିବାକୁ ଯଦି ବି ଏପରି କୌଶଳ ସମ୍ଭବ ହୋଇପାରେ ତେବେ ଏହା ଯେ କେବଳ ବାଲେଶ୍ୱର ବା ରେମୁଣା ବିଧାନସଭା ମଣ୍ଡଳିରେ ସୀମିତ ଥିବ ତାହା ବିଶ୍ୱାସ କରିବା ବୁଦ୍ଧିହୀନତାର ପରିଚୟ ହେବ। ସମଗ୍ର ରାଜ୍ୟରେ ଏପରି ହେବା କିଛି ଅସମ୍ଭବ ନୁହେଁ। ଏଭଳି ନିରୀହ ମଣିଷଙ୍କୁ ମୋହରା କରି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିମାନେ କୋଟିକୋଟି ଟଙ୍କାର ସବ୍‌ସିଡି ହଡ଼ପ କରିବା ପରେ ମେସିନ୍‌ଗୁଡ଼ିକୁ ଅନ୍ୟତ୍ର ବିକ୍ରି କରିବା ନେଇ ଅଭିଯୋଗ ଉଠିଛି। ଏହି ମାମଲାରେ କେତେକ ହିତାଧିକାରୀଙ୍କୁ ବିଭିନ୍ନ ଋଣ ଲଗାଣକାରୀ ସଂସ୍ଥା ଜରିଆରେ ବିକ୍ରି ହୋଇଥିବା ହାର୍ଭେଷ୍ଟର ପଶ୍ଚିମ ବଙ୍ଗର କେତେକ ବ୍ୟକ୍ତିଙ୍କୁ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି।

ଏପରି ଅଭିଯୋଗ ଉପରେ ‘ବିଶ୍ୱ ସ୍ତରୀୟ’ ନହେଲେ ମଧ୍ୟ ରାଜ୍ୟ ସ୍ତରୀୟ ବା ଜାତୀୟ ସ୍ତରୀୟ ତଦନ୍ତ ହେଲେ କୃଷି ଯନ୍ତ୍ରପାତି ଜରିଆରେ କିପରି ଶହଶହ କୋଟି ଟଙ୍କା ହଡ଼ପ ହେଉଛି ତାହା ଲୋକଲୋଚନକୁ ଆସିପାରନ୍ତା। ଉଲ୍ଲେଖଯୋଗ୍ୟ ଯେ ୨୪ ଲକ୍ଷ ଟଙ୍କାର ହାର୍ଭେଷ୍ଟର ଉପରେ ସରକାର ୬ ଲକ୍ଷ ଟଙ୍କା ସବ୍‌ସିଡି ଦେଉଛନ୍ତି। ସେହିପରି ଅନ୍ୟ କୃଷି ଯନ୍ତ୍ରପାତ୍ରରେ ମଧ୍ୟ ୫୦ ପ୍ରତିଶତ ପର୍ଯ୍ୟନ୍ତ ସବ୍‌ସିଡି ଦିଆଯାଉଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ସ୍କିମ୍‌ରେ କୃଷିର ଆଧୁନିକୀକରଣ ପାଇଁ ଏପରି ସବ୍‌ସିଡି ପ୍ରଦାନର ବ୍ୟବସ୍ଥା ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।