ଦେବେନ୍ଦ୍ର ପୃଷ୍ଟି
କରୋନା ମୁକାବିଲା ଓ ଅର୍ଥନୀତି ପରିଚାଳନା ନେଇ ସୃଷ୍ଟି ହୋଇଥିବା ଅନେକ ବିବାଦ ଓ ବିଫଳତା, ଲକ୍ ଡାଉନ୍, ଶଟ୍ ଡାଉନ୍, ଔଷଧ ଅଭାବ, ଟିକା ସଂକଟ, ଅଭିବୃଦ୍ଧି ହ୍ରାସ, ଟିକସହାନୀ, ଦରବୃଦ୍ଧି, ନିଯୁକ୍ତିହ୍ରାସ ଆଦି ପ୍ରସଙ୍ଗକୁ ନେଇ ସମାଲୋଚିତ ହେବା ପରେ ନିଜ ସରକାରର ଭାବମୂର୍ତ୍ତି ସୁଧାରିବାକୁ ଶେଷରେ ମନ୍ତ୍ରିପରିଷଦ ପୁନର୍ଗଠନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କର ଦ୍ୱିତୀୟ ଦଫା ପ୍ରଧାନମନ୍ତ୍ରିତ୍ୱର ପ୍ରଥମ ମନ୍ତ୍ରିମଣ୍ଡଳରେ ଦୁଇ ବର୍ଷ ପରେ ପ୍ରଥମ ସଂପ୍ରସାରଣ ସହିତ ଅଦଳବଦଳ କରାଯାଇଛି। ଏହି ଅଦଳବଦଳ ଓ ସଂପ୍ରସାରଣକୁ ବିଭିନ୍ନ ମହଲରୁ ସମୟୋଚିତ ପ୍ରଶଂସା କରାଯାଇଛି। ଭାରତୀୟ ଜନତା ପାର୍ଟି ଓ ଏହାର ଅଂଶୀଦାର ଦଳଗୁଡ଼ିକ ଏହାକୁ ମୋଦୀଙ୍କ ଇନ୍ଦ୍ରଧନୁ ମନ୍ତ୍ରିମଣ୍ଡଳ ଭାବେ ବର୍ଣ୍ଣନା କରୁଛନ୍ତି। ତେବେ ଏହି ମନ୍ତ୍ରିମଣ୍ଡଳ ଭାରତବାସୀଙ୍କ ଆଶା ଓ ଆକାଙ୍କ୍ଷା ପୂରଣ କରିବାରେ ସଫଳ ହେବେ କି କେବଳ ଦଳ ପାଇଁ ଭୋଟ ଗୋଟେଇବାର ଗଣିତରେ ସୀମାବଦ୍ଧ ରହିବେ ତାହା ବର୍ଷେ ଦି’ ବର୍ଷରେ ସ୍ପଷ୍ଟ ହୋଇଯିବ।
୨୦୧୯ ମେ ମାସରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ନରେନ୍ଦ୍ର ମୋଦୀ। ସେତେବେଳେ ସେ ଯେଉଁ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ ତାହା ଦୁଇ ବର୍ଷ ଧରି ଅପରିବର୍ତ୍ତିତ ରହିଥିଲା। ଗଠନବେଳେ ସେହି ମନ୍ତ୍ରିମଣ୍ଡଳକୁ ସବୁଠୁ ଦକ୍ଷ ଓ ପ୍ରତିବଦ୍ଧ ଭାବେ ବର୍ଣ୍ଣନା କରାଯାଇଥିଲେ ବି ଦୁଇ ବର୍ଷ ପରେ ସେଥିରେ ବ୍ୟାପକ ପରିବର୍ତ୍ତନ କରିବାର ଆବଶ୍ୟକତା ଅନୁଭୂତ ହେଲା। ଅର୍ଥନୀତି ପରିଚାଳନା ଓ କରୋନା ମୁକାବିଲା ନେଇ ସରକାର ବିଭିନ୍ନ କ୍ଷେତ୍ରରୁ ସମାଲୋଚିତ ହେବା ପରେ ପ୍ରଧାନମନ୍ତ୍ରୀ ବୋଧହୁଏ ନିଜେ ବାଛିଥିବା ସହଯୋଗୀମାନଙ୍କ ମଧ୍ୟରୁ ଅନେକଙ୍କର ନିଷ୍ଠା ଓ ଦକ୍ଷତାର ଅଭାବ ରହିଥିବା ଅନୁଭବ କଲେ ଓ ସେହି ଅନୁସାରେ ମନ୍ତ୍ରିପରିଷଦରେ ବ୍ୟାପକ ଅଦଳବଦଳ କରିବାକୁ ନିଷ୍ପତ୍ତି ନେଲେ।
୨୦୨୧ ଜୁଲାଇ ୭ ତାରିଖ ସନ୍ଧ୍ୟାରେ ତାଙ୍କ ମନୋନୀତ ଯେଉଁ ନୂଆ ମନ୍ତ୍ରିମଣ୍ଡଳ ଗଠିତ ହେଲା ସେଥରେ ଶିକ୍ଷାଗତ ଯୋଗ୍ୟତା, ଦକ୍ଷତା, ବୃତ୍ତିଗତ ସଫଳତା ଓ ଅଭିଜ୍ଞତା ସହିତ ଭାରତବର୍ଷର ବିବିଧତା ପୂର୍ଣ୍ଣ ସାମାଜିକ ଓ ଆଞ୍ଚଳିକ ବର୍ଗର ପ୍ରତିନିଧିତ୍ୱକୁ ଗୁରୁତ୍ୱ ଦିଆଯାଇଛି। ନୂଆ ମନ୍ତ୍ରିମଣ୍ଡଳରେ ଯୁବଗୋଷ୍ଠୀକୁ ମଧ୍ୟ ଯଥେଷ୍ଟ ପ୍ରାଧାନ୍ୟ ଦିଆଯାଇଛି। ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୧୩ ଜଣ ଓକିଲ, ୬ ଜଣ ଡାକ୍ତର, ୫ ଜଣ ଇଂଜିନିଅର, ୭ ଜଣ ପ୍ରଶାସକ, ୭ ଜଣ ପିଏଚଡି ଡିଗ୍ରୀ ପ୍ରାପ୍ତ ଗବେଷକ ଓ ୩ ଜଣ ଏମବିଏ ଡିଗ୍ରୀଧାରୀ ଉଚ୍ଚଶିକ୍ଷିତ ତାଲିମପ୍ରାପ୍ତ ପେସାଦାର ଅଛନ୍ତି।
ସାମାଜିକ ବର୍ଗ ଭିତ୍ତିରେ ଅନୁଶୀଳନ କଲେ ମୋଦୀଙ୍କର ଏହି ନୂଆ ମନ୍ତ୍ରିମଣ୍ଡଳରେ ଅନ୍ୟାନ୍ୟ ପଛୁଆ ବର୍ଗରୁ ୨୭ ଜଣଙ୍କୁ ପ୍ରତିନିଧିତ୍ୱ ମିଳିଥିବାବେଳେ ତଫସିଲଭୁକ୍ତ ଜାତି ଓ ଉପଜାତିରୁ ୨୦ ଜଣଙ୍କୁ ସାମିଲ କରାଯାଇଛି। ସେହିପରି ୧୧ ଜଣ ମହିଳା, ୫୦ ବର୍ଷ ବୟସରୁ କମ୍ ୧୪ ଜଣ ଯୁବକ ଓ ୫ ଜଣ ସଂଖ୍ୟାଲଘୁଙ୍କୁ ମଧ୍ୟ ଏଥିରେ ସ୍ଥାନ ମିଳିଛି। ତେବେ ସଂଖ୍ୟାଲଘୁ ମନ୍ତ୍ରୀଙ୍କ ମଧ୍ୟରେ କେହି ମୁସଲମାନ ନାହାନ୍ତି। ଖୀରସ୍ତାନୀ, ଶିଖ ଓ ପାର୍ସି ପରି ସଂଖ୍ୟାଲଘୁଙ୍କୁ ମୋଦୀ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି।
ଆଞ୍ଚଳିକ ଦୃଷ୍ଟିକୋଣରୁ ଅନୁଶୀଳନ କଲେ ଦେଶର ୨୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମନ୍ତ୍ରିପରିଷଦ ପୁନର୍ଗଠନରେ ପ୍ରତିନିଧିତ୍ୱ ଦିଆଯାଇ ଏହାକୁ ଏକ ସର୍ବଭାରତୀୟ ଚେହେରା ପ୍ରଦାନ କରାଯାଇଛି। ମୋଦୀଙ୍କ ନୂଆ ମନ୍ତ୍ରୀଙ୍କ ସଂଖ୍ୟା ହେଉଛି ୪୩। ଏହି ନୂଆ ମନ୍ତ୍ରୀଙ୍କ ମଧ୍ୟରେ ଉତ୍ତର ପ୍ରଦେଶରୁ ସର୍ବାଧିକ ୮, ଗୁଜରାଟରୁ ଦ୍ୱିତୀୟ ସର୍ବାଧିକ ୬, ମହାରାଷ୍ଟ୍ର ଓ ପଶ୍ଚିମ ବଙ୍ଗରୁ ୪ ଜଣ ଲେଖାଏଁ, ବିହାର ଓ କର୍ଣ୍ଣାଟକରୁ ୩ ଜଣ ଲେଖାଏଁ ଏବଂ ଓଡ଼ିଶା ଓ ମଧ୍ୟ ପ୍ରଦେଶରୁ ୨ ଜଣ ଲେଖାଏଁ ସାଂସଦ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ନୂଆଦିଲ୍ଲୀ, ତେଲେଙ୍ଗାନା, ରାଜସ୍ଥାନ, ତାମିଲନାଡ଼ୁ, ଝାରଖଣ୍ଡ, ତ୍ରିପୁରା, ଅରୁଣାଚଳ ପ୍ରଦେଶ ଓ ମଣିପୁରରୁ ଜଣେ ଲେଖାଏଁ ଏହି ସୁଯୋଗ ପାଇଛନ୍ତି।
କୁହାଯାଉଛି ଆଗକୁ ଯେଉଁସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ଅଛି ଏବଂ ଯେଉଁସବୁ ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସ୍ଥିତି ଟିକେ ଦୁର୍ବଳ ରହିଛି ସେଠାରେ ଦଳକୁ ଅଧିକ ମଜବୁତ ଓ ସଫଳ କରିବା ପାଇଁ ମନ୍ତ୍ରିମଣ୍ଡଳ ପୁନର୍ଗଠନରେ ଯଥେଷ୍ଟ ଧ୍ୟାନ ଦିଆଯାଇଛି। ଉତ୍ତର ପ୍ରଦେଶ ଓ ବିହାରର ଜାତି ରାଜନୀତିର ପ୍ରତିଫଳନ ମଧ୍ୟ ଏଥିରେ ଦେଖିବାକୁ ମିଳିଛି। ଏହି ପୁନର୍ଗଠନରେ ଯାଦବ, ଗୁଜ୍ଜର, ଜାଟ୍, ଠାକୁର ଓ ଲୋଧ, ବ୍ରାହ୍ମଣ, କ୍ଷତ୍ରୀୟ, ବଣିଆ, ଭୂମିହାର, କଦବା, କାୟସ୍ଥ, ଲିଙ୍ଗାୟତ, ଖତ୍ରି, ଲେଉବା ପଟେଲ, ମରାଠା ଓ ରେଡ୍ଡିମାନଙ୍କୁ ପ୍ରତିନିଧିତ୍ୱ ମିଳିଛି।
ତେବେ, ବହୁ ପ୍ରତୀକ୍ଷିତ ତଥା ଚର୍ଚ୍ଚିତ ଏହି ମନ୍ତ୍ରିପରିଷଦ ପୁନର୍ଗଠନରେ ଓଡ଼ିଶାର ରଙ୍ଗ ଟିକେ ଫିକା ପଡ଼ିଲା ପରି ଲାଗୁଛି। ମୋଦୀଙ୍କର ପୂର୍ବ ମନ୍ତ୍ରି ପରିଷଦରେ ଓଡ଼ିଶାରୁ ଜଣେ ହେଲେ ବି ଦୁଇ ଜଣ ଓଡ଼ିଆ ମନ୍ତ୍ରୀ ଥିଲେ। ସେମାନେ ହେଲେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ। ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ବିଜେପିର ମୁହଁ ହେଲେ ବି ମଧ୍ୟ ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ପୂର୍ବ ମନ୍ତ୍ରିମଣ୍ଡଳରେ ତାଙ୍କୁ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ଫ ମନ୍ତ୍ରଣାଳୟ ସହିତ ଇସ୍ପାତ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ଦାୟିତ୍ୱ ମିଳିଥିଲା। କ୍ରମାଗତ ଭାବେ ୭ ବର୍ଷ ପାଇଁ ସେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ। ଏହି ମନ୍ତ୍ରୀ ଭାବେ ଉଜ୍ଜ୍ୱଳା ପରି ସଫଳ ଯୋଜନା କାର୍ଯ୍ୟକାରୀ କରାଇଥିଲେ ଓ ତାହା ଅନେକ ରାଜ୍ୟରେ ବିଜେପିର ଭୋଟ-ଭିତ୍ତି ବୃଦ୍ଧି କରିବାରେ ସହାୟକ ହୋଇଥିଲା। ଅଦଳବଦଳ ପ୍ରକ୍ରିୟାରେ ତାଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରଣାଳୟ କାଢ଼ି ନିଆଯାଇ ତା’ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟ ଦିଆଯାଇଛି। ଶିକ୍ଷା ଏକ ମର୍ଯ୍ୟାଦାଜନକ ଓ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ।
ଏହା ସହିତ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ସମନ୍ୱୟରେ ଦେଶରେ ଶିକ୍ଷା ଓ ନିଯୁକ୍ତି ବୃଦ୍ଧି ସମ୍ଭବ। ତେବେ ଭାରତୀୟ ସମ୍ବିଧାନ ଅନୁସାରେ ଶିକ୍ଷା ହେଉଛି ଏକ ରାଜ୍ୟ ପ୍ରସଙ୍ଗ। କେନ୍ଦ୍ର ସରକାର ଅନେକ ସମୟରେ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ନୀତି ଓ ଯୋଜନା ପ୍ରଣୟନ କରନ୍ତି ସତ ହେଲେ ରାଜ୍ୟଗୁଡ଼ିକର ବିନା ସହଯୋଗ ଓ ସମ୍ମତିରେ ଏ କ୍ଷେତ୍ରରେ କୌଣସି ବୈପ୍ଳବିକ ପରିବର୍ତ୍ତନ ଆସିପାରିବ ନାହିଁ। ଓଡ଼ିଶାରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଭିତ୍ତିଭୂମି ଅନେକ ଦୁର୍ବଳ। ଉଚ୍ଚଶିକ୍ଷା ପରିବେଶ ମଧ୍ୟ ବିପର୍ଯ୍ୟସ୍ତ। ବୈଷୟିକ ଶିକ୍ଷା କ୍ଷେତ୍ରରେ ଛତୁ ଫୁଟିଲା ଭଳି ଇଂଜିନିଅରିଂ ଓ ମେଡିକାଲ କଲେଜ ଖୋଲିଛି ହେଲେ ଉନ୍ନତ ମାନର ବୈଷୟିକ ଶିକ୍ଷା ପାଇଁ ଉପଯୁକ୍ତ ଭିତ୍ତିଭୂମି ଓ ଶୈକ୍ଷିକ ପରିବେଶ ନଥିବାରୁ ଓଡ଼ିଆ ପିଲା ଏ କ୍ଷେତ୍ରରେ ମଧ୍ୟ ପଛରେ। ଓଡ଼ିଶାର ଅଧିକାଂଶ ଘରୋଇ ବୈଷୟିକ କଲେଜରେ ସିଟ୍ ଖାଲି ପଡ଼ିବା ଏହାର ଏକ ପରିଣାମ। ଏ ଦିଗରେ ତାଙ୍କଠାରୁ ରାଜ୍ୟବାସୀ ନିଶ୍ଚୟ କିଛି ଆଶା ରଖିବେ।
ଆଲୋଚନାର କଥା ହେଉଛି ଧର୍ମେନ୍ଦ୍ର ଓଡ଼ିଆ ହେଲେ ବି ରାଜ୍ୟସଭାରେ ମଧ୍ୟ ପ୍ରଦେଶକୁ ପ୍ରତିନିଧିତ୍ୱ କରନ୍ତି। ଏବେ ମୋଦୀ କ୍ୟାବିନେଟ୍ରେ ସାମିଲ ହୋଇଥିବା ଅଶ୍ୱିନୀ ବୈଷ୍ଣବ ଯେମିତି ଓଡ଼ିଶାର ରାଜ୍ୟସଭା ସଦସ୍ୟ ଭାବେ ମନ୍ତ୍ରୀ ହେଲେ ବୋଲି କୁହାଯାଉଛି ସେହି ସମାନ ଯୁକ୍ତିରେ ଧର୍ମେନ୍ଦ୍ର ମଧ୍ୟ ପ୍ରଦେଶର ମନ୍ତ୍ରୀ। ଧର୍ମେନ୍ଦ୍ରଙ୍କୁ ନେଇ ଓଡ଼ିଶାବାସୀ ଗର୍ବ କରୁଥିଲେ ବୈଷ୍ଣବଙ୍କୁ ନେଇ ରାଜସ୍ଥାନବାସୀ ମଧ୍ୟ ଗର୍ବ କରୁଥିବେ। ସେହି ହିସାବରେ ଦେଖିଲେ ବୈଷ୍ଣବଙ୍କୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ମିଳିଛି। ସେ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ଯାଇଛନ୍ତି। ପ୍ରଥମ ଥର ମନ୍ତ୍ରୀ ହୋଇଛନ୍ତି। ଏକାସାଙ୍ଗରେ ରେଳ, ସଂଚାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ପାଇଛନ୍ତି। ଏହିସବୁ ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ ଓ ଓଡ଼ିଶା ପାଇଁ ଅନେକ କିଛି କରିପାରିବାର ସାମର୍ଥ୍ୟ ରଖିଛନ୍ତି।
ପୂର୍ବ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ପାଖରେ ଥିଲା ଅଣୁ, ଲଘୁ ଓ ମଧ୍ୟମ ଶିଳ୍ପ ଏବଂ ପଶୁପାଳନ, ଗୋପାଳନ ଏବଂ ମାଛଚାଷ ମନ୍ତ୍ରଣାଳୟ। ଓଡ଼ିଶାରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଓ ଏସବୁ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ କରାଇବା ପାଇଁ ପ୍ରତାପଙ୍କ ନିକଟରେ ପ୍ରଚୁର ସୁଯୋଗ ଥିଲା। ମାତ୍ର, ସେଥିରେ ସେ ବୋଧହୁଏ ସଫଳ ହେଲେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ବିଚାର କରି ତାଙ୍କୁ ବାଦ ଦେଇଛନ୍ତି। ହୁଏତ ତାଙ୍କୁ ଜାତୀୟ ସ୍ତରରେ ଦଳର ସାଂଗଠନିକ ଦାୟିତ୍ୱ ମିଳିପାରେ। ତାଙ୍କ ସ୍ଥାନରେ ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କୁ ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ଦାୟିତ୍ୱ ମିଳିଛି।
ଏବେ ଓଡ଼ିଆଙ୍କ ଭାଗରେ ପଡ଼ିଥିବା ବିଭାଗ ହେଉଛି ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା, ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି। ମାତ୍ର ଓଡ଼ିଶା ଭାଗରେ ପଡ଼ିଥିବା ବିଭାଗ କହିଲେ ରେଳ, ସଂଚାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି। ମୋଦୀଙ୍କ କ୍ୟାବିନେଟ୍ରେ ଜଣେ ଓଡ଼ିଆ ଓ ଜଣେ ଓଡ଼ିଶାର, ଏପରି ଦୁଇ ଜଣଙ୍କୁ ପ୍ରତିନିଧିତ୍ୱ ମିଳିଛି। ତେବେ ଓଡ଼ିଶା ଏଥିରୁ କେତେ ଲାଭବାନ ହେବ ତାହା ଭବିଷ୍ୟତ କହିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।