ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ରାଖି ପୂର୍ଣ୍ଣିମା। ଭଉଣୀଟିଏ ଭାଇ ହାତରେ ରାଖି ବାନ୍ଧି ସାରା ଜୀବନ ପାଇଁ ସୁରକ୍ଷା ମାଗିନିଏ। ହେଲେ କେବେ ଭାବିଛନ୍ତି କ’ଣ ପାଇଁ ଆମେ ଭାରତୀୟମାନେ ଏ ପର୍ବ ପାଳନ କରୁ ? ତା ହେଲେ ଆସନ୍ତୁ ଜାଣିବା ରାଖି ପୂର୍ଣ୍ଣିମା ପଛରେ ରହିଥିବା କାରଣ ସମ୍ପର୍କରେ।
ପୁରାଣ କଥା: ଏହି ପର୍ବ ଆରମ୍ଭର କଥାଟି ସତ୍ୟ ଯୁଗର ବୋଲି ପୁରାଣ ବ୍ୟାଖ୍ୟାକାରମାନେ କହିଛନ୍ତି। ଭଗବାନ ବିଷ୍ଣୁ଼ ବାମନ ଅବତାର ଧାରଣ କରି ରାଜା ବଳିଙ୍କ ପାଖକୁ ଭିକ୍ଷା ଆଣିବାକୁ ଯାଇଥିଲେ। ବ୍ରାହ୍ମଣ ଭାବେ ଯଜ୍ଞକର୍ତ୍ତା ବଳିଙ୍କୁ ୩ ପାଦ ଭୂମି ମାଗିଥିଲେ। ରାଜା ବଳି ୩ ପାଦ ଭୂମି ଦାନ ପାଇଁ ସତ୍ୟ କରିଥିଲେ।
ହେଲେ ଭଗବାନ ବାମନ ନିଜ ବିରାଟ ସ୍ୱରୂପରେ ସମଗ୍ର ସଂସାରକୁ ଦୁଇ ପାଦରେ ମାପି ନେଇଥିଲେ। ତୃତୀୟ ପାଦ ରଖିବାକୁ ସ୍ଥାନ ନ ଥିବାରୁ, ବଳି ନିଜ ମଥା ଉପରେ ପାଦ ରଖିବାକୁ କହିଥିଲେ।
ବଳିଙ୍କ ଗର୍ବ ଚୂର୍ଣ୍ଣ ହେବା ପରେ, ତାଙ୍କୁ ପାତାଳକୁ ନିକ୍ଷେପ କରିଥିଲେ ଭଗବାନ। ହେଲେ ତାଙ୍କ ଦାତା-ପଣିଆର ମୁଗ୍ଧ ପ୍ରଶଂସକ ହୋଇ ବର ମାଗିବାକୁ କହିଥିଲେ। ବଳି ଅତି ଚତୁରତାର ସହ ତାଙ୍କ ସହ ଭଗବାନ ପାତାଳରେ ବାସ କରନ୍ତୁ ବୋଲି ବର ମାଗି ନେଇଥିଲେ।
ବାମନ ରୂପୀ ଭଗବାନ ବିଷ୍ଣୁ, ସତ୍ୟ ରକ୍ଷା କରି ପାତାଳରେ ରହିବାକୁ ଲାଗିଲେ। ଏହା ଦେଖି ସମସ୍ତ ଦେବତା ଓ ଦେବୀ ଲକ୍ଷ୍ମୀ ବିଚଳିତ ହୋଇପଡ଼ିଲେ। ଭଗବାନ ସ୍ୱସ୍ଥାନକୁ କିପରି ଫେରିବେ ସେ ନେଇ ଚିନ୍ତିତ ହୋଇପଡ଼ିଲେ ଦେବୀ ଲକ୍ଷ୍ମୀ। ଶେଷରେ ଜଣେ ବ୍ରାହ୍ମଣୀର ରୂପ ଧାରଣ କରି ସେ ପାତାଳକୁ ପ୍ରବେଶ କଲେ। ରାଜା ବଳି ତାଙ୍କ ଅବସ୍ଥା ଦେଖି ବର ମାଗିବାକୁ କହିଲେ।
ବୃଦ୍ଧ ବ୍ରାହ୍ମଣୀ ରୂପ ଧାରଣ କରିଥିଲା ଦେବୀ ଲକ୍ଷ୍ମୀ ବଳିଙ୍କ ହାତରେ ଏକ ରକ୍ଷା ସୂତ୍ର ବାନ୍ଧି ତାଙ୍କୁ ଭ୍ରାତା ବୋଲି ସମ୍ୱୋଧନ କରିଥିଲେ। ଶେଷରେ ବଳିଙ୍କୁ ନିଜ ପତିଙ୍କୁ ନିଜ ସହ ନେଇଯିବା ଲାଗି ବର ମାଗିଥିଲେ।
ରାଜା ବଳି ମା’ ଲକ୍ଷ୍ମୀଙ୍କୁ ଚିହ୍ନିପାରି ତାଙ୍କୁ ଭାଇ କରିଥିବାରୁ ନିଜକୁ କୃତାର୍ଥ ମନେ କରିଥିଲେ। ରକ୍ଷା-ସୂତ୍ର ପିନ୍ଧାଇ ଭାଇ କରିଥିବାରୁ, ନିଜ ଭଗ୍ନୀଙ୍କ ଇଚ୍ଛା ପୂରଣ କରିବାକୁ ଯାଇ, ବାମନ-ରୂପୀ ଭଗବାନ ବିଷ୍ଣୁଙ୍କୁ ସ୍ୱ-ସ୍ଥାନକୁ ଫେରିବାକୁ ଅନୁମତି ଦେଇଥିଲେ।
ଏହି କାହାଣୀକୁ ଆଧାର କରି ଭାରତବର୍ଷରେ ହୋଲି ଓ ଦୀପାବଳୀ ଭଳି, ପବିତ୍ର ରକ୍ଷାବନ୍ଧନ ମଧ୍ୟ ଉତ୍ସବର ସହ ପାଳନ କରାଯାଏ।
ଇତିହାସରେ ରକ୍ଷା ବନ୍ଧନ: ଉପରୋକ୍ତ କାହାଣୀଟି ପୁରାଣ ସହ ଜଡିତ ହୋଇଥିଲେ ବି ଇତିହାସରେ ଭାଇ ଉଭଣୀର ସମ୍ପର୍କ ଓ ରାଖିକୁ ନେଇ ଅନେକ କଥା ଶୁଣିବାକୁ ମିଳେ।
କୃଷ୍ଣ-ଦୌପଦୀ: କୁହାଯାଏ ଭଗବାନ କୃଷ୍ଣଙ୍କ ହାତ କଟିଥିବା ବେଳେ ଏକଦା ଦୌପଦୀ ତାଙ୍କ ହାତରେ କନାଟିଏ ବାନ୍ଧି ରକ୍ତଶ୍ରାବକୁ ବନ୍ଦ କରି ଦେଇଥିଲେ। କୃଷ୍ଣ, ଦେବୀ ଦୌପଦୀଙ୍କୁ ସଖୀ ବୋଲି ସମ୍ବୋଧନ କରୁଥିଲେ ମଧ୍ୟ ତାଙ୍କର ଏହି ସାମାନ୍ୟ କନା ଖଣ୍ଡକ ଯେ ଅତି ମୂଲ୍ୟବାନ୍, ତାହା ଅନୁଭବ କରିଥିଲେ। ସେ ଏହି ଋଣ ଶୁଝିବେ ବୋଲି ସତ୍ୟ କରିଥିଲେ। କୁରୁସଭାରେ ଦୌପଦୀଙ୍କୁ ବିବସନା କରାଯାଉଥିବା ବେଳେ କୃଷ୍ଣ କୋଟି ବସ୍ତ୍ର ପ୍ରଦାନ କରି ସତ୍ୟ ରକ୍ଷା କରିଥିଲେ। ଯାହାକୁ ପ୍ରକାରାନ୍ତରେ ରକ୍ଷା ବନ୍ଧନର ଗୋଟିଏ କାହାଣୀ ବୋଲି ସବୁବେଳେ ବିବେଚନା କରାଯାଏ।
ହୁମାୟୁନ୍-କର୍ଣ୍ଣାବତୀ: ମୋଗଲ ସମ୍ରାଟ ହୁମାୟୁନ୍ ଓ ରାଣୀ କର୍ଣ୍ଣାବତୀଙ୍କ କଥା ମଧ୍ୟ ରକ୍ଷାବନ୍ଧନ ବେଳେ ମନେପଡ଼େ। ୧୬ଶ ଶତାବ୍ଦୀର ମଧ୍ୟଭାଗରେ ମେୱାର ଉପରେ ଆକ୍ରମଣ କରିଥିଲେ ବାହାଦୂର ଶାହା ଜାଫର। ସେ ସମୟରେ ନିଜ ରାଜ୍ୟକୁ ରକ୍ଷା କରିବାକୁ ରାଣୀ କର୍ଣ୍ଣାବତୀ ଅସହାୟ ହୋଇ ପଡ଼ିଥିଲେ। ଶେଷରେ କୌଣସି ଉପାୟ ନ ପାଇ, ଦିଲ୍ଲୀର ସୁଲତାନ୍ ସମ୍ରାଟ ହୁମାୟୁନ୍ଙ୍କ ପାଖକୁ ଏକ ଚିଠି ଓ ରାଖିଟିଏ ପ୍ରେରଣ କରିଥିଲେ। ଏହି ରକ୍ଷା ସୂତ୍ରଟି ଦେଖି ହୁମାୟୁନ୍ ଏତେ ପ୍ରଭାବିତ ହୋଇଥିଲେ ଯେ, ସୈନ୍ୟବଳ ତୁରନ୍ତ ଫେରାଇ ଆଣିବାକୁ ବାହାଦୂର ଶାହାଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଲକ୍ଷ୍ମୀବାଇ-ଚାଖି ଖୁଣ୍ଟିଆ: ରାଣୀ ଲକ୍ଷ୍ମୀବାଈ ନିଜ ପିତାଙ୍କ ସହ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସିଥିବା ବେଳେ, ପିଲାବେଳେ ନିଜ ଯାତ୍ରୀ ପଣ୍ଡାଙ୍କ ପୁଅଙ୍କୁ ରାଖି ପିନ୍ଧାଇ ଭାଇ କରିଥିଲେ। ପରବର୍ତ୍ତୀ ସମୟରେ ଏହି ସେବକ, ବାଳକ ଚାଖି ଖୁଣ୍ଟିଆ ନାମରେ ପ୍ରସିଦ୍ଧ ହୋଇଥିଲେ। ରାଣୀ ଲକ୍ଷ୍ମୀବାଈଙ୍କ ସ୍ୱାମୀ ଆଖିବୁଜିବା ପରେ ଯେତେବେଳେ ନିଜେ ଲକ୍ଷ୍ମୀବାଈ ଯୁଦ୍ଧକୁ ବାହାରିଲେ, ସେତେବେଳେ ଚାଖି ଖୁଣ୍ଟିଆ ମଧ୍ୟ ନିଜ ଭ୍ରାତା ଧର୍ମ ପାଳନ କରିବାକୁ ଆଗେଇ ଆସିଥିଲେ। ଖୋର୍ଦ୍ଧା ଗଡ଼କୁ ଅକ୍ତିଆର କରିବାକୁ ବସିଥିବା ଇଂରେଜ ସୈନିକଙ୍କ ଆଖିରେ ଧୂଳି ଦେଇ ସେ ରାଣୀ ଲକ୍ଷ୍ମୀବାଈଙ୍କୁ ଯୁଦ୍ଧରେ ସାହାଯ୍ୟ କରିବାକୁ ଉତ୍କଳ ବାହାରକୁ ଚାଲି ଯାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।