ଭୁବନେଶ୍ୱର(ଜିତେନ୍ଦ୍ର ଗଡ଼ନାୟକ):
ଦିନେ ଘରକୁ ଫେରିଲା ବେଳକୁ ବାପା ନ ଥିବେ
ବାପାଙ୍କ ଚୌକିରେ ଗୁମ୍ ମାରି ବସିଥିବ ଖଣ୍ଡେ ଅନ୍ଧାର
ଦାଣ୍ଡ ପିଣ୍ଡାରେ ଶୁଖି ଯାଇଥିବ ଧାରେ ଲୁହ
ନିମ ଗଛ ତଳେ ଡେରା ହୋଇଥିବା ବାପାଙ୍କ ସାଇକେଲ୍ ଚକାତଳୁ ଧଶି ଯାଇଥିବ ସବୁ ମାଟି
ବାପାଙ୍କ ଖଟ ମୁଣ୍ଡରେ ଥକା ମାରି ବସିଥିବ ଯେଉଁ କୋହ
ତା’ହାତରେ ମୋ ନାଁରେ ଥିବ ଏକ ଲମ୍ବା ଚିଠି...।
ଏଇଠି ସରି ଯାଇ ନାହିଁ ଏହି କବିତାଟି। ଆହୁରି ଅଛି। କବିତାଟିର ଶୀର୍ଷକ ହେଉଛି ‘ଦୁଃଖର ଦୁଇ ଧାଡ଼ି ଗୀତ’। କବିତାଟିକୁ ଲେଖିଛନ୍ତି ମାତୃଦତ୍ତ ମହାନ୍ତି। ମୁଁ କବିତାଟିକୁ ପଢ଼ି ନାହିଁ, ଶୁଣିଛି। ତାହା ପୁଣି କବିଙ୍କ ମୁହଁରୁ। କବି କବିତାଟିକୁ କ୍ୟାମେରା ସମ୍ମୁଖରେ ପଢ଼ି ଭିଡିଓଟିକୁ ତାଙ୍କ ଫେସ୍ବୁକ୍ ପେଜ୍ରେ ପୋଷ୍ଟ୍ କରିଛନ୍ତି। କେବଳ ମୁଁ ନୁହେଁ, ମୋ ଭଳି ୧୦୦୦ରୁ ଅଧିକ ଲୋକ ଏହି କବିତାଟିକୁ ତାଙ୍କ ଫେସ୍ବୁକ୍ ପେଜ୍ରୁ ଶୁଣି ସାରିଛନ୍ତି। ୨୮୩ ଜଣ ଏହାକୁ ପସନ୍ଦ କରିଛନ୍ତି, ଭଲ ପାଇଛନ୍ତି ଓ ବିମୁଗ୍ଧ ହୋଇଛନ୍ତି। ୬୨ ଜଣ ସେମାନଙ୍କ ମତାମତ ଦେଇଛନ୍ତି। ମତାମତ ପଢ଼ି ଜାଣିଲି ପ୍ରାୟ ସମସ୍ତଙ୍କ ହୃଦୟକୁ ଛୁଇଁଛି କବିତାଟି। କେହି କେହି ଆଖିରୁ ଲୁହ ଝଡ଼ି ପଡ଼ିଛି ବୋଲି ଲେଖିଛନ୍ତି। ଜଣେ ଦୁଇ ଜଣ ଚାରି ପାଞ୍ଚ ଧାଡ଼ିର କବିତା ଲେଖି ମତାମତ ରଖିଛନ୍ତି। ୬ ଜଣ ସେମାନଙ୍କ ଫେସ୍ବୁକ୍ ବନ୍ଧୁମାନଙ୍କ ସହ ଏହି ଭିଡିଓକୁ ସେୟାର ମଧ୍ୟ କରିଛନ୍ତି।
ମାତୃଦତ୍ତ ଶୀତକୁ ନେଇ ଏକ କବିତା ପାଠ କରି ତା’ର ଭିଡିଓକୁ ତାଙ୍କ ଫେସ୍ବୁକ୍ ପେଜ୍ରେ ପୋଷ୍ଟ୍ କରିଛନ୍ତି। ‘ଦୁଃଖର ଦୁଇ ଧାଡ଼ି ଗୀତ’ ଠାରୁ ଏହି କବିତାକୁ ଶୁଣିଛନ୍ତି ଅଧିକ ଲୋକ। ୧,୭୦୦ରୁ ଅଧିକ ଜଣ ଏହାକୁ ଶୁଣି ଥିବା ବେଳେ ୩୪୫ ଜଣ ଏହାକୁ ପସନ୍ଦ କରିଛନ୍ତି ଓ ଭଲ ପାଇଛନ୍ତି। ୧୨ ଜଣ ଏହି ଭିଡିଓ ସେୟାର କରିଥିବା ବେଳେ ୯୦ ଜଣ ମତାମତ ରଖିଛନ୍ତି। ଏହିଭଳି ଆଉ ଦୁଇଟି କବିତା ପାଠ କରି ସେ ଫେସ୍ବୁକ୍ରେ ପୋଷ୍ଟ୍ କରିଛନ୍ତି। ସେଥିରୁ ଗୋଟିଏ ହେଉଛି ‘ଇଶ୍ୱରଙ୍କ ଉପବାସ’। ଅତି ମର୍ମସ୍ପର୍ଶୀ କବିତାଟିଏ।
ମାତୃଦତ୍ତ ମୋଟ ଚାରୋଟି କବିତା ପାଠ କରି ତାଙ୍କ ଫେସ୍ବୁକ୍ ପୃଷ୍ଠାରେ ପୋଷ୍ଟ୍ କରିଛନ୍ତି। ପ୍ରତିଟି କବିତା ଅଲଗା ସ୍ୱାଦର ଓ ହୃଦୟକୁ ଛୁଇଁଲା ଭଳି।
ସାହିତ୍ୟ ଆଡ଼କୁ ଆଧୁନିକ ପାଠକମାନଙ୍କୁ ଆକୃଷ୍ଟ କରିବାକୁ ଏବେ ସୋସିଆଲ୍ ମିଡିଆ ସାହାଯ୍ୟ କରୁଛି। ଏହିକ୍ରମରେ ଲେଖକମାନେ ସେମାନଙ୍କ ଲେଖା ସୋସିଆଲ୍ ମିଡିଆରେ ଛାଡୁଥିବା ବେଳେ କିଛି ଲେଖକ ଆଉ ପାଦେ ଆଗକୁ ଚିନ୍ତା କରି ସେଥିରେ ସଫଳ ହୋଇଛନ୍ତି। ଲେଖକମାନେ ସେମାନଙ୍କ କବିତା ଓ ଗପର ଭିଡିଓ ତିଆରି କରି ସୋସିଆଲ୍ ମିଡିଆରେ ଛାଡ଼ିବା ଏବେ ଗୋଟେ ନୂଆ ଟ୍ରେଣ୍ଡରେ ପରିଣତ ହେଲାଣି। ଏହାଦ୍ୱାରା ପଢ଼ିବାକୁ ଚାହୁଁ ନ ଥିବା ପାଠକ ଏଣିକି ଲେଖାଟି ଶୁଣିପାରୁଛି।
କ୍ୟାମେରା ସମ୍ମୁଖରେ କବିତା ପାଠ କରି ଭିଡିଓକୁ ନିଜ ଫେସ୍ବୁକ୍ ପୃଷ୍ଠାରେ ପୋଷ୍ଟ୍ କରୁଥିବା ଆଉ ଜଣେ କବି ହେଉଛନ୍ତି ଅମରେନ୍ଦ୍ର ମାଧବ ଦାଶ। ସେ ଏଭଳି ପ୍ରାୟ ୧୩ଟି ଭିଡିଓ ପୋଷ୍ଟ୍ କରିଛନ୍ତି ନିଜ ଫେସ୍ବୁକ୍ ପୃଷ୍ଠାରେ। କବିତାଗୁଡ଼ିକର ନାଁ ହେଉଛି ‘ଇତିହାସ’, ‘ଶବ୍ଦ ଶୋକ’, ‘ଲୁଣ’, ‘ମୁଦିତା’, ‘ମାଙ୍କଡ଼’, ‘ମୁଁ କବିତା ଲେଖୁଛି’, ‘ଚିତ୍ର ଆଙ୍କୁଥିବା ପୁଅ‘, ‘ଶୁଣ ସରକାର’, ‘କାଶୀପୁର’, ‘ଭଲରେ ଥା କବି’, ‘ବାଘ’, ‘ବ୍ଲେଡ୍’ ଓ ‘ସେମାନେ କହିବେ’। ତାଙ୍କର ଅନେକ ଫେସ୍ବୁକ୍ ଫ୍ରେଣ୍ଡ୍ କବିତାଗୁଡ଼ିକୁ ଶୁଣିଛନ୍ତି ଓ ପସନ୍ଦ କରିଛନ୍ତି। ତାଙ୍କର ଏଇ କବିତାଗୁଡ଼ିକ ମଧ୍ୟରୁ କିଛି ପତ୍ରପତ୍ରିକାରେ ମଧ୍ୟ ପ୍ରକାଶିତ ହୋଇଛି। ତେଣୁ ଯେଉଁମାନେ ପଢ଼ିପାରି ନ ଥିବେ, ସେମାନେ ଶୁଣିବାର ସୁଯୋଗ ପାଇଥିବେ।
ମାତୃଦତ୍ତ ମହାନ୍ତି କହନ୍ତି,“ବର୍ତ୍ତମାନ ସୋସିଆଲ୍ ମିଡିଆ ଯୁଗ। ବିଶେଷ କରି ଯୁବ ବର୍ଗ ବହୁଳ ମାତ୍ରାରେ ସୋସିଆଲ୍ ମିଡିଆ ସହିତ ସଂଶ୍ଳିଷ୍ଟ। ଆଜିକାଲି ତ ଯୁବପିଢ଼ି ଆଉ କବିତା ପଢୁ ନାହାନ୍ତି। ତେଣୁ ମୁଁ ସ୍ଥିର କଲି ସେମାନଙ୍କୁ କବିତା ପଢ଼ାଇବା ବଦଳରେ ଶୁଣାଇ ଦେଲେ ଭଲ। ସେଥିପାଇଁ ଫେସ୍ବୁକ୍କୁ ମାଧ୍ୟମ କଲି ଓ କବିତା ପାଠ କରି ଭିଡିଓ ଅପ୍ଲୋଡ୍ କଲି। ଏହା ଦ୍ୱାରା କବିତାର ପ୍ରସାର ହେବ ଓ କବିତାକୁ ଅଧିକରୁ ଅଧିକ ଲୋକେ ଭଲ ପାଇବେ।”
ସେ କହନ୍ତି,“ମୁଁ କବିତା ପାଠର ଭିଡିଓ ଉତ୍ତୋଳନ କରିବା ପାଇଁ କ୍ୟାମେରା ବ୍ୟବହାର କରିଥାଏ। ଏଥିପାଇଁ ମୋତେ କିଛି ପଇସା ବି ଖର୍ଚ୍ଚ କରିବାକୁ ହୁଏ। ହଁ, କବିତା ପାଠର ଭିଡିଓ ଉତ୍ତୋଳନ ବେଳେ ମୁଁ ଗ୍ଲାମରକୁ ମଧ୍ୟ ଟିକେ ଧ୍ୟାନ ଦିଏ।”
ଅମରେନ୍ଦ୍ର ମାଧବ ଦାଶ କବିତା ପାଠର ଭିଡିଓ ଉତ୍ତୋଳନ କରିବା ପାଇଁ ଉଭୟ କ୍ୟାମେରା ଓ ମୋବାଇଲ୍ ବ୍ୟବହାର କରନ୍ତି। ତେବେ ସେ ଅଧିକାଂଶ ସମୟରେ ମୋବାଇଲ୍ରେ ହିଁ ଭିଡିଓ ଉତ୍ତୋଳନ କରନ୍ତି ବୋଲି କହିଛନ୍ତି।
ପରିବର୍ତ୍ତିତ ସମୟରେ ନିଜ କବିତାକୁ ପାଠକ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ଦୁଇ କବି ଆପଣାଇ ଥିବା ମାଧ୍ୟମ ସ୍ୱାଗତଯୋଗ୍ୟ ନିଶ୍ଚୟ। ଏହା ଅନ୍ୟ କବିଙ୍କୁ ଉତ୍ସାହିତ କରିବ ବୋଲି ଆମେ ଆଶା କରୁଛୁ। ଆମେ ଦେଖୁ କବିତା ପାଠ କାର୍ଯ୍ୟକ୍ରମଗୁଡ଼ିକରେ ଶ୍ରୋତାଙ୍କ ସଂଖ୍ୟା ଉତ୍ସାହଜନକ ନଥାଏ। ବେଳେବେଳେ କବିତାପାଠୋତ୍ସବ ଗୁଡ଼ିକ କେବଳ କବିଙ୍କ ମଧ୍ୟରେ ସୀମିତ ଥାଏ। ଓଡ଼ିଆ କବିତା ପୁସ୍ତକ କିଣି ପଢୁଥିବା ଲୋକଙ୍କ ସଂଖ୍ୟା କେତେ ହୋଇଥିବ ତାହା ସମସ୍ତେ ଅନୁମାନ କରିପାରୁଥିବେ। ଏମିତି ସ୍ଥିତିରେ କବିତାର ପ୍ରଚାର ପ୍ରସାର ଅସମ୍ଭବ। ତେଣୁ ମାତୃଦତ୍ତ ଓ ଅମରେନ୍ଦ୍ର ଯେଉଁ ନୂଆଁ ଟ୍ରେଣ୍ଡ୍ ଆପଣାଇଛନ୍ତି ତାହା ନୂଆ କବିତା ପ୍ରେମୀ ସୃଷ୍ଟି କରିବା ଦିଗରେ ଏକ ଭଲ ଉଦ୍ୟମ ବୋଲି ଆମେ ମନେ କରୁଛୁ। କବିତାର ପ୍ରଚାରପ୍ରସାର ପାଇଁ ଏମିତି ନୂଆ ନୂଆ ପରୀକ୍ଷାନିରୀକ୍ଷା ହେବାରେ କିଛି ଅସୁବିଧା ନାହିଁ। ଉଭୟ ମାତୃଦତ୍ତ ଓ ଅମରେନ୍ଦ୍ର ଭଲ ପ୍ରାରମ୍ଭ କରିଛନ୍ତି ବୋଲି କୁହାଯାଇପାରେ। ସେଥିପାଇଁ ମୁଁ ଏହି ଲେଖାର ଆରମ୍ଭରେ ମାତୃଦତ୍ତଙ୍କ ଦୁଇଟି ଭିଡିଓକୁ କେତେ ଲୋକ ଦେଖିଛନ୍ତି, କେତେ ଜଣ ମତାମତ ଦେଇଛନ୍ତି ତା’ର ସଂଖ୍ୟା ଉଲ୍ଲେଖ କରିଛି। ୧୦୦୦, ୧୭୦୦ ଲୋକ ତାଙ୍କ ଭିଡିଓ ଦେଖିବା ମୋ ମତରେ କିଛି କମ୍ କଥା ନୁହେଁ। ଆମ ଓଡ଼ିଶାରେ କେଉଁ କବିତାପାଠୋତ୍ସବରେ ହଜାରେ ପନ୍ଦରଶହ ଲୋକ ବସି କବିତା ଶୁଣୁଛନ୍ତି? ହୋଇପାରେ କବିତା ଶୁଣୁ ଶୁଣୁ କିଛି ଲୋକଙ୍କ ମନରେ କବିତା ପଢ଼ିବାର ଆଗ୍ରହ ଜାଗ୍ରତ ହୋଇପାରେ। ଶୁଣୁଥିବା କବିଙ୍କ କବିତା ସଂକଳନ କିଣିବା ପାଇଁ ମନ ବଳାଇ ପାରେ।
ଆମେ ଏଠାରେ ଆଉ ଏକ ପ୍ରସ୍ତାବ ଦେଉଛୁ। କିଛି କିଛି କବି ଏକାଠି ହୋଇ କବିତା ପାଠ କରି ତା’ର ଭିଡିଓକୁ ଫେସ୍ବୁକ୍ରେ ଅପ୍ଲୋଡ୍ କରିପାରିବେ। ବେଶୀ ନ ହେଲେ ଦୁଇ ତିନି ଜଣ କବି ଜଣେ ପରେ ଜଣେ କବିତା ପାଠ କରି ତାକୁ ଅପ୍ଲୋଡ୍ କରିପାରିବେ। ପ୍ରାରମ୍ଭରେ ୫ ମିନିଟ୍ ଭିତରେ ଏହାକୁ ସୀମିତ ରଖାଯାଉ। ଏହା କବିତାପାଠୋତ୍ସବ ଭଳି ବି ଲାଗିବ।
ଆମେ ଏଠି କେବଳ ଫେସ୍ବୁକ୍ରେ କବିତା ପାଠ ବିଷୟରେ ଆଲୋଚନା କରିଛୁ। କବିମାନେ ଚାହିଁଲେ କବିତାପାଠର ଭିଡିଓ ପ୍ରସ୍ତୁତ କରି ଟ୍ୱିଟର୍ ଓ ହ୍ୱାଟ୍ସଆପ୍ରେ ବି ଅପ୍ଲୋଡ୍ କରିପାରିବେ। ଏଇ ଦୁଇ ସୋସିଆଲ୍ ମିଡିଆର ବ୍ୟବହାରକାରୀ ସଂଖ୍ୟା ବି କିଛି କମ୍ ନୁହେଁ। ତେବେ ଟ୍ୱିଟ୍ରରେ ଏଭଳି ଭିଡିଓ ଅପ୍ଲୋଡ୍ କରିବା ପୂର୍ବରୁ ଟିକେ ଧ୍ୟାନ ଦେବାକୁ ହେବ। ଭିଡିଓଟିକୁ ଅତି ବେଶୀରେ ଦୁଇ ମିନିଟ୍ ମଧ୍ୟରେ ସୀମିତ ରଖିବାକୁ ହେବ। ୟୁଟ୍ୟୁବ୍ ଲାଇଭ୍ରେ ବି ଏଭଳି ଭିଡିଓ ପୋଷ୍ଟ୍ କରି ହେବ। କବି ଅମରେନ୍ଦ୍ର ୟୁଟ୍ୟୁବ୍ ଲାଇଭ୍ରେ ତାଙ୍କ ଭିଡିଓ ଅପ୍ଲୋଡ୍ କରୁଥିବା କହିଛନ୍ତି।
ମାତୃଦତ୍ତ ମହାନ୍ତି ଫେସ୍ବୁକ୍ରେ ପୋଷ୍ଟ୍ କରିଥିବା ଏକ କବିତା ଭିଡିର ପ୍ରାରମ୍ଭରେ କହିଛନ୍ତି- ‘କବିତାରେ କହି ହୁଏ କଥା। କବିତାରେ ବାଣ୍ଟି ହୁଏ ବ୍ୟଥା। କାହିଁକି ନା କବିତା ଗୋଟେ ନିହାତି ସତକଥା’। ତେଣୁ ଆମେ ଆଶା କରୁଛୁ କବିମାନେ ନୂଆ ନୂଆ ଢଙ୍ଗର କବିତା ଲେଖିବା ସହିତ ଏହାର ପ୍ରଚାରପ୍ରସାର ପାଇଁ ନୂଆ ନୂଆ ପରୀକ୍ଷାନିରୀକ୍ଷା ବି କରିବେ। ମାଧ୍ୟମ ଯାହା ହେଉ କବିତା ବଞ୍ଚୁ ଓ ଆହୁରି ବଢ଼ୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।