ଶାସନ କରିବେ ଘରୋଇ କମ୍ପାନୀ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରୀ ଚାକିରି କରିବେ ଘରୋଇ କର୍ମଚାରୀ! କେନ୍ଦ୍ରର ଲାଟେଲାର ଏଣ୍ଟ୍ରି ଫର୍ମୁଲା ଓଡ଼ିଶାରେ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ। ବିଭିନ୍ନ ଘରୋଇ ଅନୁଷ୍ଠାନରୁ ଦକ୍ଷତା ସଂପନ୍ନ ବ୍ୟକ୍ତିଙ୍କୁ ଲାଟେରାଲ୍ ଏଣ୍ଟ୍ରି ମାଧ୍ୟମରେ ସରକାରୀ ଚାକିରି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ତାଙ୍କରି ଦଳର ରାଜ୍ୟସଭା ସଦସ୍ୟ ଡକ୍ଟର ଅମର ପଟ୍ଟନାୟକ। ଏମିତି ହେଲେ ଓଡ଼ିଶା ପ୍ରଶାସନର ଦକ୍ଷତା […]

private-job

private-job

Ranjit Kumar Jena
  • Published: Monday, 10 January 2022
  • Updated: 10 January 2022, 04:17 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରୀ ଚାକିରି କରିବେ ଘରୋଇ କର୍ମଚାରୀ! କେନ୍ଦ୍ରର ଲାଟେଲାର ଏଣ୍ଟ୍ରି ଫର୍ମୁଲା ଓଡ଼ିଶାରେ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ। ବିଭିନ୍ନ ଘରୋଇ ଅନୁଷ୍ଠାନରୁ ଦକ୍ଷତା ସଂପନ୍ନ ବ୍ୟକ୍ତିଙ୍କୁ ଲାଟେରାଲ୍ ଏଣ୍ଟ୍ରି ମାଧ୍ୟମରେ ସରକାରୀ ଚାକିରି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ତାଙ୍କରି ଦଳର ରାଜ୍ୟସଭା ସଦସ୍ୟ ଡକ୍ଟର ଅମର ପଟ୍ଟନାୟକ। ଏମିତି ହେଲେ ଓଡ଼ିଶା ପ୍ରଶାସନର ଦକ୍ଷତା ବୃଦ୍ଧି ପାଇବ ବୋଲି ସେ ଯୁକ୍ତି କରିଛନ୍ତି।

କେନ୍ଦ୍ର ସରକାର ଗତ ତିନି ବର୍ଷରେ ବିଭିନ୍ନ ବିଭାଗରେ ଲାଟେରାଲ୍ ଏଣ୍ଟ୍ରୀରେ ଚାକିରି ଦେଇ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାର ଶ୍ରୀ ପଟ୍ଟନାୟକ ଉଦାହରଣ ଦେଇଛନ୍ତି। ଏପରିକି କର୍ଣ୍ଣାଟକ ସରକାର ମଧ୍ୟ ଏହି ନୀତି ଆପଣାଇଥିବା ଚିଠିରେ ସେ ଉଲ୍ଲେଖ କରିଛନ୍ତି। ଏଥିରେ ସରକାରଙ୍କୁ ସହାୟତା କରିବା ପାଇଁ ସେ ନଜ୍‌ ଫାଉଣ୍ଡେସନ (Nudge Foundation) ନାମକ ଏକ ସଂସ୍ଥା ସହ ମଧ୍ୟ ଆଲୋଚନା କରିଥିବା ନିଜ ଚିଠିରେ ଉଲ୍ଲେଖ କରିଛନ୍ତି।

ସାଂସଦଙ୍କ ଏହି ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି ପୂର୍ବତନ ଆଡିସିନାଲ ସେକ୍ରେଟାରୀ ସହଦେବ ସାହୁ। ପୂର୍ବତନ ପ୍ଲାନିଂ କମିଶନର ମଣ୍ଟେକ ସିଂହ ଆହ୍ଲୁୱାଲିଆଙ୍କ ଉଦାହରଣ ଦେଇ ସେ କହିଛନ୍ତି, ‘ଏହା ଦ୍ୱାରା ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଦକ୍ଷତା ଥିବା ପ୍ରତିଭାସଂପନ୍ନ ବ୍ୟକ୍ତି ପ୍ରଶାସନକୁ ଆସିବେ। ପ୍ରଶାସନିକ କାର୍ଯ୍ୟରେ ସେମାନଙ୍କର ଦକ୍ଷତା ଓ ଅଭିଜ୍ଞତା ଫଳପ୍ରଦ ହେବ। ଓଏଏସ ଓ ଆଇଏଏସ ଅଧିକାରୀମାନେ ଜ୍ଞାନୀ ହୋଇଥିଲେ ବି ସବୁ ବିଭାଗରେ ସମସ୍ତେ ବିଶେଷଜ୍ଞ ନୁହଁନ୍ତି ବୋଲି ସେ କହିଛନ୍ତି।’

ତେବେ ଲାଟେରାଲ୍ ଏଣ୍ଟ୍ରୀ କଣ? ଏହାଦ୍ୱାରା ବିଭିନ୍ନ ସେକ୍ଟରରେ କାର୍ଯ୍ୟ କରୁଥିବା ଦକ୍ଷ ବ୍ୟକ୍ତିଙ୍କୁ ଆଡମିନିଷ୍ଟ୍ରେଟିଭ ଫେଲୋଶିପ୍ ପ୍ରୋଗ୍ରାମ ଜରିଆରେ ସରକାରୀ କ୍ଷେତ୍ରରେ ଏକ ଉଚ୍ଚ ପଦ ଓ ଦାୟିତ୍ୱରେ ନିଯୁକ୍ତି ମିଳିଥାଏ। ନିକଟରେ କେନ୍ଦ୍ର ସରକାର ଏହି ଭଳି ୩୧ ଜଣ ଅଭିଜ୍ଞଙ୍କୁ ଲାଟେରାଲ୍ ଏଣ୍ଟ୍ରୀ ମାଧ୍ୟମରେ ନିର୍ଦ୍ଦେଶକ, ଯୁଗ୍ମ ସଚିବ ଆଦି ପଦବୀରେ ନିଯୁକ୍ତି ଦେଇଛନ୍ତି।

ତେବେ ରାଜ୍ୟରେ ଲାଟେରାଲ୍ ଏଣ୍ଟ୍ରୀ ଅଧିକ କିଛି ଫଳପ୍ରଦ ହେବ ନାହିଁ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟ ପ୍ରଶାସକ ସହଦେବ ସାହୁ। ସେ କହିଛନ୍ତି, ଘରୋଇ ଅନୁଷ୍ଠାନ ଲାଭଖୋର ହୋଇଥିବା ବେଳେ ସରକାର ଲୋକଙ୍କ ସେବାରେ କାମ କରିଥାନ୍ତି। ତେଣୁ ଲାଟେରାଲ୍ ଏଣ୍ଟ୍ରିରେ ଲୋକଙ୍କ ପ୍ରତି ସେମାନଙ୍କର ଦାୟିତ୍ୱବୋଧ ରହିବ ନାହିଁ। ଏହା ସହ ତୋଷାରପାତ ହେବାର ଆଶାଙ୍କା ମଧ୍ୟ ରହିଛି। ଏହା ସହ ଚାକିରି କ୍ଷେତ୍ରରେ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ମଧ୍ୟ ଏହି ପାର୍ଶ୍ୱ ପ୍ରବେଶ ପ୍ରକ୍ରିୟା ଉଲଂଘନ କରିପାରେ ବୋଲି କହିଛନ୍ତି ସହଦେବ ସାହୁ।

ସେପଟେ ଅମର ପଟ୍ଟନାୟକଙ୍କ ଏହି ପ୍ରସ୍ତାବକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟର ଅନ୍ୟ ଜଣେ ବରିଷ୍ଠ ପ୍ରଶାସକ ଦେବ ପ୍ରସାଦ ଦାଶ। ସେ କହିଛନ୍ତି, ଏହି ପ୍ରସ୍ତାବ ରାଜ୍ୟରେ ଦୁର୍ନୀତିକୁ ଆହୁରି ଖୋରାକ ଦେବ। ଏବେ ୧୦ ଜଣ ରାଜନେତା ବିନା କୌଣସି ଅଭିଜ୍ଞତା ଓ ଦକ୍ଷତାରେ ବିଭିନ୍ନ ବିଭାଗରେ ପରାମର୍ଶଦାତା ସାଜି ମନ୍ତ୍ରୀଙ୍କ ଭଳି ସୁବିଧା ସୁଯୋଗ ପାଉଛନ୍ତି। ଏପରିକି ପୂର୍ବରୁ ଅନେକ ଅଭିଜ୍ଞକୁ ସରକାରୀ ସ୍ତରରେ ଦାୟିତ୍ୱ ଦିଆ ଯାଇଥିଲେ ମଧ୍ୟ ତାହା ଲୋକଙ୍କ କାମରେ ଆସିପାରିନି। ଶ୍ୟାମ ପିଟ୍ରୋଡା ଯଦିଓ ସରକାରଙ୍କ ଠାରୁ ଦରମା ନେଇନଥିଲେ। କିନ୍ତୁ ଜଣେ କ୍ୟାବିନେଟ୍ ରାଙ୍କର ମନ୍ତ୍ରୀଙ୍କ ସୁବିଧା ପାଉଥିଲେ। ହେଲେ ସେ ଦେଢ ବର୍ଷ ସରକାରଙ୍କ ପରାମର୍ଶଦାତା ସାଜିଥିଲେ ମଧ୍ୟ ଏହାର ସୁଫଳ ରାଜ୍ୟବାସୀ ପାଇଲେ ନାହିଁ। ତେବେ ପ୍ରଶାସକଙ୍କ ସ୍ଥାନରେ ଲାଟେରାଲ୍ ଏଣ୍ଟ୍ରିରେ ଚାକିରି ଦେଇ ଏମିତି କିଛି ନିଜ ଲୋକଙ୍କୁ ସରକାରରେ ସାମିଲ କରିବାର ବାଟ ଖୋଲିଯିବ ବୋଲି ସନ୍ଦେହ ପ୍ରକଟ କରିଛନ୍ତି ଦେବ ପ୍ରସାଦ ଦାଶ।

ସୂଚନାଯୋଗ୍ୟ, ରାଜ୍ୟରେ ୨୪୮ ଆଇଏଏସ୍ ଓ ୧୯୫ ଆଇପିଏସ୍ ମଞ୍ଜୁରପ୍ରାପ୍ତ ପଦବୀ ରହିଛି। ହେଲେ ଉଭୟ ପଦବୀରେ ଏବେ ୭୬ଟି ପଦବୀ ଖାଲି ପଡିଥିବା ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫଳରେ ଜଣେ ଲେଖାଏ ବ୍ୟକ୍ତିଙ୍କୁ ଏକାଧିକ ଦାୟିତ୍ୱ ଦିଆଯାଉଛି। କିନ୍ତୁ ଏହାର ବିକଳ୍ପ, ଲାଟେରାଲ ଏଣ୍ଟ୍ରି ଦ୍ୱାରା ହୋଇ ପାରିବ କି ନାହିଁ, ତାକୁ ନେଇ ତର୍କ ବିତର୍କ ଆରମ୍ଭ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos